ମହିଳାଏ ଚେତିଲେଣି କି?

....ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ଭ୍ରଷ୍ଟାଚାର ଗିଳି ପକାଉଛି। ଏ କ୍ଷେତ୍ରରେ ନ୍ୟାୟରୁ ବଞ୍ଚିତ ମହିଳାମାନେ ସଂଗଠିତ ଭାବେ ଲିଖିତ ଆନ୍ଦୋଳନ କରିବାର ଆବଶ୍ୟକତା ରହିଛି। କିନ୍ତୁ ଦେଖାଯାଉଛି ଯେ ମହିଳାମାନେ ବହୁ ସଂଖ୍ୟାରେ କବି ଓ ଲେଖିକା ହେଉଥିଲେ ସୁଦ୍ଧା ଆନ୍ଦୋଳନ ବେଳକୁ ସେମାନଙ୍କ ଦେଖା ମିଳୁ ନାହିଁ ଅଥବା ନିର୍ଯାତିତା ମହିଳାମାନଙ୍କ ଭିତରେ ଲେଖିବାର ଦକ୍ଷତା କୁଆଡ଼େ ଉଭେଇ ଯାଉଛି! ବିଦ୍ୟାଳୟ, ମହାବିଦ୍ୟାଳୟର ଶୀର୍ଷ ମେଧାବୀ ତାଲିକାରେ ଛାତ୍ରୀମାନେ ସ୍ଥାନ ପାଇବା ଏକ ପରମ୍ପରା ହୋଇ ସାରିଥିବା ବେଳେ ନିଜର ସଫଳତା ଓ ନିଜର ସମସ୍ୟା ଲେଖିବା ବେଳକୁ ଲିଖନ ଦକ୍ଷତା କେମିତି ଯେ ହଜିଯାଉଛି...

0

ମାର୍ଚ୍ଚ ୮ ତାରିଖ। ଆନ୍ତର୍ଜାତିକ ମହିଳା ଦିବସ। ଏକବିଂଶ ଶତାବ୍ଦୀରେ ସବୁଠୁ ବେଶି ଲୋକପ୍ରିୟ ହୋଇଥିବା ଆନ୍ତର୍ଜାତିକ ଦିବସ। ପ୍ରତି ମାସରେ ଅନ୍ତତଃ ଏକ ଡଜନ ଆନ୍ତର୍ଜାତିକ ଦିବସ ପଡୁଥିଲେ ସୁଦ୍ଧା ବର୍ଷ ଯାକରେ ଏହି ଦିନଟିକୁ ଅପେକ୍ଷା କରିଥାଆନ୍ତି ବିଭିନ୍ନ ସଂଗଠନ। ତାହା ଲାଭକାରୀ ବାଣିଜ୍ୟ ସଂଗଠନ ହେଉ ଅବା ସେବାକାରୀ ସାମାଜିକ ସଂଗଠନ। ଧର୍ମ, ଜାତି, ଲିଙ୍ଗ ଓ ମତବାଦ ନିର୍ବିଶେଷରେ ସମସ୍ତେ ଚାହାନ୍ତି ଏ ଦିବସଟିକୁ ସ୍ମରଣୀୟ କରିବା ପାଇଁ। ଚଳିତ ବର୍ଷ ଏକ ଭିନ୍ନ ଅନୁଭୂତି ଆଣିଛି ଆନ୍ତର୍ଜାତିକ ମହିଳା ଦିବସ। କାରଣ ଗତ ରାତିରେ ମହାଶିବରାତ୍ରୀ ଓରଫ ଜାଗର ଅମାବାସ୍ୟାରେ ଅଧିକାଂଶ ମହିଳା ତଥା ପୁରୁଷ ରାତ୍ରି ଉଜାଗର ରହି ଦୀପ ଜାଳିଥିଲେ। ତଥାପି ଆଜି ବେଶ୍ ଜାଗ୍ରତ ଭାବରେ ଆନ୍ତର୍ଜାତିକ ମହିଳା ଦିବସ ପାଳନରେ ସାମିଲ ହେବା କିଛି କମ୍ କଥା ନୁହେଁ।

