ଦୁଇ ପାଦ ଆଗରେ କର୍ଣାଟକ ଷ୍ଟାର୍ଟଅପ୍ ନୀତି

0

ଆସନ୍ତା ସପ୍ତାହରୁ Invest Karnataka ସମ୍ମିଳନୀ ଆରମ୍ଭ ହେଉଥିବା ବେଳେ ଏବେ ଏବେ କର୍ଣାଟକ ଏହାର ଷ୍ଟାର୍ଟଅପ୍ ନୀତି ୨୦୧୬ ପ୍ରକାଶ କରିଛି । ଏଠାରେ ଏହି ନୀତିର କିଛି ପ୍ରମୁଖ ତଥ୍ୟ ଦିଆଯାଉଛି । ସମ୍ପୂର୍ଣ ନୀତିଟି ଏହି ଆଲେଖ ଶେଷରେ ଆପଣ ପଢ଼ିପାରିବେ । କେବଳ ସରକାରୀ ଭାଗିଦାରୀ ରହିଥିବା ଷ୍ଟାର୍ଟଅପଗୁଡ଼ିକ ଏହି ନୀତିର ଫାଇଦା ନେଇପାରିବେ ।

ଷ୍ଟାର୍ଟଅପ୍ ପଲିସି ୨୦୧୬ ପଛରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ

ଗ୍ଲୋବାଲ ଷ୍ଟାର୍ଟଅପ୍ ଇକୋ ସିଷ୍ଟମ ରିପୋର୍ଟ ୨୦୧୫ ଅନୁସାରେ କେବଳ ବେଙ୍ଗାଲୁରୁରେ ୩୧୦୦ରୁ ୪୯୦୦ ପର୍ଯ୍ୟନ୍ତ ପ୍ରଯୁକ୍ତି ଭିତ୍ତିକ ଷ୍ଟାର୍ଟଅପ୍ ଅଛନ୍ତି । ପ୍ରମୁଖ ୨୦ ଇକୋସିଷ୍ଟମ ମଧ୍ୟରେ ବେଙ୍ଗାଲୁରୁ ବିକାଶର ଧାରା ଓ ଭେଞ୍ଚର କ୍ୟାପିଟାଲ ଇନଭେଷ୍ଟମେଣ୍ଟରେ ଦ୍ୱିତୀୟ ସ୍ଥାନରେ ରହିଛି । ୨୦୧୨ର ରାଙ୍କିଂ ତୁଳନାରେ ଏହା ଚାରି ସ୍ଥାନ ଉପରକୁ ଉଠିଛି । ଏହି ଗ୍ଲୋବାଲ ଇକୋସିଷ୍ଟମରେ ସ୍ଥାନ ପାଇଥିବା ସହରଗୁଡ଼ିକ ମଧ୍ୟରେ ବେଙ୍ଗାଲୁରୁ ହେଉଛି ଏକମାତ୍ର ଭାରତୀୟ ସହର । ଏଠାରେ ଆଇ୪ ନୀତି(IT, ITES, Innovations and Incentives Policy 2014-2019), କର୍ମସଂସ୍ଥାନ, ସ୍ବାସ୍ଥ୍ୟ ଓ ପରିବେଶ ଅନୁକୂଳ ପ୍ରଯୁକ୍ତି ଅନ୍ତର୍ଗତ ସଂସ୍ଥାମାନଙ୍କ ପାଇଁ ଲାଳନ କ୍ଷେତ୍ର ନିର୍ମାଣ କରିବେ ରାଜ୍ୟ ସରକାର ।

