ଅରୁନ୍ଧତୀ ରାୟଙ୍କ ସହିତ ସନ୍ଧ୍ୟାରେ କଫି

0

ଦିଲ୍ଲୀରେ ଗୋଟିଏ ଗରମ ଅପରାହ୍ନ। ମନର ଉଦବିଗ୍ନତା ବାୟୁମଣ୍ଡଳର ଗୁଳୁଗୁଳିକୁ ଆହୁରି ବଢେଇଦେଉଥାଏ। ଛାତିତଳେ ଗଭୀର ଉତ୍କଣ୍ଠା। ମୋ ଦେହ ଠିକ ଥିଲା କିନ୍ତୁ ପ୍ରବଳ ଝାଳ ବାହାରୁଥିଲା। କାରରେ ବସି ମୁଁ ଭାବୁଥାଏ ଅରୁନ୍ଧତୀ ଦେଖାହେଲେ କ’ଣ କହିବି ଓ କେମିତି କହିବି।

ପ୍ରାୟ ଦଶବର୍ଷ ହେବ ମୁଁ ପ୍ରତୀକ୍ଷା କରିଛି ସେହିଦିନକୁ ଯେଉଁ ଦିନ ମୋର ପ୍ରିୟ ଉପନ୍ୟାସ ‘ଦି ଗଡ ଅଫ ସ୍ମଲ ଥିଂସ’ ର ଲେଖିକାଙ୍କୁ ଭେଟିବି।

ଏବେ ମୁଁ ଦକ୍ଷିଣଦିଲ୍ଲୀର ଗୋଟିଏ ତୃତୀୟ ମହଲାରେ ଥିବା ତାଙ୍କର ଘରଦୁଆରେ ଠିଆ ହୋଇଛି। ମୋତେ ତଥାପି ନର୍ଭସ ଲାଗୁଛି ଏବଂ ମୁଁ ଥରୁଛି।ମୋର ପାପୁଲିଗୁଡିକ ଝାଳରେ ଓଦା ହୋଇଯାଇଛି, ମୋତେ ଉଦାସ ଲାଗୁଛି।ମୁଁ ଜାଣେ ମୁଁ ଠିକ ଜାଗାରେ ପହଞ୍ଚିଛି,କାହିଁକିନା ମୁଁ ଘର ସାମନାରେ ଚାରିଆଡେ ସିନେମା ପୋଷ୍ଟରଗୁଡିକ ଦେଖିପାରୁଛି ଯେଉଁଥିରେ ତାଙ୍କ ନାମ ଲେଖାଯାଇଛି।ମୁଁ କଲିଂବେଲ ଉପରେ ଧୀରେ ଆଙ୍ଗୁଳି ରଖିଲି।ଦୁଆର ଖୋଲିଲା, ସାମନାରେ ଏକ ଭବ୍ୟସୁନ୍ଦର ଚେହେରା, ବାଳ ଈଷତ ପାଚିଲା। ଦୁଇଟି ପୋଷାକୁକୁର ସାଥିରେ।

ମୁଁ ମୂକ ମୋହିତ। ମୁଁ ତତକ୍ଷଣାତ ତାଙ୍କ ଆଖିଦୁଇଟିକୁ ଚାହିଁଲି। ମୋତେ ଦୁର୍ବଳ ଲାଗୁଛି। ମୁଁ ହେଲୋ ବି କହିପାରିଲିନି। ଇଏ ଅରୁନ୍ଧତୀ ରାୟ !

ଦୁଆର ଖୋଲି ସେ ମୋତେ ହେଲୋ କହିଲେ, " ୱେଲକମ, ୱେଲକମ! ଦୟାକରି ଭିତରକୁ ଆସ। କୁକୁରମାନେ ତମ ପାଇଁ କିଛି ଅସୁବିଧା ନୁହେଁ ତ?"

