ଏପ୍ରିଲ ୧୬ରୁ ପୂର୍ବଘାଟ ପର୍ବତମାଳା ସଂରକ୍ଷଣ ସମ୍ମିଳନୀ

ଏପ୍ରିଲ ୧୬ରୁ ପୂର୍ବଘାଟ ପର୍ବତମାଳା ସଂରକ୍ଷଣ ସମ୍ମିଳନୀ

Friday April 15, 2016,

2 min Read

image


କାଉନସିଲ ଫର ଗ୍ରୀନ ରେଭଲ୍ୟୁସନ, ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗର ମିଳିତ ସହଯୋଗରେ ଆସନ୍ତା ୧୬ ଏବଂ ୧୭ ତାରିଖ ଦୁଇଦିନ ଧରି 'ପୂର୍ବଘାଟ ପର୍ବତମାଳାର ସଂରକ୍ଷଣ' ଶୀର୍ଷକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀର ଦ୍ଵିତୀୟ ଦିବସ ସକାଳେ ଏକ ସଚେତନତା ଶୋଭାଯାତ୍ରା ବାଣୀବିହାର କ୍ୟାମ୍ପସରୁ ବାହାରି ରୂପାଲି ଛକ ପର୍ଯ୍ୟନ୍ତ ଆସିବ। ଦୁଇଦିନିଆ ସମ୍ମିଳନୀରୁ ଯେଉଁ ନିର୍ଯ୍ୟାସ ବାହାରିବ ତାହାକୁ ନେଇ ଏକ ନୀତି ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ଗତକାଲି ହୋଟେଲ କେଶରୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। 

image


ହିମାଳୟ ପର୍ବତମାଳା ପୂର୍ବ ଘାଟ ତଥା ପଶ୍ଚିମ ଘାଟ ପର୍ବତମାଳା ଭାରତୀୟ ଉପମହାଦେଶର ଉତ୍ତର, ପୂର୍ବ ଓ ପଶ୍ଚିମ ଦିଗରେ ଅବସ୍ଥିତ। ଏ ଅଞ୍ଚଳର ଭୌଗୋଳିକ, ଜୈବିକ, ଆର୍ଥିକ ଓ ସଂସ୍କୃତିକ ପରିବେଶ ଉପରେ ଏଇ ତିନି ପର୍ବତ ଶ୍ରେଣୀର ବେସ୍ ପ୍ରଭାବ ରହିଛି। ଅନେକ ସଂରକ୍ଷଣ, ସାମାଜିକ ଆନ୍ଦୋଳନ ତଥା ଗବେଷକଙ୍କର ଗବେଷଣା ପ୍ରସ୍ତୁତ ସନ୍ଦର୍ଭ ପ୍ରକାଶନ ଯୋଗୁଁ ହିମାଳୟ ଓ ପଶ୍ଚିମଘାଟ ପର୍ବତମାଳାର ଜୈବ ବିବିଧତା ଓ କ୍ଷୟର ଉପଯୁକ୍ତ ମୂଲ୍ୟାୟନ କରାଯାଇ ସଂରକ୍ଷଣ ନିମିତ୍ତ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ଉଦ୍ୟମ କରାଯାଇଛି। ଏହାର ସୁଫଳ ମଧ୍ୟ ମିଳିବାକୁ ଆରମ୍ଭ ହେଲାଣି। ୧୭୦୦ କିମି ଦୈର୍ଘ୍ୟ ବିଶିଷ୍ଟ ପୂର୍ବଘାଟ ପର୍ବତମାଳା ପାଞ୍ଚୋଟି ରାଜ୍ୟ ଯଥା ପଶ୍ଚିମବଙ୍ଗ, ଓଡିଶା, ଅବିଭାଜିତ ଆନ୍ଧ୍ରା ପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣାଟକର କେତେକାଂଶରେ ବିସ୍ତାରିତ। ଅନେକ ଜୈବଭଣ୍ଡାର ଭଳି ଏହି ଖଣ୍ଡିତ ପର୍ବତମାଳାର ଜୈବ ବିବିଧତା ଧ୍ଵଂସ ହେବାକୁ ବସିଲାଣି ବୋଲି ଗବେଷକଙ୍କର ମତ। କିନ୍ତୁ ଅନ୍ୟ ଦୁଇ ପର୍ବତମାଳା ଭଳି ପୂର୍ବଘାଟ ଅଞ୍ଚଳ ଜାତୀୟ ଓ ଅନ୍ତର୍ଜାତୀୟ ସଂରକ୍ଷଣ ନୀତି ପ୍ରଣୟନକାରୀଙ୍କର ଧ୍ୟାନ ଆକର୍ଷଣ କରିପାରି ନାହିଁ। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ପ୍ରକୃତିର ଏହି ଜୈବ ଭଣ୍ଡାର ଅଞ୍ଚଳରେ ବସବାସ କରୁଥିବା ଜୀବଜଗତ ତଥା ଜନଜାତି ସମୂହ ଲୁପ୍ତ ହେବାକୁ ଆଉ ବେଶୀ ସମୟ ଲାଗିବ ନାହିଁ। 

