ମୋଦି ଜୀ,ମହିଳା ମାନଙ୍କ ଭଲଦିନ କେବେ ଆସିବ?

ମୋଦି ଜୀ,ମହିଳା ମାନଙ୍କ ଭଲଦିନ କେବେ ଆସିବ?

Friday November 13, 2015,

3 min Read

ଏହା Yourstoryର ପ୍ରତିଷ୍ଠାତ୍ରୀ ଶ୍ରଦ୍ଧା ଶର୍ମାଙ୍କର ନରେନ୍ଦ୍ର ମୋଦୀଙ୍କୁ ଏକ ଖୋଲା ଚିଠି। ଏହି ଚିଠି ସେ ଦିଲ୍ଲୀରେ ହେଇଥିବା ଉବେର କ୍ୟାବ ବଳାତ୍କାର ପ୍ରସଙ୍ଗରେ ଲେଖିଥିଲେ।

ଉବେର କ୍ୟାବ୍ ବଳାତ୍କାର ଘଟଣା ସମଗ୍ର ଦେଶରେ ମହିଳା ମାନଙ୍କ ସୁରକ୍ଷା ଉପରେ ଏକ ପ୍ରଶ୍ନଚିହ୍ନ ଲଗାଇ ଦେଇଛି। ଯାହାଫଳରେ ଏବେ କର୍ମଜୀବୀ ମହିଳାମାନେ ନିଜର ସୁରକ୍ଷାକୁ ନେଇ ଅଧିକ ଚିନ୍ତିତ ହୋଇପଡିଛନ୍ତି। ସମାଜରେ ଏକ ଭୟ ଓ ଅନିଶ୍ଚିତତା ର ବାତାବରଣ ସୃଷ୍ଟି ହେଇଛି। କିଛିଦିନ ତଳେ ମୋତେ ଜଣେ ଉବେର କ୍ୟାବ୍ ଚାଳକ ପଚାରିଲେ ଯେ ମହିଳା ମାନେ ଯାତ୍ରାପଥରେ କଣ ସତରେ ଅସୁରକ୍ଷିତ ଅନୁଭବ କରନ୍ତି? ଗାଡିରେ ସେମାନଙ୍କ ଯାତ୍ରା କଣ ବିପଦପୂର୍ଣ୍ଣ? ଏହାର କୌଣସି ଉତ୍ତର ମୋ ପାଖରେ ନଥିଲା।

image


ମୋଦିଜୀ, ଦେଶର କୋଟି କୋଟି ଜନତାଙ୍କ ପରି ମୁଁ ବି ଆପଣଙ୍କୁ ଭୋଟ ଦେଇଥିଲି ଓ ଆପଣ ଜିତିବାପରେ ବହୁତ ଖୁସି ହୋଇଥିଲି କାରଣ ମୁ ପରିବର୍ତ୍ତନ ଚାହୁଁଥିଲି, ପରିବର୍ତ୍ତନ ଚାହୁଁଥିଲି ଦେଶର ମହିଳାମାନଙ୍କ ସୁରକ୍ଷାରେ। ଆପଣ ମଧ୍ୟ କହିଥିଲେଯେ ମହିଳା ଯୁବକ ଓ ଚାଷୀକୁ ଆପଣ ସର୍ବାଧିକ ଗୁରୁତ୍ତ୍ଵ ଦେବେ। ବିଶେଷ କରି ଆମେ ମହିଳା ମାନେ ବେଶୀ ଆଶାବାଦୀ ଥିଲୁ କାରଣ ଆମେ ନିଜର ସୁରକ୍ଷା ନିମନ୍ତେ ବେଶୀ ଚିନ୍ତିତ।

ଆମେ ମାନେ ବହିରେ ପଢିଥିଲୁ यत्र नार्यस्तु पूज्यन्ते, रमन्ते तत्र देवा (ଯେଉଁଠାରେ ନାରୀ ସମ୍ମାନ ପାଏ ସେଠି ଦେବତାମାନେ ବାସ କରନ୍ତି)। କିନ୍ତୁ ବର୍ତ୍ତମାନ ଆମେ ଅନୁଭବ କରୁଛୁ ଯେ ଏହି ଶାସ୍ତ୍ର ମତ ଆମ ଦେଶର ନାରୀ ମାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ। ମୁଁ ଏ କଥା ଆଦୌ ଆପଣଙ୍କ ବିରୋଧୀ ଭାବରେ କହୁନାହିଁ ବରଂ ଜଣେ ସାଧାରଣ ନାରୀ ଭାବେ କହୁଛି ଯେ ଦେଶରେ ସଂଗଠିତ ହେଉଥିବା ବଲାତ୍କାର ଘଟଣା ପାଇଁ ଆପଣ ଦାୟୀ ନୁହନ୍ତି ଓ ଆପଣ ପ୍ରଧାନମନ୍ତ୍ରୀ ହେବ ପୁର୍ବରୁ ମଧ୍ୟ ଏହିଭଳି ଘଟଣା ମାନ ଘଟି ସାରିଛି। କିନ୍ତୁ ବର୍ତ୍ତମାନ ସମୟ ଆସିଛି କି ଆପଣ କିଛି ଏମିତି ଦୃଢ ପଦକ୍ଷେପ ଗ୍ରହଣ କରନ୍ତୁ ଯାହାକି ଏଭଳି ଘଟଣାଗୁଡିକୁ ପ୍ରତିରୋଧ କରିବାରେ ସାହାଯ୍ୟ କରିବ।