- ନା,' ମୁଁ ଭାବିଲି ଇଏ ଯେ ଅରୁନ୍ଧତୀ ରାୟ, ତେଣୁ କୁକୁରମାନେ କି ଅସୁବିଧା?‘ ସବୁ ଠିକ ଅଛି'।

ଅରୁନ୍ଧତୀ ରାୟ ମୋତେ ଆଲିଙ୍ଗନ କଲେ ନିବିଡ଼ ଭାବେ। ସ୍ଵର୍ଗର ଦ୍ଵାର ଖୋଲିଗଲା ! ପରୀମାନେ ହସୁଛନ୍ତି । ମୋର ସ୍ଵପ୍ନ ସତ ହେଉଛି?'ହଁ ଓନ୍ୟେକା, ଏହାହିଁ ହେଉଛି'। ତମେ ଏବେ ଅରୁନ୍ଧତୀ ରାୟଙ୍କ ଘରେ। ସେଏବେବି ମୋତେ ନିବିଡ ଭାବେ ଧରିଛନ୍ତି । ମୁଁ ବରଫ ପାଲଟିଗଲିଣି। ସ୍ଵପ୍ନମାନେ ସତ ହେଉଛନ୍ତି!

'ପ୍ଲିଜ ବସ' ସେ ତରତର ହୋଇ କହିଲେ ଆଉ ରୋଷେଇଘର ଟେବୁଲ ପାଖରେ ବସିବାକୁ ଦେଲେ । ଏଇଠି ରୋଷେଇଘର ଆଉ ସେପାଖରେ ବହିଥାକ। ସୁନ୍ଦର ସାଜସଜ୍ଜା। ରୋଷେଇ ଘର ମଝିରେ ବିରାଟ କାଠର ଟେବୁଲ ଉପରେ ନୂଆକରି ପ୍ରକାଶିତ ବହିମାନେ। ଆମେ ସେଇଠି ହିଁ ବସିଲୁ। ସେ ମୋତେ ତାଙ୍କର ଦୁଇ କୁକୁରଙ୍କୁ ଚିହ୍ନାଇ ଦେଲେ। ମୁଁ ସଙ୍ଗେସଙ୍ଗେ ସେମାନଙ୍କର ନାମ ଭୁଲିଗଲି କିନ୍ତୁ ସେମାନଙ୍କ ସହିତ ଖେଳିଲି। ତା'ପରେ ଭାବନାର ସ୍ରୋତରେ ଡୁବିଗଲି। ମୋତେ ଅତ୍ୟନ୍ତ ଅଧୀର, ଅଜବ ଲାଗୁଥାଏ। ସେ ଜାଣିପାରିଲେ ଏବଂ ଶାନ୍ତ କରିବାକୁ ଚେଷ୍ଟା କଲେ।

"ତମେ କଫି କି ଚା' ନେବ ? ତମକୁ କ'ଣ ଦେବି?" ସେ ପଚାରିଲେ।

ମୁଁ କିଛି ଭାବିପାରୁନଥାଏ। "ଯାହା କିଛି ଚଳିବ, ଓଃ ! ହଁ, କଫି "

ସେ କଫି ତିଆରି କଲେ ଏବଂ ଶୀଘ୍ର ପରିବେଷଣ କରି କହିଲେ, ସେ କେତେ ବ୍ୟସ୍ତ ରହୁଥିଲେ ଓ ମୋ ବିଷୟରେ କେମିତି ଜାଣିଲେ। ମୁଁ ଧୀରେ ଧୀରେ କଫି ପିଉଥାଏ। ଅରୁନ୍ଧତୀ ଏଇ ବର୍ତ୍ତମାନ ମୋ ପାଇଁ କଫି ତିଆରି କଲେ ନା? - ମୁଁ ଭାବୁଥାଏ।

ମୁଁ ତାଙ୍କୁ କହିଲି "ଏଇ ସ୍ଵପ୍ନଟିତ ମୋର ସତ ହେଲା ଆଉ ମୁଁ ଆଶା କରୁଛି ମୋର ଆଜି ମୃତ୍ୟୁ ହେଉନାହିଁ"?

