କାହିଁକି ଘରଣୀମାନେ ସେମାନଙ୍କ କାମ ପାଇଁ ମାସିକ ପାରିଶ୍ରମିକ ନ ପାଇବେ ?

କାହିଁକି ଘରଣୀମାନେ ସେମାନଙ୍କ କାମ ପାଇଁ ମାସିକ ପାରିଶ୍ରମିକ ନ ପାଇବେ ?

Wednesday May 04, 2016,

3 min Read


ଏବେ ଏବେ ମଇ ୧ ଅର୍ଥାତ୍ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଯାଇଛି | ଏହି ପରୀପ୍ରେକ୍ଷୀରେ ଆମକୁ ଦେଖିବାକୁ ପଡିବ ହୋମ୍ ମେକର୍ ବା ଘରଣୀମାନଙ୍କ କାମକୁ କେବେ ଔଦ୍ୟୋଗିକ କାର୍ଯ୍ୟର ମାନ୍ୟତା ମିଳିବ ଓ ସେମାନଙ୍କୁ ସେମାନଙ୍କର ପାରିଶ୍ରମିକ ମିଳିବ | ଘରଣୀମାନଙ୍କ କାମ ସ୍ଵାଭାବିକ ବୋଲି ସମସ୍ତେ ଭାବୁଛନ୍ତି ଓ ସେମାନଙ୍କ କାମକୁ କେହି ପାରିଶ୍ରମିକ ଭିତ୍ତିକ କାର୍ଯ୍ୟ ବୋଲି ବିବେଚନା କରୁନାହାନ୍ତି | ଯାହା ଫଳରେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ମାସିକ ଦରମା ବା ପାରିଶ୍ରମିକ ମିଳିପାରୁନାହିଁ |

Image: Play Buzz

Image: Play Buzz


The Wire ର ଏକ ରିପୋର୍ଟ ଅନୁଯାୟୀ ଏହା ସତ ଯେ ବିବାହ ବ୍ୟବସ୍ଥାରେ ପତି ସହ ପତ୍ନୀ ହେଉଛନ୍ତି ସମ ଭାଗିଦାର | କିନ୍ତୁ ଘରର ଯେ କୌଣସି କାମ ସମ୍ପର୍କରେ ନିଷ୍ପତ୍ତି ନେବା ବେଳେ ତାଙ୍କ ମତକୁ ଗୁରୁତ୍ୱ ଦିଆଯାଇନଥାଏ | ଯଦି ସେ ରୋଜଗାର କରୁନାହାନ୍ତି, ତାହେଲେ ତାଙ୍କ କଥାକୁ କେହି ଖାତିର ବି କରନ୍ତି ନାହିଁ | ଭାରତ ଭଳି ଦେଶର ସାମାଜିକ ବ୍ୟବସ୍ଥାରେ ସେମାନଙ୍କ ପାଖରେ ସ୍ୱାଧିନ ଭାବେ କାମ କରିବାର ସୁଯୋଗ ନଥାଏ | ନିଜ ଇଛା ଅନୁସାରେ କାମ କରିବା, କିଛି ନୂଆ ପେଶା ଆରମ୍ଭ କରିବା, ନିଜ ସମ୍ପର୍କୀୟଙ୍କୁ ବିପଦ ସମୟରେ ସାହାଯ୍ୟ କରିବା କିମ୍ବା ଇଛାନୁସାରେ କିଛି କିଣିବା ଆଦି କାମରେ ତାଙ୍କ ଉପରେ କଟକଣା ରହିଥାଏ | ତାଙ୍କୁ ବହୁ ପ୍ରଶ୍ନର ସାମ୍ନା କରିବାକୁ ପଡେ | କିନ୍ତୁ ଆପଣ ଯଦି ଦେଖିବେ ଘରର ପ୍ରାୟ ସବୁ କାମ ଘରଣୀମାନେ ହିଁ କରିଥାନ୍ତି, ଯାହା ପାରିଶ୍ରମିକ ଦେଇ କରିବା ଅସମ୍ଭବ ପ୍ରାୟ | ତଥାପି ତାଙ୍କ ଉଦ୍ୟମକୁ କେହି ପ୍ରଂଶସା କରନ୍ତି ନାହିଁ | ‘ମହିଳାମାନେ ତ ଏସବୁ କାମ କରନ୍ତି, ତାଙ୍କ କାମ ହିଁ ଏୟା’, ଏହି ଭାବନାରେ ସମସ୍ତେ ଥାଆନ୍ତି | ଏହାର କାରଣ ହେଉଛି ଯେ ଏଥିପାଇଁ ଘରଣୀମାନଙ୍କୁ ପଇସା ମିଳୁନଥିବାରୁ ସେମାନଙ୍କ କାମ ମୂଲ୍ୟହୀନ ହୋଇପଡେ |

ଅର୍ଥନୈତିକ ସହଯୋଗ ଓ ବିକାଶ ସଂସ୍ଥା ପକ୍ଷରୁ ଏହାର ୨୬ଟି ସଦସ୍ୟ ରାଷ୍ଟ୍ର ଏବଂ ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ଭଳି ତିନିଟି ଦ୍ରୁତ ପ୍ରଗତିଶୀଳ ରାଷ୍ଟ୍ରଙ୍କୁ ନେଇ ଏ ସମ୍ପର୍କରେ ଏକ ଗବେଷଣା ହୋଇଥିଲା | ଏହି ଷ୍ଟଡି ଅନୁଯାୟୀ, ଘରକରଣା ଉତ୍ପାଦନ ଦେଶର ଅର୍ଥନୈତିକ କାର୍ଯ୍ୟର ଏକ ପ୍ରମୁଖ ଅଂଶ | ଯେହେତୁ ବିନା ପାରିଶ୍ରମିକରେ ମହିଳାମାନଙ୍କ ଦ୍ୱାରା ଏହା କରାଯାଉଛି, ଏହାକୁ ଅବହେଳା କରିବା ଦ୍ୱାରା ଅର୍ଥନୀତି ପ୍ରତି ମହିଳାମାନଙ୍କ ଅବଦାନକୁ ମଧ୍ୟ ଅବହେଳା କରାଯାଉଛି | 

