ଜ୍ଞାନର ଆଲୋକରେ ଏକ ଗାଁକୁ ଆଲୋକିତ କରିଥିବା ତିନି ଝିଅ

ଜ୍ଞାନର ଆଲୋକରେ ଏକ ଗାଁକୁ ଆଲୋକିତ କରିଥିବା ତିନି ଝିଅ

Thursday February 18, 2016,

4 min Read

ତିନି ଝିଅ ତବସୁମ୍, ତରନ୍ନୁମ୍ ଏବଂ ରୁବିନା ଏବେ ବାରଣାସୀର ଏକ ଗ୍ରାମ ସାଜୋଇ ନଗରର ଚିତ୍ର ବଦଳାଇ ପାରିଛନ୍ତି । ଗାଁର ପିଲାମାନଙ୍କୁ ଖାସ୍ କରି ଝିଅ ମାନଙ୍କୁ ଶିକ୍ଷାର ଆଲୋକ ଦେଖାଇବାକୁ ଏହି ତିନି ଝିଅ ସକ୍ଷମ ହୋଇଛନ୍ତି । ଦିନ ଥିଲା ସେହି ଅଞ୍ଚଳର କୌଣସି ଝିଅ ପାଠ ପଢ଼ିବାକୁ ଯାଉ ନଥିଲା । ଯେଉଁ କେତେ ଜଣ ଯାଉଥିଲେ, ବର୍ଷେ ଦୁଇ ବର୍ଷ ପରେ ପାଠ ପଢ଼ା ଛାଡି ଦେଉଥିଲେ । ସେମାନେ ସ୍କୁଲରେ ଶିକ୍ଷା ଛାଡି ଘର ଦୈନନ୍ଦିନ କାମରେ ମା’କୁ ସାହାଯ୍ୟ କରିବା ଠିକ୍ ବୋଲି ଗାଁ ଲୋକଙ୍କ ଧାରଣା ଥିଲା । କିନ୍ତୁ ଏବେ ସେହି ଗାଁର ପାଖାପାଖି ୯୦ ପ୍ରତିଶତ ପିଲା ସ୍କୁଲ୍ ଯାଉଛନ୍ତି ଏବଂ ପ୍ରାଥମିକ ଶିକ୍ଷା ଗ୍ରହଣ କରୁଛନ୍ତି ।

image


ସାଜୋଇର କୌଣସି ଝିଅ ମାଟ୍ରିକ୍ ପରୀକ୍ଷା ଦେବା ତ ଦୂରର କଥା ହାଇସ୍କୁଲର ଦ୍ୱାର ମାଡି ନଥିଲେ । କିନ୍ତୁ ପିତାମାତାଙ୍କ ପ୍ରୋତ୍ସାହନ ବଳରେ ତବସୁମ୍, ତରନ୍ନୁମ୍ ଓ ରୁବିନା ପ୍ରଥମ କରି ହାଇସ୍କୁଲ ଗଲେ, ମାଟ୍ରିକ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଇଣ୍ଟରମିଡିଏଟ୍ ପଢ଼ିବାକୁ ସକ୍ଷମ ହେଲେ । ସେମାନଙ୍କ ଶିକ୍ଷା ତାଙ୍କୁ ଗାଁର ଅନ୍ୟ ଝିଅମାନଙ୍କୁ ଶିକ୍ଷା ଦିଗରେ ପ୍ରୋତ୍ସାହିତ କରିବାକୁ ଆରମ୍ଭ କଲା । ସେମାନେ ଘର ଘର ବୁଲି ଅଭିଭାବକମାନଙ୍କୁ ସେମାନଙ୍କ ଝିଅମାନଙ୍କୁ ପାଠ ପଢ଼ାଇବାକୁ ଅନୁରୋଧ କଲେ । ଏତିକି ବେଳେ ସେମାନେ ହ୍ୟୁମାନ୍ ୱେଲଫେୟାର୍ ଆସୋସିଏସନ୍ ନାମକ ଏକ ଏନଜିଓ ସହିତ ଯୋଡିହେଲେ । ସେହି ଏନଜିଓ ସହାୟତାରେ ତବସୁମ୍, ତରନ୍ନୁମ ଓ ରୁବିନା ଗାଁରେ ଶିକ୍ଷା ସଚେତନତା ଆରମ୍ଭ କଲେ । ସେମାନେ ଗାଁର ଏକ ସାର୍ବଜନୀନ ସ୍ଥାନରେ ପିଲାମାନଙ୍କୁ ଏକାଠି କରି ପ୍ରାଥମିକ ଶିକ୍ଷା ଦେବାକୁ ଲାଗିଲେ । ଏଥିପାଇଁ ସେମାନଙ୍କୁ ବହୁ ଅପବାଦ, ନିନ୍ଦା, ଭର୍ତ୍ସନା, ଗାଳି ସହିବାକୁ ପଡିଛି । କିନ୍ତୁ ଏସବୁରେ ସେମାନେ ଦୁଃଖିତ ହୋଇଥିଲେ ସୁଦ୍ଧା ବାନ୍ଧି ପାରି ନଥିଲା । ପ୍ରଗାଢ଼ ଇଚ୍ଛା ଶକ୍ତି ତାଙ୍କ ପାଇଁ ଆଲୋକର କାମ କରିଥିଲା । ଏବିଷୟରେ ତବସୁମ୍ କୁହନ୍ତି,