ସେ ହସିଲେ। ମୋତେ ଏବେ ହାଲକା ଲାଗୁଥାଏ। ସେ କହିଲେ "ପ୍ଳିଜ ତମ ବିଷୟରେ ଆଉ କିଛି ଅଧିକ କୁହ"।

ପ୍ରଥମେ ତ ମୁଁ ଥଙ୍ଗଥଙ୍ଗହେଲି, ମୋ ଆଖିରୁ ଲୁହ ବୋହିବାକୁ ଲାଗିଲା। ମୁଁ କହିବାକୁ ଲାଗିଲି ମୋର ପ୍ରିୟ ବାପା ମା’ଙ୍କ ବିଷୟରେ ଆଉ କିପରି ଅଠର ବର୍ଷ ବୟସରେ ନାଇଜେରିଆ ଛାଡିଲି ଓ ଭାରତ ଆସିଲି । ସେ ଜାଣିବାକୁ ଚାହିଁଲେ ମୁଁ ଭାରତରେ ବର୍ଣ୍ଣବାଦ ସହିତ କିପରି ଖାପ ଖୁଆଇ ପାରିଛି ଆଉ କ’ଣ ମୁଁ ପ୍ରକୃତରେ ଭାରତକୁ ଭଲ ପାଏ । ମୁଁ ତାଙ୍କ ସହିତ ଆଳାପ କଲାବେଳେ ସେ ମୋ ଆଖିକୁ ନିରେଖି ଚାହୁଁଥାନ୍ତି। ମୁଁ କଥାହେଲାବେଳେ କଫିକପଟିକୁ ଦୁଇ ପାପୁଲି ମଧ୍ୟରେ ସଜୋରେ ଧରି ଚାହିଁଥାଏ। ପୂରାଘରଟିରେ କେବଳ ଆମେ ଦୁଇଜଣ ଥାଉଁ । ମୁଁ ମୋର ମନକୁ ଅରୁନ୍ଧତୀଙ୍କ ପାଖରେ ଉନ୍ମୁକ୍ତ କରିଦେଇଥାଏ । ମୋତେ ଲାଗୁଥାଏ ଯେପରି ମୁଁ ଜଣେ ଦରଦୀ ମନୋବିଜ୍ଞାନୀଙ୍କ ସହିତ କଥା ହେଉଛି । ମୁଁ ହାଲକା ଅନୁଭବ କଲି।

ଯେତେବେଳେ ଅରୁନ୍ଧତୀ ରାୟଙ୍କର ‘ଦ ଗଡ ଅଫ ସ୍ମଲ ଥିଂସ’ ୧୯୯୭ ରେ ଉପନ୍ୟାସ ପାଇଁ ମ୍ୟାନ ବୁକର ପୁରସ୍କାର ଜିତିଲା ସେତେବେଳେ ତାହା ଜଣେ ଭାରତୀୟ ମୂଳବାସିନ୍ଦା ଲେଖକଙ୍କ ପାଇଁ ସର୍ବାଧିକ ବିକ୍ରି ହେଉଥିବା ବହି ରୂପେ ଉଭା ହୋଇଥିଲା।

ଆରମ୍ଭରୁ ହିଁ ବହିଟି ଗୋଟିଏ ବ୍ୟବସାୟିକ ସଫଳତା ଥିଲା। ତାଙ୍କୁ ଏଥିପାଇଁ ପାଞ୍ଚଲକ୍ଷ ପାଉଣ୍ଡ ଅଗ୍ରୀମ ହିସାବରେ ମିଳିଥିଲା ।

