ବିଦେଶୀଙ୍କୁ ଆକର୍ଷିତ କରିବା ପାଇଁ ପଦକ୍ଷେପ, ବର୍ଲିନ ପର୍ଯ୍ୟଟନ ମେଳାରେ ଓଡିଶା ମଣ୍ଡପ

ବିଦେଶୀଙ୍କୁ ଆକର୍ଷିତ କରିବା ପାଇଁ ପଦକ୍ଷେପ, ବର୍ଲିନ ପର୍ଯ୍ୟଟନ ମେଳାରେ ଓଡିଶା ମଣ୍ଡପ

Thursday March 17, 2016,

2 min Read

ଓଡିଶାକୁ ଅଧିକରୁ ଅଧିର ବିଦେଶୀ ପର୍ଯ୍ୟଟକ ଆସିବା ଲାଗି ସରକାର ଉଦ୍ୟମ କରୁଛନ୍ତି | ନିକଟରେ ଆଦିବାସୀ ଅଂଚଳକୁ ଯିବା ଲାଗି ଏମାନଙ୍କ ଉପରେ ଥିବା କଟକଣାକୁ କୋହଳ କରାଯାଇଛି | କିଛି ଗାଁକୁ ଛାଡିଦେଲେ ସେମାନେ ଏବେ ଅନେକ ଆଦିବାସୀ ଅଂଚଳ ବୁଲି ପାରିବେ | କେବଳ ବି‌ଜ୍ଞାପନ କିମ୍ବା ୱେବସାଇଟ୍ ମାଧ୍ୟମରେ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭିତରେ ସିମୀତ ନାହିଁ ପର୍ଯ୍ୟଟନ ବିଭାଗ | ନିକଟରେ ଜର୍ମାନୀରେ ହୋଇଥିବା ଟୁରିଜିମ୍ ଫେୟାରରେ ମଧ୍ୟ ଓଡିଶା ପର୍ଯ୍ୟଟନ ବିଭାଗ ଭାଗ ନେଇଛି | ସେଠାରେ ବିଦେଶୀ ପର୍ଯ୍ୟଟକମାନଙ୍କୁ ଓଡିଶାରେ ଥିବା ବିଶେଷ ପର୍ଯ୍ୟଟନ କ୍ଷେତ୍ରଗୁଡିକ ବିଷୟରେ ସୂଚନା ଦିଆଯାଇଥିଲା |

image


ଜର୍ମାନର ରାଜଧାନୀ ବର୍ଲିନ୍ ଠାରେ ହୋଇଥିବା ଆନ୍ତର୍ଜାତିକ ପର୍ଯ୍ୟଟନ ମେଳାରେ ଓଡିଶା ପର୍ଯ୍ୟଟନ ବିଭାଗ ତରଫରୁ ଓଡିଶା ମଣ୍ଡପ ନିର୍ମାଣ କରାଯାଇଥିଲା | ଏହି ଆକର୍ଷଣୀୟ ମଣ୍ଡପକୁ ବହୁ ବିଦେଶୀ ପର୍ଯ୍ୟଟକ ବୁଲି ଦେଖିଥିଲେ | ସେମାନଙ୍କୁ ଓଡିଶାରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ସମ୍ପର୍କରେ ବୁଝା ଯାଇଥିଲା | ଓଡିଶାରେ ହୀରକ-ତ୍ରିଭୁଜ ଓ ସ୍ୱର୍ଣ ତ୍ରିଭୁଜ ପର୍ଯ୍ୟଟନସ୍ଥଳୀଗୁଡିକ ବିଷୟରେ ସୂଚନା ଦିଆଯାଇଥିଲା | ଧଉଳିଠାରେ ଶବ୍ଦ ଓ ଆଲୋକ ବ୍ୟବସ୍ଥା ପର୍ଯ୍ୟଟକଙ୍କ ପାଇଁ ନୂଆ ଅନୁଭୂତି ହେବ ବୋଲି କୁହାଯାଇଥିଲା |

image


ଓଡିଶା ମଣ୍ଡପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି,

ଚିଲିକା ମାଷ୍ଟର ପ୍ଲାନ୍ ଜରିଆରେ ଏହି ହ୍ରହର ବ୍ୟାପକ ଉନ୍ନତିକରଣ କରାଯିବ | ସେହିପରି ସରକାରଙ୍କ ଅନୁକୂଳ ପର୍ଯ୍ୟଟନ ନୀତି ଓ ପର୍ଯ୍ୟଟକଙ୍କ ପ୍ରତି ରାଜ୍ୟବାସୀଙ୍କର ସୌହାର୍ଦ୍ଦ୍ୟପୂର୍ଣ ବ୍ୟବହାର ଅଧିକ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ସହାୟକ ହେବ | ଓଡିଶାରେ ବୌଦ୍ଧ ପର୍ଯ୍ୟଟନ ଓ ଆଦିବାସୀ ପର୍ଯ୍ୟଟନର ବ୍ୟାପକ ଚାହିଦା ରହିଛି ଓ ଏଥିପାଇଁ ଟୁର ଅପରେଟରମାନେ ପ୍ରଯତ୍ନ କରିବା ଉଚିତ୍ |

