ଭାରତୀୟ ବିଜ୍ଞାନ କଂଗ୍ରେସର ସଭାପତି ହେଲେ ଅଚ୍ୟୁତ ସାମନ୍ତ

ଭାରତୀୟ ବିଜ୍ଞାନ କଂଗ୍ରେସର ସଭାପତି ହେଲେ ଅଚ୍ୟୁତ ସାମନ୍ତ

Wednesday January 06, 2016,

3 min Read

image


ତରୁଣ ଗୋଷ୍ଠୀଙ୍କ ମଧ୍ୟରେ ବିଜ୍ଞାନର ପ୍ରଚାର କରିବା ଆବଶ୍ୟକ । ସେମାନଙ୍କୁ ଭବିଷ୍ୟତ ଭାରତର ବୈଜ୍ଞାନିକ ସଜାଇବା ଲାଗି ଆମେ ଉଦ୍ୟମ କରିବା ଉଚିତ । ଛାତ୍ରମାନଙ୍କ ମଧ୍ୟରେ ଥିବା ବିଜ୍ଞାନ ଆଗ୍ରହକୁ ତେଜୀୟାନ କରିବାର ସମୟ ଆସିଛି । ଦେଶର ବିକାଶରେ ବିଜ୍ଞାନ ପ୍ରମୁଖ ଭୂମିକା ବହନ କରିବାକୁ ଯାଉଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ ମୌଳିକ ଓ ପ୍ରୟୋଗାତ୍ମକ ବିଜ୍ଞାନ ଶିକ୍ଷା ଦେବା ଜରୁରୀ ।

କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅଧୀନ ଜାତୀୟ ବିଜ୍ଞାନ କଂଗ୍ରେସ ସଂଘ ଅଧିବେଶନର ଦ୍ୱିତୀୟ ଦିନରେ (୪ ଜାନୁଆରି ୨୦୧୬) ଏକ ବିଶାଳ ଛାତ୍ରଗୋଷ୍ଠୀ ଓ ସଂଘ ସଦସ୍ୟମାନଙ୍କୁ ଉଦବୋଧନ ଦେଇ ଏକଥା କହିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ

ସେ ପୁଣି କହିଛନ୍ତି,

ମୁଁ ଜଣେ ସମାଜବିଜ୍ଞାନୀ ଓ ସବୁବେଳେ ପିଲାଙ୍କ ଗହଣରେ ରହିବାକୁ ଭଲପାଏ । ଓଡ଼ିଶାର ଭୁବନେଶ୍ବରରେ ଥିବା କିଟ୍ ଓ କିସ ରେ ପରିସରରେ ପିଲାଙ୍କ ଗହଣରେ ହିଁ ମୁଁ ବଞ୍ଚୁଛି । ଆମେ ଆଦିବାସୀ ଛାତ୍ରଛାତ୍ରୀଙ୍କ ବିଜ୍ଞାନ ସହ ପରିଚିତ କରାଇବାର ଉଦ୍ୟମ କରି ସଫଳ ହୋଇସାରିଛୁ । ଓଡ଼ିଶାର ଅପହଞ୍ଚ ଆଦିବାସୀ ଇଲାକାରେ ରହୁଥିବା ପିଲାଙ୍କୁ ମୁଖ୍ୟସ୍ରୋତକୁ ଆଣି ବିଜ୍ଞାନ ସହ ପରିଚିତ କରାଇବା ଆମର ଲକ୍ଷ୍ୟ । ଏହି ଆଦିଜନଜାତି ପିଲାମାନଙ୍କୁ ଭବିଷ୍ୟତର ବୈଜ୍ଞାନିକ ଭାବେ ଗଢ଼ିତୋଳିବା ମୋର ମିଶନ୍ ପାଲଟିଯାଇଛି ।

