ସୋସିଆଲ ମିଡିଆରେ I LOVE BHUBANESWAR ଅଭିଯାନ

ସୋସିଆଲ ମିଡିଆରେ I LOVE BHUBANESWAR  ଅଭିଯାନ

Friday November 06, 2015,

4 min Read

‘I Love Bhubaneswar’ । ଗତ କିଛି ଦିନ ହେବ ସୋସିଆଲ ମିଡିଆ ଫେସବୁକ୍, ଟ୍ୱିଟର ଓ ୟୁ ଟ୍ୟୁବରେ ଛାଇ ଯାଇଛି ଏହି ନାରା । ରାଜଧାନୀ ଭୁବନେଶ୍ୱରକୁ ସ୍ମାର୍ଟ ସିଟି କରିବା ସପକ୍ଷରେ କିଛି ଯୁବଗୋଷ୍ଠୀ ଏମିତିକା ପ୍ରଚାର ଚଳାଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଆରମ୍ଭ କରିଥିବା Citizen Connect ଅଭିଯାନରେ ସାମିଲ ହୋଇ ସମସ୍ତେ ଏହି ସ୍ୱର ଉଠାଉଛନ୍ତି । ଖାଲି ଯୁବବର୍ଗ ନୁହେଁ ବଡ ମାନେ ବି ଏହି ସ୍ମାର୍ଟ ସିଟି ଫିଭରରେ ପଡି ଯାଇଛନ୍ତି ।

image


ଫେସବୁକରେ ସମସ୍ତେ ଭୁବନେଶ୍ୱରକୁ ସ୍ମାର୍ଟ ସିଟି କରିବା ଦାବିରେ ନିଜ କଭର ଫଟୋ ‘ ‘I Love Bhubaneswar’ ରଖୁଛନ୍ତି । ବିଏମସି ଲୋକଙ୍କୁ ସଚେତନ କରିବାକୁ ସିନେ ଅଭିନେତ୍ରୀ ଅର୍ଚ୍ଚିତା ଓ କ୍ରୀଡାବିତ୍ ଅନୁରାଧା ବିଶ୍ୱାଳଙ୍କୁ ସ୍ମାର୍ଟ ସିଟି ମିଶନ ପାଇଁ ବ୍ରାଣ୍ଡ ଆମ୍ବାସଡର କରିଛି । ସେମାନେ ଭୁବନେଶ୍ୱରକୁ ସ୍ମାର୍ଟ ସିଟି କରିବାକୁ ଅନଲାଇନରେ ମତ ଦେବାକୁ ଲୋକଙ୍କୁ ସଚେତନ କରୁଛନ୍ତି ।

image


ସ୍ମାର୍ଟ ସିଟି ହେବାକୁ ଥିବା ଦେଶର ୯୮ଟି ସହର ଭିତରେ ସ୍ଥାନ ପାଇସାରିଛି ମନ୍ଦିରମାଳିନୀ ଓ ଐତିହ୍ୟ ସହର ଭୁବନେଶ୍ୱର । ତେବେ ଟପ୍-୨୦ ସହର ତାଲିକା ଭିତରେ ରହିବାକୁ ଏବେ ଜୋରଦାର ଲଢେଇ । ଏଥିପାଇଁ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ମାର୍ଟ ସିଟି ମିଶନ ଓ ବ୍ଲୁମ୍ବର୍ଗ ଫିଲାନ୍ଥ୍ରୋପିଜ୍ ୯୮ଟି ସହର ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ‘ସ୍ମାର୍ଟ ସିଟି ଚ୍ୟାଲେଞ୍ଜ’ ଆୟୋଜନ କରୁଛନ୍ତି । ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ଲୋକଙ୍କୁ ଅଭିଯାନରେ ଯୋଡିବାକୁ ପ୍ରୟାସ ହେଉଛି । ଉଭୟ ଅନଲାଇନ୍ ଓ ଅଫଲାଇନ ମାଧ୍ୟମରେ ଅଧିକରୁ ଅଧିକ ଲୋକଙ୍କ ମତ ସଂଗ୍ରହ ପାଇଁ ବିଭିନ୍ନ ସହରକୁ ଟାର୍ଗେଟ୍ ଦିଆଯାଇଛି । ସ୍ମାର୍ଟ ସିଟି ଦାବିଦାରି ପାଇଁ ଅଧିକ ଲୋକଙ୍କ ମତ ସଂଗ୍ରହ କରିଥିବା ସହରକୁ ଅଧିକ ସ୍କୋର ମିଳିବ । ଫଳରେ ଟପ୍-୨୦ରେ ସ୍ଥାନ ପାଇବା ସହଜ ହେବ । ଏଥିପାଇଁ ସବୁ ସହର ଭିତରେ ପ୍ରତିଯୋଗିତା ବଢୁଛି ।

