ରାଜନୀତିର ଅବଗମନ: ବିତର୍କ ବଦଳରେ ଗାଳି - ଆଶୁତୋଷ

ରାଜନୀତିର ଅବଗମନ: ବିତର୍କ ବଦଳରେ ଗାଳି - ଆଶୁତୋଷ

Wednesday December 30, 2015,

5 min Read

ଜେଟଲୀ ବାବୁ ଗୋଟେ ଫେସବୁକ ପୋଷ୍ଟ ଲେଖିଛନ୍ତି । ସଂସଦରେ ଜିଏସ୍ଟି ବିଲକୁ ନେଇ ହୋଇଥିବା ଅଚଳାବସ୍ଥାରୁ ଏ ପୋଷ୍ଟଟି ଆରମ୍ଭ ହୋଇଛି । ତେବେ ବଡ଼ ଚତୁରତାର ସହ ତାଙ୍କର ମୁଖ୍ୟ ବିଷୟବସ୍ତୁରେ ସେ ରାଜନୈତିକ ବିମର୍ଷ ଖରାପ ଭାଷା ପ୍ରୟୋଗକୁ ନାପସନ୍ଦ କଥାଟିକୁ ଉପସ୍ଥାପନ କରିଛନ୍ତି । ଏମିତି ଦେଖିଲେ, ତାଙ୍କର ଏ ମତକୁ ସବୁ ରାଜନୈତିକ ଶକ୍ତି ସ୍ଵାଗତ କରିବା ଉଚିତ । ଏଥିରେ ଦ୍ୱିମତ ହେବାର ନାହିଁ ଯେ, ନିକଟ ଅତୀତରେ ଏ ରାଜନୈତିକ ବିମର୍ଷ ସମାଲୋଚନାରୁ ଓହରି ଗାଳିଗୁଲଜ ସ୍ତରକୁ ଖସିଯାଇଥିଲା । ଏଭଳି ସବୁ ଅଣସଂସଦୀୟ ଭାଷା ବାରମ୍ବାର ବ୍ୟବହୃତ ହେଉଥିଲା ଯେ, ଅସଲରେ ସଂସଦୀୟ ଭାଷା କେଉଁଟା ଆଉ ଅଣସଂସଦୀୟ ଭାଷା କେଉଁଟା ଏହା ମଧ୍ୟରେ ବିଭେଦ ଖୋଜିବା ବି କାଠିକର ହୋଇଯାଇଥିଲା । ମୋଟାମୋଟି ଏହାକୁ ଆମେ ରାଜନୀତିର ବିକୃତିକରଣ ବୋଲି କହିପାରିବା । ଅବଶ୍ୟ ଯେଉଁଭଳି ଭାବେ ଅପରାଧୀମାନେ ବିଭିନ୍ନ ବିଧାନ ଗୃହକୁ ଆସୁଛନ୍ତି ଓ ସରକାର ଓ ଦଳମାନଙ୍କରେ ଗୁରୁତ୍ୱପୂର୍ଣ ପଦବୀ ସମ୍ଭାଳୁଛନ୍ତି, ଏମିତି ତ ହେବାଟା ସ୍ଵାଭାବିକ । ଟିକେ ସମ୍ଭ୍ରାନ୍ତ ଭାଷାରେ କହିଲେ ଏୟା ହେବ ଯେ, ଏହା ହେଉଛି ‘ରାଜନୀତିର ନିମ୍ନଗମନ’ର ଫଳଶ୍ରୁତି କିମ୍ବା ଏହାକୁ ଆମେ ‘ମୁଖ୍ୟସ୍ରୋତର ଆଞ୍ଚଳିକିକରଣ’ ବୋଲି ବି କହିପାରିବା ।