ଏହି ନୀତିରେ ଷ୍ଟାର୍ଟଅପର ସଂଜ୍ଞା

  • ଷ୍ଟାର୍ଟଅପଟି ୪ ବର୍ଷରୁ ପୁରୁଣା ହୋଇନଥିବ ।
  • ଏହା କର୍ଣାଟକରେ ପଞ୍ଜୀକୃତ ହୋଇଥିବ ।
  • ଏହାର ମାନବସମ୍ବଳର ୫୦ ଶତାଂଶ କର୍ଣାଟକରେ ହୋଇଥିବା ଆବଶ୍ୟକ ।
  • କମ୍ପାନୀର ରାଜସ୍ବ ୫୦ କୋଟି ଛୁଇଁବା ପରେ ପଲିସିର ସୁବିଧାସୁଯୋଗ ପ୍ରତ୍ୟାହୃତ ହେବ ।

ନୀତିର ପ୍ରମୁଖ ଉଦ୍ଦେଶ୍ୟ

୧. ଏକ ବିଶ୍ୱସ୍ତରୀୟ ଷ୍ଟାର୍ଟଅପ୍ କ୍ଷେତ୍ର ପ୍ରସ୍ତୁତି

  • ୨୦,୦୦୦ ପ୍ରଯୁକ୍ତି ଭିତ୍ତିକ ଷ୍ଟାର୍ଟଅପ୍ ବିସ୍ତାର ପାଇଁ ପ୍ରୋତ୍ସାହନ
  • କର୍ଣାଟକରେ ୬୦୦୦ ଉତ୍ପାଦ ଷ୍ଟାର୍ଟଅପ୍ ସୃଷ୍ଟି
  • ୨୦୦୦ କୋଟି ପୁଞ୍ଜିନିବେଶ ସୁଯୋଗ ସୃଷ୍ଟି
  • ସାମାଜିକ ପ୍ରଭାବ ଥିବା ଅତି କମରେ ୨୫ଟି ପ୍ରଯୁକ୍ତି ଭିତ୍ତିକ ସୃଷ୍ଟିକୁ ସୁଯୋଗ ଦେବା

୨. ନୂଆ ଯୁଗର ଲାଳନ ନେଟୱର୍କ (NAIN)

  • ୫୦ଟି ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ପ୍ରକଳ୍ପକୁ ପ୍ରୋତ୍ସାହିତ କରାଯିବ, ପ୍ରକଳ୍ପ ପିଛା ୩ ଲକ୍ଷ ଟଙ୍କା ଅନୁଦାନ ଦିଆଯିବ
  • ଏହି ଛାତ୍ରମାନେ ଅନ୍ତର୍ଜାତୀୟ ଷ୍ଟାର୍ଟଅପ୍ କ୍ଷେତ୍ର ଭ୍ରମଣର ସୁଯୋଗ ପାଇବେ
  • ପ୍ରତି ଜିଲ୍ଲାରେ ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ଉଦ୍ୟୋଗପଣର କେନ୍ଦ୍ର ପାଲଟିବ

୩. ଗବେଷଣା ଓ ଉନ୍ନୟନକୁ(R & D) ପ୍ରୋତ୍ସାହନ

  • ୩ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ସରକାର ପ୍ରଯୁକ୍ତି ବ୍ୟାପାର ଲାଳନକର୍ତା(TBIs)ମାନଙ୍କୁ ସହଯୋଗ କରିବେ
  • TBI ଏକ ସମବାୟ ପାଲଟିବ ଯେଉଁଠି ଦକ୍ଷ ଶିଳ୍ପ ଶିକ୍ଷାବିତ ସାମିଲ ହେବେ
  • IoT, Robotics ଓ 3D ପ୍ରିଣ୍ଟିଂ ଭଳି ନୂଆ ପ୍ରଯୁକ୍ତିର ବ୍ୟବସାୟୀକରଣ କରାଯିବ