image


ଭୁବନେଶ୍ୱରକୁ ଟପ୍-୨୦ ସହରରେ ସାମିଲ କରିବାକୁ ଏକ ଏଜେନ୍ସି ନିଯୁକ୍ତ କରାଯାଇଛି । ପୂରା ପ୍ରକ୍ରିୟା ପାଇଁ ୨କୋଟି ଟଙ୍କାର ଅର୍ଥ ମଞ୍ଜୁର ହୋଇଛି । ୩ ମାସ ଭିତରେ ଏହି ଟଙ୍କା ଖର୍ଚ୍ଚ କରି କେନ୍ଦ୍ର ପାଖରେ ରିପୋର୍ଟ ଦାଖଲ କରାଯିବ । ଏହି ରିପୋର୍ଟକୁ ଅନୁଧ୍ୟାନ କରି କେନ୍ଦ୍ର ସରକାର ଟପ୍-୨୦ ସ୍ମାର୍ଟ ସିଟି ନାଁ ଘୋଷଣା କରିବେ।

image


ଭୁବନେଶ୍ୱରକୁ ସ୍ମାର୍ଟ ସିଟି ଟପ୍-୨୦ରେ ସାମିଲ କରିବାକୁ ବିଏମସି ସେପ୍ଟେମ୍ବର ୨୬ରୁ ସିଟିଜେନ୍ କନେକ୍ଟ ପ୍ରୋଗ୍ରାମ୍ ବା ନାଗରିକ ସଂଯୋଗ ଅଭିଯାନ ଆରମ୍ଭ କରିଛି । ଏଥିରେ ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟ ସିଟି ଭୋଟିଂ, ମାଇଁ ସିଟି ମାଇଁ ଡ୍ରିମ୍ ପ୍ରତିଯୋଗିତା, ଲୋଗୋ ଡିଜାଇନ୍ ହୋଇଥିଲା । ସହରର ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ଏଥିରେ ଭାଗ ନେଉଛନ୍ତି । ସ୍ମାର୍ଟ ସିଟି ପାଇଁ ବିଏମସି ଏକ ସ୍ୱତନ୍ତ୍ର ୱେବସାଇଟ୍ www. bhubaneswarsmartcity.gov.in କରିଛି । ଏହାସହ ବିଏମସି ସୋସିଆଲ ମିଡିଆ ଫେସବୁକରେ ‘Bhubaneswar-smart city’ ଓ ଟ୍ୱିଟରରେ ‘@Bbsr 2smartcity’ ପୃଷ୍ଠା ଖୋଲିଛି । ଏହି ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ସ୍ମାର୍ଟ ସିଟି ପାଇଁ ମତ ସଂଗ୍ରହ କରିବାକୁ ବିଏମସି ମାରାଥନ୍ କାର୍ଯ୍ୟକ୍ରମ ଚଳାଇଛି । ଲୋକଙ୍କ ପରିକଳ୍ପନାରେ ସ୍ମାର୍ଟ ସିଟିର ରୂପରେଖ ପ୍ରସ୍ତୁତ ହେବ । ଆସନ୍ତା ଡିସେମ୍ବରରେ କେନ୍ଦ୍ର ସରକାରଙ୍କ ପାଖରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିବ ବିଏମସି ।