“ପ୍ରଥମେ ତ ଖୁବ୍ କଷ୍ଟକର ଥିଲା । ପିଲାମାନଙ୍କ ମଧ୍ୟରେ ପଢ଼ିବାର ଆଗ୍ରହ ହିଁ ନଥିଲା । କିନ୍ତୁ ଆମେ ଭାଙ୍ଗି ପଡି ନଥିଲୁ । ପ୍ରତ୍ୟେକ ଦିନ ଆମେ ସେମାନଙ୍କ ଘରକୁ ଯାଇ ସ୍କୁଲ୍ ଆସିବାକୁ ଆନୁରୋଧ କରୁ । ଏବଂ ଶେଷରେ ୬ ମାସର ଲଗାତାର ଉଦ୍ୟମ ପରେ ଧୀରେ ଧୀରେ କିଛି ପିଲା ପଢ଼ିବାକୁ ଉତ୍ସାହିତ ହେଲେ ।”

ପ୍ରଥମ ମାସରେ ସେମାନଙ୍କ ପାଖକୁ ମାତ୍ର ୩୫ ଜଣ ପିଲା ଆସିଥିଲେ । କିନ୍ତୁ ଗୋଟିଏ ବର୍ଷ ପରେ ଏହି ସଂଖ୍ୟା ୧୭୦ ଛୁଇଁ ଗଲା । ସବୁଦିନ ଏତେ ମାତ୍ରାରେ ପିଲା ତବସୁମ୍, ତରନ୍ନୁମ୍ ଓ ରୁବିନାଙ୍କ ନିକଟକୁ ପଢିବାକୁ ଆସନ୍ତି । କିନ୍ତୁ ଏବେ ବି ସେମାନେ ପୂର୍ଣ୍ଣ ସନ୍ତୋଷ ଲାଭ କରି ନାହାନ୍ତି । ଅଧାରୁ ସ୍କୁଲ୍ ଛାଡିଥିବା ଝିଅମାନଙ୍କୁ ପୁଣି ଥରେ ପାଠ ପଢ଼ାଇ ପାରିଲେ ସେମାନଙ୍କ ଉଦ୍ୟମ ସଫଳ ହେବ ବୋଲି ତିନି ହେଁ କୁହନ୍ତି ।