image


କିନ୍ତୁ ଏଥିପାଇଁ ଗଭୀର ତର୍ଜମା ଓ ଆତ୍ମସମୀକ୍ଷା ଲୋଡ଼ା । ଦିନ ଥିଲା, ସ୍ବାଧୀନତା ଆନ୍ଦୋଳନ ସମୟରେ କଂଗ୍ରେସ ଦଳର ସମସ୍ତ ନେତୃବୃନ୍ଦ ସମାଜର ବଛାବଛା ଲୋକଙ୍କୁ ନେଇ ଗଠିତ ହୋଇଥିଲା, ଯେଉଁମାନେ ଇଂଲଣ୍ଡର ଶ୍ରେଷ୍ଠ କଲେଜ ଓ ବିଶ୍ୱବିଦ୍ୟଳୟରେ ପଢ଼ି ଆସିଥିଲେ । ସେମାନେ ବ୍ରିଟିଶ୍ ସଂସଦୀୟ ପରମ୍ପରା ବାବଦରେ ସମ୍ପୂର୍ଣ ପ୍ରଶିକ୍ଷିତ ହୋଇଥିଲେ । ସେମାନେ ଇଂରାଜୀ ଭାଷା, ଇଂରାଜୀ ସଂସ୍କୃତିରେ ନିପୁଣ ହେବା ସହ ଇଂରାଜୀ ଆଭିଜାତ୍ୟ ସହ ଓତଃପ୍ରତ ଜଡ଼ିତ ଥିଲେ । ତେବେ ଏହା ସହ ଭାରତୀୟ ପରିବେଶ-ବିରୋଧୀ ସେମାନେ ଏମିତି ଭାଷା ଆଉ ବେଶ ପୋଷାକ ଆହରଣ କରିଥିଲେ ଯାହା କ୍ରମେ ଦେଶରେ ନେତୃତ୍ୱର ଚିହ୍ନ ପାଲଟିବାକୁ ବସିଥିଲା । ତେବେ ଗାନ୍ଧିଜୀ ଏ ପରମ୍ପରାକୁ ଭାଙ୍ଗିଥିଲେ ଯିଏକି ଖଦୀକୁ ଫେସନ୍ କରିବାରେ ସକ୍ଷମ ହୋଇଥିଲେ । ୱିନ୍ଷ୍ଟନ୍ ଚର୍ଚିଲ ଗାନ୍ଧିଜୀଙ୍କ ପରିଧାନକୁ ନେଇ ଏତେ ବିତସ୍ପୃହ ହୋଇ ଯାଇଥିଲେ ଯେ ନିୟମିତ ଭାବେ ତାଙ୍କୁ ‘ଲଙ୍ଗଳା ଫକୀର’ ବୋଲି ଡାକୁଥିଲେ । ଚର୍ଚିଲ ଯଦିଓ ଧନୀ ଘରେ ଜନ୍ମ ହୋଇନଥିଲେ, ତେବେ ଏକଦମ ଇଂଲିଶ୍ ସଂସ୍କାରୀ ଥିଲେ ଓ ନିଜର ସିଗାର ତଥା ସଂଧ୍ୟାର ମଦପାନକୁ ଆଦୌ ଛାଡ଼ୁନଥିଲେ । ଗାନ୍ଧିଜୀ କିନ୍ତୁ ଅଲଗା ଥିଲେ । ସେ ଜାଣିଥିଲେ, ଲୋକଙ୍କ ସହ ଯୋଡ଼ିହେବାକୁ ହେଲେ ବିଦେଶୀ ଭାଷା ଆଉ ବେଶପୋଷାକ ଛାଡ଼ିବାକୁ ପଡ଼ିବ । ଖଦୀକୁ ନେଇ ତାଙ୍କର ପ୍ରୟୋଗ ସଫଳ ହେଲା ।

