ଦେଢ ଲକ୍ଷରେ ମିଳିବ ଥ୍ରୀଡି ‘ମାନବ’ ରୋବୋଟ୍

ଦେଢ ଲକ୍ଷରେ ମିଳିବ ଥ୍ରୀଡି ‘ମାନବ’ ରୋବୋଟ୍

Tuesday January 12, 2016,

3 min Read

ଚଲାବୁଲା କରିବ ରୋବୋଟ୍ । ଆଉ ଫୁଟବଲ୍ ବି ଖେଳିବ । ଖାଲି ସେତିକି ନୁହେଁ; ଉଠିବ, ବସିବ ଓ ସବୁଠୁ ବଡ କଥା ହେଉଛି ମଣିଷ ଡାକିଲେ ଶୁଣିବ । ନିର୍ଦ୍ଦେଶ ଦେଲେ ମାନିବ । ବୟୋଜ୍ୟୋଷ୍ଠଙ୍କ ଯତ୍ନ ବି ନେଇପାରିବ । ଏପରି ମଣିଷକୃତ ରୋବୋଟ୍ ତିଆରି କରିଛନ୍ତି ନୂଆଦିଲ୍ଲୀସ୍ଥିତ ରୋବୋଟିକ୍ସ ରିସର୍ଚ୍ଚ ଆଣ୍ଡ ଏ ସେଟ୍ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ମୁଖ୍ୟ ତଥା ଆଇଆଇଟି ଭୁବନେଶ୍ୱରର ଅତିଥି ଅଧ୍ୟାପକ ଦିୱାକର ଭୈସ୍ । ଏହା ମଧ୍ୟ ହେଉଛି ଭାରତର ପ୍ରଥମ ମଣିଷକୃତ ଥ୍ରୀଡିି ରୋବୋଟ୍ ।

image


ଏହି ରୋବୋଟ ଟି ପାରିପାଶ୍ୱିକ ସ୍ଥିତିକୁ ଠଉରାଇବା ସହ ନିଜର ପ୍ରତିକ୍ରିୟା ଦେବାରେ ସକ୍ଷମ ହେବ । ଦରକାର ପଡିଲେ ଆତ୍ମରକ୍ଷା ବି କରି ପାରିବ । ଦେଶର ପ୍ରଥମ ଥ୍ରୀଡି ରୋବୋଟ୍ ‘ମାନବ’ର ଉଚ୍ଚତା ହେଉଛି ଦୁଇ ଫୁଟ । ସେହିପରି ଏହାର ଓଜନ ଦୁଇ କିଲୋ ଓ ଏହା ୨୧ ସର୍ଭୋସ୍ କ୍ଷମତା ବିଶିଷ୍ଟ । ଦୀର୍ଘ ଦିନ ହେବ ଏହା ତିଆରି ପାଇଁ ବହୁ ବୈଜ୍ଞାନିକ ଗବେଷଣା ଚଳାଇଥିଲେ । ତେବେ ଦିୱାକର ସମସ୍ତଙ୍କୁ ଚମକାଇ ଏହାକୁ ତିଆରି କରିବାରେ ସକ୍ଷମ ହୋଇଛନ୍ତି । ମାତ୍ର ଏହାର ଦାମ୍ ଅପେକ୍ଷାକୃତ କମ୍ ରହିଛି । ମାତ୍ର ଦେଢ ଲକ୍ଷ ଟଙ୍କାରୁ ‘ମାନବ’ ରୋବୋଟର ସିରିଜ୍ ଆରମ୍ଭ ହେଉଛି । ତେବେ ଏହି ଥ୍ରୀଡି ସିରିଜର ଅଧିକ ଫିଚର୍ ବିଶିଷ୍ଟ ରୋବୋଟର ଦାମ୍ ଦେଢ ଲକ୍ଷରୁ ନେଇ ଅଢେଇ ଲକ୍ଷ ଟଙ୍କା ଯାଏ ରହିଛି । ଆଗାମୀ ଦିନରେ ରୋବୋଟର ସିଷ୍ଟମରେ ବିଭିନ୍ନ ପ୍ରକାରର ଇଣ୍ଟେଲିଜେନ୍ସ ସାମିଲ କରି ଏହାକୁ ଅଧିକ ଦକ୍ଷ ମଧ୍ୟ କରିହେବ । ଏ-ଏସ୍ଇଟି ଟ୍ରେନିଂ ଓ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ଏହା ବିକ୍ରି ପାଇଁ ଉପଲବ୍ଧ ହେଉଛି ।