ଏହା ମେ ମାସରେ ପ୍ରକାଶିତ ହେଲା ଏବଂ ବହିଟି ଜୁନ ମାସ ଶେଷବେଳକୁ ଅଠରଟି ଦେଶରେ ବିକ୍ରୀ ହୋଇଥିଲା। ସେ ବହିଟି ୧୯୯୨ରେ ଲେଖିବା ଆରମ୍ଭ କଲେ ଓ ୧୯୯୬ରେ ଶେଷ କଲେ। ‘ଦ ଗଡ ଅଫ ସ୍ମଲ ଥିଂସ’ର ସଫଳତା ପୂର୍ବରୁ ୧୯୮୯ରେ ଶ୍ରେଷ୍ଠ ପଟକଥା ପାଇଁ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଲେ।

୨୦୦୨ରେ ସେ ଲାନାନ ପ୍ରତିଷ୍ଠାନର ସାଂସ୍କୃତିକ ସ୍ଵାଧୀନତା ପୁରସ୍କାର ଲାଭ କଲେ। ୨୦୦୩ରେ ତାଙ୍କୁ ବିଆଙ୍କା ଜାଗ୍ଗର, ବାର୍ବରା ଲୀ ଓ କ୍ୟାଥୀ କେଲ୍ଲୀଙ୍କ ସହିତ ବିଶ୍ଵ ମାନବିକ ଅଧିକାର ବିନିମୟରେ ଶାନ୍ତିର ଜଣେ ମହିଳା ଭାବରେ ସାନଫ୍ରାନସିସ୍କୋ ଠାରେ ସ୍ଵତନ୍ତ୍ର ମାନ୍ୟତା ଦିଆଗଲା। ସାମାଜିକ ଆନ୍ଦୋଳନ ଓ ଅହିଂସାର ସମର୍ଥନ ପାଇଁ ତାଙ୍କୁ ୨୦୦୪ରେ ସିଡନୀ ଶାନ୍ତି ପୁରସ୍କାର ମିଳିଲା। ସାଂପ୍ରତିକ ପ୍ରସଙ୍ଗ ଉପରେ ତାଙ୍କର ପ୍ରବନ୍ଧସଂକଳନ ‘ଅନନ୍ତ ନ୍ୟାୟର ବୀଜଗଣିତ’ (The Algebra of Infinite Justice) ପାଇଁ ତାଙ୍କୁ ଜାନୁୟାରୀ ୨୦୦୬ରେ ସାହିତ୍ୟ ଅକାଦମି ପୁରସ୍କାର ଦିଆଗଲା ଯାହାକୁ ସେ ଭାରତ ସରକାରଙ୍କର ଆମେରିକା ସମର୍ଥିତ ଅନୁସୃତବର୍ଦ୍ଧିଷ୍ଣୁ ସାମରିକୀକରଣ,ନବ୍ୟ ଉଦାରବାଦୀ ଅର୍ଥନୀତି,ତଥା ଶିଳ୍ପଶ୍ରମିକବର୍ଗଙ୍କର ନିର୍ମମ ଶୋଷଣ ନୀତିର ପ୍ରଚଳନହେତୁ ପ୍ରତିବାଦସ୍ୱରୂପ ପ୍ରତ୍ୟାଖ୍ୟାନ କଲେ। ୨୦୧୧ନଭେମ୍ବରରେ ତାଙ୍କୁ ବିଶିଷ୍ଟ ଲେଖକୀୟ କୃତି ପାଇଁ ନର୍ମାନ ମେଲର ପୁରସ୍କାର ପ୍ରଦାନ କରାଗଲା।

ତାଙ୍କୁ ଟାଇମ ପତ୍ରିକାର ୨୦୧୪ର ବିଶ୍ଵର ୧୦୦ ସର୍ବାଧିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରାଗଲା।