୪. ଆଇଡିଆ ଷ୍ଟେଜ୍ ଫଣ୍ଡିଂ

  • ଉନ୍ନତ ସମ୍ଭାବନା ଥିବା ଷ୍ଟାର୍ଟଅପମାନଙ୍କୁ (ଆଇଡିଆ ଷ୍ଟେଜ୍) ଅନୁଦାନ ଆକାରରେ ପୁଞ୍ଜି ଯୋଗାଇ ଦିଆଯିବ
  • ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ଏକ ସ୍ବତନ୍ତ୍ର ୱେବସାଇଟ ପ୍ରସ୍ତୁତ ହେବ ଓ ଷ୍ଟାର୍ଟଅପମାନେ ଏହା ମାଧ୍ୟମରେ ଆବେଦନ କରିବେ
  • TBIs ମାଧ୍ୟମରେ ଅନୁଦାନ ଦିଆଯିବ

୫. ପବ୍ଲିକ-ପ୍ରାଇଭେଟ ସହଭାଗିତାରେ ଲାଳନ କ୍ଷେତ୍ର ପ୍ରସ୍ତୁତ ହେବ

  • ଜାତୀୟ ଓ ଅନ୍ତର୍ଜାତୀୟ ଲାଳନ ସଂସ୍ଥା(Incubators) ଭାଗନେବେ
  • ଟେଣ୍ଡର ମାଧ୍ୟମରେ ସହଭାଗୀ ନିର୍ଣୟ କରାଯିବ
  • ଲାଳନ ସଂସ୍ଥାଗୁଡ଼ିକ ଏନଏଆଇଏନ ସହ ମଧ୍ୟ କାର୍ଯ୍ୟ କରିବେ

୬. ପୁଞ୍ଜିରୁ ପୁଞ୍ଜି

  • ଭେଞ୍ଚର ଫଣ୍ଡରେ ନିବେଶ ପାଇଁ ଅର୍ଥ ଆନୟନ କରାଯିବ
  • ଏହା ଆେଞ୍ଜଲ ଷ୍ଟେଜ୍ ଫଣ୍ଡିଂ ପାଇଁ ମଧ୍ୟ ବ୍ୟବହୃତ ହେବ
  • ମୁକ୍ତ ନିଲାମ ପ୍ରକ୍ରିୟାରେ ପ୍ରଫେସନାଲ ଫଣ୍ଡ ମ୍ୟାନେଜର ମନୋନୀତ କରାଯିବ

୭. ସାମାଜିକ ପ୍ରଭାବ ଲାଗି ନୂଆ ସୃଷ୍ଟିକୁ ଉତ୍ସାହିତ କରାଯିବ

  • ପ୍ରତିବର୍ଷ ୫ଟି ନୂଆ ଆଇଡିଆ ବଛାଯିବ, ଯାହା ସାମାଜିକ ପ୍ରଭାବ ପକାଇ ପାରିବ
  • ଏହି ଆଇଡିଆଗୁଡ଼ିକୁ ପରେ ପ୍ରଭାବଶାଳୀ କରିବାକୁ ପଦକ୍ଷେପ ନିଆଯିବ

୮. ଷ୍ଟାର୍ଟଅପଗୁଡ଼ିକୁ ପ୍ରୋତ୍ସାହନ ଅର୍ଥ ଦିଆଯିବ

  • ଚିହ୍ନିତ ଇନକ୍ୟୁବେଟର ଅନ୍ତର୍ଗତ ଷ୍ଟାର୍ଟଅପଗୁଡ଼ିକୁ ରାଜ୍ୟ ସରକାରଙ୍କ ୭-ଆଇନ ରେ ସେଲ୍ଫ ସାର୍ଟିଫିକେସନ୍ ଲାଗି ଅନୁମତି ଦିଆଯିବ
  • ସରକାରଙ୍କ ଷ୍ଟାର୍ଟଅପ ସେଲ ଏଥିପାଇଁ ସହଯୋଗ କରିବ