ରାଜ୍ୟ ପର୍ଯ୍ୟଟନ ବିଭବକୁ ବିଶ୍ୱସ୍ତରରେ ପହଂଚାଇବା ପାଇଁ ଉପସ୍ଥାପିତ ହୋଇଥିବା ଓଡିଶା ମଣ୍ଡପ ବର୍ଲିନ୍ ପର୍ଯ୍ୟଟନ ମେଳାରେ ବିଶେଷ ପ୍ରଶଂସିତ ହୋଇଥିଲା | ଜର୍ମାନସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଗୁରୁଜିତ୍ ସିଂହ ଏହି ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କରିବା ସହ କହିଥିଲେ,

ଏହି ମଣ୍ଡପରେ ସ୍ଥାନ ପାଇଥିବା ପର୍ଯ୍ୟଟନ ସ୍ଥଳୀଗୁଡିକର ସୂଚନା ଦେଖିଲେ ଯେ କେହି ଆକର୍ଷିତ ହେବ | ମୁଁ ଏହାକୁ ଦେଖି ବେଶ୍ ପ୍ରଭାବିତ ହୋଇଛି | ଏଭଳି କାର୍ଯ୍ୟକ୍ରମ ଦ୍ୱାରା ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ନିଶ୍ଚିତ ଓଡିଶା ପ୍ରତି ଟୁର୍ କରିବା ଲାଗି ଆଗ୍ରହୀ ହେବେ |

ଏଠାରେ ଓଡିଶାର ରଘୁରାଜପୁର ଶିଳ୍ପୀଗ୍ରାମ, ଓଡିଶୀ ବସ୍ତ୍ର ଓ ଶାସ୍ତ୍ରୀୟ ନୃତ୍ୟ ଉପରେ ମତ ବିନିମୟ ହୋଇଥିଲା | ସେହିପରି ପ୍ରାକୃତିକ ପର୍ଯ୍ୟଟନ କ୍ଷେତ୍ରରେ ଭିତର କନିକା, ଶିମିଳିପାଳ, ସାତକୋଶିଆ ଗଣ୍ଡ, ପୁରୀ-ଗୋପାଳପୁର-ଦିଘା ବେଳାଭୂମି ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି | ତେଣୁ ଏହା ଉପରେ ଓଡିଶା ମଣ୍ଡପ ବୁଲିବାକୁ ଆସୁଥିବା ବିଦେଶୀମାନଙ୍କୁ ଅଧିକ ସୂଚନା ପ୍ରଦାନ କରାଯାଇଥିଲା |

ଓଡିଶା ମଣ୍ଡପର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଦେଶୀମାନଙ୍କୁ ଓଡିଶା ପର୍ଯ୍ୟଟନ ସଂପର୍କିତ ଅଡିଓ-ଭିଜୁଆଲ୍ ଉପକରଣମାନ ବଣ୍ଟାଯାଇଥିଲା | ଏଥିରୁ ସେମାନେ ଓଡିଶା ପର୍ଯ୍ୟଟନ ସମ୍ପର୍କରେ ଅନେକ ତଥ୍ୟ ଜାଣିପାରିବେ ଓ ଓଡିଶା ଆସିବା ଲାଗି ଯୋଜନା କରିପାରିବେ | ଏହି ମେଳାରେ ଓଡିଶା ପର୍ଯ୍ୟଟନ ପକ୍ଷରୁ ୮ଟି ଟୁର୍ ଓ ଟ୍ରାଭେଲ୍ ସହଯୋଗୀ ଯୋଗ ଦେଇଛନ୍ତି |

ବର୍ଲିନ୍ ପର୍ଯ୍ୟଟନମେଳାକୁ ବିଭିନ୍ନ ଦେଶର ପର୍ଯ୍ୟଟକ, ଟୁର୍ ଅପରେଟର ଓ ସରକାରୀ ପ୍ରତିନିଧିମାନେ ଆସିଥାନ୍ତି | ତେଣୁ ଏଠାରେ ନିଜର ପର୍ଯ୍ୟଟନ କ୍ଷେତ୍ରଗୁଡିକର ପ୍ରଚାର ଓ ଏଥିପାଇଁ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ଲାଗି ଏହା ଏକ ଉପଯୁକ୍ତ ମାଧ୍ୟମ | ଏହା ଦ୍ୱାରା ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବା ସହ ଅନେକ ବିଦେଶୀ ଟୁର୍ ଅପରେଟର ମଧ୍ୟ ଓଡିଶାକୁ ପର୍ଯ୍ୟଟକ ଆଣିବା ଲାଗି ଆଗ୍ରହୀ ହେବେ |