ଦୀର୍ଘ ୫୫ ବର୍ଷର ବ୍ୟବଧାନ ପରେ ଦ୍ୱିତୀୟ ଓଡ଼ିଆ ଭାବେ ଶିକ୍ଷାବିତ, ସମାଜସେବୀ ତଥା କିଟ୍-କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଭାରତୀୟ ବିଜ୍ଞାନ କଂଗ୍ରେସ ସଂଘ(ISCA)ର ସଭାପତି ନିର୍ବାଚିତ ହୋଇଛନ୍ତି । ମହୀଶୂର ଠାରେ ଜାନୁଆରି ୩ରୁ ୭ ତାରିଖ ଯାଏଁ ଚାଲିଥିବା ଭାରତୀୟ ବିଜ୍ଞାନ କଂଗ୍ରେସର ୧୦୩ତମ ଅଧିବେଶନର ତୃତୀୟ ଦିନରେ ଅନୁଷ୍ଠିତ ସଭାପତି ନିର୍ବାଚନରେ ଅଚ୍ୟୁତ ସାମନ୍ତଙ୍କୁ ସର୍ବାଧିକ ସମର୍ଥନ ମିଳିଛି । କାର୍ଯ୍ୟକାରିଣୀ ପରିଷଦର ମୋଟ ୬୮ ଜଣ ସଦସ୍ୟ ମତଦାନ କରିଥିଲେ । ସର୍ବାଧିକ ୪୮ ଭୋଟ ପାଇ ୨୦୧୬-୧୭ ବର୍ଷ ଲାଗି ସଂଘର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଶ୍ରୀ ସାମନ୍ତ ।

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଠାରୁ ଆରମ୍ଭ କରି ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଅବଦୁଲ କାଲାମ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଭଳି ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ପୂର୍ବରୁ ଆଇଏସ୍ସିଏର ସଭାପତି ପଦ ଅଳଂକୃତ କରି ସାରିଛନ୍ତି । ସଦ୍ୟ ନିର୍ବାଚିତ ଡକ୍ଟର ସାମନ୍ତଙ୍କ ଜନ୍ମର ୫ ବର୍ଷ ପୂର୍ବରୁ ଅର୍ଥାତ ୧୯୬୦ ମସିହାରେ ପ୍ରଥମ ଓଡ଼ିଆ ଭାବେ ପ୍ରସିଦ୍ଧ ବୈଜ୍ଞାନିକ ଡକ୍ଟର ପ୍ରାଣକୃଷ୍ଣ ପରିଜା ଏହି ସମ୍ମାନଜନକ ପଦ ପାଇଁ ନିର୍ବାଚିତ ହୋଇଥିଲେ । ବମ୍ବେରେ ଅନୁଷ୍ଠିତ ୪୭ତମ ବିଜ୍ଞାନ କଂଗ୍ରେସରେ ଡକ୍ଟର ପରିଜାଙ୍କୁ ଏହି ସୁଯୋଗ ମିଳିଥିଲା । ଦୀର୍ଘ ୫୬ ବର୍ଷ ପରେ ୧୦୩ତମ କଂଗ୍ରେସରେ ଆଉ ଜଣେ ଓଡ଼ିଆ ଏହି ପଦ ପାଇଁ ଯୋଗ୍ୟ ବିବେଚିତ ହେବା ଖବର ଓଡ଼ିଶା ପାଇଁ ଗୌରବ ଆଣିଦେଇଛି ।

image


୨୦୧୧ ମସିହା ଠାରୁ ଡକ୍ଟର ସାମନ୍ତ ସଂଘର କାର୍ଯ୍ୟକାରିଣୀ ପରିଷଦର ସଦସ୍ୟ ଅଛନ୍ତି । ୨୦୧୨ରେ ଭୁବନେଶ୍ୱରରେ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ୯୯ତମ ଭାରତୀୟ ବିଜ୍ଞାନ କଂଗ୍ରେସକୁ ସଫଳତାର ସହ ଆୟୋଜନ କରି ସେ ଚର୍ଚାକୁ ଆସିଥିଲେ । ଆଇଏସ୍ସିଏର ସଭାପତି ହେବା ପୂର୍ବରୁ ଡକ୍ଟର ସାମନ୍ତ ୧୫ରୁ ଅଧିକ ଗୁରୁତ୍ୱପୂର୍ଣ ଜାତୀୟ ଅନୁଷ୍ଠାନର ସଦସ୍ୟ ରହି ଆସିଛନ୍ତି । ୨୦୦୮ରୁ ୨୦୧୪ ପର୍ଯ୍ୟନ୍ତ ୬ ବର୍ଷ ଧରି ସେ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ(UGC)ର ସଦସ୍ୟ ଥିଲେ । ଏହା ଭିନ୍ନ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ(AICTE), ରାଷ୍ଟ୍ରୀୟ ଶିକ୍ଷକ ଶିକ୍ଷା ପରିଷଦ(NCTE), ଜାତୀୟ କତା ବୋର୍ଡ, ଜନ ଯୋଜନା ଓ ଗ୍ରାମୀଣ ପ୍ରଯୁକ୍ତି ବିକାଶ ପରିଷଦ(CAPART) ଆଦିର ସଦସ୍ୟ ରହିବା ସହ ଡକ୍ଟର ସାମନ୍ତ ଦୁଇଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମଧ୍ୟ ଶିକ୍ଷା ପରିଷଦ ସଦସ୍ୟ ରହିଛନ୍ତି ।