image


ଅନ୍ୟପଟେ ନେହେରୁ ବ୍ରିଟିଶ ପରମ୍ପରାପ୍ରେମୀ ଥିଲେ । ଇଂରାଜୀ ଭାଷାରେ ତାଙ୍କର ଅସାମାନ୍ୟ ଦକ୍ଷତା ଥିଲା । ଯେଉଁମାନେ ତାଙ୍କ ଠାଣୀରେ ତାଙ୍କ ସହ ବାର୍ତାଳାପ କରିପାରୁଥିଲେ ସେମାନଙ୍କୁ ସେ ପ୍ରୋତ୍ସାହିତ କରୁଥିଲେ । ତାଙ୍କ ଅନୁଗାମୀଙ୍କ ମଧ୍ୟରେ ଲାଲ ବାହାଦୁର ଶାସ୍ତ୍ରୀ ସମ୍ଭବତଃ ଏକମାତ୍ର ବ୍ୟକ୍ତି ଯିଏ ଗୋଟେ ପଛୁଆ ପରିବେଶରେ ବଡ଼ ହୋଇଥିଲେ । ତେବେ ରାଜନୈତିକ ଗୋଷ୍ଠୀ ଭିତରେ ଭାଷାର ଏ ବାଡ଼ ତଥା ସମ୍ଭ୍ରାନ୍ତପଣକୁ ପ୍ରଥମେ ଭାଙ୍ଗିଥିଲେ ରାମ ମନୋହର ଲୋହିଆ । ଅଣକଂଗ୍ରେସବାଦ ଓ ପଛୁଆବର୍ଗଙ୍କ ରାଜନୀତିର ଅସଲ ପ୍ରବର୍ତକ ହେଉଛନ୍ତି ଲୋହିଆ । ତାଙ୍କ ପ୍ରବେଶ ଓ ଠାଣି ହେଉଛି ଭାରତୀୟ ରାଜନୀତିରେ ପଛୁଆ ବର୍ଗଙ୍କ ପ୍ରଥମ ପ୍ରବେଶ । ସେ ଯାଏଁ କଂଗ୍ରେସ ଥିଲା ସବୁଠୁ ପ୍ରଭାବଶାଳୀ ଦଳ ଓ ସମାଜର ‘ବ୍ରାହ୍ମଣ’ମାନେ ଏହାର ନେତା ଥିଲେ। ଲୋହିଆ କହିଲେ, ‘ଯେଉଁମାନେ ସଂଖ୍ୟାରେ ଅଧିକ, ସେମାନେ ହିଁ ସମାଜର ଶାସକ ହେବା ଦରକାର ।’ ତତ୍କାଳୀନ ସମ୍ଭ୍ରାନ୍ତ ଶାସକ ଗୋଷ୍ଠୀଙ୍କ ଇଛା ବିରୋଧରେ ତାଙ୍କ ମତବାଦ ହିଁ ଥିଲା ଉପଯୁକ୍ତ ଗାଣତାନ୍ତ୍ରିକ ଦର୍ଶନ । ଯଦିଓ ନିଜର ସଫଳତା ଦେଖିବା ପାଇଁ ସେ ବେଶି ଦିନ ବଞ୍ଚି ପାରିଲେନି, ତେବେ ୯୦ ଦଶକ ଆରମ୍ଭରେ ମଣ୍ଡଳ କମିଶନ ଆସିବା ପରେ ଗୋଟେ ନୂଆ ନେତୃତ୍ୱ ବି ଉଭା ହେଲା ଯାହା ପ୍ରତିଟି କୋଣରୁ ଭିନ୍ନ ଥିଲା ।