ସମୀକ୍ଷା

ରାଜ୍ୟରେ ଷ୍ଟାର୍ଟଅପ୍ ଲାଗି କର୍ଣାଟକ ସରକାର ବହୁଧା ଯୋଜନା କରିଛନ୍ତି । ଦେଶର ଏକ ତୃତୀୟାଂଶରୁ ଅଧିକ ଷ୍ଟାର୍ଟଅପ କେବଳ କର୍ଣାଟକରେ ରହିଛି । ରାଜ୍ୟ ସାରା ବହୁ ସଂଖ୍ୟାରେ ଇନକ୍ୟୁବେଟର ଖୋଲିବା ପାଇଁ ସରକାରଙ୍କର ଯୋଜନା ରହିଛି । ତେବେ ଭେଞ୍ଚର କ୍ୟାପିଟାଲ ଦ୍ୱାରା ପରିଚାଳିତ ହେବାକୁ ଥିବା ଫଣ୍ଡ-ଅଫ୍-ଫଣ୍ଡସର ଆକାର ନେଇ ସରକାରଙ୍କ ନୂଆ ଷ୍ଟାର୍ଟଅପ୍ ନୀତିରେ କିଛି ଉଲ୍ଲେଖ ନାହିଁ ।

ଭଲ ଖବର ହେଲା, ୩୦ ପ୍ରତିଶତ ପର୍ଯ୍ୟନ୍ତ ମାର୍କେଟିଂ ଖର୍ଚ୍ଚ ବର୍ଷକୁ ଥରେ ଲେଖାଏଁ ସରକାର ଷ୍ଟାର୍ଟଅପକୁ ଫେରାଇଦେବେ । ତେବେ ଏଥିପାଇଁ ଷ୍ଟାର୍ଟଅପଟି ନୂଆ ନୀତି ମୁତାବକ ଏକ ଚିହ୍ନିତ ଇନକ୍ୟୁବେଟର ସହ ପଞ୍ଜିକୃତ ହୋଇଥିବ । ସେହିପରି ସେବା କର ମଧ୍ୟ ସେମାନଙ୍କୁ ଫେରାଇ ଦିଆଯିବ । ଆଉ ଗୋଟେ ଖୁସି ଖବର ହେଲା, ପାଟେଣ୍ଟ ଗୃହୀତ ହେବା ପରେ ୨ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଟେଣ୍ଟ୍ ଫିଲିଂ କଷ୍ଟ୍ ଫେରସ୍ତ ଦିଆଯିବ । ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଲାଗି ଇନକ୍ୟୁବେଟରରେ ପଞ୍ଜିକରଣ ବେଳେ ୧୦ ପ୍ରତିଶତ ସ୍ଥାନ ମହିଳାଙ୍କ ଷ୍ଟାର୍ଟଅପକୁ ପ୍ରଦାନ କରାଯିବ ।

ଏହି ନୀତିର ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ପ୍ରତ୍ୟକ୍ଷ ଭାବରେ ୬ ଲକ୍ଷ କର୍ମନିଯୁକ୍ତ ଓ ୧୨ ଲକ୍ଷ ପରୋକ୍ଷ କର୍ମନିଯୁକ୍ତ ସୁଯୋଗ ସୃଷ୍ଟି । ନିୟମ ରହିଛି, ଷ୍ଟାର୍ଟଅପରେ ୫୦ ପ୍ରତିଶତ କର୍ମଚାରୀ କର୍ଣାଟକର ହେବା ଆବଶ୍ୟକ । ନହେଲେ ସେମାନେ ନୀତିର ଫାଇଦା ଉଠାଇ ପାରିବେନି ।

ଗୁରୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଆର୍ ଭି ଦେଶପାଣ୍ଡେ କହନ୍ତି,

ପ୍ରଯୁକ୍ତିକୁ ଗୁରୁତ୍ୱ ଦେଇ ନୀତି ପ୍ରସ୍ତୁତିରେ କର୍ଣାଟକ ସବୁବେଳେ ଆଗୁଆ ରହିଛି । ଏହି ନୀତି ମାଧ୍ୟମରେ କର୍ଣାଟକର ଷ୍ଟାର୍ଟଅପ ଦେଶ ପାଇଁ ସମାଧାନର ସୂତ୍ର ପ୍ରଦାନ କରିବେ ।

