୫୦ କୋଟିର କମ୍ପାନୀ ଠିଆ କଲେ ଦୃଷ୍ଟିହୀନ ଶ୍ରୀକାନ୍ତ

0

ସମାଜ ତାଙ୍କୁ ବାରମ୍ବାର ଉପେକ୍ଷା କରୁଥିଲା । ଲୋକେ ତାଙ୍କ ଅକ୍ଷମତାକୁ ଉପହାସରେ ଉଡାଇ ଦେଉଥିଲେ । ହତୋତ୍ସାହିତ କରି ତାଙ୍କ ଗୋଡ ଟାଣୁଥିଲା। ହେଲେ ସେ କେବେ ବି ଦବି ଯାଇନଥିଲେ । ପ୍ରତିଥର ସଳଖି ଛିଡା ହେଉଥିଲେ ଓ ଆଗକୁ ବଢୁଥିଲେ । ନିଜର ଦୃଷ୍ଟିହୀନତାକୁ ଅଭିଶାପ ନୁହେଁ ଚ୍ୟାଲେଞ୍ଜ ଭାବେ ନେଇ ସବୁ ପରିସ୍ଥିତିକୁ ସାମ୍ନା କରୁଥିଲେ ୨୩ ବର୍ଷୀୟ ଶ୍ରୀକାନ୍ତ । ତାଙ୍କ ସଂଘର୍ଷର କାହାଣୀ ଅବିଶ୍ୱାସ ହେଲେ ବି ସତ । ସେ ଆଜି ନିଜ ଦକ୍ଷତା ବଳରେ ୫୦ କୋଟିର ବୋଲାଣ୍ଟ ଇଣ୍ଡଷ୍ଟ୍ରି (Bollant Industries) ବା ପୁନଃ ବ୍ୟବହାର ହୋଇପାରୁଥିବା ଖାଦ୍ୟ ପ୍ଲେଟ୍ ପ୍ରସ୍ତୁତି କମ୍ପାନୀ ଠିଆ କରି ପାରିଛନ୍ତି ।

ଶ୍ରୀକାନ୍ତ ବୋଲ୍ଲା ଜନ୍ମରୁ ଦୃଷ୍ଟିହୀନ ଥିଲେ । ଆଖପାଖ ଲୋକେ ତାଙ୍କର ଏହି ଅନ୍ଧତ୍ୱକୁ ଅଭିଶାପ ଆଖ୍ୟା ଦେଉଥିଲେ । କେହି କେହି ତାଙ୍କୁ ଆଖି ନଥିବା ବେକାର ଛୁଆ (ୟୁଜଲେସ୍ ବେବି) ବୋଲି କହୁଥିଲେ । ସମୟ ବଢିବା ସହ ଏସବୁ ଉପହାସ ସୀମା ଲଙ୍ଘୁଥିଲା । ହେଲେ ଶ୍ରୀକାନ୍ତ ଏହାକୁ ଅତିକ୍ରମ କରି ଚାଲିଥିଲେ । ସେ ଏବେ ହାଇଦ୍ରାବାଦ୍ ରେ ସ୍ଥାପିତ ବୋଲାଣ୍ଟ ଇଣ୍ଡଷ୍ଟ୍ରିର ସିଇଓ ବା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ । ଏହି କମ୍ପାନୀ ଶିକ୍ଷା ପାଇନଥିବା ଅଣକୁଶଳୀ ଓ ଭିନ୍ନକ୍ଷମ ବେକାରୀଙ୍କୁ ସ୍ୱାବଲମ୍ବୀ କରୁଛି । ସେମାନେ ଏଥିରେ ରହି ଡିସପୋଜେବଲ୍ ପ୍ୟାକେଜିଂ ସୋଲୟୁସନ୍ ଉପରେ କାମ କରୁଛନ୍ତି । ଶ୍ରୀକାନ୍ତ କୁହନ୍ତି ସେ ହେଉଛନ୍ତି ବିଶ୍ୱର ସବୁଠୁ ଭାଗ୍ୟବାନ୍ ଲୋକ । ଏଥିପାଇଁ ନୁହେଁ ଯେ ସେ ଜଣେ କୋଟିପତି । ସେ ଭାଗ୍ୟବାନ କାରଣ ପାଠ ପଢିଥିବା ତାଙ୍କ ବାପା’ମା ସମାଜର ଯାବତୀୟ ଉପହାସ ଓ ତାତ୍ସଲ୍ୟକୁ ନ ଶୁଣି ତାଙ୍କୁ ପାଠ ପଢିବାକୁ ସୁଯୋଗ ଦେଲେ ।

ଶ୍ରୀକାନ୍ତଙ୍କ ସଫଳତାର କାହାଣୀ

ଶ୍ରୀକାନ୍ତଙ୍କ ସଂଘର୍ଷମୟ ଜୀବନ କାହାଣୀ ପ୍ରତିଟି ଲୋକଙ୍କୁ ନିଶ୍ଚୟ ଆଗକୁ ବଢିବାକୁ ପ୍ରେରଣା ଦେବ । ଶ୍ରୀକାନ୍ତ ଜଣେ ଦୃଷ୍ଟିହୀନ ସହ ଗୋଟିଏ ଅତି ଗରିବ ପରିବାରରେ ଜନ୍ମ ହୋଇଥିଲେ । ସ୍କୁଲରେ ପାଠ ପଢିବା ବେଳେ ତାଙ୍କୁ ଆଗରେ ବସିବାକୁ ସୁଯୋଗ ମିଳୁନଥିଲା । ଇଚ୍ଛା ନଥିଲେ ବି ଚାପରେ ସବୁବେଳେ ପଛ ବେଞ୍ଚରେ ବସିବାକୁ ପଡୁଥିଲା । ଗାଁରେ ଥିବା ଏହି ସ୍କୁଲ କେବେ ବି ଶ୍ରୀକାନ୍ତଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନି ପାରୁନଥିଲା । ସ୍କୁଲ ପଢା ଶେଷ ପରେ ସେ ବିଜ୍ଞାନରେ କ୍ୟାରିଅର ଆଗକୁ ନେବାକୁ ଚାହୁଁଥିଲେ । ହେଲେ ସେ ଭିନ୍ନକ୍ଷମ ହୋଇଥିବାରୁ ତାଙ୍କୁ ଏହି ସୁଯୋଗ ମିଳିଲାନି । ହେଲେ ଶ୍ରୀକାନ୍ତ କାହା କଥାରେ ଦବି ନ ଯାଇ ନିଜ ନାର୍ଯ୍ୟ ଅଧିକାର ହାସଲ କରିବାକୁ ସମାଜର ବ୍ୟବସ୍ଥା ସହ ଲଢେଇ କରିଥିଲେ । ଆଉ ଶେଷରେ ସେ ଅନ୍ତର୍ଜାତୀୟ ସ୍ତରରେ ପ୍ରଥମ ଦୃଷ୍ଟିହୀନ ଛାତ୍ର ଭାବେ ଆମେରିକାର ପ୍ରତିଷ୍ଠିତ Massachusetts Institute of Technology (MIT)ରେ ପଢିଥିଲେ ।