ଦୁଇ ଦିନ ତଳେ ଓଡ଼ିଆ ଗଣମାଧ୍ୟମରେ ପ୍ରକାଶ ପାଇଥିଲା, ‘‘ମହିଳାମାନଙ୍କୁ ସଶକ୍ତ କରିବାକୁ ପୁରୁଷ କିଏ?’’ ଏହା ବେଶ୍ ଗ୍ରହଣଯୋଗ୍ୟ କଥା। କାରଣ ମହିଳା ବା ନାରୀଙ୍କୁ ସୁରକ୍ଷା ଦେବା ପାଇଁ ବିପୁଳ ବିଧି ଓ ବ୍ୟବସ୍ଥା ରହିଛି ଭାରତରେ। ତଥାପି ମହିଳାଏ ଅସୁରକ୍ଷିତ ବୋଲି କଥା ଉଠୁଛି। ବିପୁଳ ଚର୍ଚ୍ଚା ହେଉଛି। କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ ମହିଳାମାନେ ସଂଗଠିତ ହୋଇଥିଲେ, ସେମାନେ ହିଁ ସୁରକ୍ଷାର ଏକ ପରିବେଶ ସୃଷ୍ଟି କରିପାରିବେ। ଉଦାହରଣତଃ ପୁରୁଷ-ମହିଳା ଅନୁପାତରେ ଘୋର ତାରତମ୍ୟ ଦେଖାଦେବା ପଛରେ ମହିଳାଙ୍କର ହିଁ ହାତ ଅଛି। ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ତଥା କନ୍ୟା ଭ୍ରୂଣହତ୍ୟା ପାଇଁ ମନ କରୁଥିବା ତଥା ରାଜି ହେଉଥିବା ମହିଳା ହିଁ ପ୍ରଥମେ ନିଜ ସମାଜରେ ମହିଳାଙ୍କ ସୁରକ୍ଷା ଓ ସ୍ଵାଧୀନତା ଉପରେ କୁରାଢ଼ି ଚୋଟ ପକାଉଛି। ବିଶେଷଜ୍ଞଙ୍କ ମତରେ ମହିଳା ସଂଖ୍ୟା ସବୁବେଳେ ପୁରୁଷଙ୍କ ଠାରୁ ଅଧିକ ରହିବା କଥା। ଏହାର ଜୀବନ୍ତ ଉଦାହରଣ ହେଉଛି ଦେଶର ଆଦିବାସୀ ସମାଜ। କୌଣସି ଆଦିବାସୀ ବା ଅନୁସୂଚିତ ଜନଜାତି ସମାଜରେ ପ୍ରତି ୧୦୦୦ ପୁରୁଷ ଜନସଂଖ୍ୟାରେ ମହିଳା ଜନସଂଖ୍ୟା ୧୦୦୦ରୁ ବେଶି। ଯାହାକି ଅଣଆଦିବାସୀ ସମାଜରେ ଆଦୌ ଦେଖାଯାଉ ନାହିଁ। କେତେକ ବର୍ଗଙ୍କ ସମାଜରେ ଏହି ମହିଳା ଅନୁପାତ ୮୦୦ରୁ ବି କମ୍ ହେବାର ଗୁରୁତର ପରିସ୍ଥିତି ସୃଷ୍ଟି ହେଲାଣି। ତେଣୁ ସୁଷମ ଜନସଂଖ୍ୟା ପରିଚାଳନାର ଚାବି ହେଉଛି ସଚେତନ ଓ ଶିକ୍ଷିତ ମହିଳା ସମାଜ ହାତରେ। ଜଣେ ଜଣେ ହୋଇ ପ୍ରତ୍ୟେକ ମହିଳା ସାରା ଜୀବନ ସଚେତନ ରହିପାରିଲେ, ଏହି ସଂକଟ ଦୂରୀଭୂତ ହୋଇପାରିବ।