ଭିସିର ମତ

ଆସନ୍ତା ସପ୍ତାହରେ ଇନଭେଷ୍ଟ କର୍ଣାଟକ ସମ୍ମିଳନୀରେ ଭେଞ୍ଚର କ୍ୟାପିଟାଲ ଜଗତ ନିଜର ଫଣ୍ଡ୍-ଅଫ୍-ଫଣ୍ଡସର ଆକାର ଘୋଷଣା କରିପାରେ । ଏକ୍ସିଫିନିଟି ଭେଞ୍ଚର୍ସର ପ୍ରତିଷ୍ଠାତା ଭି ବାଳକୃଷ୍ଣନ୍ କହନ୍ତି, ‘ପ୍ରତି ରାଜ୍ୟ ସରକାର ନିଜର ଷ୍ଟାର୍ଟଅପ୍ ନିତିକୁ ଉତ୍ପାଦନ ସମ୍ପନ୍ନ କରିବା ଆବଶ୍ୟକ । ସେମାନେ ଏଭଳି ଘୋଷଣା ନକରନ୍ତୁ ଯାହାକୁ ମାପିହେବନି ।’

ସ୍ବାସ୍ଥ୍ୟ ସେବା ଓ ଖାଦ୍ୟ ପ୍ରକ୍ରୀୟାକରଣ କ୍ଷେତ୍ରରେ ସମସ୍ୟା ସମାଧାନ ଲାଗି କର୍ଣାଟକ ଷ୍ଟାର୍ଟଅପର ସହଯୋଗ ଚାହୁଛି । ରୋବୋଟିକ୍ସ ଓ 3D ପ୍ରିଣ୍ଟିଂ ଭଳି ପରିବେଶ ଅନୁକୂଳ ପ୍ରଯୁକ୍ତି ବି ଲୋଡ଼ୁଛି କର୍ଣାଟକ।

ଇନଫୋସିସର ପୂର୍ବତନ ସିଇଓ ଏସ୍ଡି ଶିବୁଲାଲ କହନ୍ତି,

ଶିକ୍ଷା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ ବିଶେଷ ଷ୍ଟାର୍ଟଅପ୍ ନାହିଁ । ଆମର ବହୁ ସଂଖ୍ୟାରେ ଷ୍ଟାର୍ଟଅପ୍ ଅଛି ଯାହା ଅର୍ଥ ରୋଜଗାରର ମାଧ୍ୟମ ତ ହେବ, କିନ୍ତୁ ସେମାନଙ୍କ ମଧ୍ୟରେ ଅଭିନବ ପଣ ନାହିଁ । ବିଗତ ଦଶକରେ ଯେମିତି ସୂଚନା ପ୍ରଯୁକ୍ତି ଲାଗି ଅନୁକୂଳ ପରିବେଶ ସୃଷ୍ଟି ହୋଇଥିଲା, ଷ୍ଟାର୍ଟଅପ୍ ଲାଗି ଅନୁରୂପ ପରିବେଶ ଲାଗି ଯେ କୌଣସି ପଲିସି ଆସିବ ଆମେ ତାକୁ ସ୍ଵାଗତ କରିବା ।

