ଗଛ ପାଇଁ ସଞ୍ଜିବନୀ ପାଲଟିଛନ୍ତି ଅମୀୟ

Thursday March 03, 2016,

3 min Read

ଦିନେ ବିକାଶ ପାଇଁ କବର ପାଇବାକୁ ଯାଉଥିବା ରାଜଧାନୀ ଭୁବନେଶ୍ୱରରେ ଥିବା କିଛି ବିଶାଳ ଗଛ ଏବେ ସବୁଜିମା ମେଲାଇ ହସୁଛନ୍ତି । ଆଉ ଏସବୁ କେବଳ ସମ୍ଭବ ହୋଇଛି ଅମୀୟଙ୍କ ପାଇଁ । ଗଛମାନଙ୍କ ପାଇଁ ସଞ୍ଜିବନୀ ସେ । ତାଙ୍କ ହାତ ବାଜିଲେ ମାଟିରେ ପଡିଥିବା ଗଛରୁ ପୁଣି ଥରେ ପତ୍ର କଅଁଳି ଉଠେ । ନିଜ ଟଙ୍କା ଖର୍ଚ୍ଚ କରି ସେ ଗଛକୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରନ୍ତି, ନୂଆ ଜୀବନ ଦିଅନ୍ତି । ପେଶାରେ ରେଳବାଇରେ ଆରପିଏଫ୍ ସବ୍ ଇନସପେକ୍ଟର ଥିବା ଶୈଳଶ୍ରୀବିହାର ବାସିନ୍ଦା ଅମୀୟ ପ୍ରସାଦ ସାହୁ ଗଛକୁ ଏମିତି ନୂଆ ଜୀବନ ଦେଇ ତମାମ ସମାଜକୁ ନୂଆ ଉଦାହରଣ ଛାଡିଛନ୍ତି ।


କେନିଆ, ଜାପାନ, ଆମେରିକା ଭଳି ଦେଶରେ ଗଛ ନ କାଟି ରି-ପ୍ଲାଣ୍ଟ ଟେକ୍ନୋଲୋଜି ଦ୍ୱାରା ସ୍ଥାନାନ୍ତର କରାଯାଉଛି । ଗଛକୁ ଭଲ ପାଉଥିବା ଅମୀୟ ନିଜସ୍ୱ ରି-ପ୍ଲାଣ୍ଟ ପଦ୍ଧତିରେ ଗଛକୁ ବଞ୍ଚାଉଛନ୍ତି । ରାସ୍ତା ସଂପ୍ରସାରଣ ପାଇଁ ଗଛ କାଟିବା ଦରକାର ପଡିଲେ ବା କୌଣସି ପ୍ରାକୃତିକ ଦୁର୍ବିପାକ ଯୋଗୁ ଗଛ ଉପୁଡି ପଡିଥିଲେ ସେ ସବୁକୁ ବଞ୍ଚାଇବାକୁ ଦୌଡି ଆସନ୍ତି ସେ । ଗତ କିଛି ଦିନ ତଳେ ଡମଣା ହାଟରେ ରାସ୍ତା ସଂପ୍ରସାରଣ ପାଇଁ ବଳି ପଡିବାକୁ ଯାଉଥିବା ୪୦ ବର୍ଷର ଏକ ବିଶାଳ ବୃକ୍ଷ ସମେତ ୨ଟି ଗଛକୁ ରି-ପ୍ଲାଣ୍ଟ ଉପାୟରେ ସ୍ଥାନାନ୍ତର କରି ନୂଆ ଜୀବନ ଦେଇଛନ୍ତି

ଅମୀୟ କୁହନ୍ତି, 

ଗତ ସେପ୍ଟେମ୍ବର ମାସରେ ଡମଣା ଛକରୁ ଶୈଳଶ୍ରୀବିହାର ରାସ୍ତା ସଂପ୍ରସାରଣ ପାଇଁ କାମ ଆରମ୍ଭ ବେଳେ ବହୁ ଗଛ କଟା ହୋଇ ମାଟିରେ ମିଶିଥିଲା। ଏହି ରାସ୍ତା ପାଇଁ ଗଛ କଟା ତାଲିକାରେ ଥିଲା ସେ ଅଞ୍ଚଳର ପ୍ରାୟ ୪୦ ବର୍ଷ ପୁରୁଣା ବିଶାଳ ଓସ୍ତ ଓ ଅନ୍ୟ ୩ଟି ବଡ ଓସ୍ତ ଗଛ । ଏହା କଟା ଜାଣିବା ପରେ ମୁଁ ସେଠାରେ ପହଞ୍ଚି ଏହାକୁ ବିରୋଧ କରିଥିଲେ । ନିଜସ୍ୱ ଖର୍ଚ୍ଚରେ ଏହାକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରି ନେବେ ବୋଲି ଜଙ୍ଗଲ ବିଭାଗ ଅଧିକାରୀମାନଙ୍କୁ ପ୍ରସ୍ତାବ ଦେଇଥିଲି । ଏହି ପ୍ରସ୍ତାବରେ ଜଙ୍ଗଲ ବିଭାଗ ଅଧିକାରୀମାନେ ରାଜି ହେବା ପରେ ଏହାକୁ ରି-ପ୍ଲାଣ୍ଟ କଲି । ୪ଟି ଗଛରୁ ୨ଟି ଗଛକୁ ଦୁଇଟି ହାଇଡ୍ରା ମେସିନ୍ ଓ ଟ୍ରଲର ସହାୟତାରେ ଉଠାଇ ନୀଳାଦ୍ରିବିହାର ଶନିମନ୍ଦିର ପାଖରେ ପଡିଆ ପାଖକୁ ସ୍ଥାନାନ୍ତର କରିଲି । 

