ଆତ୍ମହତ୍ୟା ରୋକନ୍ତୁ, ଜୀବନ ବଞ୍ଚାନ୍ତୁ - ଆଶ୍ରା ହେଲ୍ପଲାଇନ

ଆତ୍ମହତ୍ୟା ରୋକନ୍ତୁ, ଜୀବନ ବଞ୍ଚାନ୍ତୁ - ଆଶ୍ରା ହେଲ୍ପଲାଇନ

Wednesday April 06, 2016,

4 min Read

ସମ୍ପ୍ରତି ଜଣାଶୁଣା ଟେଲିଭିଜନ ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀଙ୍କର ଆତ୍ମହତ୍ୟା ଚର୍ଚ୍ଚାର କାରଣ ହୋଇପଡିଛି। ଘରେ ଘରେ ସେ ବାଳିକା ବଧୂ ସିରିୟାଲର ଆନନ୍ଦି ନାମରେ ପରିଚିତ ଥିଲେ। ଖୁବ ଅଳ୍ପ ବଯସରୁ ସଫଳତାର ଶିଖର ଛୁଇଁ ପାରିଥିବା ପ୍ରତ୍ୟୁଷା ମାତ୍ର ୨୪ ବର୍ଷର ଜୀବନ ମଧ୍ୟରେ ଜୀବନର ମୋହ ତୁଟାଇଲେ କାହିଁକି? 

image


ଅନେକ ଜଣାଶୁଣା ଅଭିନେତ୍ରୀ ଅତୀତରେ ଆତ୍ମହତ୍ୟା କରିଛନ୍ତି। ଜିଆ ଖାନ, ଦିବ୍ୟା ଭାରତୀ, ନଫିସା ଯୋଶେଫ ଏବଂ ଆହୁରି ଅନେକ। ତାଲିକାଟି ଖୁବ ଲମ୍ବା। ଏବେ ଟେଲିଭିଜନ ଛାଡି ନିୟମିତ ସାଧାରଣ ଜୀବନକୁ ଆସିବା। ଆମ ଆଖପାଖରେ ମଧ୍ୟ ଏପରି ଘଟଣା ପ୍ରତିଦିନ ଘଟୁନାହିଁ କି। କେଉଁଠାରେ ପ୍ରେମିକା ପ୍ରେମରେ ପ୍ରତାରଣା ପାଇଲା ବୋଲି, କେଉଁଠି ଯୁବକ ଟିଏ ଚାକିରି ଖଣ୍ଡେ ପାଇପାରୁନି ବୋଲି ତ ଚାଷୀ ଭାଇଟିଏ ଚାଷ ପାଇଁ କରିଥିବା କରଜ ସୁଝିପାରୁନି ବୋଲି ଏପରି ପଦକ୍ଷେପ ନେଉଛନ୍ତି। ତା'ପରେ ସେମାନଙ୍କ ନିକଟବର୍ତ୍ତୀ ଲୋକଙ୍କ ମନରେ ଆସେ, ମୁଁ ଭଲା ଟିକେ ଆଭାସ ପାଇଥାନ୍ତି କି। ମୁଁ ହେଲେ ତା' ସାଙ୍ଗେ ଟିକେ କଥା ହେଇଥାନ୍ତି କି। କାହାସଙ୍ଗେ ମନ କଥା ବାଣ୍ଟିପାରିଥିଲେ ବୋଧେ ଏପରି ଏକ ପଦକ୍ଷେପ ନେଇନଥାନ୍ତା। 

ଏକଲାପଣ । ବିଷାଦ । ଦୁନିଆରୁ ମୋହ ତୁଟିଯିବା । ପ୍ରେମରେ ବିଫଳ ହେବା । ଘରୋଇ ଝଗଡ଼ା ଅସହ୍ୟ ହୋଇପଡ଼ିବା । ପରୀକ୍ଷାରେ ଫେଲ୍ ହେବ । ଚାଷ ଉଜୁଡ଼ିଯିବା । ମାଲି ମକଦ୍ଦମାରେ ହାରିଯିବା । ଏଭଳି ଅନେକ କାରଣ ଯୋଗୁଁ ପ୍ରତିଦିନ ଆମ ଦେଶରେ ଲୋକମାନେ ଆତ୍ମହତ୍ୟା କରୁଛନ୍ତି । ଆତ୍ମହତ୍ୟାକୁ ଭାରତୀୟ ଆଇନ ଅନୁସାରେ ଅପରାଧ ଘୋଷଣା କରାଯାଇଥିଲେ ମଧ୍ୟ ଏହି ଅତ୍ମଘାତି କାର୍ଯ୍ୟକୁ ଅଟକାଇବା ସହଜ ହେଉନାହିଁ ।