ମୁ ଆପଣଙ୍କୁ ଅନୁରୋଧ କରିବି ଯେ ଆପଣ ମୋର ନିମ୍ନଲିଖିତ କେତୋଟି ଦିଗ ଉପରେ ଧ୍ୟାନ ଦେବେ।

୧. କିଛି ସଫଳ ମହିଳା ଅଫିସର ଓ ବ୍ୟବସାୟୀମାନଙ୍କୁ ପୁରଷ୍କାର ଓ ସମ୍ବର୍ଦ୍ଧନା ଦେଇଦେଲେ ନାରୀ ସଶକ୍ତିକରଣ ହୋଇଯାଏନାହିଁ, ସଶକ୍ତିକରଣ ଏକ କ୍ରମାଗତ ପ୍ରକ୍ରିୟା। ଏଥିପାଇଁ ଦରକାର ଜନସଚେତନତା। କେବଳ ଜନସଚେତନତା ଦ୍ଵାରା ହିଁ ପୁରୁଷ ମାନଙ୍କ ମାନସିକତାରେ ପରିବର୍ତ୍ତନ ଆସିପାରିବ। ପୁରୁଷ ମାନଙ୍କ ମଧ୍ୟରେ ଲଗାତାର ନାରୀ ସମ୍ମାନ ଓ ମର୍ଯାଦା ନିମନ୍ତେ କାମ କରିବାକୁ ପଡିବ। କାରଣ ଯେ ପର୍ଯ୍ୟନ୍ତ ସେମାନଙ୍କ ମନରେ ନାରୀମାନଙ୍କ ପାଇଁ ସମ୍ମାନ ସୃଷ୍ଟି ନହେଇଛି ସେ ପର୍ଯ୍ୟନ୍ତ ବଳାକ୍ତାର ଭଳି ହୀନ ଘଟଣା ଘଟି ଚାଲିଥିବ। କେବଳ ଦଣ୍ଡ ଦେବାକୁ ବା ନିଷେଧ ଘୋଷଣା କରିଦେଲେ ହେବନି। ଏଥି ନିମନ୍ତେ ଲୋଡା ଆନ୍ତରିକ ଉଦ୍ୟମ ଓ ସଚେତନତା।

୨. ଯେପରି ଆପଣ ସ୍ଵଚ୍ଛ ଭାରତ ଅଭିଯାନରେ କାମ କରୁଛନ୍ତି ସେହିଭଳି ଜାଗୃତ ଯୁବକ ବା ଜାଗୃତ ସମାଜ ଭଳି ଏକ ଅଭିଯାନ ଆରମ୍ଭ କରନ୍ତୁ। ସାରାଦେଶରେ ଗଣମାଧ୍ୟମରେ ଏହାର ପ୍ରଚାର ଓ ପ୍ରସାର କରାଯାଉ। ବିଶେଷକରି ଯୁବସମାଜକୁ ଲକ୍ଷ୍ୟକରି ସାମାଜିକ ଗଣମାଧ୍ୟମ ଫେସବୁକ୍ ଓ twitterରେ ଏହାର ବିପୁଳ ମାତ୍ରାରେ ପ୍ରଚାର କରାଯାଉ। ଆପଣ ମଧ୍ୟ ଏହି ଅଭିଯାନରେ ବ୍ୟକ୍ତିଗତ ଭାବରେ ଯୋଗ ଦିଅନ୍ତୁ,କାରଣ ଆପଣ ଦେଶର ଯୁବାପିଢି ମଧ୍ୟରେ ଅତ୍ୟନ୍ତ ଲୋକପ୍ରିୟ। ଆପଣଙ୍କର ଏହି ଅଭିଯାନ ସେମାନଙ୍କ ଉପରେ ନିଶ୍ଚୟ ଏକ ପ୍ରଭାବ ପକାଇବ ବୋଲି ମୁ ଆଶା କରୁଛି।

୩. ନାରୀମାନଙ୍କୁ ସମ୍ବର୍ଦ୍ଧନା ବଦଳରେ ପୁରୁଷ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଉ ନାରୀ ସମ୍ମାନ କ୍ଷେତ୍ରରେ। ଆପଣଙ୍କ ଭାଷାରେ ଏହାକୁ ପୁରୁଷୋତ୍ତମ ପୁରସ୍କାର ନାମରେ ନାମିତ କରାଯାଉ ଓ ପ୍ରତି ଗ୍ରାମୀଣ କ୍ଷେତ୍ରରେ ଏହାକୁ ପ୍ରଦାନ କରାଯାଉ। ଯାହାଫଳରେ ଏହାର ପ୍ରଚାର ଓ ପ୍ରସାର ଅନାୟାସରେ ହେଇପାରିବ ଓ ଆମେ ପୁରୁଷ ମାନଙ୍କୁ ଅଧିକ ପ୍ରୋତ୍ସାହନ ଦେଇପାରିବା ଯାହାକି ନାରୀ ସଶକ୍ତିକରଣ ନିମନ୍ତେ ଏକ ସଠିକ୍ ପରିବେଶ ସୃଷ୍ଟି କରିପାରିବ।

Share on
close