image


ଲାଲୁ, ମୁଲାୟମ, ମାୟାବତୀ, କାଂଶିରାମ, କଲ୍ୟାଣ ସିଂହ, ଉମା ଭାରତୀ ପ୍ରମୁଖ ରୂପାଚାମଚ ସହ ଜନ୍ମ ହୋଇନଥିଲେ କି ସମ୍ଭାନ୍ତ ସ୍ବାଦ ଚାଖିବା ଲାଗି ତାଙ୍କ ପାଖରେ କୌଣସି ବଶମ୍ବଦତା ନଥିଲା । ଏମାନେ ସମସ୍ତେ ରାସ୍ତାର ଧୂଳିରୁ ଉଠିଥିଲେ । ସେମାନେ ଭାରତୀୟ ରାଜନୀତିରେ ଗୋଟେ ନୂଆ ଭାଷାର ପ୍ରବେଶ କରାଇଲେ, ଯାହା ବଡ଼ଭାଇ ପଣିଆ ଜାହିର କରୁଥିବା ରାଜନୈତିକ ଗୋଷ୍ଠୀ ଠାରୁ ଅବଶ୍ୟ ଭିନ୍ନ ଥିଲା । ଏ ଗୋଷ୍ଠୀ ଲାଲୁ, ମୁଲାୟମ ଓ ମାୟାବତୀଙ୍କୁ ସମାଲୋଚନା କରିଥିଲେ । ତାଙ୍କ ଭାଷାକୁ ଅବଦମିତ କରାଗଲା । ଏ ନେତାମାନେ ଭାବଭଙ୍ଗୀରେ ମାର୍ଜିତ ନଥିଲେ । ଅଧିକାଂଶଙ୍କର ଇଂରାଜୀ କହିବାରେ ସମସ୍ୟା ଥିଲା । ଏକ ଜାତିଆଣ ପ୍ରଭେଦ ବି ଥିଲା । ଉପର ଜାତି ଓ ଉପର ଗୋଷ୍ଠୀ ଏମାନଙ୍କୁ ବେଖାତିର କଲେ । ତାଙ୍କ ଉପରେ ପୁଣି ଦୁର୍ନୀତି ଓ ଅପାରଗତାର କଳଙ୍କ ଯୋଡ଼ି ହୋଇଗଲା । ତେବେ ‘ଏକଦା ବଡ଼ଭାଇ ପଣିଆ ଜାହିର କରୁଥିବା ଗୋଷ୍ଠୀ’ ଏମାନଙ୍କର ସଂଖ୍ୟାଗରିଷ୍ଠତାକୁ ଗ୍ରହଣ କରିବା ଛଡ଼ା ଅନ୍ୟ ଉପାୟ ନଥିଲା । ସମ୍ବିଧାନରେ ମତଦାନ ଅଧିକାର ପାଇଁ ଶିକ୍ଷାକୁ ମାପକ କରିବା ପାଇଁ ଯେଉଁ ଉପର ଗୋଷ୍ଠୀର ଯୋଜନା ହୋଇଥିଲା ତାହା କାଟ ଖାଇଲା ।

image


ମୁଁ ,ହଁ କହୁନାହିଁ ଯେ, ‘ରାଜନୀତିର ନିମ୍ନଗମନ’ ଭାଷାଗତ ବିକୃତିର ଏକମାତ୍ର କାରଣ । କିନ୍ତୁ ଏହା ସତ୍ୟ ଯେ, ରାଜନୈତିକ ବିମର୍ଷରେ ଏହା ଭିନ୍ନ ଭାଷା ଯୋଡ଼ିଛି । ମାତୃଭାଷା ଇଂରାଜୀକୁ ଅପସାରଣ କରିଦେଇଛି । ଇଂରାଜୀ କହୁଥିବା ଗୋଷ୍ଠୀଙ୍କ ପାଇଁ ଏ ନୂଆ ଭାଷା ଝଟ୍କା ନେଇ ଆସିଛି । ତେବେ ଅସୁବିଧା ହେଉଛି, ଯେତେବେଳେ ଏ ଦୁଇ ଗୋଷ୍ଠୀ ପରସ୍ପରକୁ ସାମନା କରୁଛନ୍ତି । ବଡ଼ଭାଇପଣିଆ ଜାହିର କରୁଥିବା ଗୋଷ୍ଠୀ ଏ ନୂଆ ଗୋଷ୍ଠୀର ଆହ୍ୱାନ ଓ ଅପସାରଣ କ୍ଷମତା ନେଇ କଷ୍ଟ ପାଉଛନ୍ତି । ଭାରତୀୟ ରାଜନୀତିର କଣାକୁ ଏହା ଅଧିକ ଗଭୀର କରୁଛି । ଉଭୟ ଗୋଷ୍ଠୀ ଗୋଟିଏ ରାଜନୈତିକ ପରିଧି ପାଇବାକୁ ଲଢେ଼ଇ କରୁଛନ୍ତି । କେହି କାହା ପାଖରେ ଆତ୍ମସମର୍ପଣ କରିବାକୁ ନାରାଜ । ତେବେ ଦ୍ୱିତୀୟ ଗୋଷ୍ଠୀ ସପକ୍ଷରେ ଅଧିକ ସଂଖ୍ୟା ବାହାରୁଛି । କିନ୍ତୁ ପାରସ୍ପରିକ ସମ୍ମାନ ଓ ପ୍ରଶାଂସାର ମୃତ୍ୟୁ ଘଟୁଛି । ରାଜନୈତିକ ମତଭେଦ କ୍ରମେ ରାଜନୈତିକ ଶତ୍ରୁତାରେ ବଦଳିଯାଉଛି । ଏବଂ ତଦ୍ର ସ୍ଥାନ ମାଡ଼ିବସିଛି ଗାଳି ।