image


ମାଇଁ ସିଟି ଡ୍ରିମ୍ ବା ମୋ ସହର ମୋ ସ୍ୱପ୍ନ ପ୍ରତିଯୋଗିତାରେ ନିଜ ସ୍ୱପ୍ନର ସ୍ମାର୍ଟ ଭୁବନେଶ୍ୱର କିପରି ହେବା ଦରକାର, ଏଥିରେ କେଉଁ କେଉଁ ସୁବିଧା ରହିବା ଜରୁରୀ, ସବୁ ସମସ୍ୟାର ସମାଧାନ ପାଇଁ ସ୍ମାର୍ଟ ସମାଧାନ କଣ? ଏସବୁ ବିଷୟରେ ଭାଗ ନେଇଥିବା ପ୍ରତିଯୋଗୀମାନେ ମତ ଦାଖଲ କରିଥିଲେ । ଏଥିରେ XIMBର ଛାତ୍ରୀ ଅନୁପମ ପ୍ରିୟା ପ୍ରଥମ ହୋଇ ୧୧ହଜାର ଟଙ୍କାର ପୁରସ୍କାର ଜିତିଥିଲେ । ଏବେ ଦ୍ୱିତୀୟ ପର୍ଯ୍ୟାୟରେ ଆଇଡିଆ ବକ୍ସ, ବେଷ୍ଟ୍ ଫଟୋଗ୍ରାଫି, ସାଇନେଜ୍ ପ୍ରତିଯୋଗିତା ଚାଲିଛି । ତା ସାଙ୍ଗକୁ ଲୋକଙ୍କ ଅଧିକରୁ ଅଧିକ ମତ ଆଣି କେନ୍ଦ୍ର ପାଖରେ ସ୍ମାର୍ଟ ପାଇଁ ଦାବିଦାରୀ ରଖିବାକୁ ବହୁ Outreach activity କରୁଛି ବିଏମସି ।

image


ବିଏମସି କମିଶନର ଡ.କ୍ରିଷନ୍ କୁମାର କହିଛନ୍ତି, ଟପ୍-୨୦ ସହର ଭିତରେ ସ୍ଥାନ ପକ୍କା ପାଇଁ ସୋସିଆଲ ମିଡିଆ ମାଧ୍ୟମ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ସୋସିଆଲ ମିଡିଆରେ ଲୋକେ ବିଶେଷ କରି ଯୁବଗୋଷ୍ଠୀ ଅଧିକ ଲାଇକ୍ ଓ ଫଲୋ କରିବାକୁ ବିଏମସି ସଚେତନତା କାର୍ଯ୍ୟକ୍ରମ କରୁଛି । ଏଥିପାଇଁ ବିଏମସି ସ୍ମାର୍ଟ ସିଟି ଲ୍ୟାବ୍ ଆରମ୍ଭ କରିଛି। ବିଡିଏ, ବିଏମସି, ନଗର ଉନ୍ନୟନ ବିଭାଗ ଓ ବହୁ ସ୍ୱେଚ୍ଛାସେବୀ ସଦସ୍ୟ ଏହି ଲ୍ୟାବ୍ ବା ଗ୍ରୁପରେ ରହିବେ। ଆଇଟି ଓ ଟେକ୍ନୋଲୋଜି ବ୍ୟବହାର କରି ଏହି ମତ ସଂଗ୍ରହ ପ୍ରକ୍ରିୟା ହେଉଥିବାରୁ ଏହାକୁ ଲ୍ୟାବ୍ ନାଁ ଦିଆଯାଇଛି । ବିଭିନ୍ନ କଲେଜ ପିଲା ଲ୍ୟାବରେ ରହି ଲୋକଙ୍କଠୁୁ ବିଭିନ୍ନ ଦେଶରେ ଅତ୍ୟାଧୁନିକ ଅର୍ବାନ ମୋବିଲିଟି ଓ ୱେଷ୍ଟ ମ୍ୟାନେଜ୍ମେଣ୍ଟ ମଡେଲର ଭିଡିଓ ଦେଖାଯିବ । ଏହା ଭିତରୁ ଲୋକେ ସେମାନଙ୍କ ପସନ୍ଦର ସ୍ମାର୍ଟ ମଡେଲ ଚୟନ କରି ମତ ଦେବେ । ଲୋକଙ୍କ ମତ ଅନୁସାରେ ଭୁବନେଶ୍ୱର ପାଇଁ ସ୍ମାର୍ଟ ସଲୁ୍ୟସନ୍ ମଡେଲ ବଛା ହେବ ।

