ନିରକ୍ଷରତା ଦୂର କରିବା ପାଇଁ କାମ କରିବେ ଓଏଏସ୍ ଟପର ଡକ୍ଟର ପୁଷ୍ପାଞ୍ଜଳୀ

ନିରକ୍ଷରତା ଦୂର କରିବା ପାଇଁ କାମ କରିବେ ଓଏଏସ୍ ଟପର ଡକ୍ଟର ପୁଷ୍ପାଞ୍ଜଳୀ

Thursday February 25, 2016,

2 min Read

ଓଏଏସ୍ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବଲାଙ୍ଗୀରବାସୀ ଅଧିକ ଖୁସି ହୋଇଛନ୍ତି । କାରଣ ତାଙ୍କ ଅଂଚଳର ଡକ୍ଟର ପୁଷ୍ପାଞ୍ଜଳୀ ପଣ୍ଡା ଏଥିରେ ଟପର୍ ହୋଇଛନ୍ତି । ଟପର୍ ହେବା ପରେ ବିଶେଷ ଖୁସି ଥିବା ପୁଷ୍ପାଞ୍ଜଳୀ କହିଛନ୍ତି ଯେ ସେ ନିରକ୍ଷରତା ଦୂର କରିବା ଦିଗରେ ପ୍ରବଳ ପରିଶ୍ରମ କରିବେ । ସେହି ଗୋଟିଏ ଦିଗ ଯାହାକୁ ତାଙ୍କୁ ସବୁ ବେଳେ ଚିନ୍ତାରେ ପକାଉଥିବା ସେ କହିଛନ୍ତି । ନିରକ୍ଷରତା ଦୂର କରିବା ଦିଗରେ ସେ ଯଦି କିଛି କାମ କରି ସକାରାତ୍ମକ ପରିବର୍ତ୍ତନ ଆଣିପାରିବେ, ତେବେ ତାଙ୍କୁ ଆତ୍ମସନ୍ତୋଷ ମିଳିବ ବୋଲି ସେ କହିଛନ୍ତି ।

ବଲାଙ୍ଗୀର ଦେଓଗାଁ ବ୍ଲକରେ ଅତିରିକ୍ତ ପ୍ରାଣୀ ଚିକିତ୍ସକ ଭାବେ କାମ କରୁଛନ୍ତି ଡା. ପୁଷ୍ପାଞ୍ଜଳି ପଣ୍ଡା। ସେ ଜଣେ ବିବାହିତା ମହିଳା ହୋଇ ମଧ୍ୟ ଏଭଳି ସଫଳତା ପାଇଥିବାରୁ କ୍ୟାରିୟର ଆଶାୟୀ ବିବାହିତା ମହିଳାଙ୍କ ପାଇଁ ସେ ପ୍ରେରଣା ପାଲଟି ଯାଇଛନ୍ତି । ବିବାହ କରିବା ପରେ ଘର ଧନ୍ଦାରେ ମାତିଲେ ଆଉ କିଛି କରିହେବ ନାହିଁ ବୋଲି ଯେଉଁମାନେ ଭାବୁଛନ୍ତି ତାଙ୍କ ପାଇଁ ଡକ୍ଟର ପୁଷ୍ପାଞ୍ଜଳୀ ହେଉଛନ୍ତି ଜଣେ ବଳିଷ୍ଠ ଉଦାହରଣ ।

Pic:http://www.fullodisha.com

Pic:http://www.fullodisha.com


୨୦୧୧ ମସିହାରେ ଓଏଏସ୍ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରୀକ୍ଷା ହୋଇଥିଲେ ବି କୋର୍ଟ ମାମଲାରେ ଛନ୍ଦି ହୋଇ ଫଳ ପ୍ରକାଶ ପାଇ ନଥିଲା । ଶେଷରେ ୨୦୧୫ ମସିହାରେ ହୋଇଥିବା ଓଏଏସ୍ ପରୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି । ଏହି ପରୀକ୍ଷାରେ ବଲାଙ୍ଗୀରର ଡା.ପୁଷ୍ପାଞ୍ଜଳି ପଣ୍ଡା ଟପ୍ପର ହୋଇଥିବାରୁ ବଲାଙ୍ଗୀର ସହରରେ ଖୁସିର ଲହରୀ ଖେଳିଯାଇଛି । ସମାଜର ବିଭିନ୍ନ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ଡା.ପଣ୍ଡା ଏହାର ସମସ୍ତ ଶ୍ରେୟ ତାଙ୍କ ସ୍ୱାମୀ ସୋନପୁରରେ ବାଣିଜ୍ୟ କର ଅଧିକାରୀ ଭାବେ କାର୍ଯ୍ୟରତ ଆଶିଷ କୁମାର ସାହୁ, ଶାଶୁ ପୂର୍ବତନ DSWO, ବଲାଙ୍ଗୀର ଶକୁନ୍ତଳା ଭୋଇ, ଶ୍ୱଶୁର ନାଟ୍ୟକାର କାର୍ତିକଚନ୍ଦ୍ର ସାହୁଙ୍କ ସମତେ ପରିବାର ବର୍ଗଙ୍କୁ ଦେଇଛନ୍ତି । ଲୋକଙ୍କୁ ବିଭିନ୍ନ ବିଷୟରେ ସଚେତନ କରିବା ସହ ନିରକ୍ଷରତା ଦୂର ଦିଗରେ ସେ କାମ କରିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଡା. ପଣ୍ଡା ।

କୋରାପୁଟରେ ଯୁକ୍ତ ଦୁଇ ଯାଏ ପଢ଼ାପଢ଼ି କରିବା ପରେ ୨୦୦୫ ମସିହାରୁ ସେ ଭୁବନେଶ୍ୱରରେ ଭେଟେରିନାରୀ ପାଠ ପଢ଼ିଥିଲେ । ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ପରୀକ୍ଷା ମଧ୍ୟ ଦେଇଥିଲେ । ଆଇଏଏସ ପରୀକ୍ଷାରେ ପ୍ରଥମ ଥର ବିଫଳ ହୋଇଥିଲେ ମଧ୍ୟ ମାନସିକ ସ୍ତରରେ ବେଶ ଦୃଢ଼ ଥିଲେ ଡା.ପଣ୍ଡା । ତେଣୁ ପୁଣିଥରେ ସେ ଆଇଏଏସ୍ ପରୀକ୍ଷା ଦେଇଥିଲେ । ଦ୍ୱିତୀୟ ଥର ଅଳ୍ପକେ ସେ ନିରାଶ ହୋଇଥିଲେ । ବିବାହ ପରେ ପରିବାର ସହ ଅଫିସ କାମ ତୁଲାଇବା ପରେ ସମୟ ବାହାର କରି ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ । ଏଥିରେ ତାଙ୍କ ସ୍ୱାମୀ ଶ୍ରୀ ସାହୁ ଅଧିକ ସହଯୋଗ କରିଥିଲେ ବୋଲି ଡା.ପଣ୍ଡା କହିଛନ୍ତି ।