ଓଡିଶାର ପ୍ରାୟ ୧୭ଗୋଟି ଜିଲ୍ଲା ଦେଇ ଏ ପର୍ବତଶ୍ରେଣୀ ବିସ୍ତାରିତ। ଏ ଅଞ୍ଚଳର ଉନ୍ନତିରେ ଏହି ପର୍ବତମାଳାର ଯୋଗଦାନକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗ ଓ ସିଜିଆର, ହାଇଦ୍ରାବାଦର ସହଯୋଗରେ "ପୂର୍ବଘାଟ ପର୍ବତମାଳାର ସଂରକ୍ଷଣ" ବିଷୟକ ଏକ ଜାତୀୟ ସମ୍ମିଳନୀର ଆୟୋଜନ କରୁଛି। ଏପ୍ରିଲ ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ଏହି ସମ୍ମିଳନୀ ଆୟୋଜିତ ହେବ। ଓଡିଶାର ମହାମହିମ ରାଜ୍ୟପାଳ ଡାଃ ଏସ ସି ଜମିର ଏ ସମ୍ମିଳନୀକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। 

ଏହି ସମ୍ମିଳନୀରେ ଦେଶର ସମସ୍ତ ପ୍ରାନ୍ତରୁ ପ୍ରାୟ ୩୦୦ ଗବେଷକ, ପ୍ରକୃତି ପ୍ରେମୀ, ସରକାରୀ ଓ ବେସରକାରୀ ସଂସ୍ଥା, ପରିବେଶବିତ, ଗଣମାଧ୍ୟମ ଓ ବ୍ୟକ୍ତିବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏ ଅବସରରେ ପରିବେଶ ସଂସ୍ଥାନ, ଜୈବ ବିବିଧତା ଓ ତା'ର ସଂରକ୍ଷଣ, ଜୈବମଣ୍ଡଳର ଉପଯୁକ୍ତ ପରିଚାଳନା, ଜନଜାତି ସମୂହ ଓ ଆଦିମ ଅଧିବାସୀଙ୍କ ସ୍ଥିତି ଓ ଉନ୍ନତି, ସାମାଜିକ ସଂସ୍ଥା ଆଦି ବିଷୟରେ ନିମନ୍ତ୍ରିତ ଗବେଷକଙ୍କ ଠାରୁ ସାଧାରଣ ଜନତା ସମସ୍ତେ ମତ ରଖିବାର ସୁଯୋଗ ରହିବ। 

ସମ୍ମିଳନୀର ଦ୍ଵିତୀୟ ଦିବସ ସକାଳେ ଏକ ସଚେତନତା ଶୋଭାଯାତ୍ରା ବାଣୀବିହାର କ୍ୟାମ୍ପସରୁ ବାହାରି ରୂପାଲି ଛକ ପର୍ଯ୍ୟନ୍ତ ଆସିବ। ଦୁଇଦିନିଆ ସମ୍ମିଳନୀରୁ ଯେଉଁ ନିର୍ଯ୍ୟାସ ବାହାରିବ ତାହାକୁ ନେଇ ଏକ ନୀତି ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ଗତକାଲି ହୋଟେଲ କେଶରୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। 

ଏହି ସାମ୍ବାଦିକ ସମ୍ମିଳନୀରେ କାଉନସିଲ ଫର ଗ୍ରୀନ ରେଭଲ୍ୟୁସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜି ନାରାୟଣ ରାଓ, ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରାଣୀବିଜ୍ଞାନ ବିଭାଗର ମୁଖ୍ୟ ତଥା ସମ୍ମିଳନୀର ଆବାହକ ପ୍ରଫେସର ପ୍ରତିଭା ମହାପାତ୍ର, ଅଧ୍ୟାପକ ଗୁଣନିଧି ସାହୁ, ପରିବେଶବିତ ପୁରୁଷୋତ୍ତମ ରେଡ୍ଡୀ, ମାନବ ଅଧିକାର କର୍ମୀ ମନୋଜ ଜେନା ଆଦି ଉପସ୍ଥିତ ଥିଲେ।