ୟୋର ଷ୍ଟୋରିର ମତ

କେରଳ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଷ୍ଟାର୍ଟଅପ ନେଇ ନିଜ ନିଜର ଭିନ୍ନମତ ରହିଛି । ୨୦୧୪ରେ କେରଳ ସରକାର ନିଜର ଷ୍ଟାର୍ଟଅପ୍ ନୀତି କେରଳ ଆଇଟି ମିଶନ ଘୋଷିତ ହୋଇଥିଲା ଯେଉଁଥିରେ ଷ୍ଟାର୍ଟଅପ୍ମାନଙ୍କ ପାଇଁ ୫୦୦୦ କୋଟି ପୁଞ୍ଜିନିବେଶ ଯୋଜନା ରହିଛି । ତେଲେଙ୍ଗାନା ଇନ୍କ୍ୟୁବେସନ କେନ୍ଦ୍ର ଘୋଷଣା କରିଥିବା ବେଳେ ଆନ୍ଧ୍ରରେ ଇନ୍ନୋଭେସନ୍ ପାର୍କ ଘୋଷିତ ହୋଇଛି । ଏହି ତିନି ରାଜ୍ୟ ଷ୍ଟାର୍ଟଅପ୍ ସ୍ଵପ୍ନ ଦେଖି ମୁହଁ ପିତା କରି ସାରିଛନ୍ତି । ତେବେ କେବଳ ଗୁଜରାଟ ଓ କର୍ଣାଟକ ଷ୍ଟାର୍ଟଅପ୍ ନେଇ ସଫଳତା ଚାଖି ସାରିଛନ୍ତି । କର୍ଣାଟକରେ କର୍ଣାଟକ ଇନଫର୍ମେସନ୍ ଟେକନଲୋଜି ଫଣ୍ଡ (KITVEN) ଓ ଗୁଜରାଟରେ ଭେଞ୍ଚର ଫାଇନାନ୍ସ ଲିମିଟେଡ୍ ଦୀର୍ଘ ବର୍ଷ ହେଲା ସଫଳତାର ସହ ଠିଆ ହୋଇଛି ।

ତେବେ ମୂଳ କଥା ହେଲା, ଯଦି କର୍ମନିଯୁକ୍ତି ଓ ବିକାଶ ଆଣିବ ତେବେ ଯେ କୌଣସି ପଲିସି ହୃଦୟ ଜୟ କରିପାରିବ । କର୍ଣାଟକ କ୍ଷେତ୍ରରେ ଇନକ୍ୟୁବେଟର ପ୍ରତିଷ୍ଠା କ୍ଷେତ୍ରରେ ସ୍ବଚ୍ଛତା ରଖିବା ବଡ଼ କଥା । ଏବେ ଦେଶବ୍ୟାପୀ ଷ୍ଟାର୍ଟଅପର ଲହରୀ ଖେଳୁଥିବା ବେଳେ କର୍ଣାଟକ ନୂଆ ନୀତି ମାଧ୍ୟମରେ ଏଥିରେ ସାମିଲ ହୋଇଛି । ତେବେ ଏହି ନୀତି ଦୀର୍ଘସ୍ଥାୟୀ ହେଉ ଏବଂ ଏହା ସମାଜ, ଅଂଶୀଦାର ଓ କର୍ମଚାରୀଙ୍କ ପାଇଁ ଲାଭଦାୟକ ହେଉ ।

କର୍ଣାଟକର ଇନଭେଷ୍ଟ କର୍ଣାଟକ କାର୍ଯ୍ୟକ୍ରମର ଗର୍ବିତ ସହଭାଗୀ ହେଉଛି ୟୋର ଷ୍ଟୋରି । ଏହି କାର୍ଯ୍ୟକ୍ରମ ଫେବ୍ରୁଆରି ୩ରୁ ୫ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ ।(ଏଇଠି ପଞ୍ଜୀକରଣ କରନ୍ତୁ) ନିକଟରେ କର୍ଣାଟକ ସରକାର ଇନ୍ଭେଷ୍ଟ କର୍ଣାଟକ ୨୦୧୬ ପାଇଁ ମୋବାଇଲ ଆପ୍ଲିକେସନ୍ ମଧ୍ୟ ଛାଡ଼ିଛନ୍ତି । ଆପଣ ଏଇଠି ଏହାକୁ ଡାଉନଲୋଡ କରିପାରିବେ

ମୂଳ ଲେଖା - ବିଶାଲ କୃଷ୍ଣା

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା