ରୋଗୀ ଓ ଡାକ୍ତରଙ୍କ ମଝିରେ ସେତୁ: HelloDoctor24x7

ରୋଗୀ ଓ ଡାକ୍ତରଙ୍କ ମଝିରେ ସେତୁ: HelloDoctor24x7

Tuesday December 08, 2015,

3 min Read

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ପରିସଂଖ୍ୟାନ ଅନୁସାରେ ୨୦୧୨ ମସିହାରେ ଭାରତରେ ପ୍ରତି ଦଶ ହଜାର ଲୋକଙ୍କ ପାଇଁ ମାତ୍ର ସାତ ଜଣ ଡାକ୍ତର ଥିଲେ। ଏହି ସଂଖ୍ୟା ଅତି ନଗଣ୍ୟ। ଡାକ୍ତର ଓ ରୋଗୀମାନଙ୍କ ମଧ୍ୟରେ ଥିବା ଦୂରତାକୁ କମେଇଦେବା ପାଇଁ ୨୦୧୦ ମସିହାରେ ଭୁବନେଶ୍ଵରରେ ଆରମ୍ଭ ହୋଇଥିଲା HelloDoctor24x7 ଆଉ ଏହି ପରିକଳ୍ପନାର ସୂତ୍ରଧର ଥିଲେ ଡାକ୍ତର ଲଲିତ ମାଣିକ।

image


ଡାକ୍ତରୀ ପଢୁଥିବା ବେଳେ ବହିର୍ରୋଗ ବିଭାଗରେ ରୋଗୀମାନେ ସାମ୍ନା କରୁଥିବା ସୂଚନା ସମସ୍ୟାକୁ ଲଲିତ ଭଲ ଭାବେ ବୁଝି ପାରିଥିଲେ ଓ ଏହାର ସମାଧାନର ସୂତ୍ର କାଢିବା ପାଇଁ ଚେଷ୍ଟା ଆରମ୍ଭ କରିଥିଲେ। KIIT University Technology business incubatorରୁ ସେ ନିଜର ଉଦ୍ୟୋଗ ଆରମ୍ଭ କରିଥିଲେ। ୨୦ ଲକ୍ଷ ଟଙ୍କାର ମୂଳ ନିବେଶ ଓ ସହ ପ୍ରତିଷ୍ଠାତା ସଞ୍ଜୟ ଦାସଙ୍କ ସହାୟତାରେ ଆରମ୍ଭ ହୋଇଥିଲା HelloDoctor24x7। ନିଜର ଆରମ୍ଭ ଦିନମାନଙ୍କରେ ରୋଗୀମାନେ ଚାହୁଁଥିବା ସୂଚନା ଯୋଗାଇ ଦେବା ହିଁ ଏହି ସଂସ୍ଥାର ମୁଖ୍ୟ କାର୍ଯ୍ୟ ଥିଲା। ସଂସ୍ଥା ନିଜର Patient Relationship Management Solutions (PRMS)ସହାୟତାରେ ବିଭିନ୍ନ ଡାକ୍ତରଖାନା ଓ କ୍ଲିନିକରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଆବଶ୍ୟକ ସୂଚନା ଯୋଗାଇ ଦେଉଥିଲ।।

ଏହି କ୍ଷେତ୍ରରେ ଆହୁରି ଅନେକ କିଛି କରାଯାଇ ପାରିବ ବୋଲି ଲଲିତ ଅନୁଭବ କରିପାରିଥିଲେ। ସେଥିପାଇଁ ସ୍କଟଲ୍ୟାଣ୍ଡ ସ୍ଥିତ University of Dundeeରେ Public Healthରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିବାକୁ ଗଲେ। ଏଠାରେ ହିଁ ସେ HelloDoctor24x7 ପାଇଁ ଭବିଷ୍ୟତର ସହ ପ୍ରତିଷ୍ଠାତା ଶଶାଙ୍କ ସିଙ୍ଘାଲଙ୍କୁ ଭେଟିଥିଲେ। ସେ ସମୟରେ ଟେଲି କମ୍ୟୁନିକେସନ ମାଧ୍ୟମରେ ରୋଗୀମାନଙ୍କୁ ୨୪X୭ ସୂଚନା ଯୋଗାଇଦେବା ଉପରେ ଶଶାଙ୍କ ଚିନ୍ତା କରୁଥିଲେ। 

