ଅମ୍ମା ବୁଝିଥିଲେ ପେଟର କଥା

ଅମ୍ମା ବୁଝିଥିଲେ ପେଟର କଥା

Wednesday December 07, 2016,

4 min Read

ଜଣେ ଭିକାରୀ ଆମ ପାଖରେ ହାତ ପତାଇ ଠିଆ ହେଲା; ସେତେବେଳେ ଆମେ ମଦୁରାଇର ଏକ ସରକାରୀ ଡାକ୍ତରଖାନା ପାଖରେ ସହରାଞ୍ଚଳ ଗରିବଙ୍କ ଖାଦ୍ୟ ନିରାପତ୍ତା ବିଷୟରେ ଗମ୍ଭୀର ଆଲୋଚନାରେ ବ୍ୟସ୍ତ ଥିଲୁ। ଆମେ ତାକୁ ପାଞ୍ଚ ଟଙ୍କା ଦେଲୁ ଏବଂ ସେଥିରେ ସେ କିପରି ପେଟପୂରା ଖାଦ୍ୟ କିଣି ପାରିଲା କୌତୁହଳ ସହ ଲକ୍ଷ୍ୟ କଲୁ। ପ୍ରଥମେ ସେ ଏକ ଠେଲାଗାଡ଼ିରୁ ଗୋଟିଏ ବରା କିଣିଲା ଏବଂ ତା'ପରେ ଡାକ୍ତରଖାନା ସମ୍ମୁଖରେ ଥିବା ଆମ୍ମା କ୍ୟାଣ୍ଟିନରେ ପ୍ରବେଶ କଲା ତିନି ଟଙ୍କାରେ ଗୋଟିଏ ପ୍ଳେଟ ଦହିଭାତ କିଣିବା ଲାଗି। ଏଇ ଘଟଣାରୁ ଆମେ ବୁଝିପାରିଥିଲୁ ସହରୀ ଗରିବଙ୍କ କ୍ଷୁଧା ନିବାରଣ କରିବାରେ ଆମ୍ମା କ୍ୟାଣ୍ଟିନ କିପରି ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଛି। (ସୂତ୍ର – Down To Earth)

image


ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତାଙ୍କ ଦ୍ଵାରା 'ଆମ୍ମା ଉନଭାଗମ' ଯୋଜନା ଫେବୃୟାରି ୨୦୧୩ରେ ଆରମ୍ଭ କରାଯାଇଥିଲା ଯେଉଁଥିରେ ଆମ୍ମା କ୍ୟାଣ୍ଟିନଗୁଡ଼ିକ ଚାଲୁଥିଲା। ଆଜି କେବଳ ଚେନ୍ନାଇରେ ୪୦୦ ଆମ୍ମା କ୍ୟାଣ୍ଟିନ ଅଛି। ପ୍ରତିଦିନ ଏହି କ୍ୟାଣ୍ଟିନ ଗୁଡ଼ିକ ସକାଳ ଜଳଖିଆ ପାଇଁ ୪,୨୦,୦୦୦ଇଡ଼ଲି, ୧,୨୦,୦୦୦ ପୋଙ୍ଗଲ, ମଧ୍ୟାହ୍ନ ଭୋଜନ ପାଇଁ ୨,୫୦,୦୦୦ ପ୍ଳେଟ ସମ୍ବର-ଭାତ, ୧,୧୦,୦୦୦ ପ୍ଳେଟ ଦହି ଭାତ ଓ ରାତ୍ରି ଭୋଜନ ପାଇଁ ୬୦,୦୦୦ ଚପାତି ପ୍ରସ୍ତୁତ କରିଥାନ୍ତି। ଯୋଜନାଟି ବିସ୍ତୃତ ଭାବେ ଦୃଷ୍ଟି ଆକର୍ଷଣ କରିପାରିଛି। ଆନ୍ଧ୍ର ପ୍ରଦେଶ ଏ ବର୍ଷ ଜୁନରୁ ଦିନ ମଜୁରିଆଙ୍କ ପାଇଁ ରିହାତି ଦରରେ ଖାଦ୍ୟ ଯୋଗାଇବାକୁ ଆନ୍ନା ଏନ ଟି ଆର କ୍ୟାଣ୍ଟିନ ଆରମ୍ଭ କରିସାରିଛି। ମଧ୍ୟପ୍ରଦେଶ ବି ଏପରି କିଛି କରିବା ପାଇଁ ଚିନ୍ତା କରୁଛି। ଏପରିକି ଇଜିପ୍ଟ ଓ କୋରିଆର କିଛି ଦଳ ତାମିଲନାଡୁ ଆସି ଏହି ଯୋଜନା ବିଷୟରେ ଅଧ୍ୟୟନ କଲେଣି।