image


ଏକ ଆକଳନରୁ ଜଣାପଡ଼ିଛି ଯେ ଭାରତରେ ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ ଆତ୍ମହତ୍ୟା କରୁଛନ୍ତି । କ୍ୟାରିୟରରେ ବିଫଳ ହେବା, ପତ୍ନୀଙ୍କ ସହ ଝଗଡ଼ା ଭଳି କାରଣ ଯୋଗୁଁ ପୁରୁଷମାନେ ଆତ୍ମହତ୍ୟା କରୁଛନ୍ତି । ଓଡ଼ିଶାରେ ପ୍ରେମରେ ବିଫଳ ହୋଇ ଆତ୍ମହତ୍ୟା କରିବା, ପରୀକ୍ଷାରେ ଫେଲ୍ ହେବା ଯୋଗୁଁ ଲୋକ ଲଜ୍ଜାକୁ ଡ଼ରି ଛାତ୍ରଛାତ୍ରୀ ଆତ୍ମହତ୍ୟା କରିବା ଖବର ଅନେକ ସମୟରେ ସମ୍ବାଦପତ୍ରରେ ପ୍ରକାଶ ପାଉଛି । 

ତେବେ ମଣିଷର ମୂଲ୍ୟବାନ ଜୀବନକୁ ନଷ୍ଟ କରିଦେଉଥିବା ଏହି ଆତ୍ମହତ୍ୟାକୁ ରୋକାଯାଇପାରିବ । ଏ ଦିଗରେ ଦେଶର କେତେକ ବଡ଼ ବଡ଼ ଏନଜିଓ କାମ କରୁଛନ୍ତି । ସେଭଳି ଏକ ଏନଜିଓ ହେଉଛି ମୁମ୍ବାଇର "ଆଶ୍ରା" । ଏହା ଲୋକମାନଙ୍କୁ ଆତ୍ମହତ୍ୟା ନ କରିବାକୁ ବାର୍ତ୍ତା ଦେଉଛି । କେବଳ ସେତିକି ନୁହେଁ ଏହା ଆତ୍ମହତ୍ୟା କାଉନ୍ସେଲିଂ ପାଇଁ ଏକ ହେଲ୍ପଲାଇନ ନମ୍ବର ଜାରି କରିଛି ।

image


ଡାଏଲ ୯୧-୨୨-୨୭୫୪୬୬୬୯

image


ଜୀବନର କୌଣସି ଏକ ମୁହୂର୍ତ୍ତରେ ଯଦି ଜୀବନକୁ ନଷ୍ଟ କରିଦେବା ଭଳି ଭାବନା ଆସୁଛି ତେବେ ମନେ ରଖନ୍ତୁ ଆପଣ କୌଣସି ନା କୌଣସି କାରଣ ଯୋଗୁଁ ବିଷାଦଗ୍ରସ୍ତ ହୋଇଛନ୍ତି । ଗଭୀର ମାନସିକ ଚାପ ଦେଇ ଗତି କରୁଛନ୍ତି । ଏହା ଏକ ମାନସିକ ସମସ୍ୟା । ଯାହାର ସମାଧାନ ହୋଇପାରିବ । ଦୁନିଆରେ ଏଭଳି କୌଣସି ସମସ୍ୟା ନାହିଁ ଯାହାର ସମାଧାନ ପରାମର୍ଶ ଜରିଆରେ ହୋଇପାରି ନାହିଁ । ତେଣୁ ଯଦି କେବେ ଏଭଳି ଭାବନା ମନକୁ ଆସୁଛି ତେବେ ତୁରନ୍ତ ଉପରେ ଦିଆଯାଇଥିବା ନମ୍ବର ଡାଏଲ୍ କରି କଥାବାର୍ତ୍ତା ହୋଇଯାଆନ୍ତୁ । ଦେଖିବେ ମନକୁ ଆତ୍ମହତ୍ୟା ଭାବନା ଆଉ କେବେ ବି ଆସିବ ନାହିଁ । ଜୀବନ ସୁଖମୟ ହୋଇପାରିବ ।

ଓଡ଼ିଶାରେ ନାହିଁ ଆତ୍ମହତ୍ୟା ହେଲ୍ପଲାଇନ୍

ରାଜ୍ୟରେ ପ୍ରତିଦିନ କେଉଁଠି ନା କେଉଁଠି ବିଭିନ୍ନ କାରଣ ଯୋଗୁଁ ଲୋକମାନେ ଆତ୍ମହତ୍ୟା କରୁଛନ୍ତି । କିନ୍ତୁ ଏଠାରେ କୌଣସି ସଂସ୍ଥା ଆତ୍ମହତ୍ୟା କରିବାକୁ ଯାଉଥିବା ଲୋକଙ୍କୁ କାଉନ୍ସେଲିଂ ପ୍ରଦାନ କରିବା ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରିନାହାନ୍ତି । ସରକାରୀ ସ୍ତରରେ ଏ ନେଇ କୌଣସି ଉଦ୍ୟମ ହୋଇନାହିଁ । ବେସରକାରୀ ସ୍ତରରେ ଯଦି କେଉଁଠି କିଛି ଉଦ୍ୟମ ହୋଇଥିବ ତେବେ ପରଦା ଆଢ଼ୁଆଳରେ ରହିଯାଇଛି । ସାଧାରଣ ଲୋକ ଜାଣିବା ଭଳି କୌଣସି ହେଲ୍ପଲାଇନ୍ ନମ୍ବର ନାହିଁ ।

