ହାର୍ଭାର୍ଡରୁ ଆସି ଗ୍ରାମୀଣ ଭାରତର ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟରତ - ଭାରତର ଯୁବପିଢୀକୁ ରାଜନୀତି ସହ ଯୋଡିବାରେ ଲାଗିଛନ୍ତି ରିତ୍ଵିକା ଭଟ୍ଟାଚାର୍ଯ୍ୟ

ହାର୍ଭାର୍ଡରୁ ଆସି ଗ୍ରାମୀଣ ଭାରତର ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟରତ - ଭାରତର ଯୁବପିଢୀକୁ ରାଜନୀତି ସହ ଯୋଡିବାରେ ଲାଗିଛନ୍ତି ରିତ୍ଵିକା ଭଟ୍ଟାଚାର୍ଯ୍ୟ

Wednesday March 16, 2016,

3 min Read

କଲିକତାରେ ଜନ୍ମିତ ରିତ୍ଵିକା ଭଟାଚାର୍ଯ୍ୟଙ୍କ ପିଲା ଦିନ କଟିଥିଲା ଦିଲ୍ଲୀରେ। ତାଙ୍କୁ ଯେତେ ବେଳେ ୧୦ ବର୍ଷ ହେଇଥିଲା ସେ ଓ ତାଙ୍କ ଭାଇ ଚାଲିଯାଇଥିଲେ ଫ୍ଲୋରିଡା, ନିଜ ମଉସା ମାଉସୀଙ୍କ ପାଖରେ ରହିବାକୁ। ଆଉ ସେଠାରେ ତାଙ୍କର ବାକି ସ୍କୁଲ ଜୀବନ ଓ କଲେଜ ଶିକ୍ଷା ଶେଷ ହୋଇଥିଲା। । ଖରାଦିନ ଛୁଟିରେ ହିଁ ରିତ୍ଵିକା ଭାରତ ଆସୁଥିଲେ ନିଜ ବାପା ମାଆଙ୍କ ସହ ରହିବା ପାଇଁ। ଦୁଇ ଦେଶ ଭିତରେ ବାଣ୍ଟି ହେଇଯାଇଥିବା ଶୈଶବ ହିଁ ତାଙ୍କ ଦୃଷ୍ଟିଭଙ୍ଗୀ ଓ ଜୀବନକୁ ପ୍ରଭାବିତ କରିଥିଲା।

image


ରିତ୍ଵିକାଙ୍କ ବାପା ଜଣେ ରାଜନେତା। ବାପାଙ୍କ ସହ ସେ ଅନେକ ଥର ମନ୍ତ୍ରୀ ଓ ସାଂସଦମାନଙ୍କୁ ଭେଟିବାକୁ ଯାଇଛନ୍ତି। ଏହି ସବୁ ଦେଖା ସାକ୍ଷାତରୁ ହିଁ ତାଙ୍କ ମନରେ ପ୍ରଶାସନ ପ୍ରତି ଆଗ୍ରହ ସୃଷ୍ଟି ହେଇଥିଲା। ସ୍ୱନୀତି ରେ ରିତ୍ଵିକା ଆଜି ଯାହା କରୁଛନ୍ତି ତାର ମୂଳଦୁଆ ତାଙ୍କ ପିଲାଦିନେ ହିଁ ପଡିଥିଲା ବୋଲି ସେ କୁହନ୍ତି। ସ୍କୁଲରେ ପଢିଲା ବେଳେ ସେ ଆମେରିକୀୟ ସିନେଟର କ୍ୟାଥେରିନ ହ୍ୟାରିସଙ୍କ ସହ କାମ କରିଥିଲେ। ଏହି କାମ କଲା ବେଳେ ଆମେରିକୀୟ ସିନେଟର ଓ ଭାରତୀୟ ସାଂସଦମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ଓ ସେମାନଙ୍କ ଦୃଷ୍ଟିଭଙ୍ଗୀ ରେ ଥିବା ବୈଷମ୍ୟକୁ ବୁଝି ପଡ଼ିଥିଲେ। ଭାରତୀୟ ସାଂସଦ ଓ ବିଧାୟକ ମାନଙ୍କୁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ସମାଧାନର ସୂତ୍ର ଦେବାକୁ ରିତ୍ଵିକା “ସ୍ଵନୀତି” ସଂସ୍ଥାର ଆରମ୍ଭ କରିଥିଲେ।