ଏବଂ ମୁଁ ଏଇଠି ତାଙ୍କସହିତ ତାଙ୍କଘରେ ତାଙ୍କ ରୋଷେଇଶାଳରେ କଫି ପିଇ ନିଜ ବିଷୟରେ ଗପୁଛି କାହିଁକି ନା ସେ କହନ୍ତିକି “ତମର କାହାଣୀ ଖୁବ ଚିତ୍ତାକର୍ଷକ ଯାହାକୁ ମୁଁ ଶୁଣିବାକୁ ଚାହିଁଥିଲି। ମୁଁ ଦକ୍ଷିଣଆଫ୍ରିକା ବ୍ୟତୀତ ଆଫ୍ରିକାର ଅନ୍ୟ କୁଆଡେ ଯାଇନାହିଁ। ମୋର ନାଇଜେରିଆ ଆସିବାପାଇଁ ଇଚ୍ଛା ଅଛି। ସେଠାରେ କେମିତି କ’ଣ ଚାଲିଛି?”

ମୁଁ ତାଙ୍କୁ କହେ ଯେ ଆମେ ଜଣେ ନୂଆ ରାଷ୍ଟ୍ରପତି ପାଇଛୁ ଯେ କି ତାଙ୍କର ଚତୁର୍ପାଶ୍ଵ ବିଷୟରେ ସଚେତନ ଅଛନ୍ତି। ଆଉ ଆମେ ଆଶା କରୁଛୁ ଯେ ନାଇଜେରିଆର ପରିବର୍ତ୍ତନ ହେଉଛି। ସେ ଶୁଣୁଥାନ୍ତି ଏବଂ ଆହୁରି ଜାଣିବାକୁ ଚାହାଁନ୍ତି ; ମୁଁ କହିଚାଲେ ଯେ ନାଇଜେରିଆରେ ଲୋକମାନେ ତାଙ୍କୁ କେତେ ଭଲପାଆନ୍ତି ଏବଂ କେତେ ଲେଖକ ତାଙ୍କୁ ଜାଣନ୍ତି। ମୁଁ ଚିନ୍ତାରେ ପଡେ ଯେ ଏଇ ତାଙ୍କ ଘରେ ଆମର କଥାବାର୍ତ୍ତା ହେଉଥିବାର ଛବି କିପରି ରଖାଯାଇ ପାରିବ? କୁକୁରମାନେତ ଆଉ ଛବି ତୋଳିପାରିବେନି, ତେଣୁ ମୁଁ ପଚାରେ,“ମ୍ୟାଡାମ ଘରେ କ’ଣ ଆଉ କେହି ଅଛନ୍ତି? ମୁଁ କିଛି ଛବି ଉଠାଇବାକୁ ଚାହେଁ।” ସେ ହସନ୍ତି ଓ ଉଠିପଡନ୍ତି। ସେ କହନ୍ତି “ନାଁ, କିନ୍ତୁ ମୁଁ ଏଥିରେ ସାହାଯ୍ୟ କରିପାରେ। ମୋ ଭଳି ଜଣେ ପାଗଳ ସ୍ତ୍ରୀ ସହିତ କେହି ରହିପାରିବେନି।” ସେ ତାଙ୍କ ଫୋନ ଧରି ଆସନ୍ତି ଓ କହନ୍ତି,“ ଚାଲ ଆମେ ଗୋଟିଏ ଛବି ନେବା। ତମେ ଏହାକୁ କ’ଣ କୁହ? ସେଲଫି?”

ମୁଁ ହସେ ଆଉ କହେ, “ ହଁ, ସେଲଫି!”