ଏହି ଅନୁସନ୍ଧାନରୁ ଜଣାପଡିଛି ଯେ ତୁର୍କୀ, ମେକ୍ସିକୋ ଓ ଭାରତୀୟ ମହିଳାମାନେ ପୁରୁଷମାନଙ୍କ ଠାରୁ ଦୈନିକ ସାଢେ ଚାରିଘଂଟାରୁ ପାଂଚ ଘଂଟା ଅଧିକ ପାରିଶ୍ରମିକ ବିହୀନ କାମ କରିଥାନ୍ତି | ଏଥିରେ ଏହା ମଧ୍ୟ କୁହାଯାଇଛି ଯେ ଭାରତୀୟ ପୁରୁଷମାନେ ଅନ୍ୟମାନଙ୍କ ତୁଳନାରେ ଶୋଇବା, ଖାଇବା, ଟିଭି ଦେଖିବା, ରିଲାକ୍ସ କରିବାରେ ଅଧିକ ସମୟ ଦିଅନ୍ତି |

ମହିଳାମାନେ ଯଦି ଏତେ କାମ କରୁଛନ୍ତି, ତେବେ ସେମାନଙ୍କୁ ପାରିଶ୍ରମିକ ମିଳୁନାହିଁ କାହିଁକି ? ଆନ୍ତର୍ଜାତିକ ସ୍ତରରେ ଘରକରଣା କାମ ପାଇଁ ପାରିଶ୍ରମିକ ଅଭିଯାନ ୧୯୭୨ରେ ଇଟାଲୀରେ ଆରମ୍ଭ ହୋଇଥିଲା | ସେଲମ୍ମ ଜେମସ୍ ଏହାକୁ ଆରମ୍ଭ କରିଥିଲେ | ଘରକରଣା କାମ ହେଉଛି ଔଦ୍ୟୋଗିକ କାର୍ଯ୍ୟ ମୂଳ ଭିତ୍ତି ଓ ତେଣୁ ସେମାନଙ୍କୁ ପାରିଶ୍ରମିକ ମିଳିବା ଦରକାର ବୋଲି ଏହି କାମ୍ପେନ୍ ପ୍ରଥମେ ସ୍ୱର ଉଠାଇଥିଲା | ପରେ ଏହି ଆନ୍ଦୋଳନ ବ୍ରିଟେନ୍ ଓ ଆମେରିକାକୁ ବ୍ୟାପିଥିଲା | ଏହି ଆନ୍ଦୋଳନର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ସିଲଭିଆ ଫେଡେରିକ୍ ତାଙ୍କ ପୁସ୍ତକ ‘Wages Against Housework’ ଲେଖିଛନ୍ତି, ଘରକରଣା କାମ ପାଇଁ ଅର୍ଥ ଦାବି କରିବା ଦ୍ୱାରା ଆମ ଉପରେ ସମାଜର ଥିବା ଆଶା ଉଣା ହୋଇଥାଏ | ଯେହେତୁ ଏହି ଆଶା ହେଉଛି ସମାଜିକ ବ୍ୟବସ୍ଥାର ମୂଳାଧାର, ଏହା ଘରେ ଆମର ପାରିଶ୍ରମିକ ହୀନ ଅବସ୍ଥାକୁ କାର୍ଯ୍ୟଶୀଳ କରାଇଥାଏ |

ଏଇ ନିକଟରେ ୨୦୧୪ରେ ଜଣେ ଇଟାଲୀୟ ଆଇନଜୀବୀ ଓ ସଂଦସର ପୂର୍ବତନ ସଦସ୍ୟା ପ୍ରସ୍ତାବ ଦେଇଥିଲେ ଯେ ଘରଣୀମାନଙ୍କୁ ଦରମା ଦିଆଯିବା ଉଚିତ୍ | ଘରୋଇ ହିଂସା ଉପରେ ବିତର୍କରେ ଅଭିଭାଷଣ ଦେବା ବେଳେ ସେ ଏହା କହିଥିଲେ | ସେ ଯୁକ୍ତି ରଖିଥିଲେ ଯେ ସ୍ୱାମୀମାନଙ୍କ ଉପରେ ନିର୍ଭର କରୁଥିବା ସ୍ତ୍ରୀମାନଙ୍କୁ ଏକ ନିର୍ଯ୍ୟାତିତ ଜୀବନରେ ରହିବାକୁ ପଡେ | ସେମାନଙ୍କ ପାଖରେ ଆଉ କିଛି ବିକଳ୍ପ ନଥାଏ | ଏହାର ଅର୍ଥ ନୁହେଁ ଯେ ଦରମା ନିର୍ଯାତନା ଉପରେ ନିର୍ଭର କରେ | କିନ୍ତୁ ଘରଣୀମାନଙ୍କର ଭୂମିକାକୁ ଗୁରୁତ୍ୱ ଦେବାକୁ ପଡିବ ଓ ସେମାନଙ୍କୁ ସେମାନଙ୍କର ପାରିଶ୍ରମିକ ଦେବାକୁ ପଡିବ |