“ଅଧାରୁ ସ୍କୁଲ୍ ଛାଡିଥିବା ଏହି ଝିଅମାନଙ୍କ ବୟସ ଟିକିଏ ଅଧିକ । ଏଣୁ ସେମାନଙ୍କ ଅଭିଭାବକମାନେ ସେମାନଙ୍କୁ କେବେ ବି ଆଉ ପାଠ ପଢ଼ିବାକୁ ଛାଡିବେ ନାହିଁ । ସେମାନଙ୍କ ନଜରରେ ଏବୟସରେ ସ୍କୁଲକୁ ଯାଇ ପାଠ ପଢ଼ିବା ଅପେକ୍ଷା ଘରେ ରହି ଘର କାମ ଶିଖିଲେ ତାହା ବିବାହ ପରେ କାମ ଦେବ ।” ତବସୁମ୍ କୁହନ୍ତି ।
image


ଏତେ ସବୁ ବାଧାବିଘ୍ନ ଥିଲେ ମଧ୍ୟ ଏହି ତିନି ଝିଅ ବେଶ୍ ଚତୁରତାର ସହ ସେହି ଝିଅମାନଙ୍କୁ ପାଠ ପଢ଼ାଇବାକୁ ସକ୍ଷମ ହେଲେ । ସେମାନେ ସିଲାଇ ଶିଖାଇବାକୁ ଆରମ୍ଭ କଲେ । ଅଧାରୁ ପାଠ ପଢ଼ା ଛାଡିଥିବା ସେହି ଝିଅମାନେ ଏମାନଙ୍କ ନିକଟକୁ ସିଲାଇ ଶିଖିବାକୁ ଆସିବାକୁ ଆରମ୍ଭ କଲେ । ଏହି ବାହାନାରେ ତବସୁମ୍, ତରନ୍ନୁମ୍ ଓ ରୁବିନା ସେମାନଙ୍କୁ ପାଠ ପଢ଼ାଇବାକୁ ଆରମ୍ଭ କଲେ ।

ଝିଅମାନଙ୍କର ପିତାମାତା ଏବିଷୟରେ ଜାଣିବା ପରେ ଖୁବ୍ ବିରକ୍ତ ହେବା ସହ ପିଲାମାନଙ୍କୁ ସେମାନେ ପାଠ ପଢ଼ିବାକୁ ନୁହେଁ ବରଂ ସିଲାଇ ଶିଖିବାକୁ ଛାଡିଛନ୍ତି ବୋଲି କହିଲେ । କିନ୍ତୁ ସିଲାଇ ଶିଖିବାରେ ମଧ୍ୟ ପାଠ ପଢ଼ାର ଆବଶ୍ୟକତା ଅଛି, ଗଣିତର ପ୍ରୟୋଗ ରହିଛି ବୋଲି କହି ତବସୁମ୍, ତରନ୍ନୁମ୍ ଓ ରୁବିନା ସେହି ଅଭିଭାବକଙ୍କୁ ଚୁପ୍ କରିପାରିଲେ ।

ଏହାଭିତରେ ସେମାନେ ପାଠ ପଢ଼ାଉଥିବା ଜାଗାଟିକୁ ଖାଲି କରିବା ପାଇଁ ଗାଁ ଲୋକମାନେ କହିଲେ । କିନ୍ତୁ ସେମାନେ ଭାଙ୍ଗି ନ ପଡି ନିଜ ଘରେ ଶିକ୍ଷା ଦାନ କରିବାକୁ ଆରମ୍ଭ କଲେ । ସେମାନଙ୍କର କେବେ ହାର୍ ନମାନିବାର ଜିଦ୍ କାରଣରୁ ୨୦୦୭ରେ ସେମାନେ ଏକ ଶିକ୍ଷାକେନ୍ଦ୍ର ସ୍ଥାପନା କରି ପାରିଛନ୍ତି । ଏଠାରୁ ପ୍ରାଥମିକ ଶିକ୍ଷା ପାଇ ପିଲାମାନେ ସରକାରୀ ସ୍କୁଲରେ ପାଠ ପଢିବାକୁ ଆଗ୍ରହୀ ହୋଇଛନ୍ତି । ଗାଁରେ ଶିକ୍ଷାର ମାନ ବଢ଼ିଛି । ଏତିକିରେ ଏହି ତିନି ଝିଅଙ୍କ କାହାଣୀ ସରେନି । ସେମାନେ ସଫଳତା ସେତେବେଳେ ପାଇଲେ, ଯେତେବେଳେ ଖାଲି ଗାଁର ଝିଅମାନେ ନୁହେଁ ବରଂ ସେମାନଙ୍କର ମା’ମାନେ ମଧ୍ୟ ଶିକ୍ଷା ପ୍ରତି ଆଗ୍ରହ ଦେଖାଇବା ଆରମ୍ଭ କଲେ । 