ମୋ ଦେଇ ଏଇଟା ଭଲ ହୁଏନା। ମୁଁ ନିଜେ କେବେବି ସେଲଫି ନେଇନାହିଁ,କାରଣ ଏଇଟା କଲାବେଳେ ମୋ ହାତ ଥରିବ।

କିନ୍ତୁ ମୁଁ କରେ। ମୁଁ ଆହୁରି ଛବି ନିଏ ଆଉ ଭଲ ଛବିବି ଆସେ। ସେ ସ୍ଥିର ହୋଇ ପୋଜିସନ ନିଅନ୍ତି ଓ ଛବିଟିକୁ ଉଣ୍ଡି ଦେଖନ୍ତି: ତାପରେ ଆମେ ଅଲଗା ହୋଇ ବସୁ।

ଆମେ ପୁଣି ଭାରତ ଓ ନାଇଜେରିଆର ରାଜନୀତି ବିଷୟରେ ଗପୁ।

ଅରୁନ୍ଧତୀ ରାୟ କହନ୍ତି

“ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେଲାପରେ ମୋତେ ଠିକ ଭାବେ ନିଦ ହେଲାନି । ପ୍ରତି ସକାଳେ ଉଠେ, କିନ୍ତୁ ଖବରକାଗଜ ପଢିପାରେନା । ଏବେ ଯାଇ ଠିକ ଲାଗୁଛି କାରଣ ମୋଦୀ ଏବେ ତଳକୁ ଖସୁଛନ୍ତି, ଆଉ ଲୋକମାନେ ଠିକ ବୁଝିଗଲେଣି।” ସେ କହନ୍ତି , ନରେନ୍ଦ୍ର ମୋଦୀଙ୍କର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନାମାଙ୍କନ ହେବା ଗୋଟିଏ ‘ଟ୍ରାଜେଡି’ ଥିଲା। ଉଦ୍ୟୋଗପତିମାନେ ମଧ୍ୟ ତାଙ୍କ ପ୍ରାର୍ଥୀତ୍ଵକୁ ସମର୍ଥନ କଲେ କାରଣ ସେ ସର୍ବାଧିକ “ସାମରିକସୁଲଭ ଓ ଆକ୍ରମକ” ପ୍ରାର୍ଥୀ ଥିଲେ।

“ଭାରତ ଗୋଟିଏ କଠୋର ଦେଶ”, ସେ ମୋତେ କହନ୍ତି । “ ସେଇଥିପାଇଁ ତ ତମର କାହାଣୀ ଏତେ ଆକର୍ଷଣୀୟ। ଦେଖ ସେଇ ଯେ ଜଣେ ସୁନ୍ଦର ଆଫ୍ରିକୀୟ ମହିଳା ମୋର ଅତିଥି ହୋଇଥିଲେ, ଓ ଆମେ ସହର ସାରା ଘୁରି ବୁଲିଲୁ , ଆଉ ଭାରତୀୟମାନଙ୍କ ପ୍ରତିକ୍ରିୟା ଟିକେ ଭିନ୍ନ ପ୍ରକାରର ଥିଲା।”

ମୋ ପାଇଁ ଏ ପ୍ରକାର ଆଲୋଚନା ଟିକିଏ ବଳେଇ ପଡୁଥାଏ ତେଣୁ ମୁଁ ତା’ର ଦିଗ ବଦଳାଇବାକୁ ଚେଷ୍ଟା କରି ବିଗତ ସ୍ମୃତିକୁ ଫେରି ଯିବାକୁ ଚେଷ୍ଟା କରେ ଯେଉଁଠିକୁ ମୁଁ କେବେ ପହଞ୍ଚିବାକୁ ଚାହୁଁନଥିଲି।

“ଏମିତି ନୁହେଁ ଯେ ଆମେରିକାରେ ବର୍ଣ୍ଣବାଦ ନାହିଁ” ସେ କହନ୍ତି, “କିନ୍ତୁ ମୁଁ ସେଠାରେ ତା’ର ସମ୍ମୁଖୀନ୍ନ ହୋଇନାହିଁ।”