ତେବେ ରି-ପ୍ଲାଣ୍ଟ ପଦ୍ଧତି ବେଶ୍ ବ୍ୟୟସାପେକ୍ଷ ଓ ଛୋଟ ଗଛର ବଞ୍ଚିବା ଆଶା କମ୍ ହୋଇଥିବାରୁ ସେ ବଡ ଓ ପୁରୁଣା ଗଛକୁ ରିପ୍ଲାଣ୍ଟ କରିବାକୁ ବେଶି ପ୍ରାଧ୍ୟାନ୍ୟ ଦେଉଛନ୍ତି ବୋଲି କୁହନ୍ତି । 

ନିଜ ଅନୂଭୁତି ମନେ ପକାଇ ସେ କୁହନ୍ତି, 

ଗଛକୁ ସ୍ଥାନାନ୍ତର ବେଳେ ବହୁ ଜାଗାରେ ବିରୋଧକୁ ସାମ୍ନା କରିଛି । ମାତ୍ର ଗଛକୁ ଭଲ ପାଇବା ଇଛା କେବେବି ମୋତେ ଅଟକାଇ ପାରିନି । 

ସେ ଏମିତି ପ୍ରାୟ ୧୦ଟି ବିଶାଳ ଗଛକୁ ସ୍ଥାନାନ୍ତର କରି ନୂଆ ଜୀବନ ଦେଇଛନ୍ତି ।

ଅମୀୟ ଓ ତାଙ୍କ ସ୍ତ୍ରୀ ରାଜଧାନୀରେ ପ୍ରାୟ ୩ହଜାରରୁ ଅଧିକ ଗଛ ଲଗାଇ ସାରିଲେଣି । ଜୟଦେବ ବିହାରରୁ ଚନ୍ଦ୍ରଶେଖରପୁର ଭିତରେ ସେ ଏକ ହଜାରରୁ ଅଧିକ ଗଛ ଲଗାଇଛନ୍ତି । ଗଛକୁ ଭଲ ପାଇବା ନିଶା ଯୋଗୁ ଗତବର୍ଷ ସ୍ୱାୟତ୍ତ ଶାସନ ଦିବସରେ ସେ ନଗରବନ୍ଧୁ ସମ୍ମାନ ହାତେଇଥିଲେ। ବିଭିନ୍ନ ପୁଷ୍ପ ପ୍ରଦର୍ଶନୀରେ ମଧ୍ୟ ସେ ବହୁ ପୁରସ୍କାର ପାଇଛନ୍ତି । ଆମ ରାଜ୍ୟରେ ରିପ୍ଲାଣ୍ଟ ଟେକ୍ନୋଲୋଜିକୁ ବ୍ୟାପକ କରିବା ବାବଦରେ ଅମୀୟ କୁହନ୍ତି, ଆମ ରାଜ୍ୟରେ ଏବେ ସୁଦ୍ଧା ରି-ପ୍ଲାଣ୍ଟ ଟେକନିକ୍ ଆରମ୍ଭ ହେଉନଥିବାରୁ ବହୁ ବିଶାଳ ଗଛ ମାଟିରେ ପଡୁଛି । ଏଥିପାଇଁ ସରକାରଙ୍କୁ ଆଗକୁ ଆସିବାକୁ ପଡିବ । ବାହାର ଦେଶ ଓ ରାଜ୍ୟର ରି-ପ୍ଲାଣ୍ଟ ଟେକ୍ନୋଲୋଜି ଢାଞ୍ଚାରେ ଏହାକୁ ଆମ ରାଜ୍ୟରେ ବ୍ୟାପକ ଭାବେ ବ୍ୟବହାର କରିବାକୁ ପଡିବ । ଫଳରେ ପରିବେଶର ସୁରକ୍ଷା ହୋଇପାରିବ । ଆହୁରି ମଧ୍ୟ ଲୋକମାନେ ଖାଲି ଗଛ ଲଗାଇଲେ ହେବନି। ଛୋଟରୁ ବଡ ହୋଇଥିବା ଗଛକୁ ସୁରକ୍ଷା କଲେ ଯାଇ ପରିବେଶ ହସିବ ।