ଏବେ ଶ୍ରୀକାନ୍ତଙ୍କ କମ୍ପାନୀର ୪ଟି ଉତ୍ପାଦନ ପ୍ଲାଂଟ (production plant) ଅଛି । କର୍ଣ୍ଣାଟକର ହୁଗୁଳି ଓ ତେଲେଙ୍ଗାନାର ନିଜାମାବାଦ୍ ରେ କମ୍ପାନୀର ଦୁଇଟି ପ୍ଲାଂଟ ରହିଛି । ସେହିପରି ତେଲେଙ୍ଗାନାରେ ଆଉ ଦୁଇଟି ପ୍ଲାଂଟ ଅଛି । ଭବିଷ୍ୟତରେ ସୌରଶକ୍ତିରେ ଚାଲି ପାରୁଥିବା ଆଉ ଗୋଟିଏ ପ୍ଲାଂଟ ଆନ୍ଧ୍ରପ୍ରଦେଶର ଶ୍ରୀଶ୍ରୀ ବିଜନେସ୍ ସିଟିରେ କାମ ଚାଲିଛି ।ବହୁ ଲୋକେ ଶ୍ରୀକାନ୍ତଙ୍କ କାମରେ ଅନୁପ୍ରାଣିତ ହୋଇ ସାମିଲ ହେବାକୁ ଆଗେଇ ଆସିଛନ୍ତି। ରବି ମନଥ୍ ନାମକ ଜଣେ ବ୍ୟବସାୟୀ ଶ୍ରୀକାନ୍ତଙ୍କୁ ସହଯୋଗ କରିବା ସହ ତାଙ୍କ କମ୍ପାନୀରେ ପୁଞ୍ଜି ଖଟାଇଛନ୍ତି । ଏହି କମ୍ପାନୀରେ ଅଧିକରୁ ଅଧିକ ଭିନ୍ନକ୍ଷମଙ୍କୁ ନିଯୁକ୍ତି ଦେବାକୁ ଶ୍ରୀକାନ୍ତ ଚେଷ୍ଟା ଜାରି ରଖିଛନ୍ତି ।

ସଂଘର୍ଷର ପଥ

ଶ୍ରୀକାନ୍ତ କୁହନ୍ତି, ସେ ପ୍ରଥମେ ଗାଁ ପାଖ ସ୍କୁଲରୁ ପଢା ଆରମ୍ଭ କରିଥିଲେ । ପ୍ରତିଦିନି ପ୍ରାୟ ୫ କିମି ପାଦରେ ଚାଲି ସେ ସ୍କୁଲକୁ ଯାଉଥିଲେ । ତେବେ ସ୍କୁଲରେ ସମସ୍ତେ ତାଙ୍କୁ ଅଣଦେଖା କରୁଥିଲେ । ସେ କ୍ଲାସ୍ ରେ ସବା ପଛ ବେଂଚରେ ବସୁଥିଲେ । ଏହାଛଡା ଭିନ୍ନକ୍ଷମ ଯୋଗୁ ତାଙ୍କୁ ପିଟି କ୍ଲାସ୍ରେ ଭାଗ ନେବାକୁ ତାଙ୍କୁ ସୁଯୋଗ ମିଳୁନଥିଲା । ଏହା ତାଙ୍କୁ ବହୁ କଷ୍ଟ ଦେଇଥିଲା । ସେତେବେଳେ ମୋତେ ଲାଗୁଥିଲା ମୁଁ ବିଶ୍ୱର ସବୁଠୁ ଗରିବ । ଗରିବ ଏଥିପାଇଁ ନୁହେଁ କି ମୋ ପାଖେ ଟଙ୍କା ନ ଥିଲା, ଏଥିପାଇଁ କି ମୁଁ ନିଜେ ଏକୁଟିଆ ଅନୁଭବ କରୁଥିଲି । ତେବେ ଶ୍ରୀକାନ୍ତଙ୍କ ବାପା ଯେବେ ଏସବୁ ଜାଣିଲେ ସେ ତାଙ୍କୁ ହାଇଦ୍ରାବାଦରେ ଭିନ୍ନକ୍ଷମଙ୍କ ପାଇଁ ଥିବା ଏକ ସ୍ୱତନ୍ତ୍ର ସ୍କୁଲରେ ଭର୍ତି କଲେ । ସେଠାରେ ପାଠପଢା ଓ ଅନ୍ୟ ଖେଳକୁଦରେ ବେଶ୍ ଭଲ ପ୍ରଦର୍ଶନ କଲେ । ଏମିତିକି ସେ ସ୍କୁଲରେ ନିଜ କ୍ଲାସରେ ଟପର ହୋଇ ଦେଖାଇଲେ । ତାଙ୍କ ଦକ୍ଷତା ଯୋଗୁ ସେ ଲିଡ୍ ଇଣ୍ଡିଆ ପ୍ରୋଜେକ୍ଟରେ ତତ୍କାଳୀନ ରାଷ୍ଟ୍ରପତି ଡ.ଏ ପି ଜେ ଅବଦୁଲ କଲାମଙ୍କ ସହ ମିଶି କାମ କରିବାର ସୁଯୋଗ ପାଇଥିଲେ ।