ମୁଁ କହେ, “ କାରଣ ଆପଣ ଅରୁନ୍ଧତୀ ରାୟ ବୋଲି।” ସେ ହୃଦୟ ଖୋଲା ହସ ହସନ୍ତି।

ସେ ଉତ୍ତରପୂର୍ବାଞ୍ଚଳରୁ ତିନିଜଣ ଅତିଥିଙ୍କର ପ୍ରତୀକ୍ଷା କରୁଛନ୍ତି – ସେ କହନ୍ତି, ସେମାନଙ୍କ ମଧ୍ୟରୁ ଜଣେ ୧୫ବର୍ଷିୟା ବାଳିକା କ୍ରମାଗତଭାବେ ପୋଲିସ ମାନଙ୍କ ଦ୍ଵାରା ଭିନ୍ନଭିନ୍ନ ଥାନାରେ କୁକର୍ମର ଶିକାର ହୋଇଛି। ଆଉ ସେ ଏବେ ଜେଲରେ। ସେ ଗୋଟିଏ ସାମ୍ବାଦିକ ସମ୍ମିଳନୀ ବି କରିସାରିଛି। “ଏହା ଦ୍ଵାରା ମାମଲାଟି ସାର୍ବଜନିକ ହୋଇପାରିବ ଓ ଲୋକେ ଏଥିରେ ନିଜକୁ ଜୋଡି ପାରିବେ। ” ଅଳ୍ପ ସମୟପରେ ସେମାନେ ଏଇଠିକୁ ଆସିବେ, କିନ୍ତୁ ମୁଁ ଏହି ମହିଳାଙ୍କୁ ଭେଟିବାକୁ ଚାହୁଁ ନାହିଁ, ତେଣୁ ମୁଁ ତାଙ୍କୁ କହେ ଯେ ମୋତେ ଯିବାକୁ ହେବ। ସେ କାରଣ ଜାଣିବାକୁ ଚାହୁଁଛନ୍ତି । ମୁଁ କହେ ଯେ ମୁଁ ଖାଇନାହିଁ, କାହିଁକିନା ତାଙ୍କର ମେସେଜ ପାଇ ନାଇଜେରିଆ ଦୂତାବାସରୁ ମୋତେ ତାଙ୍କୁ ଦେଖା କରିବା ପାଇଁ ତରତର ହୋଇ ଆସିବାକୁ ହେଲା।

ଅରୁନ୍ଧତୀ ଚଟ କିନା ତାଙ୍କ ରୁମକୁ ଯାଆନ୍ତି ,'ଦ ଗଡ ଅଫ ସ୍ମଲ ଥିଂସ'ର ଗୋଟିଏ କପି ଆଣି ମୋ ପାଇଁ ସ୍ଵାକ୍ଷର କରନ୍ତି।

ମୁଁ ତାଙ୍କପାଇଁ ମୋର ଦୁଇଟି ବହିର କପି ଦୁଇଟି ,"ଦ ଆବିସିନିଆନ ବୟ" (ଯେଉଁଥିରେ ମୁଁ ତାଙ୍କର ଉକ୍ତି, ଜଳର ଆସ୍ତରଣ ପରି ଗୋଟିଏ କାହାଣୀ ' ର ଉଦ୍ଧୃତି କରିଥିଲି)ଓ " ହିପ ହପ ଇଜ ଓନଲି ଫର ଚିଲଡ୍ରେନ" ରଖେ, ଯାହାକୁ ସେ ଆସନ୍ତାବର୍ଷ ନାଇଜେରିଆ ଯିବାପୂର୍ବରୁ ପଢିଥିବେ ବୋଲି କହନ୍ତି।

ଯେଉଁମାନେ ୧୯୯୭ରୁ ଉତ୍ସୁକତାର ସହିତ ଅରୁନ୍ଧତୀଙ୍କର ନୂତନ ଉପନ୍ୟାସର ପ୍ରତୀକ୍ଷା କରିଛନ୍ତି ତାହା ଜାନୁୟାରୀରେ ଅନ୍ତଃ ହେବ ବୋଲି ସେ କହନ୍ତି। ସେ ତାଙ୍କ ନିଜର ସମୟ ନେଉଛନ୍ତି ବୋଲି କହନ୍ତି।

