ପ୍ଲାଷ୍ଟିକ୍ ପ୍ରଦୂଷଣ ରୋକୁଛି ଆଉ ଶୋଷ ମେଣ୍ଟାଉଛି ‘ଅମୃତଧାରା’

ପ୍ଲାଷ୍ଟିକ୍ ପ୍ରଦୂଷଣ ରୋକୁଛି ଆଉ ଶୋଷ ମେଣ୍ଟାଉଛି ‘ଅମୃତଧାରା’

Tuesday October 13, 2015,

3 min Read

ଆପଣ ଟ୍ରେନରେ ଯାଉଥିବେ । ଟ୍ରେନ୍ ଚଟାଣ ଉପରେ ଖାଲି ପାଣି ବୋତଲଟିଏ ଗଡୁଥିବ । ଆପଣ ପରିବେଶ ପ୍ରତି ବହୁତ୍ ଯତ୍ନବାନ ବି ଥିବେ । ଠିକ୍ ସେହି ସମୟରେ ପ୍ରବଳ ଶୋଷ ଲାଗିବ ଓ ପାଖରେ କେବଳ ପ୍ଲାଷ୍ଟିକ୍ ପାଣି ବୋତଲ ପିଇବା ବିକଳ୍ପ ଥିବ । ବହୁତ ଅଡୁଆରେ ପଡିବେ ନା ? ଠିକ୍ ଏମିତି ଏକ ପରିସ୍ଥିତିର ସାମ୍ନା କରିଥିଲେ ମିନ୍ ଅମୀନ । ଆଉ ଏଇଠୁ ହିଁ ତାଙ୍କ ମନକୁ ବିନା ବୋତଲରେ ଶସ୍ତାରେ ବିଶୁଦ୍ଧ ପାଣି ‘ଅମୃତଧାରା’ ବିକ୍ରି କରିବା ଚିନ୍ତା ଆସିଥିଲା ।

image


ପ୍ରଥମରୁ ମିନ୍ ଓ ତାଙ୍କ ସହଯୋଗୀ ଅକ୍ଷୟ ରୁଙ୍ଗଟା ଦୁଇଜଣ ଯାକ ଫାଇନାନ୍ସ ଓ ଇଣ୍ଡଷ୍ଟ୍ରିଆଲ ଡିଜାଇନ୍ କ୍ଷେତ୍ରରେ କାମ କରୁଥିଲେ । ଦୁହେଁ ଅରୋଭିଲ୍ରେ ବିଭିନ୍ନ ସଷ୍ଟେନିବିଲିଟି ପ୍ରକଳ୍ପ ଉପରେ କାମ କରୁଥିଲେ । ପରେ ମିନ୍ ଓ ଅକ୍ଷୟ ୨୦୧୩ରେ ଅମୃତଧାରା କମ୍ପାନୀ ଆରମ୍ଭ କରିଥିଲେ । ଲୋକଙ୍କ ପ୍ଲାଷ୍ଟିକ୍ ପାଣି ବୋତଲ ବ୍ୟବହାର କେମିତି କମ୍ ହେବ, ତା ଉପରେ ଆରମ୍ଭରୁ ସେମାନେ ପରୀକ୍ଷା ନିରୀକ୍ଷା ଆରମ୍ଭ କଲେ । ଅକ୍ଷୟ କୁହନ୍ତି, “ପ୍ରଥମେ ବର୍ଷେ ପର୍ଯ୍ୟନ୍ତ ଆମେ ପଣ୍ଡିଚେରୀର କିଛି ଜାଗାରେ ଖୋଲା ପାଣି ବିକ୍ରି କଲୁ । ଏହାର ଉଦ୍ଦେଶ୍ୟ ଥିଲା, ଖୋଲା ପାଣି ବିକ୍ରିକୁ ନେଇ ଲୋକଙ୍କ କଣ ଧାରଣା ରହୁଛି ଓ ପାଣିର ସ୍ୱଚ୍ଛତା ଓ ସଫାସୁତୁରା ପ୍ରତି ଲୋକେ କଣ ଭାବୁଛନ୍ତି, ତା ଜାଣିବା ।”

image


ତେବେ ପ୍ଲାଷ୍ଟିକ୍ ପାଣି ବୋତଲ ବ୍ୟବହାରର କାରଣ ଖୋଜିବାରେ ଲାଗିଥିଲେ ମିନ୍ ଓ ଅକ୍ଷୟଙ୍କ ଟିମ୍ । ଏଥିପାଇଁ ସେମାନେ ଅନେକ ଲୋକଙ୍କ ସହ କଥାବାର୍ତ୍ତା ଓ ବିଚାରବିମର୍ଶ ଚଳାଇଥିଲେ । ଅନଲାଇନ୍ ଓ ଅଫଲାଇନରେ ବହୁ ଲୋକଙ୍କଠାରୁ ମତାମତ ବି ପାଇଥିଲେ । ଶେଷରେ ଟିମ୍ କାରଣ ଖୋଜି ପାଇଥିଲା । ଏ ବିଷୟରେ ଅକ୍ଷୟ କୁହନ୍ତି, “ପ୍ରଥମ କଥା ହେଉଛି, ଲୋକେ ଶୋଷ ମେଣ୍ଟାଇବାକୁ ଅନ୍ୟ କିଛି ବିକଳ୍ପ ନଥିବାରୁ ପାଣି ବୋତଲ କିଣୁଛନ୍ତି । ଯଦି ଠିକ୍ ଜାଗାରେ ଅମୃତଧାରା ବିଶୁଦ୍ଧ ପାଣି ମେସିନ୍ ଲାଗନ୍ତା, ତେବେ ଲୋକେ ଏଠାରୁ ପାଣି କିଣି ପିଇ ପାରନ୍ତେ । ଖାସ୍ ଏଇଥିପାଇଁ ଅମୃତଧାରା’ର ପାଣି ବିକ୍ରି ମେସିନ୍ କିଓସ୍କ ମନଇଚ୍ଛା ସବୁଠି ନ ଲଗାଇ ପାଣି ବୋତଲ ବିକ୍ରି ହେଉଥିବା ଦୋକାନରେ ଲଗାଇବାକୁ ନିଷ୍ପତ୍ତି ନେଲୁ ।”

