ଚ୍ୟାଲେଞ୍ଜର ସାମ୍ନା କରିବା ପାଇଁ ସର୍ବଦା ପ୍ରସ୍ତୁତ ରୁହ: ନାଜନିନ ଜଲାଲୁଦ୍ଦିନ

ଚ୍ୟାଲେଞ୍ଜର ସାମ୍ନା କରିବା ପାଇଁ ସର୍ବଦା ପ୍ରସ୍ତୁତ ରୁହ: ନାଜନିନ ଜଲାଲୁଦ୍ଦିନ

Tuesday November 10, 2015,

3 min Read

Tanishq ଦ୍ଵାରା ପ୍ରାୟୋଜିତ Mia Women Series ମଧ୍ୟରୁ ଏହି କାହାଣୀ ଗୋଟିଏ। ଏହି କାହାଣୀ ମାନଙ୍କରେ ଆମେ ସାହସୀ, ସଫଳ ଓ ପ୍ରେରଣାଦାୟୀ ମହିଳା ମାନଙ୍କର ସଫଳତାର ଗାଥା ପ୍ରଦର୍ଶନ କରିଥାଉ। (ଏ ସମସ୍ତ କାହାଣୀ ଉପରେ HerStoryର ସମ୍ପୂର୍ଣ ସମ୍ପାଦକୀୟ କର୍ତ୍ତୁତ୍ଵ ରହିଛି ।)

ନାଜନିନ ଜଲାଲୁଦ୍ଦିନଙ୍କ ଚେହେରାରେ ଝଲସୁ ଥିବା ଦୁଇଟି ଜିନିଷ ତାଙ୍କୁ ଅନ୍ୟମାନଙ୍କ ଠାରୁ ଭିଡ ଭିତରେ ବି ଅଲଗା କରିଦିଏ। ତାହା ହେଲା ତାଙ୍କ ମୁହଁରେ ସ୍ପଷ୍ଟ ବାରି ହୋଇ ପଡୁଥିବା ଆତ୍ମବିଶ୍ଵାସ ଓ ଧୈର୍ଯ୍ୟ। ଦେଖିବାକୁ ସେ ସୁନ୍ଦର ଓ ସେ ସେହି କାମ ହିଁ କରିଥାନ୍ତି ଯାହା ତାଙ୍କୁ କରିବାକୁ ଭଲ ଲାଗେ। ନୂତନ ଚିନ୍ତାଧାରା ଗ୍ରହଣ କରିବା ପାଇଁ ସେ ନିଜକୁ ସବୁବେଳେ ପ୍ରସ୍ତୁତ ରଖି ଥାଆନ୍ତି ଓ ଏ ଦିଗରେ ଯିବା ପାଇଁ ଯେକୌଣସି ଅଜଣା ରାସ୍ତାକୁ ବାଛିବାର ସାହସ ମଧ୍ୟ ରଖନ୍ତି। 

IIM Bangaloreରୁ ଶିକ୍ଷା ଶେଷ କରିଥିବା ନାଜନିନ ଜଲାଲୁଦ୍ଦିନଙ୍କ ପାଖରେ ଅଛି କର୍ପୋରେଟ କ୍ଷେତ୍ରରେ କାମ କରିବାର ଦୀର୍ଘ ଅଭିଜ୍ଞତା। ବର୍ତ୍ତମାନ ନାଜନିନ ଜଲାଲୁଦ୍ଦିନ ଦୁଇଟି ନୂଆ ବ୍ୟବସାୟ ସହ ଭିନ୍ନ ଭିନ୍ନ ଭାବେ ଜଡିତ।

ଉତ୍ତର ଆଫ୍ରିକାର ଲିବିୟାରେ ନଜାନିନ ନିଜ ସ୍କୁଲ ଶିକ୍ଷା ଶେଷ କରିଥିଲେ। ତାଙ୍କ ପିଲାଦିନର ଗୋଟିଏ ବଡ ସମୟ ଲିବିୟାରେ ହିଁ କଟିଥିଲା। ସେ ଚେନ୍ନାଇ ବିଶ୍ଵବିଦ୍ୟାଳୟରେ ସ୍ନାତକ ଓ IIM, Bangaloreରେ ଏମବିଏ ପଢିଲା ପରେ ଇନଫୋସିସରେ କାମ କରିବା ଆରମ୍ଭ କରିଥିଲେ। ଏହା ପରେ ସେ କିଛି ବର୍ଷ ବାଙ୍ଗାଲୋର ସ୍ଥିତ SAP ସଂସ୍ଥାରେ ମଧ୍ୟ କାମ କରିଥିଲେ। ଏହା ପରେ ସେ ନୂଆ କରି ଗଢି ଉଠିବା ଉଦ୍ୟୋଗମାନଙ୍କ ସହ ଜଡିତ ହେବା ଆରମ୍ଭ କଲେ।