ଏହି ପ୍ରଦେଶରେ ଏପରି ଯୋଜନା ପ୍ରଥମ ନୁହେଁ । ପଚାଶ ଦଶକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ ଭକ୍ତବତ୍ସଳମଙ୍କ ଝିଅ ସରୋଜିନୀ ବରଦାପ୍ପନ ସହରୀ ଗରିବଙ୍କ ପାଇଁ ମାଡ୍ରାସରେ ଅନ୍ନପୂର୍ଣ୍ଣା କାଫେଟରିଆ ଆରମ୍ଭ କରିଥିଲେ। ପ୍ରାଥମିକ ଶିକ୍ଷାକୁ ଉତ୍ସାହିତ କରିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ କେ. କାମରାଜଙ୍କ ଉଦ୍ୟମ ମଧ୍ୟ ଶିଶୁମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଆରମ୍ଭ କଲାପରେ ଯାଇ ଫଳବତୀ ହୋଇପାରିଥିଲା। ଏହାପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ ଜି ରାମଚନ୍ଦ୍ରନ ଏହି ବ୍ୟବସ୍ଥାରେ ସୁଧାର ଆଣି ଏହାକୁ ସମ୍ପ୍ରସାରିତ କରିଥିଲେ।

image


'ଆମ୍ମା ଉନଭାଗମ' ଯୋଜନାର ଉପକାର ସିଧାସଳଖ ସହରୀ ଅପପୁଷ୍ଟି ଏବଂ କ୍ଷୁଧାର ମୁକାବିଲା କରିଥାଏ। ଏ ଯୋଜନାରେ ଠେଲା ଗାଡ଼ି ଠାରୁ ଢେର ଶସ୍ତାରେ ଖାଦ୍ୟ ଯୋଗାଇ ଦିଆଯାଇଥାଏ। ଅଧିକନ୍ତୁ ଏଥିରେ ଖାଦ୍ୟକୁ ଯଥେଷ୍ଟ ସ୍ଵାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ଏବଂ ପରିବେଷଣ କରାଯାଇଥାଏ। ପ୍ଳେଟଗୁଡ଼ିକୁ ପରିଷ୍କାର ରଖିବା ପାଇଁ ଗରମ ପାଣିରେ ଧୂଆ ଯାଇଥାଏ । ପ୍ରତି ମାସ କ୍ୟାଣ୍ଟିନଗୁଡ଼ିକୁ ଦୁଇ ବା ତିନି ଥର କର୍ମଚାରୀଙ୍କ ଦ୍ଵାରା ଯାଞ୍ଚ କରାଯାଇଥାଏ। କ୍ୟାଣ୍ଟିନଗୁଡ଼ିକର ଚଟାଣ ଓ କାନ୍ଥରେ ମସୃଣ ପ୍ରସ୍ତର ଟାଇଲ ଲଗା ଯାଇଥାଏ। ବିହାର ଓ ଓଡିଶାର ଦାଦନ ଶ୍ରମିକମାନେ ସୁଲଭ ଦର ଲାଗି ଆମ୍ମା କ୍ୟାଣ୍ଟିନର ନିୟମିତ ଗ୍ରାହକ ବୋଲି କହନ୍ତି । ସହରୀ ଗରିବଙ୍କ ବ୍ୟତୀତ କ୍ୟାଣ୍ଟିନଗୁଡ଼ିକ ଆଇ ଟି ପେଷାଦାର ମାନଙ୍କ ମଧ୍ୟରେ ବି ଖୁବ ଲୋକପ୍ରିୟ ଯେଉଁମାନେ କହନ୍ତିକି ଏହି ଖାଦ୍ୟ ବେଶ ଉତ୍ତମ ମାନର । ସମାଜର ଭିନ୍ନ ଭିନ୍ନ ବର୍ଗ ତଥା ଭିନ୍ନ ଭିନ୍ନ ସ୍ରୋତର ମଣିଷଙ୍କର ଏପରିକି ଟୁରିଷ୍ଟ ମାନଙ୍କର ମତ ଯେ ଏଠାରେ ପରିବେଷଣ କରାଯାଉଥିବା ଖାଦ୍ୟ ଉତ୍ତମ ମାନର ଏବଂ ଅତ୍ୟନ୍ତ ଶସ୍ତା। ଚେନ୍ନାଇ ଓ ମଦୁରାଇର କ୍ୟାଣ୍ଟିନଗୁଡ଼ିକରେ କାମ କରୁଥିବା ଲୋକମାନେ କହନ୍ତି ଯେ ସର୍ବସାଧାରଣରେ ଆହୁରି ଖାଦ୍ୟସାମଗ୍ରୀ ବଢ଼ାଇବା ଓ କ୍ୟାଣ୍ଟିନର ସମୟ ବଢ଼ାଇବା ଲାଗି ଦାବୀ ହେଉଛି।

କ୍ୟାଣ୍ଟିନଗୁଡ଼ିକରେ ସାଧାରଣତଃ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ସ୍ତ୍ରୀ ଲୋକମାନେ କର୍ମଚାରୀ ଭାବେ ନିଯୁକ୍ତି ସୁଯୋଗ ପାଇଥାନ୍ତି। କର୍ମଚାରୀମାନଙ୍କୁ ଗୋଷ୍ଠୀ ସଂଗଠକ ମାନେ ୱାର୍ଡ କାଉନସିଲର ମାନଙ୍କ ସହାୟତାରେ ଚୟନ କରିଥାନ୍ତି । ସେମାନେ ସ୍ଵୟଂସହାୟକ ଗୋଷ୍ଠୀର ସଭ୍ୟ ହୋଇଥାନ୍ତି। ପ୍ରତି କ୍ୟାଣ୍ଟିନ ୧୨ରୁ ୧୬ ଜଣ ମହିଳାଙ୍କୁ ନିଯୁକ୍ତି ଦେଇଥାଏ। ଏହି କ୍ୟାଣ୍ଟିନଗୁଡ଼ିକରେ ହଜାର ହଜାର ମହିଳା କାମ କରିଥାନ୍ତି ଏବଂ ମାସିକ ପ୍ରାୟ ୭୫୦୦ଟଙ୍କା ପାରିଶ୍ରମିକ ପାଇଥାନ୍ତି। ଆର୍ଥିକ ଭାରସାମ୍ୟ ରକ୍ଷା କରିବା ଉଦ୍ଦେଶ୍ୟରେ କ୍ୟାଣ୍ଟିନଗୁଡ଼ିକ ବିନା ଲାଭ କ୍ଷତିରେ ଚାଲିବାକୁ ଲକ୍ଷ୍ୟ ରଖା ଯାଇଥାଏ। ପ୍ରକୃତରେ ଦେଖିବାକୁ ଗଲେ ଏଗୁଡ଼ିକ ବହୁତ କ୍ଷତିରେ ହିଁ ଚାଲିଥାଏ। କିନ୍ତୁ ଏହା ଭାରତର ଯେ କୌଣସି ଜନମଙ୍ଗଳ ଯୋଜନାରେ ସ୍ଵାଭାବିକ।

image


ସେ ଯାହା ହେଉ ସରକାର ଏ ଯୋଜନାର ଆର୍ଥିକ କାରବାର ବିଷୟରେ ଅଧିକ ସ୍ଵଚ୍ଛତା ଅବଲମ୍ବନ କରିବା ଉଚିତ ଯଦ୍ଦ୍ଵାରା ଏହାର ଖର୍ଚ୍ଚ ଓ ଉପାଦେୟତା ଅନୁପାତର ଏକ ବାସ୍ତବ ଚିତ୍ର ମିଳିପାରିବ। ଯଦିଓ ଏହି ଯୋଜନା ସହରୀ ଗରିବଙ୍କ ପାଇଁ ଏକ ଆଶୀର୍ବାଦ କେତେଜଣ ଯୁକ୍ତି କରନ୍ତି ଯେ ଏହା ଦ୍ଵାରା ଠେଲାଗାଡ଼ି ଦୋକାନୀଙ୍କର ବହୁତ କ୍ଷତି ହେଉଛି। କିନ୍ତୁ ଅନେକ ଠେଲାଗାଡ଼ି ଦୋକାନୀ ପରିସ୍ଥିତିର ବୁଝାମଣା କରି ସିଙ୍ଗଡା, କଚୁଡ଼ି ବା ଅନ୍ୟ ଆଇଟମ ପ୍ରସ୍ତୁତ କରୁଛନ୍ତି ଯାହାକି ଆମ୍ମା କ୍ୟାଣ୍ଟିନଗୁଡ଼ିକର ଗ୍ରାହକମାନେ ସାଇଡ ଆଇଟମ ଭାବରେ ବ୍ୟବହାର କରିପାରିବେ। ଆଉ କେତେଜଣ ଆମଲେଟ ପରି ଆମିଷ ଜିନିଷ ମଧ୍ୟ ପ୍ରସ୍ତୁତ କରିବା ଆରମ୍ଭ କଲେଣି। ଆଉ କେତେକ ଆମ୍ମା କ୍ୟାଣ୍ଟିନ ନ ଥିବା ଅଞ୍ଚଳକୁ ଉଠିଯାଇଛନ୍ତି।

ମୋଟାମୋଟି ଏହି ପ୍ରୟାସର ସାମାଜିକ ଉପକାର ଏହାର ଆର୍ଥିକ ବ୍ୟୟ ଠାରୁ ଅନେକ ବେଶୀ। ଯଦିଓ ଏହି ଯୋଜନାଟି ଅଧିକ ସବସିଡି ଉପରେ ନିର୍ଭର କରେ ତଥାପି ଏହାକୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ଉଦ୍ୟମ ଆବଶ୍ୟକ। ଏହାକୁ ମଧ୍ୟ ଅଧିକ ଅଞ୍ଚଳକୁ ସମ୍ପ୍ରସାରିତ କରିବାକୁ ପଡ଼ିବ। ଗ୍ରାହକମାନଙ୍କ ପସନ୍ଦ ଅନୁକୂଳ ଖାଦ୍ୟର ପରିମାଣ ଓ ପ୍ରକାର ମଧ୍ୟ ବଢ଼ାଇବାକୁ ପଡ଼ିବ। ଆନ୍ତର୍ଜାତିକ ଖାଦ୍ୟ ଓ କୃଷି ସଂଗଠନର ୨୦୧୫ ରିପୋର୍ଟ ଅନୁସାରେ ଭାରତର ୧୯.୪୬ କୋଟି ଲୋକ ପ୍ରତିଦିନ ଭୋକରେ ରହନ୍ତି। ଭାରତରେ ସହରିକରଣ ବଢ଼ିବା ସହିତ ଗରିବ ଶ୍ରମିକଙ୍କ ସଂଖ୍ୟା ହିଁ ବଢ଼ିବ। 'ଆମ୍ମା ଉନଭାଗମ' ପରି ସରକାରୀ ପ୍ରାୟୋଜିତ ଯୋଜନା ହିଁ ଦେଶର ସହରାଞ୍ଚଳରେ କ୍ଷୁଧା ଓ ଅପପୁଷ୍ଟି ର ମୁକାବିଲା କରି ପାରିବ।