ଏବେ ଆସିବା ଦେଶର ବିଧିବିଧାନ ପ୍ରସଙ୍ଗକୁ। ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଶହଶହ ଆଇନ ଓ ଧାରାରେ ଉଲ୍ଲେଖ ରହିଛି। ସ୍ଵତନ୍ତ୍ର ଥାନା ଓ ମହିଳା ଆୟୋଗ ଭଳି ବ୍ୟବସ୍ଥା ରହିଛି। କିନ୍ତୁ ମହିଳାମାନେ ସେଇ ବିଧି ଓ ବ୍ୟବସ୍ଥାଗୁଡ଼ିକ ପ୍ରତି ସଚେତନ ନୁହନ୍ତି। ସଚେତନ ଥିଲେ ସୁଦ୍ଧା ଥାନା ଓ ଆୟୋଗର ମହିଳା ପଦାଧିକାରୀମାନେ ହିଁ ଶତ୍ରୁ ପାଲଟୁଥିବା ଲକ୍ଷ୍ୟ କରାଯାଉଛି। ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ଭ୍ରଷ୍ଟାଚାର ଗିଳି ପକାଉଛି। ଏ କ୍ଷେତ୍ରରେ ନ୍ୟାୟରୁ ବଞ୍ଚିତ ମହିଳାମାନେ ସଂଗଠିତ ଭାବେ ଲିଖିତ ଆନ୍ଦୋଳନ କରିବାର ଆବଶ୍ୟକତା ରହିଛି। କିନ୍ତୁ ଦେଖାଯାଉଛି ଯେ ମହିଳାମାନେ ବହୁ ସଂଖ୍ୟାରେ କବୀ ଓ ଲେଖିକା ହେଉଥିଲେ ସୁଦ୍ଧା ଆନ୍ଦୋଳନ ବେଳକୁ ସେମାନଙ୍କ ଦେଖା ମିଳୁ ନାହିଁ ଅଥବା ନିର୍ଯାତିତା ମହିଳାମାନଙ୍କ ଭିତରେ ଲେଖିବାର ଦକ୍ଷତା କୁଆଡ଼େ ଉଭେଇ ଯାଉଛି! ବିଦ୍ୟାଳୟ, ମହାବିଦ୍ୟାଳୟର ଶୀର୍ଷ ମେଧାବୀ ତାଲିକାରେ ଛାତ୍ରୀମାନେ ସ୍ଥାନ ପାଇବା ଏକ ପରମ୍ପରା ହୋଇ ସାରିଥିବା ବେଳେ ନିଜର ସଫଳତା ଓ ନିଜର ସମସ୍ୟା ଲେଖିବା ବେଳକୁ ଲିଖନ ଦକ୍ଷତା କେମିତି ଯେ ହଜିଯାଉଛି, ତାହା ନିହାତି ମୂଲ୍ୟାୟନର ବିଷୟ। ନଚେତ୍ ନାରୀ ମନ ବୁଝୁଥିବା ପୁରୁଷଟିଏ ଖୋଜି ବାହାର କରିବା ସହ ତାଙ୍କ ଉପରେ ନିର୍ଭରଶୀଳ ହେବାକୁ ପଡ଼ିବ। ଯାହାକି ମହିଳା ସଶକ୍ତୀକରଣର ଏକ ବିରୋଧାତ୍ମକ କ୍ରିୟା।

ଉପରୋକ୍ତ କଥାଗୁଡ଼ିକ ଯଦି ଭାବାତ୍ମକ ଲାଗୁଛି, ତେବେ ନଜର ପକାଇବା ସ୍ଵାୟତ୍ତଶାସନରେ ମହିଳାଙ୍କ କ୍ଷମତା ଉପରେ। ଏହା ପ୍ରମାଣିତ ଯେ ଭାରତରେ ପୁରୁଷଙ୍କ ଭୋଟ୍ ର ମୂଲ୍ୟ ଯାହା ମହିଳାଙ୍କ ଭୋଟ୍ ର ମୂଲ୍ୟ ସେୟା। ସବୁ ଅଧିକାର ଓ ସୁବିଧା ସମାନ। ବରଂ ଅଧିକ ସୁଯୋଗ ଓ ସୁବିଧା ମହିଳାମାନଙ୍କ ପାଇଁ ଖଂଜା ଯାଇଛି ବିଧିବଦ୍ଧ ଭାବରେ। ୧୯୯୩ ମସିହା ଏପ୍ରିଲ୍ ମାସରେ ଲାଗୁ ହୋଇଥିବା ୭୩ତମ ସଂବିଧାନ ସଂଶୋଧନ ଅଧିନିୟମ ଏବେ ପୁରୁଣା ହେବାକୁ ବସିଲାଣି। ସେତେବେଳେ ୩୩ ପ୍ରତିଶତ ଆସନ ମହିଳାମାନଙ୍କ ପାଇଁ ସଂରକ୍ଷିତ ଥିଲା। ଏବେ ଗ୍ରାମାଞ୍ଚଳର ପଞ୍ଚାୟତିରାଜ ବ୍ୟବସ୍ଥା ଅଥବା ସହରାଞ୍ଚଳର ସ୍ଵାୟତ୍ତଶାସନ ସଭା, ସବୁଠି ମହିଳାଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷିତ ହୋଇଛି। ଯେଉଁ ଆସନଗୁଡ଼ିକ ଅସଂରକ୍ଷିତ, ସେଗୁଡ଼ିକରେ ମଧ୍ୟ ମହିଳାମାନେ ନିର୍ବାଚିତ ହେବାରେ କୌଣସି ପ୍ରତିବନ୍ଧକ ନାହିଁ। ଅର୍ଥାତ୍ ପୂରା ୧୦୦କୁ ଶହେ ସୁଯୋଗ ମହିଳାଙ୍କ ପାଇଁ ଖୋଲା। ତେବେ ହିସାବ ଦେଖିଲେ ୫୨ ପ୍ରତିଶତରୁ ବେଶି ନିର୍ବାଚିତ ଲୋକପ୍ରତିନିଧି ହେଉଛନ୍ତି ମହିଳା। ହେଲେ ବାସ୍ତବରେ କ୍ଷମତା ଭୋଗ କରୁଛନ୍ତି ୭୦ ଭାଗ ପୁରୁଷ। ଏହା ହିଁ ବିଡ଼ମ୍ବନା। ହୁଏତ ପରିବାରର ସ୍ଵାର୍ଥ ପାଇଁ, ଭ୍ରଷ୍ଟାଚାର ବଳରେ ବିପୁଳ ସମ୍ପତ୍ତି ଠୁଳ ପାଇଁ ଅଥବା ନାରୀର ନମନୀୟ ଓ ନିରୀହପଣର ସୁଯୋଗ ନେଉଛନ୍ତି, ସେମାନଙ୍କ ପରିବାରର ପୁରୁଷ ସଦସ୍ୟମାନେ। ଅଥବା ରାଜନୀତିର ଖେଳ ଖେଳୁଥିବା ରାଜନୀତିକ ପୁରୁଷ ନେତାମାନେ। ନାରୀ ଯଦି ନିଜେ ନିଷ୍ପତ୍ତି ନେଉଥାଆନ୍ତା ପ୍ରାର୍ଥୀ ହେବା ପାଇଁ, ତେବେ ହୁଏତ ପରିସ୍ଥିତି ଅଲଗା ହୁଅନ୍ତା। ଏମିତି କାଁ ଭାଁ ବ୍ୟତିକ୍ରମ ମହିଳା ନେତୃତ୍ଵ ମଧ୍ୟ ଅଛନ୍ତି। ଯେଉଁମାନେ କୌଣସି ପ୍ରତିପତ୍ତିଶାଳୀ ପୁରୁଷ ଅଥବା ନିଜ ପରିବାରର ପୁରୁଷ ସଦସ୍ୟଙ୍କ ଇଙ୍ଗିତରେ ଦାୟିତ୍ଵ ସଂପାଦନ କରୁ ନାହାନ୍ତି। ହେଲେ ସତସତିକା କ୍ଷମତା ପ୍ରୟୋଗ ଓ ଦାୟିତ୍ଵ ସଂପାଦନ ଦିନ ଆସିବ କେବେ?

ଭାରତରେ ଅନୁସୂଚିତ ଅଞ୍ଚଳରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ କ୍ଷମତା ପ୍ରସଙ୍ଗ ଆହୁରି ରୋଚକ। କାରଣ ସେଠାରେ ଆସନ ସଂରକ୍ଷଣର ସ୍ଵରୂପ ଜାତିଭେଦରେ ଭିନ୍ନ ଭିନ୍ନ ନୁହେଁ। ସଂରକ୍ଷଣର ସୂଚକ ହେଉଛି "ଅନୁସୂଚିତ ଜନଜାତି" ଓ "ଅନୁସୂଚିତ ଜନଜାତି ମହିଳା"। ଏହି ଦୁଇଟି ପଦ ମଧ୍ୟରେ ହିଁ ଆସନ ସଂରକ୍ଷଣର ନିୟମ ବଦଳୁଥାଏ ପ୍ରତି ୫ ବର୍ଷରେ ଥରେ। ଅର୍ଥାତ୍ ଜଣେ ମହିଳା ନେତା ନିଜର ଲୋକପ୍ରିୟତା ଆଧାରରେ ବାରମ୍ବାର ଓ ସାରାଜୀବନ ପାଇଁ ନିଜକୁ ନିର୍ବାଚିତ କରାଇପାରିବେ ଅନୁସୂଚିତ ଅଞ୍ଚଳରେ। କିନ୍ତୁ ଏଭଳି ସଚେତନତାର ପ୍ରସାର ଘଟିନାହିଁ ଏଯାଏଁ। ପଞ୍ଚାୟତ ସ୍ତରରେ ମହିଳାମାନେ ସତସତିକା କ୍ଷମତାପନ୍ନ ହେଲେ, ଏକ ବିଶାଳ ପରିବର୍ତ୍ତନ ଘଟିବ ଓଡ଼ିଶାରେ ଓ ସାରା ଦେଶରେ।