ଶ୍ରୀକାନ୍ତ ଆନ୍ଧ୍ରପ୍ରଦେଶର ଦଶମ ବୋର୍ଡ ପରୀକ୍ଷାରେ ୯୦ପ୍ରତିଶତ ମାର୍କ ରଖି ସଫଳତାର ସହ ପାସ୍ କରିଥିଲେ । ମାତ୍ର ଯୁକ୍ତ ଦୁଇରେ ବିଜ୍ଞାନ ପଢିବାକୁ ତାଙ୍କୁ ଅନୁମତି ମିଳିନଥିଲା । ସେ କେବଳ କଳାରେ ପଢି ପାରିବେ ବୋଲି ସର୍ତ ରଖାଗଲା । ଏହାର କାରଣ କୁହାଗଲା କି, ସେ ଜଣେ ଦୃଷ୍ଟିହୀନ । ହେଲେ ଶ୍ରୀକାନ୍ତ ଏଥିରେ ଭାଙ୍ଗି ପଡିନଥିଲେ । ସେ ଏଭଳି ପାତରଅନ୍ତର ନୀତି ବିରୋଧରେ ଲଢିବାକୁ ନିଷ୍ପତି ନେଲେ । ସରକାରୀ ବ୍ୟବସ୍ଥା ବିରୋଧରେ ସେ ଦୀର୍ଘ ୬ ମାସ କାଳ ଲଢିବା ପରେ ତାଙ୍କୁ ନ୍ୟାୟ ମିଳିଲା । ସେ ନିଜ ରିସ୍କରେ ବିଜ୍ଞାନରେ ପଢି ପାରିବେ ବୋଲି ସରକାରୀ ଭାବେ କୁହାଗଲା । ଏହି ରିସ୍କକୁ ଚାଲେଞ୍ଜ ଭାବେ ନେଇ ସେ ବିଜ୍ଞାନରେ ପଢିଲେ । ଏହି ବିଷୟରେ ଥିବା ସବୁ ପାଠ୍ୟପୁସ୍ତକର ଅଡିଓ ପୁସ୍ତକ ସଂଗ୍ରହ କରି କୋର୍ସ ଶେଷ କରିବାକୁ ସେ ଦିନରାତି ପରିଶ୍ରମ କଲେ । ଶେଷରେ ସେ ସମସ୍ତଙ୍କୁ ଚମକାଇ ଦେଲେ ଓ ଯୁକ୍ତ ଦୁଇରେ ୯୮ ପ୍ରତିଶତ ମାର୍କ ରଖିବାରେ ସକ୍ଷମ ହେଲେ ।