କମ୍ପାନୀ ପାଣି ବିକ୍ରି ପାଇଁ ଟୋକନ୍ ବ୍ୟବସ୍ଥା କରିଛି । ମେସିନରୁ ବାହାରୁଥିବା ପାଣି ଅନୁସାରେ ଲୋକଙ୍କୁ ଟଙ୍କା ଗଣିବାକୁ ପଡିବ । ପାଣି ପିଇବା ପରେ ସେହି ମେସିନରେ ଟଙ୍କା ପକାଇବା ବ୍ୟବସ୍ଥା ହୋଇଛି । ତେବେ ବୋତଲ ବ୍ୟବହାର ନ କରିବା ଫଳରେ ଉଭୟ ପ୍ଲାଷ୍ଟିକ୍ ଓ ପ୍ୟାକେଜିଂରେ ଖର୍ଚ୍ଚ ହେଉଥିବା ଟଙ୍କା ବଞ୍ଚୁଥିଲା । ଏହି ଖର୍ଚ୍ଚ କମାଇ କମ୍ପାନୀ ଶସ୍ତାରେ ବିଶୁଦ୍ଧ ପାଣି ବିକ୍ରି କରିପାରୁଛି ବୋଲି ଅକ୍ଷୟ କୁହନ୍ତି ।

image


ଶସ୍ତା, ବିଶୁଦ୍ଧ ଓ ସହଜରେ ଉପଲବ୍ଧ ହେଉଥିବା କାରଣରୁ ଲୋକେ ଅମୃତଧାରାକୁ ପସନ୍ଦ କଲେ । ଖାଲି ସେତିକି ନୁହେଁ, ଅମୃତଧାରାର ଏହି ମେସିନରେ ଟଙ୍କା ଦେଇ ପାଣି ପିଉଥିବା ଲୋକେ ଏଥିରେ ଥିବା ଟେକ୍ନୋଲୋଜି ସାହାଯ୍ୟରେ ପାଣିର ବିଶୁଦ୍ଧତା ଓ ଗୁଣବତ୍ତା ମଧ୍ୟ ପରଖି ପାରୁଥିଲେ । କେତେ ପାଣି ପିଇଲେ ଓ କେତେ ଟଙ୍କା ଦେବେ...ଏସବୁର ସୂଚନା ମେସିନ୍ ଉପରେ ଦେଖା ଯାଉଥିଲା ।

କିଛି ମାସ ତଳେ ଅମୃତଧାରା, ଚେନ୍ନାଇରେ ଏହି ସେବା ଆରମ୍ଭ କରିଛି । କମ୍ପାନୀର ସ୍ଥିତି ଏଠାରେ ବେଶ୍ ଭଲ ରହିଛି । ତେବେ କିଛି କିଛି ଜାଗାରେ ଦୋକାନୀମାନେ ଏହାର କାର୍ଯ୍ୟଦକ୍ଷତାକୁ ନେଇ ଅସୁବିଧା ରହୁଥିବା ଜଣାଇଛନ୍ତି । ମାତ୍ର କମ୍ପାନୀର ବିଶେଷଜ୍ଞ ଟିମ୍ ସମସ୍ୟାକୁ ଦୂର କରିବାକୁ ଆଗେଇ ଆସିଛନ୍ତି । ହେଲେ କମ୍ପାନୀ ଖାଲି ପାଣି ବିକ୍ରି କରି ଲାଭ ଉଠାଇବା ସମ୍ଭବ ନୁହେଁ । ଏଥିପାଇଁ କମ୍ପାନୀ ତା’ର ମେସିନ୍ ବିକ୍ରି କରିବା ଓ ମେସିନର ବାର୍ଷିକ ଗୁଣବତ୍ତା ଚୁକ୍ତି କରିବାକୁ ଲକ୍ଷ୍ୟ ରଖିଛି ।

image


କମ୍ପାନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଦେଶର ସବୁ ସହରରେ ଅମୃତଧାରାକୁ ଲୋକଙ୍କ ପାଖରେ ପହଞ୍ଚାଇବା । ଖୁବ ଶୀଘ୍ର ବାଙ୍ଗାଲୋରରେ କମ୍ପାନୀ ସେବା ଆରମ୍ଭ କରିବାକୁ ଯୋଜନା କରୁଛି । ଆଗକୁ ବହୁତ ଚ୍ୟାଲେଞ୍ଜ ଅଛି । ହେଲେ ସବୁକୁ ସାମ୍ନା କରି ଆଗକୁ ବଢିବାକୁ ଆମେ ପ୍ରୟାସ ଜାରି ରଖିଛୁ ବୋଲି ଅକ୍ଷୟ କୁହନ୍ତି ।