ଏହା ଉପରେ ମତ ରଖି ଶଶାଙ୍କ କୁହନ୍ତି, “ ଜଣେ ଡାକ୍ତର ଦିନକୁ ପାଖାପାଖି ୨୦ ଜଣ ରୋଗୀଙ୍କ ଠାରୁ ଫୋନ ପାଇଥାନ୍ତି। ସେ ମଧ୍ୟରୁ ପାଖାପାଖି ୮ଟି ଫୋନର ଉତ୍ତର ସେମାନେ ଦେଇ ପାରନ୍ତି ନାହିଁ। ଉତ୍ତର ଦେଇ ହେଉନଥିବା କଲ ମଧ୍ୟରେ ଅନେକ କ୍ଷେତ୍ରରେ କିଛି ଗୁରତର ଅସୁସ୍ଥଙ୍କର ଫୋନ ମଧ୍ୟ ଥାଏ। ଡାକ୍ତରମାନେ ସାଧାରଣତଃ ଉଠେଇ ପାରିନଥିବା ନମ୍ବରକୁ ଆଉ ଥରେ ଫୋନ କରନ୍ତି ନାହିଁ।"

ଏହି ସବୁ ସମସ୍ୟାର ସମାଧାନ ପାଇଁ ଶଶାଙ୍କ ଓ ତାଙ୍କ ସହଯୋଗୀମାନେ ପ୍ରଥମେ ୨୦୦ ଜଣ ଡାକ୍ତର ଓ ୫୦୦ଜଣ ରୋଗୀଙ୍କ ସହିତ କଥାବାର୍ତ୍ତା ହେଲେ। ଏହି କଥାବାର୍ତା ସେମାନଙ୍କ ପାଇଁ ଏକ ମଜାଦାର ଅନୁଭୂତି ଥିଲା। 

ଭୁବନେଶ୍ଵରକୁ ନିଜ କର୍ମକ୍ଷେତ୍ର ଭାବେ କାହିଁକି ବାଛିଲେ ପ୍ରଶ୍ନର ଉତ୍ତର ଦେଇ ଶଶାଙ୍କ ଓ ତାଙ୍କ ସହଯୋଗୀ ମାନେ କୁହନ୍ତି, “ ଭୁବନେଶ୍ଵରରେ ଅନେକ ବୈଷୟିକ ଶିକ୍ଷାନୁଷ୍ଠାନ ରହିଛି ଓ ଏଠାରେ ଅନେକ ବୁଦ୍ଧିଜୀବୀ ମଧ୍ୟ ଅଛନ୍ତି। ଏହି ସହରରେ ଲୋକମାନଙ୍କ ଭିତରେ ନୂତନ ଉଦ୍ୟୋଗ ପ୍ରତି ପ୍ରବଳ ଉତ୍ସାହ ରହିଛି। ଏହାଛଡା incubation centerମାନଙ୍କରେ ସମ୍ଭାବ୍ୟ ନିବେଶକଙ୍କୁ ଭେଟିବାର ସମ୍ଭାବନା ଅଧିକ”।
The team at HelloDoctor24x7