image


ଆପ୍ ଗୋଟେ ଭିନ୍ନ ଦୃଷ୍ଟିଭଙ୍ଗୀ ଯୋଡ଼ିଛି । ରାଜନୀତିର କ୍ରୀଡ଼ାଙ୍ଗନରେ ଏହା ନୂଆ । ଏବଂ ଏହା ଚିରାଚରିତ ରାଜନୀତି ପାଇଁ ଆହ୍ୱାନ ସାଜିଛି । ନୂଆ ସତ୍ୟ ସହ ପୁରୁଣା ଖେଳାଳିମାନେ ଖାପଖୁଆଇବାକୁ କଷ୍ଟ ଅନୁଭବ କରୁଛନ୍ତି । ଆଗରୁ ଥିବା ବିଭେଦରେ ଆପ୍ ବି ସାମିଲ ହୋଇଯାଇଛି । ବରଂ ଏହାର ଅଭ୍ୟୁଦୟ ଅଧିକ ଅଡ଼ୁଆ ଠିଆ କରିଛି । ଏଣୁ ପ୍ରତିଷ୍ଠିତ ଦଳମାନେ ଆପ୍କୁ ଅଡ଼ୁଆ ଭାବୁଛନ୍ତି । ଏ ନୂଆ ଛୁଆକୁ ସାମନା କରିବାକୁ ସେମାନେ ଡରୁଛନ୍ତି । ଏପରିକି ଆପ୍ ଗଠନ ହେବା ପୂର୍ବରୁ ଏହାର ନେତାମାନଙ୍କୁ ବାଛିବାଛି ଗାଳି କରାଯାଇଛି । ଆମକୁ ମଇଳାଟାଙ୍କିର ମୂଷା ବୋଲି କୁହାଯାଇଛି । ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ ନିଜେ ପ୍ରଧାନମନ୍ତ୍ରୀ ବି ଆମକୁ ଛାଡ଼ିନାହାନ୍ତି, ଆମକୁ ନକ୍ସଲ କହିବା ସହ ଆମେ ଜଙ୍ଗଲରେ ରହିବା ଉଚିତ ବୋଲି ଆକ୍ଷେପ କରିଛନ୍ତି । ଆମକୁ ସେ ହତଭାଗା ବୋଲି କହିଛନ୍ତି । ଜଣେ ପ୍ରଧାନମନ୍ତ୍ରୀ ଏତେ ତଳକୁ ଖସିଯିବା ନୂଆ କଥା । ପ୍ରଧାନମନ୍ତ୍ରୀ ଆସନ ପାଇଥିବା ଜଣେ ଲୋକ ମୁହଁରେ ଏଭଳି ଭାଷା ଶୋଭାପାଉନି । ଆଉ ଜଣେ ବିଜେପି ନେତା ଗିରିରାଜ ସିଂହ ଆମକୁ ରାକ୍ଷସ ବୋଲି କହିଛନ୍ତି । ସାଧ୍ୱୀ ଜ୍ୟୋତି ନିରଂଜନ ଆଉପାଦେ ଆଗେଇଯାଇ ଆମକୁ ହାରାମଜାଦା(ଅବୈଧ) ବୋଲି କହିଛନ୍ତି । ବିଜେପି ନେତୃତ୍ୱ ଏମାନଙ୍କୁ ଅଟକାଉନି କି ଚେତାବନୀ ବି ଦେଉନି । ଏ ତାଲିକା ଆହୁରି ଲମ୍ବା ।