image


ଏପରି ଗୋଟିଏ ସଂସ୍ଥା ହେଲା Applied Robotics। ଏହି ସଂସ୍ଥା ସହିତ ନାଜନିନ Chief Technology Officer ଭାବେ ଜଡିତ। ଅନ୍ତର୍ଜାତୀୟ ରୋବୋଟିକ୍ସ ବଜାରରେ ନିଜକୁ ଗୋଟିଏ ପ୍ରମୁଖ ସଂସ୍ଥା ଭାବେ ପରିଚିତ କରିବା Applied Roboticsର ଲକ୍ଷ୍ୟ। ଏଥିପାଇଁ ସେମାନେ ପାରସ୍ପରିକ ଆଦାନ ପ୍ରଦାନ କରିବାରେ ସମର୍ଥ ଅନେକ ଶ୍ରେଣୀର ରୋବୋଟ ତିଆରି କରୁଛନ୍ତି।

ନାଜନିନ ଜଡିତ ଥିବା ଦ୍ଵିତୀୟ ସଂସ୍ଥାଟି ହେଲା Thoughtapult। ନାଜନିନ ହେଉଛନ୍ତି ଏହି ସଂସ୍ଥାର Chief Innovation Officer। ଭାରତରେ କ୍ରାଉଡଫଣ୍ଡିଙ୍ଗ ବ୍ୟବସ୍ଥାର ଆରମ୍ଭ କରିବା ପାଇଁ Thoughtapult ଲକ୍ଷ୍ୟ ରଖିଛି। ବ୍ୟବସାୟିକ ଯୋଜନା ତିଆରି ଠାରୁ ନିତି ଦିନର କାର୍ଯ୍ୟ, ନୂଆ ବ୍ୟବସାୟ ଆରମ୍ଭ ଠାରୁ ବଜାର ସୃଷ୍ଟି- ସଂସ୍ଥାର ପ୍ରତ୍ୟେକ କାର୍ଯ୍ୟରେ ନଜାନିନ ସମ୍ପୃକ୍ତ।

କୌଣସି ସଂସ୍ଥା ନୂଆ କରି ଆରମ୍ଭ କଲେ ଉତଥାନ ଓ ପତନ ନିଶ୍ଚିତ ଭାବେ ରହିବ। ଅସ୍ଥିରତାକୁ ଠିକ ଭାବେ ସାମ୍ନା କରିବା ଓ ସକାରାତ୍ମକ ମନୋଭାବ ନେଇ କାମ କରିବା ହିଁ ସଫଳତାର ଚାବିକାଠି ବୋଲି ନାଜନିନ କୁହନ୍ତି। ଜେଜେମାଙ୍କୁ ନିଜ ପ୍ରେରଣାର ଉତ୍ସ ବୋଲି କୁହନ୍ତି ସେ। ତାଙ୍କ ମତରେ,” ମୋ ଜେଜେମା ଜଣେ ଶକ୍ତିଶାଳୀ ମହିଳା। ତାଙ୍କ ଜୀବନରେ ସେ ଅନେକ ପ୍ରତିବନ୍ଧକ କୁ ସାମ୍ନା କରିଛନ୍ତି। ଏହା ସତ୍ତ୍ୱେ ବି ସେ ନିଜର କୁଟୀର ଶିଳ୍ପ ପ୍ରତିଷ୍ଠା କରିଥିଲେ ଓ କେତେକ ରାନ୍ଧଣା ବହି ମଧ୍ୟ ଲେଖିଛନ୍ତି। ଜୀବନର ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆଶାବାନ ରହିବାର ଗୁଣ ମୁଁ ତାଙ୍କ ଠାରୁ ଶିଖିଛି।"