ଆଜି ସାଜୋଇ ଗାଁର ଅଧିକାଂଶ ମହିଳା ଶିକ୍ଷିତ । ସେମାନେ ଟିପ ବଦଳରେ ଦସ୍ତଖତ କରି ପାରୁଛନ୍ତି । ଯେଉଁ ଲୋକମାନେ ଦିନେ ଏମାନଙ୍କ କାର୍ଯ୍ୟକୁ ଭର୍ତ୍ସନା କରୁଥିଲେ, ସେମାନେ ଆଜି ସହାୟତାର ହାତ ବଢ଼ାଇଛନ୍ତି । ଏମିତିକି ଗାଁରେ ଥିବା ଏକ ପୁରୁଣା ମଦ୍ରାସାକୁ ସେମାନେ ଏକ ଇଂରାଜୀ ସ୍କୁଲରେ ପରିବର୍ତ୍ତନ କରି ପାରିଛନ୍ତି । ସମାନ୍ତରାଳ ଭାବେ ତବସୁମ୍, ତରନ୍ନୁମ ଓ ରୁବିନା ନିଜ ନିଜର ଶିକ୍ଷା କ୍ଷେତ୍ରରେ ମଧ୍ୟ ଆଗକୁ ବଢ଼ୁଛନ୍ତି । ସେମାନେ ସ୍ନାତ୍ତକୋତର ପରେ ଏବେ ଇନଫର୍ମେସନ୍ ଟେକ୍ନୋଲୋଜି ପଢ଼ୁଛନ୍ତି । ଏହା ତାଙ୍କୁ ଭବିଷ୍ୟତରେ ସାହାଯ୍ୟ କରିବ ବୋଲି ସେମାନଙ୍କର ଆଶା ।

ରାସ୍ତା ଏତେଟା ସହଜ ନଥିଲା । ଅନେକ କିଛି ସହି ସେମାନେ ଆଗକୁ ବଢ଼ିଛନ୍ତି । ଲୋକଙ୍କ ଗଞ୍ଜଣା ରାସ୍ତାରେ ସହି ଘରେ ଆସି ମା’ ପାଖରେ କାନ୍ଦିଛନ୍ତି । କିନ୍ତୁ କେବେ ବି ହାର୍ ମାନି ନାହାନ୍ତି । ନିଜ ଜିଦ୍ ବଳରେ ସେ ଆଜି ସମ୍ପୂର୍ଣ୍ଣ ଗାଁଟିକୁ ରୂପାନ୍ତରିତ କରି ପାରିଛନ୍ତି । ଆଜି ବି ସେମାନେ ସାଜୋଇ ଗ୍ରାମବାସୀଙ୍କ ଭଳି ଲୋକମାନଙ୍କ କେବଳ ଗୋଟିଏ କଥା କହୁଛନ୍ତି,

“ପିଲାମାନଙ୍କୁ ଖାସ୍ କରି ଝିଅମାନଙ୍କୁ ପାଠ ପଢ଼ିବାକୁ ସୁଯୋଗ ଦିଅ । ଯେଉଁମାନେ ଗାଁରେ ଶିକ୍ଷିତ ଲୋକ ଅଛନ୍ତି, ସେମାନେ ନିଜ ନିଜ ଗାଁ ପାଇଁ କିଛି କରନ୍ତୁ । କାରଣ ଗାଁର ଏହି ନିରକ୍ଷର ଲୋକମାନଙ୍କୁ ଆପଣ ହିଁ ଅଜ୍ଞାନ ଅନ୍ଧକାରରୁ ବାହାର କରି ପାରିବେ ।” ତବସୁମ୍ କୁହନ୍ତି ।