image


ଏବେ ସୁଦ୍ଧା ଭୁବନେଶ୍ୱର ଫେସବୁକ୍ ପେଜ୍ରେ ୨୮ହଜାରରୁ ଅଧିକ ଲୋକ ଲାଇକ୍ ଦେଇ ସାରିଲେଣି । ଏହା ଅନ୍ୟ ସହରଠୁ ବହୁ ଆଗରେ ଅଛି । ସ୍ମାର୍ଟ ସିଟି ଫେସବୁକ୍ ପେଜ୍ ରେସ୍ରେ ପୁନେ ଏବେସୁଦ୍ଧା ୩୮ହଜାରୁ ଅଧିକ ଲାଇକ୍ ପାଇ ଆଗରେ ଅଛି । ତା ପଛକୁ ଇନେ୍ଦାର ଦ୍ୱିତୀୟ ଓ ଭୁବନେଶ୍ୱର ତୃତୀୟ ସ୍ଥାନରେ ଅଛି । ସେହିପରି ଟ୍ୱିଟରରେ ବି ବିଏମ୍ସି ତାର ଅଭିଯାନ ଚଲାଇଛି । ତେବେ ଖାଲି ସୋସିଆଲ ମିଡିଆ ନୁହେଁ ଅଫ୍ଲାଇନରେ ଘରକୁ ଘର ବୁଲି ଓ ସର୍ବସାଧାରଣ ସ୍ଥାନରେ ସବୁ ବର୍ଗର ଲୋକଙ୍କ ମତ ସଂଗ୍ରହ କରିବାକୁ ଚେଷ୍ଟା ଚାଲିଛି । ବସ୍ତିବାସିନ୍ଦା, ସ୍କୁଲ, କଲେଜ ପିଲା, ଭିନ୍ନକ୍ଷମ, ମହିଳା, ବରିଷ୍ଠ ନାଗରିକ, ଯୁବଗୋଷ୍ଠୀ, ରେସିଡେନ୍ସିଆଲ ଏରିଆ, ଉଠାଦୋକାନୀ, ଆଇଟି ପ୍ରଫେସନାଲ ଏମିତି ସବୁ ବର୍ଗର ଲୋକଙ୍କ ମତ ଅଣାଯାଉଛି । କର୍ପୋରେଟର ଓ ସ୍ୱେଚ୍ଛାସେବୀ ସଂଗଠନ ସହାୟତାରେ ବିଏମସି ଏହି ଉଦ୍ୟମ କରୁଛି ।

image


ବିଏମସି ଏହି ‘‘citizen connect’ ଅଭିଯାନରେ ଆଇଆଇଟି ଭୁବନେଶ୍ୱର, ଏକ୍ସଆଇଏମ୍ବି, କିଟ୍, ଆଇଟିଇଆର, ରିଦିମ୍ ଅଫ ଦ ନେସନ, ସେଞ୍ଚୁରିଆନ ୟୁନିଭରସିଟି, ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀମାନେ ହାତ ମିଳାଇଛନ୍ତି । ଆଇବିଆଇ ଗ୍ରୁପ୍, ସିସ୍କୋ ଭଳି ବହୁ କନ୍ସଲଟାନ୍ସିଂ ସଂସ୍ଥା ଓ ବହୁ ଏନଜିଓ ବି ଏହି ଅଭିଯାନରେ ବିଏମସିକୁ ସହଯୋଗ କରୁଛନ୍ତି । ବିଏମସି କମିଶନର କ୍ରିଷନ କୁମାର କହିଛନ୍ତି, ଭୁବନେଶ୍ୱର ସ୍ମାର୍ଟ ସିଟି ହେଲେ ସହର ଚେହେରା ବଦଳିଯିବ । ପବ୍ଲିକ ଟ୍ରାନ୍ସପୋର୍ଟ, ବର୍ଜ୍ୟବସ୍ତୁ ପରିଚାଳନା, ୨୪ଘଣ୍ଟିଆ ପାଣି, ଡ୍ରେନ୍, ରାସ୍ତାଘାଟ, ଲାଇଟ୍ ଓ ପାର୍କ ସବୁ ସୁବ୍ୟବସ୍ଥିତ ହେବ । ଲୋକଙ୍କ ସ୍ୱପ୍ନକୁ ନେଇ ସ୍ମାର୍ଟ ଭୁବନେଶ୍ୱର ଗଢାଯିବ ।

image