The team at HelloDoctor24x7


ଏହି ୨୪X୭ ସେବାର ଶୁଭାରମ୍ଭ ୨୦୧୫ ମସିହା ଜାନୁୟାରୀ ମାସରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ସଂସ୍ଥା ପାଖରେ ୩୦୦୦ ପଞ୍ଜୀକୃତ ଉପଭୋକ୍ତା ଅଛନ୍ତି ଓ ସେମାନଙ୍କ ମଧ୍ୟରୁ ୪୦ପ୍ରତିଶତ ଉପଭୋକ୍ତା ଏହି ସେବାର ବ୍ୟବହାର ଏକାଧିକ ଥର କରିଛନ୍ତି। ପ୍ରତିଦିନ HelloDoctor24x7ପାଖକୁ ପାଖାପାଖି ୪୨ଟି ଫୋନ ଆସିଥାଏ। ବର୍ତ୍ତମାନ ସଂସ୍ଥାରେ ୧୮ ଜଣ କର୍ମଚାରୀ କାମ କରୁଛନ୍ତି ଓ ଓଡିଶାର ୧୦ଟି ଜିଲ୍ଲାରେ ଏହି ସଂସ୍ଥା କାମ କରୁଛି।

ଏହା କିପରି କାମ କରେ?

ଏହି ସେବା ପାଇବା ପାଇଁ ଉପଭୋକ୍ତାଙ୍କୁ ପ୍ରଥମେ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ପଇଠ କରିବାକୁ ପଡେ । ଏହାପରେ ସେମାନେ ହେଲ୍ପଲାଇନ ନମ୍ବରରେ ଫୋନ କରିପାରନ୍ତି। ଫୋନ କଲେ ଟେଲିଫୋନ ଅପରେଟର ଜଣଙ୍କ ଉପଭୋକ୍ତାଙ୍କୁ ତାଙ୍କ ସମସ୍ୟା ବିଷୟରେ ପ୍ରଶ୍ନ କରନ୍ତି। ଉପଭୋକ୍ତାଙ୍କ ସମସ୍ୟାରୁ କେଉଁ କେଉଁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ହେବ ଓ କେଉଁ ଡାକ୍ତରଙ୍କ ପରାମର୍ଶ ନେବାକୁ ହେବ ତାହା ଅପରେଟର ଜଣଙ୍କ ବୁଝିବାକୁ ଚେଷ୍ଟା କରନ୍ତି। ବୁଝି ସାରିଲା ପରେ ଅପରେଟର ଜଣଙ୍କ ସମ୍ପୃକ୍ତ ରୋଗୀଙ୍କୁ ତାଙ୍କ ସମସ୍ୟାର ସମାଧାନ କରିପାରୁଥିବା ଡାକ୍ତରଙ୍କ ସହ ଫୋନରେ ସଂଯୋଗ କରନ୍ତି। ପରାମର୍ଶ ପାଇଁ ରୋଗୀଙ୍କୁ ପ୍ରତି ମିନିଟ ହିସାବରେ ପଇସା ଦେବାକୁ ପଡେ।

ଭବିଷ୍ୟତ ଲକ୍ଷ୍ୟ

HelloDoctor24x7 ନିକଟରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହିତ ସହବନ୍ଧନ କରିଛି ଓ ଭବିଷ୍ୟତରେ ଦିନକୁ ୧୨୦୦ଟି ଡାକ୍ତରୀ ପରାମର୍ଶ ଯୋଗାଇ ଦେବାର ଲକ୍ଷ୍ୟ ରଖିଛି। ଏହା ଛଡା ଔଷଧ ବିତରଣ କରିବା ପାଇଁ ସଂସ୍ଥା ଲକ୍ଷ୍ୟ ରଖିଅଛି। ଆଗାମୀ ୬ ମାସ ମଧ୍ୟରେ ଓଡିଶା ସହ ଚାରୋଟି ରାଜ୍ୟରେ ୩ ଲକ୍ଷ ଉପଭୋକ୍ତାଙ୍କୁ ସେବା ଯୋଗାଇ ଦେବା ଦିଗରେ ସଂସ୍ଥା କାମ କରିବା ଆରମ୍ଭ କରିଛି।

ୱେବସାଇଟ

ମୂଳ ଲେଖା - ତରୁଷ ଭଲ୍ଲା

ଭାଷାନ୍ତର - ପରଂବ୍ରହ୍ମ ତ୍ରିପାଠୀ