image


ଗତ କିଛି ଦିନ ତଳେ ଆଇଆଇଟି ଭୁବନେଶ୍ୱର ଚନ୍ଦ୍ରଶେଖରପୁର କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କୁ ଦିୱାକର ଦେଶର ଏହି ପ୍ରଥମ ଥ୍ରୀଡି ରୋବୋଟକୁ ପ୍ରଦର୍ଶିତ କରିଛନ୍ତି । ଦିୱାକର କହିଛନ୍ତି, ଗବେଷଣା ଦ୍ୱାରା ଏପରି ରୋବୋଟ୍ ତିଆରି କରିବାରେ ଆମେ ସକ୍ଷମ ହୋଇଛୁ । ଏହା ସମ୍ପୂର୍ଣ୍ଣ ଭାବେ ମେଡ୍ ଇନ୍ ଇଣ୍ଡିଆ ପ୍ରଡକ୍ଟ । ନୂତନ ରୋବୋଟ୍ ‘ମାନବ’ ବିଭିନ୍ନ ସମସ୍ୟା ସମାଧାନ ଓ ଗବେଷଣା କ୍ଷେତ୍ରରେ ସହାୟକ ହେବ । ‘ମାନବ’ ହେଡ୍ ଷ୍ଟାଣ୍ଡ, ପୁସ୍ ଅପ୍ ଭଳି କାର୍ଯ୍ୟ କରିବା ସହ ଫୁଟବଲ ଖେଳିପାରିବ । ଏହା ମଣିଷର ନିର୍ଦ୍ଦେଶକୁ ବି ମାନିବ । ଏହା ଥ୍ରୀଡି ପ୍ଲାଷ୍ଟିକ୍ ସାମଗ୍ରୀରେ ତିଆରି ହୋଇଛି। ଫଳରେ ଏହାର କୌଣସି ଏକ ପାର୍ଟସ୍ ବା ସାମଗ୍ରୀ ଭାଙ୍ଗିଲେ ଏହା ସୁବିଧାରେ ଓ ଶସ୍ତାରେ ମିଳିଯିବ । ଦୁଇଟି କ୍ୟାମେରା ଏହାର ଆଖି ଭାବେ ଓ ଦୁଇଟି ହେଡ଼ ଫୋନ୍ କାନ ଭାବେ କାମ କରୁଛି । ମଣିଷଙ୍କ ଠାରୁ ଏହା ବେଶ୍ ଭଲ ଭାବେ ନାଚିବାର କ୍ଷମତା ବି ରଖୁଛି । ଏହା ଗବେଷକଙ୍କ ପାଇଁ ଏକ ପ୍ରେରଣା । ରୋବୋଟିକ୍ସର ନୂତନ ଏକ ଦିଗକୁ ଏହା ବାଟ ଫିଟାଇଛି ଓ ଅଧିକରୁ ଅଧିକ ଗବେଷଣା ଜାରି ରହିଲେ ଆହୁରି ଅଧିକ ବାଟ ଆଗେଇ ହେବ ବୋଲି ସେ କହିଛନ୍ତି ।

image


ସେହିପରି ଭବିଷ୍ୟତର ଯୋଜନା ଓ ଗବେଷଣା ବିଷୟରେ ଦିୱାକର କହିଛନ୍ତି, ଆମେ ଏପରି ଜ୍ଞାନକୌଶଳ ଉପରେ କାର୍ଯ୍ୟ କରିଛୁ, ଯାହା ଲୋକଙ୍କୁ ଅମର କରିପାରିବ । ମଣିଷର ମସ୍ତିଷ୍କ କିଭଳି କ୍ରିୟାଶୀଳ ହୋଇଥାଏ ଓ ଏହାର ଚିନ୍ତାତ୍ମକ ଦିଗ ସମ୍ପର୍କରେ ଆମ ପାଖରେ ଏପରି ଟେକ୍ନୋଲୋଜି ଅଛି । ଏହି ଟେକ୍ନୋଲୋଜି ଆଧାରରେ ଆମେ ମଣିଷର ଚେତନା ଶକ୍ତି ଓ ଶିଖିବା ପାଇଁ ଦକ୍ଷତା, ପରିବେଶ ସମ୍ପର୍କିିତ ଜ୍ଞାନ, କମ୍ପ୍ୟୁଟର ମାଧ୍ୟମରେ ଦେଖାଇ ଦେଇପାରିବୁ । ନୂତନ ରୋବୋଟ୍ ବିଭିନ୍ନ ସମସ୍ୟା ସମାଧାନ ଏବଂ ଗବେଷଣା କ୍ଷେତ୍ରରେ ସହାୟକ ହେବ । ଆଗକୁ ସେନାବାହିନୀରେ ଯୁଦ୍ଧଶୈଳୀ ଦକ୍ଷତା ଥିବା ରୋବୋଟ୍ ବିକଶିତ କରିବାକୁ ଗବେଷଣା ଜାରି ରହିଛି ବୋଲି ସେ କହିଛନ୍ତି ।