ମାଛ ଚାଷ ପାଇଁ ଯୋଜନା: ୫ ବର୍ଷ ମଧ୍ୟରେ ମାଛ ଉତ୍ପାଦନ ଦ୍ୱିଗୁଣିତ କରିବା ଲକ୍ଷ୍ୟ, ମତ୍ସ୍ୟଜୀବୀଙ୍କ ଉନ୍ନତିକୁ ପ୍ରାଥମିକତା

ମାଛ ଚାଷ ପାଇଁ ଯୋଜନା: ୫ ବର୍ଷ ମଧ୍ୟରେ ମାଛ ଉତ୍ପାଦନ ଦ୍ୱିଗୁଣିତ କରିବା ଲକ୍ଷ୍ୟ, ମତ୍ସ୍ୟଜୀବୀଙ୍କ ଉନ୍ନତିକୁ ପ୍ରାଥମିକତା

Monday February 29, 2016,

2 min Read

ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ମତ୍ସ୍ୟନୀତି ପ୍ରଣୟନ କରିଛି | ଏହି ନୀତି ମତ୍ସ୍ୟ ଚାଷର ଉନ୍ନତି ଓ ସଂପ୍ରସାରଣ ସହ ମତ୍ସ୍ୟଜୀବୀଙ୍କ ଜୀବିକା ଓ ସାମାଜିକ ନିରାପତ୍ତା ଏବଂ ନୂତନ ନିଯୁକ୍ତି କ୍ଷେତ୍ରରେ ସହାୟକ ହେବ | ରାଜ୍ୟର ମତ୍ସ୍ୟ ଉତ୍ପାଦନକୁ ୨୦୨୦ ସୁଦ୍ଧା ଦ୍ୱିଗୁଣିତ କରିବା ସହ ମତ୍ସ୍ୟଜୀବୀମାନଙ୍କୁ ଜୀବିକା ଯୋଗାଇଦେବା ଲକ୍ଷ୍ୟରେ ଏହା ପ୍ରସ୍ତୁତ ହୋଇଛି | ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଏବଂ ମତ୍ସ୍ୟଜାତ ଦ୍ରବ୍ୟ ରପ୍ତାନୀ ପାଇଁ ନୂତନ ସୁଯୋଗ ସୃଷ୍ଟି ଏବଂ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ପୁଂଜି ନିବେଶ ବଢାଇବା ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି |

image


ଓଡିଶାର ମତ୍ସ୍ୟ ରପ୍ତାନୀ ଏବେ ୨୦୦୦ କୋଟି ଟଙ୍କାରେ ପହଁଚିପାରିଛି | ତେବେ ଏହାକୁ ୧୦ ହଜାର କୋଟିରେ ପଂହଚାଇବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି | ଏଥିପାଇଁ ମତ୍ସ୍ୟ ଉତ୍ପାଦନ, ଉତ୍କୃଷ୍ଟ ମାନର ମାଛ ଯାଁଆଳ ଉତ୍ପାଦନ, ଜଳାଶ୍ରୟରେ ମତ୍ସ୍ୟଚାଷର ଅଭିବୃଦ୍ଧି, ମଧୁର ଚିଙ୍ଗୁଡି ଓ ଲୁଣି ଚିଙ୍ଗୁଡିର ଉତ୍ପାଦନ କ୍ଷେତ୍ରରେ ଉତ୍କର୍ଷତା ଆଣିବା ସହ ବୈଷୟିକ ଜ୍ଞାନର ଅଧିକ ପ୍ରୟୋଗ ଲାଗି ରାଜ୍ୟ କୃଷି ବିଭାଗ ଗୁରୁତ୍ୱ ଦେଉଛି | ଏ ଦିଗରେ ମତ୍ସ୍ୟ ଅଧିକାରୀମାନଙ୍କ ପ୍ରମୁଖ ଭୂମିକା ରହିଛି |

ମତ୍ସ୍ୟ ଅଧିକାରୀମାନଙ୍କ ଏକ କାର୍ଯ୍ୟକ୍ରମରେ ମତ୍ସ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ପି. କ୍ରିଷ୍ଣମୋହନ କହିଛନ୍ତି,

ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଭିତ୍ତିଭୂମିର ଉନ୍ନତିକରଣ ଓ ଘରୋଇ ଉଦ୍ୟୋଗର ସହଭାଗିତାକୁ ପ୍ରୋତ୍ସାହିତ କରାଯାଉଛି | ରାଜ୍ୟରେ ପ୍ରଚଳିତ କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ଜଳାଶ୍ରୟ ସୃଷ୍ଟି, ନୂତନ କ୍ଲଷ୍ଟର ଓ ନୂତନ ଉଦ୍ୟୋଗ ପ୍ରତିଷ୍ଠା ଦ୍ୱାରା ନିଯୁକ୍ତି ସୁଯୋଗ ମିଳିବ | ରାଜ୍ୟର ଜଳଭଣ୍ଡାରଗୁଡିକରେ ଉନ୍ନତ ଯାଁଆଳ ଗଚ୍ଛିତ କରି ଉତ୍ପାଦନ ବୃଦ୍ଧି କରାଯାଇପାରିବ | ଖାରିପାଣି ଚାଷ ପାଇଁ ସରକାରୀ ଜମିକୁ ଦୀର୍ଘମିଆଦୀ ଲିଜ୍ ସୂତ୍ରରେ ପ୍ରଦାନ ଦ୍ୱାରା ଖାରିପାଣି ଚାଷର ଉନ୍ନତି ସାଧିତ ହେବ |

ଏହି ଅବସରରେ କୃଷି ବିଭାଗ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି,

ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀ ପରିବାରର ସାମାଜିକ ସୁରକ୍ଷା ଓ ନିରାପତ୍ତା ପାଇଁ ଅନେକ ଯୋଜନା କରାଯାଉଛି | ମତ୍ସ୍ୟ ଅଧିକାରୀମାନଙ୍କ ଉଦ୍ୟମରେ ୫ ଲକ୍ଷ ମତ୍ସ୍ୟଜୀବୀଙ୍କୁ ମୋବାଇଲ୍ ଫୋନ୍ ଜରିଆରେ ସୂଚନା ପ୍ରେରଣ କରାଯାଉଛି | ଆମର ମତ୍ସ୍ୟ ରପ୍ତାନୀକୁ ୧୦ ହଜାର କୋଟିରେ ପଂହଚାଇବା ଦିଗରେ ମତ୍ସ୍ୟ ଅଧିକାରୀମାନେ କାମ କରିବା ଉଚିତ୍ |

ଏବେ ରାଜ୍ୟରେ ୬୧୨ ଜଣ ମତ୍ସ୍ୟ ଅଧିକାରୀ ଅଛନ୍ତି | ସମସ୍ତ ସହକାରୀ ମତ୍ସ୍ୟ ଅଧିକାରୀ, ଅତିରିକ୍ତ ମତ୍ସ୍ୟ ଅଧିକାରୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ମତ୍ସ୍ୟ ଉପ ନିର୍ଦ୍ଦେଶକ, ମତ୍ସ୍ୟ ଯୁଗ୍ମ ନିର୍ଦ୍ଦେଶକ, ମତ୍ସ୍ୟ ଅତିରିକ୍ତ ନିର୍ଦ୍ଦେଶକ ଓ ବୈଷୟିକ ମତ୍ସ୍ୟ ନିର୍ଦ୍ଦେଶକଙ୍କ ସମେତ ଗ୍ରୁପ- ଏ ଓ ଗ୍ରୁପ- ବି ମତ୍ସ୍ୟ ଅଧିକାରୀମାନେ ଏମାନଙ୍କ ମଧ୍ୟରେ ଅଛନ୍ତି | ବ୍ଲକ, ଜିଲ୍ଲା, ଜୋନ୍ ଓ ରାଜ୍ୟସ୍ତରରେ ଏମାନେ ମତ୍ସ୍ୟଚାଷର ଉନ୍ନତି କ୍ଷେତ୍ରରେ କାମ କରୁଛନ୍ତି |

image


ଓଡିଶାରେ ମାଛ ଚାଷ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି | ତେଣୁ ମତ୍ସ୍ୟନୀତି ଅନୁସାରେ ଏଥିପାଇଁ ଆବଶ୍ୟକ କାମ ହୋଇପାରିଲେ, ଉତ୍ପାଦନ ଓ ରପ୍ତାନୀ କ୍ଷେତ୍ରରେ ରାଜ୍ୟ ଆହୁରି ସଫଳତା ପାଇପାରିବ |

ପଢନ୍ତୁ ଆଉ କିଛି ସମ୍ବନ୍ଧିତ କାହାଣୀ - 

ପରିବେଶ ରହିବ ସ୍ୱଚ୍ଛ, ତାଜା ରହିବ ମାଛ : ‘ସିଫା’ରେ ପ୍ରସ୍ତୁତ ହେଲା ଭ୍ରାମ୍ୟମାଣ ମାଛ ବିକା ଟ୍ରଲି

ଭଂଜନଗରର ଭୂମିହୀନ ଶଙ୍କର: ନିଶା ଚାଷ, ଟାଙ୍ଗରା ଜମିରେ ଫଳାଇଲେ ଫସଲ

ରାଜ୍ୟରେ ଦୁଇଟି ସ୍ଥାନରେ ଏଲପିଜି ପ୍ଲାଣ୍ଟ, ବଲାଙ୍ଗୀର ବଟଲିଂ ପ୍ଲାଣ୍ଟକୁ ସରକାରଙ୍କ ଗ୍ରିନ୍ ସିଗନାଲ୍