୨୦୦୭ ଗୁଜୁରାଟ ନିର୍ବାଚନ ବେଳେ ମୋଦି ସୋନିଆ ଗାନ୍ଧି ଓ ତତ୍କାଳୀନ ନିର୍ବାଚନ ଆୟୁକ୍ତ ଜେଏମ୍ ଲିଙ୍ଗଡେ଼ାଙ୍କୁ କିଭଳି ଭାଷା ପ୍ରୟୋଗ କରିଥିଲେ ମୋର ମନେଅଛି । ମୁଁ ଆଉ ଏହାକୁ ଏଠାରେ ଦୋହରାଇବାକୁ ଚାହୁଁନି, କିନ୍ତୁ ଏ ଭାଷା ଅତ୍ୟନ୍ତ ଅରୁଚିକର । ମୋର ଏହା ମଧ୍ୟ ମନେଅଛି, ଯଶୱନ୍ତ ସିହ୍ନା ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶିଖଣ୍ଡୀ ବୋଲି କହିବା । ଆଉ ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରତି କେଜ୍ରିୱାଲ ପ୍ରୟୋଗ କରିଥିବା ଭାଷାକୁ ଅରୁଣ ଜେଟଲୀ ଓ ଅନ୍ୟ ବଡ଼ବଡ଼ ବିଜେପି ନୋତାମାନେ ସହିପାରୁନାହାନ୍ତି । ମୋର କହିବାର କଥା ନିଜ ଭିତରକୁ ନଚାହିଁ କେବଳ ଅନ୍ୟର ଦୋଷ ଦେଖିବା ଉଚିତ ନୁହଁ । ସେମାନେ ଯାହା ପ୍ରଚାର କରୁଛନ୍ତି ସତରେ ନିଜେ ବି ତାହା ଆଚରଣ କରିବା ଉଚିତ । ଯେତେବେଳେ ଆପ୍ ଜନ୍ମ ହୋଇନଥିଲା ସେତେବେଳେ ସାଂସଦମାନଙ୍କ ଆଚରଣ ପାଇଁ ଆଚରଣ ସଂହିତା ପ୍ରସ୍ତୁତ ପାଇଁ ସଂସଦରେ ଏଥିକ୍ସ କମିଟି ଗଠିତ ହୋଇଥିଲା, ଯାହାକୁ ଏଯାଏଁ ଗୁରୁତର ସହ କେହି ଗ୍ରହଣ କରିନାହାନ୍ତି । ଭାରତରେ ରାଜନୀତି ବଦଳୁଛି । କିନ୍ତୁ ପୁରୁଣା ଦଳମାନେ ସହଜରେ ଛାଡ଼ିଦେବାକୁ ପ୍ରସ୍ତୁତ ନୁହଁ । କିନ୍ତୁ ମୁଁ କହିରଖୁଛି, ସ୍ଥିତି ବଦଳୁଛି ଆଉ ଏ ପରିବର୍ତନ ଭଲ ଆଡ଼କୁ ।

Disclaimer

(ଲେଖକ - ଆଶୁତୋଷ, ସାମ୍ବାଦିକ ଓ ରାଜନୀତିବିଦ, ଲେଖାର ସମସ୍ତ ମତାମତ ତାଙ୍କର ବ୍ୟକ୍ତିଗତ। ଭାଷାନ୍ତର: ଶୁଭ୍ରାଂଶୁ ପଣ୍ଡା)