ସେ ମୋତେ ପୁନର୍ବାର ଆଲିଙ୍ଗନ କଲେ। ଏବଂ ଆଉଥରେ... । ମୁଁ ଦୁଆର ପାଖକୁ ଯାଏ ଓ କହେ ," ମୁଁ ଆପଣଙ୍କ ପାଇଁ କିଛି କେନ୍ତେ ଓ ଦାଂଷିକି ପଠେଇବି । କିଛି ଆଙ୍କାରା ବି।"

"ତମର ଡ୍ରେସଟି ଖୁବ ସୁନ୍ଦର! ପ୍ଳିଜ ପଠାଅ।"

ମୁଁ ବାହାରକୁ ଆସେ। ଏଲିଭେଟର ଭିତରେ ପଶେ, ଏବଂ ଚାଲିଆସେ। ମୋତେ ଲାଗୁଛି, ମୁଁ ଏବେ ଖୁବ୍ ଖୁସି !

ଓନ୍ୟେକା ନ୍ୟୁଲୁ

(ଭାଷାନ୍ତର- ଅନନ୍ତ ପାଣିଗ୍ରାହୀ)

(୧୯୮୮ରେ ନାଇଜେରିଆରେ ଜନ୍ମିତ ଓନ୍ୟେକା ନ୍ୟୁଲୁ ସ୍ୱଳ୍ପ ସମୟ ମଧ୍ୟରେ ଅନେକ ଈର୍ଷଣୀୟ ସଫଳତାର ସ୍ଵାଦ ଚାଖି ପାରିଛନ୍ତି। ମାତ୍ର ୧୮ବର୍ଷ ବୟସରେ ତାଙ୍କଦ୍ଵାରା ଭାରତୀୟ ପୃଷ୍ଠଭୂମି ଉପରେ ରଚିତ ଉପନ୍ୟାସ ‘ଦ ଆବିସିନିଆନ୍ ବୟ’ ଲେଖକୀୟ ସ୍ଵୀକୃତି ତଥା ବ୍ୟବସାୟିକ ସଫଳତା ଅର୍ଜ୍ଜନ କରିପାରିଥିଲା,ତଥା ପ୍ରଥମ ପୁସ୍ତକ ପାଇଁ ଆବୁଜା ରାଇଟର୍ସ ଫୋରମରେ ଟି.ଏମ.ଆଲୁକୋ ପୁରସ୍କାର ଓ ଇବ୍ରାହିମ ତାହିର ପୁରସ୍କାର ଜିତିଥିଲା। ବିଶିଷ୍ଟ ଭାରତୀୟ ଲେଖିକା ଶୋଭା ଦେ ଏହାକୁ ଅତ୍ୟନ୍ତ ସମ୍ଭାବନାପୂର୍ଣ୍ଣ ଏବଂ ଭାରତୀୟ ସମାଲୋଚିକା ବାଣୀ ନେତିହାର ଏହି ଉପନ୍ୟାସଟି ଭାରତୀୟ ଓ ନାଇଜେରୀୟ ମୂଲ୍ୟବୋଧ ଦ୍ଵାରା ସ୍ପନ୍ଦିତ ବୋଲି ମନ୍ତବ୍ୟ ଦେଇଛନ୍ତି। ତାଙ୍କର ସର୍ବଶେଷ ପୁସ୍ତକ 'ହିପ୍ ହପ୍ ଇଜ ଓନଲି ଫର ଚିଲଡ୍ରେନ' ଏବେ ପ୍ରକାଶିତ। ସମ୍ପ୍ରତି ସେ ମଣିପୁର ବିଶ୍ୱବିଦ୍ୟାଳୟରେ ଆଫ୍ରିକୀୟ ସାହିତ୍ୟ ବିଭାଗରେ ପ୍ରାଧ୍ୟାପକ ଭାବେ କାର୍ଯ୍ୟରତ।)