୧୦୩ତମ ଜାତୀୟ କଂଗ୍ରେସର ଦ୍ବିତୀୟ ଦିନରେ ଉଦବୋଧନ ଦେବା ପରେ ଛାତ୍ରଛାତ୍ରୀଙ୍କ ଗହଣରେ ଡକ୍ଟର ଅଚ୍ୟୁତ ସାମନ୍ତ

୧୦୩ତମ ଜାତୀୟ କଂଗ୍ରେସର ଦ୍ବିତୀୟ ଦିନରେ ଉଦବୋଧନ ଦେବା ପରେ ଛାତ୍ରଛାତ୍ରୀଙ୍କ ଗହଣରେ ଡକ୍ଟର ଅଚ୍ୟୁତ ସାମନ୍ତ


ଭୁବନେଶ୍ୱରରେ କିଟ୍ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ସହ ଏହାର ପ୍ରଥମ କୁଳପତି ଥିଲେ ଡକ୍ଟର ସାମନ୍ତ । କିସ୍ ଭଳି ଏକ ଅଭିନବ ବିଦ୍ୟାଳୟ ପ୍ରତିଷ୍ଠା କରି ୨୫ ହଜାର ଗରିବ ଆଦିବାସୀ ଛାତ୍ରଙ୍କୁ ମାଗଣା ଶିକ୍ଷା, ଖାଦ୍ୟ, ବାସଗୃହ, ସ୍ବାସ୍ଥ୍ୟସେବା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସେବା ଯୋଗାଇବାର ମହାର୍ଘ କାର୍ଯ୍ୟ ପାଇଁ ବିଶ୍ୱବ୍ୟାପୀ ପ୍ରସିଦ୍ଧି ସାଉଁଟିଛନ୍ତି ଡକ୍ଟର ସାମନ୍ତ । ଭାରତ, ୟୁକେ ଓ ସ୍ବେଡେନରେ କିଟ୍ ଫାଉଣ୍ଡେସନ୍ ପ୍ରତିଷ୍ଠା କରି ସମାଜସେବା କ୍ଷେତ୍ରରେ ସେ ନୂଆ କିର୍ତୀମାନ ସ୍ଥାପନ କରିଛନ୍ତି । କାଦମ୍ବିନୀକୁନିକଥା ଭଳି ଦୁଇଟି ସମ୍ଭ୍ରାନ୍ତ ଓଡ଼ିଆ ପତ୍ରିକାର ପ୍ରତିଷ୍ଠାତା ହେଉଛନ୍ତି ଡକ୍ଟର ସାମନ୍ତ । ସେ ଭାରତର ଏକମାତ୍ର ଲିଟଲ୍ ମିସ୍ ଇଣ୍ଡିଆ ପ୍ରତିଯୋଗିତା ଭାବେ ପରିଚିତ ନହ୍ନିପରୀ ଜାତୀୟ କିଶୋରୀ ସୁନ୍ଦରୀ ପ୍ରତିଯୋଗିତା ଆୟୋଜନ କରାଉଛନ୍ତି ।

image


ଦେଶର ସର୍ବପୁରାତନ ସଂଘ ଜାତୀୟ ବିଜ୍ଞାନ କଂଗ୍ରେସ ସଂଘର ସଭାପତି ହେବା ପରେ ନିଜର ଖୁସି ବ୍ୟକ୍ତ କରିବା ସହ ଶ୍ରୀ ସାମନ୍ତ ଓଡ଼ିଶାର ଶିକ୍ଷା ଓ ବିଜ୍ଞାନ ବିକାଶ ଦିଗରେ ଅଧିକ କାର୍ଯ୍ୟ କରିବାର ସୁଯୋଗ ମିଳିଛି ବୋଲି କହିଛନ୍ତି ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।