ଜୀବନ ବଂଚାଉଛି “ଆଶ୍ରା’

ମହାରାଷ୍ଟ୍ର ସରକାରଙ୍କ ଅଧୀନରେ ପଞ୍ଜିକୃତ ହୋଇଛି ଏହି ଏନଜିଓ । ଏକ ଉତ୍ସର୍ଗୀକୃତ ଟିମ୍ ଡିପ୍ରେସନରେ ଥିବା ଲୋକଙ୍କୁ ଜୀବନର ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ କାମ କରୁଛନ୍ତି । ଏହାର ୱେବସାଇଟରେ ଲେଖାଯାଇଛି ଯେ:

ଜୀବନ ଏକ ଯୁଦ୍ଧ । ଡାକ୍ତର ରୋଗରୁ ବଂଚାଉଛି । ଓକିଲ ଅନ୍ୟାୟରୁ ବଂଚାଉଛି । ଅଶିକ୍ଷାରୁ ମୁକ୍ତି ଦେଉଛନ୍ତି ଶିକ୍ଷା । ବିଷାଦରେ ଥିବା ଲୋକଙ୍କୁ ବଂଚାଉଛି ଆଶ୍ରା ।

ଆଶ୍ରାର ହେଲ୍ପଲାଇନ୍ ନମ୍ବର ୨୪ ଘଂଟା କାମ କରୁଛି । ଯେ କୌଣସି ସମୟରେ ଏହି ନମ୍ବର ଡାଏଲ୍ କରି ଲୋକମାନେ ନିଜ ସମସ୍ୟା ବିଷୟରେ କଥାବାର୍ତ୍ତା ହୋଇପାରିବେ । ଏହା ସମ୍ପୂର୍ଣ୍ଣ ମାଗଣା । ହେଲ୍ପଲାଇନ୍ ରେ ଯେଉଁ ସବୁ କଥାବାର୍ତ୍ତା ହେବ ତାହା ଗୋପନ ରହିବ । କେହି ସେ ବିଷୟରେ ଜାଣିପାରିବେ ନାହିଁ । କେବଳ କାଉନ୍ସେଲର୍ ଓ ଫୋନ୍ କରିଥିବା ବ୍ୟକ୍ତିଙ୍କ ଭିତରେ ତାହା ସୀମିତ ରହିବ । ତେଣୁ କୌଣସି ପ୍ରକାର ଚିନ୍ତା ବିନା ଏହି ନମ୍ବରକୁ ଫୋନ୍ କରାଯାଇପାରିବ । ଏଥିରେ କଥାବାର୍ତ୍ତା ପ୍ରଘଟ ହୁଏ ନାହିଁ । ଗୋପନୀୟତାକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି ।

ଆତ୍ମହତ୍ୟା କାଉନ୍ସେଲିଂର ଇତିହାସ

ଆତ୍ମହତ୍ୟା କରିବାକୁ ଯାଉଥିବା ଲୋକମାନଙ୍କୁ କାଉନ୍ସେଲିଂ କରିବା କାମ ୧୯୫୩ରୁ ଆରମ୍ଭ ହୋଇଗଲାଣି । ଲଣ୍ଡନର ରେଭ୍ ଚାଡ୍ ବାରାହ୍ ଏକ ୧୩ ବର୍ଷୀୟ ବାଳିକାର ଆତ୍ମହତ୍ୟାରେ ଅତ୍ୟନ୍ତ ଭାଙ୍ଗି ପଡ଼ିଥିଲେ । କାରଣ ବାଳିକା ଜଣକ ଯେଉଁ ସୁଇସାଇଡ୍ ନୋଟ୍ ଛାଡ଼ିଥିଲା, ସେଥିରେ ଲେଖିଥିଲା ଯେ ସେ କାହା ସହ କଥା ହେବାକୁ ଚାହିଁଲେ ମଧ୍ୟ ହୋଇପାରୁନି । ତେଣୁ ଜୀବନକୁ ନଷ୍ଟ କରିଦେବାକୁ ନିଷ୍ପତି ନେଇଛି । ଏହା ପରଠାରୁ ସେ ବ୍ରିଫ୍ରେଣ୍ଡ୍ ୱାର୍ଲଡ୍/ ବିଫ୍ରେଣ୍ଡ୍ ଇଟଂରନ୍ୟାସନାଲ୍ ଆରମ୍ଭ କରିଥିଲେ । ବର୍ତ୍ତମାନ ଏହି ସଂସ୍ଥା ୪୨ଟି ରାଷ୍ଟ୍ରରେ କାମ କରୁଛି । ଆଶ୍ରା ନାମକ ଏନଜିଓଟି ବିଫ୍ରେଣ୍ଡ୍ ଇଣ୍ଡିଆ ଅଧୀନରେ କାମ କରୁଛି ।