ସ୍ଵନୀତି ସାଂସଦ ଓ ବିଧାୟକ ମାନଙ୍କୁ ଏକ ତ୍ରିସ୍ତରୀୟ ସମାଧାନ ଦେଇଥାଏ। ପ୍ରଥମେ ଏହା ମୌଳିକ ସମସ୍ୟା ଗୁଡିକ ଉପରେ ଅଧିକ ଅନୁସନ୍ଧାନ କରିଥାଏ। ସ୍ୱନୀତିର ସଦସ୍ୟ ମାନେ ସମ୍ପୃକ୍ତ ସାଂସଦଙ୍କ କ୍ଷେତ୍ରକୁ ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ରୂପାୟନ ଠିକ ଭାବେ ହେଉଛି କି ନାହିଁ ତାହା ଅନୁଧ୍ୟାନ କରନ୍ତି। ଏବଂ ସାଂସଦ ତାଙ୍କ ଉନ୍ନୟନମୂଳକ ପ୍ରକଳ୍ପ ମାନଙ୍କୁ କିପରି ଆଗେଇ ନେଇ ପାରିବେ ସେ ବିଷୟରେ ସ୍ୱନୀତି ଆଧୁନିକ ଜ୍ଞାନ କୌଶଳ ମଧ୍ୟ ଯୋଗାଇ ଦିଏ। 

image


ସ୍ୱନୀତିର ସଫଳତା ଓ କାର୍ଯ୍ୟଧାରା ଆଜି ଋତିକାଙ୍କୁ ଫୋର୍ବସ ପତ୍ରିକା ଦ୍ଵାରା ପ୍ରକାଶିତ ୩୦ ବର୍ଷରୁ କମ ବୟସ୍କ ୩୦ ଜଣ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରୁ ଜଣେ କରିପାରିଛି।

ରାଜନୀତି ବିଜ୍ଞାନ ଓ ଅର୍ଥନୀତିରେ ସ୍ନାତକ କଲା ପରେ ରିତ୍ଵିକା ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ପବ୍ଲିକ ପଲିସିରେ ସ୍ନାତକୋତ୍ତର କରିଥିଲେ। ନିଜ ପାଠପଢା ଓ ସ୍ୱନୀତିର ପରିକଳ୍ପନାର ସ୍ମୃତି ଚାରଣ କରି ସେ କୁହନ୍ତି,

“ମୁଁ ସ୍ନାତକ ଶ୍ରେଣୀରେ ଥିଲା ବେଳେ ୨୦୦୯ ମସିହା ସାଧାରଣ ନିର୍ବାଚନ ହେଉଥିଲା। ମୁଁ ଓ ମୋର ସାଙ୍ଗମାନେ ଏହି ନିର୍ବାଚନ ବିଷୟରେ ଉତ୍ସାହିତ ଥିଲୁ। ନିର୍ବାଚନ ପ୍ରକ୍ରିୟା କୁ ଅଧିକ ଭଲ ଭାବେ ବୁଝିବା ଓ ଭାରତୀୟ ପ୍ରଶାସନକୁ କିପରି ଅଧିକ ମଜଭୁତ କରିହେବ ସେହି ପ୍ରଚେଷ୍ଟା ହିଁ ସ୍ୱନୀତିକୁ ଜନ୍ମ ଦେଇଥିଲା।“
image


ଭାରତୀୟ ପ୍ରଶାସକମାନଙ୍କର ତୃଣମୂଳ ସ୍ତରରେ ଲୋକମାନଙ୍କ ସହ ସିଧା ସଳଖ ସମ୍ପର୍କ ନଥାଏ। ସେଥିପାଇଁ ସେମାନେ ନିର୍ବାଚିତ ସାଂସଦ ମାନଙ୍କୁ ସଠିକ ପରାମର୍ଶ ଦେଇ ପାରନ୍ତି ନାହିଁ। ଏଥିରେ ସୁଧାର ଆଣିବା ପାଇଁ ରିତ୍ଵିକା ୨୦୦୯ ମସିହାରେ “ସ୍ୱନୀତି”କୁ ଗୋଟିଏ ପ୍ରକଳ୍ପ ହିସାବରେ ଆରମ୍ଭ କଲେ। ୨୦୧୨ ମସିହାରେ ଏହାକୁ ଏକ ସ୍ଵୟଂ ସମ୍ପୂର୍ଣ ସଂସ୍ଥାରେ ରୂପାନ୍ତରିତ କଲେ। ବର୍ତ୍ତମାନ ତାଙ୍କ କୋର ଟିମ ରେ ୨୨ ଜଣ ସଦସ୍ୟ କାମ କରନ୍ତି ଓ ସ୍ୱନୀତିକୁ Tata Trust, Azim Premji Philanthropic Initiatives ଭଳି ସଂସ୍ଥା ଓ ରୋହିଣୀ ନୀଲକେନୀଙ୍କ ଭଳି ବ୍ୟକ୍ତିତ୍ଵ ସହଯୋଗର ହାତ ବଢାଇଛନ୍ତି।