ଭାଗ୍ୟ ଉପରେ ବିଜୟୀ ହେଲେ

ଭାଗ୍ୟ ବାରମ୍ବାର ତାଙ୍କ ବିପକ୍ଷରେ ଯାଉଥିଲା । ତାଙ୍କ ବାଟ ଓଗାଳୁଥିଲା । ସେ ଆଇଆଇଟି, ବିଆଇଟିଏସ୍ ପିଲାନି ଓ ଅନ୍ୟ ଟପ୍ ଇଞ୍ଜିନିୟରିଂ କଲେଜରେ ପଢିବାକୁ ଚାହୁଁଥିଲେ । ଏଥିପାଇଁ ସେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଆବେଦନ କଲେ । କିନ୍ତୁ ଏଥର ବି ତାଙ୍କୁ ଅନୁମତି ମିଳିଲାନି। ‘ତୁମେ ଜଣେ ଦୃଷ୍ଟିହୀନ, ଏଥିପାଇଁ ତୁମକୁ ପରୀକ୍ଷା ଦେବାକୁ ସୁଯୋଗ ମିଳିବନି’ । ଆଇଆଇଟି ପକ୍ଷରୁ ଶ୍ରୀକାନ୍ତଙ୍କ ପାଖକୁ ଏମିତିକା ଚିଠି ଆସି ପହଞ୍ଚିଥିଲା । ହେଲେ ତଥାପି ସେ ଭାଙ୍ଗି ପଡିନଥିଲେ । ମନକୁ ଦୃଢ କରି ପୁଣି ଆଗକୁ ବଢିଲେ । ଆମେରିକାରେ ଥିବା ୪ଟି ଟପ୍ ଇଞ୍ଜିନିୟରିଂ କଲେଜ ଏମ୍ଆଇଟି, ଷ୍ଟାନଫୋର୍ଡ, ବର୍କଲେ ଓ କାର୍ନେଜି ମେଲନରେ ପଢିବାକୁ ଆବେଦନ କଲେ । ଶେଷରେ ସ୍କଲାରସିପ୍ ସହ ସେ ଏମ୍ଆଇଟିରେ ପଢିବାକୁ ମନୋନୀତ ହେଲେ । ଏଥିସହ ଏମଆଇଟି ଇତିହାସରେ ପ୍ରଥମ ଅନ୍ତର୍ଜାତୀୟ ଦୃଷ୍ଟିହୀନ ଛାତ୍ର ଭାବେ ସେ ଆଡମିସନ୍ ନେଲେ । ସେଠାରେ ପଢିବା ସମୟରେ ବି ତାଙ୍କୁ ବହୁ ଆହ୍ୱାନର ସମ୍ମୁଖୀନ ହେବାକୁ ପଡୁଥିଲା । ଆଉ ପ୍ରବଳ ଆତ୍ମବିଶ୍ୱାସର ସହ ସବୁକୁ ସେ ସାମ୍ନା କରୁଥିଲେ ।

ଶ୍ରୀକାନ୍ତ କ୍ଷୋଭ ପ୍ରକାଶ କରି କୁହନ୍ତି , ଏବେବି ବହୁ ପ୍ରଶ୍ନ ବାରମ୍ବାର ମୋତେ ଆନ୍ଦୋଳିତ କରେ । କାହିଁକି ସବୁବେଳେ ଅଧିକାଂଶ ଭିନ୍ନକ୍ଷମ ପିଲା ସ୍କୁଲରେ ଉପେକ୍ଷାର ଶିକାର ହୁଅନ୍ତି? କାହିଁକି ସେମାନେ ସ୍କୁଲରେ ପଛ ବେଞ୍ଚରେ ବସାଯାଏ? ଦେଶ ଅର୍ଥନୀତିରୁ ମୋଟ ଜନସଂଖ୍ୟାର ୧୦ ପ୍ରତିଶତ ଭିନ୍ନକ୍ଷମ କାହିଁକି ଉପେକ୍ଷିତ ହୁଅନ୍ତି, ଆବଶ୍ୟକ ସୁବିଧାସୁଯୋଗରୁ ବଞ୍ଚିତ ହୁଅନ୍ତି?ସମସ୍ତଙ୍କ ଭଳି ସେମାନେ କଣ ପାଇଁ ସମାଜରେ ସମ୍ମାନର ସହ ବଞ୍ଚି ପାରନ୍ତିନି?

ଆଜି ବି ଶ୍ରୀକାନ୍ତ ଏହି ପ୍ରଶ୍ନର ଉତ୍ତର ଅପେକ୍ଷାରେ ଅଛନ୍ତି । ବିଭିନ୍ନ ମାଧ୍ୟମରେ ସେ ଏବେସୁଦ୍ଧା ପ୍ରାୟ ୩ ହଜାର ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଠପଢା ଓ ପୁନର୍ବାସ ପାଇଁ ପ୍ରମୁଖ ଭୂମିକା ନେଇଛନ୍ତି । ଆଉ ସେମାନଙ୍କର ନିଯୁକ୍ତି ସୁଯୋଗ ପାଇଁ ସେ ଏହି (Bollant Industries ) ଠିଆ କରିଛନ୍ତି । ଏହା ମାଧ୍ୟମରେ ସେ ପ୍ରାୟ ୧୫୦ଜଣ ଭିନ୍ନକ୍ଷମଙ୍କୁ ନିଜ ଗୋଡରେ ଛିଡା ହେବାକୁ ରାହା ଦେଖାଇଛନ୍ତି ।