ବୈଷୟିକ ଜ୍ଞାନ କୌଶଳ କ୍ଷେତ୍ରରେ ଅଳ୍ପ ସଂଖ୍ୟକ ମହିଳା ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି। ଏହାକୁ ନିଜ କର୍ମକ୍ଷେତ୍ର ବୋଲି କାହିଁକି ବାଛିଲେ ପ୍ରଶ୍ନର ଉତ୍ତର ଦେଇ ନାଜନିନ କୁହନ୍ତି ଯେ “ ରୋବୋଟିକ୍ସ ବୈଷୟିକ କୌଶଳଟି ଅତ୍ୟନ୍ତ ରୋମାଞ୍ଚକର। ହଁ, ଏହା ସହ ଖାପ ଖୁଆଇବାକୁ ଓ କିଛି ନୂଆ କରି ଦେଖାଇବାକୁ ମତେ ସମୟ ଲାଗିଥିଲା। ମାତ୍ର ନୂଆ କରି ଆରମ୍ଭ ହେଉଥିବା ପ୍ରକଳ୍ପ ମାନଙ୍କର ଏହା ହିଁ ହେଉଛି ନିଆରାପଣ। ଏଠାରେ ଆପଣ ନିଜର କୌଣସି ଜିନିଷକୁ ସ୍ଥିରାଙ୍କ ଭାବେ ଗ୍ରହଣ କରିପାରିବେ ନାହିଁ।“

ନଜାନିନ ସବୁବେଳେ ନୂଆ କିଛି ଶିଖିବାକୁ ପ୍ରୟାସ କରନ୍ତି। ନୂଆ ନୂଆ ଭାଷା ଶିଖିବାରେ ନଜାନିନଙ୍କର ପ୍ରବଳ ଆଗ୍ରହ ରହିଛି। ଏହା ଛଡା ଅବସର ସମୟରେ ଚିତ୍ର ଆଙ୍କିବା, ବଗିଚାରେ କାମ କରିବା ଓ ବାଦ୍ୟଯନ୍ତ୍ର ବଜାଇବାକୁ ପସନ୍ଦ କରନ୍ତି। ଲେଖିବା ଓ ସମ୍ବାଦିକତା ପାଇଁ ମଧ୍ୟ ତାଙ୍କର ଦୁର୍ବଳତା ରହିଛି।

କଠିନ ପରିଶ୍ରମ ହିଁ ତାଙ୍କ ସଫଳତାର ଚାବିକାଠି ବୋଲି ନାଜନିନ ମତ ଦିଅନ୍ତି। ଜଣେ ମହିଳା ହୋଇଥିବାରୁ ତାଙ୍କୁ ଘର ଓ ଅଫିସ’ର କାମ ଭିତରେ ସନ୍ତୁଳନ ରକ୍ଷା କରିବାକୁ ପଡେ। ମାତ୍ର, ଏହି ସନ୍ତୁଳନ ରକ୍ଷା କରିବାରେ ତାଙ୍କ ସ୍ଵାମୀ ତାଙ୍କୁ ବହୁତ ସାହାଯ୍ୟ କରନ୍ତି ବୋଲି ସେ କହନ୍ତି। ଏହା ଛଡା ପୂର୍ବତନ ରାଷ୍ଟ୍ରପତି ଅବଦୁଲ କାଲାମଙ୍କ ଜୀବନୀ ଓ ଭାଷଣ ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି। ସକାରାତ୍ମକ ଦୃଷ୍ଟିଭଙ୍ଗୀ ଓ ଧୈର୍ଯ୍ୟ ସାହାଯ୍ୟରେ ଜଣେ ଜୀବନରେ ବହୁତ ଆଗକୁ ଯାଇ ପାରିବ ବୋଲି ସେ ମତ ଦିଅନ୍ତି।

image


ଜୀବନରେ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ ହେବା ଓ ଏହି ଭୂମିକାମାନଙ୍କ ଭିତରେ ସନ୍ତୁଳନ ରଖିବା ନାରୀମାନଙ୍କର ସହଜାତ ଗୁଣ। ଏହି ପ୍ରବୃତ୍ତି ମହିଳାମାନଙ୍କୁ ନିଜର ଉଦ୍ୟୋଗ ଆରମ୍ଭ କରିବା ଓ ସଫଳତାର ସହ ଚଳାଇବାରେ ସାହାଯ୍ୟ କରିପାରିବ ବୋଲି ନାଜନିନ କୁହନ୍ତି। ଇଚ୍ଛାଶକ୍ତି ଥିଲେ ସମସ୍ତ ପ୍ରତିବନ୍ଧକକୁ ଏଡେଇ ହେବ ଓ ଅନେକ ମହିଳା ଏ କ୍ଷେତ୍ରରେ ସଫଳ ହୋଇ ଉଦାହରଣ ସୃଷ୍ଟି କରିସାରିଲେଣି ବୋଲି ନାଜନିନ କୁହନ୍ତି।