ହିମାଚଳ ପ୍ରଦେଶ ହମୀରପୁର ସାଂସଦଙ୍କ ସହିତ ମିଶି ତାଙ୍କ ସଂସଦୀୟ କ୍ଷେତ୍ରରେ ଦକ୍ଷତା ଅଭିବୃଦ୍ଧି କାର୍ଯ୍ୟକ୍ରମ ସଫଳ ରୂପାୟନ ପାଇଁ ସ୍ୱନୀତି କାର୍ଯ୍ୟ କରିଛି। ଏହା ଛଡା ଓଡିଶାର କେନ୍ଦ୍ରାପଡା ସାଂସଦଙ୍କ ମୋବାଇଲ ସ୍ୱାସ୍ଥ୍ୟ ଭ୍ୟାନ କାର୍ଯ୍ୟକ୍ରମକୁ ସଫଳ କରିବାରେ ଏହା ସାହାଯ୍ୟ କରିଛି। ସାଂସଦଙ୍କ ସହ ମିଶି କମ କରିବା ଦ୍ଵାରା କାମ ଶୀଘ୍ର ହେବ ସହ ସାମାଜିକ ଓ ଅର୍ଥନୈତିକ ସମସ୍ୟା ଗୁଡିକର ସମାଧାନ ମଧ୍ୟ ହୋଇ ପାରୁଛି। ପାଖାପାଖି ୧୦୦ ଜଣ ସାଂସଦଙ୍କ ସହ ଋତିକା କାମ କରି ସାରିଲେଣି। ଏହା ଦ୍ଵାରା ପାଖାପାଖି ୬୫ ହଜାର ଲୋକଙ୍କ ଜୀବନରେ ତାଙ୍କ ସଂସ୍ଥା ପ୍ରତ୍ୟକ୍ଷ ପ୍ରଭାବ ପକାଇଛି ବୋଲି ଋତିକା କୁହନ୍ତି। ଏହା ବ୍ୟତୀତ ୧୫ ଜଣ ବିଧାୟକ ଓ ୪ ଜଣ ମୁଖ୍ୟମନ୍ତ୍ରୀ ସହ ମଧ୍ୟ ତାଙ୍କ ସଂସ୍ଥା କାମ କରିଛି।

image


ଭିନ୍ନ ଭିନ୍ନ ରାଜନୈତିକ ଦଳର ମହିଳା ସାଂସଦଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ମହିଳାମାନଙ୍କ ସମସ୍ୟା ଉପରେ ଏକ ସୁସ୍ଥ ଆଲୋଚନାର ବାତାବରଣ ସୃଷ୍ଟି ପାଇଁ ସ୍ୱନୀତି Indian Women Parliamentarians’ Forum (IWPF)ର ଆରମ୍ଭ କରିଛି। 

ଏପରି ଏକ ମଞ୍ଚର ଆବଶ୍ୟକତାକୁ ନେଇ ରିତ୍ଵିକା କୁହନ୍ତି -

୧୯୬୭ ମସିହାରେ ପ୍ରତି ଏକ କୋଟି ମହିଳାଙ୍କ ପାଇଁ ଜଣେ ମହିଳା ସାଂସଦ ଥିଲେ। ବର୍ତ୍ତମାନ ଏହା ହ୍ରାସ ପାଇଁ ଚାଲିଛି। ଏବେ ପ୍ରତି ଦଶ କୋଟି ମହିଳାଙ୍କ ପାଇଁ ଜଣେ ମହିଳା ସାଂସଦ ଅଛନ୍ତି। ମାତ୍ର ମହିଳା ମାନଙ୍କ ସମସ୍ୟା ଦିନ କୁ ଦିନ ବଢିବାରେ ଲାଗିଛି। ସେଥିପାଇଁ ମହିଳା ସାଂସଦ ମାନଙ୍କୁ ଏକାଠି ହେବାକୁ ପଡିବ ଓ ଏହି ସମସ୍ୟା ଗୁଡିକର ସମାଧାନର ସୂତ୍ର ଖୋଜିବାକୁ ପଡିବ। 

ରିତ୍ଵିକା ଜଣେ ଲେଖିକା ମଧ୍ୟ। ତାଙ୍କର Frontiers in Development Policy ଓ Primer on Labor Markets ନାମରେ ଦୁଇଟି ପୁସ୍ତକ ପ୍ରକାଶିତ ହୋଇ ସାରିଛି। ବର୍ତ୍ତମାନ ସେ ନିଜର ତୃତୀୟ ପୁସ୍ତକ Making of a Politician ଉପରେ କାମ କରୁଛନ୍ତି। ଏହି ବହିଟି Harper Collins ଦ୍ଵାରା ପ୍ରକାଶିତ ହେବ। 

ମୂଳ ଲେଖା - ଶାରିକା ନାୟାର

ଅନୁବାଦ - ପରଂବ୍ରହ୍ମ ତ୍ରିପାଠୀ