ମହିଳା ସଶକ୍ତିକରଣର ରୋଲ୍ ମଡେଲ ‘ସୁଷମା ବର୍ଲିଆ’

ମହିଳା ସଶକ୍ତିକରଣର ରୋଲ୍ ମଡେଲ ‘ସୁଷମା ବର୍ଲିଆ’

Monday November 30, 2015,

4 min Read

କାର୍ଯ୍ୟକ୍ଷେତ୍ରରେ ମହିଳାମାନେ ସୁରକ୍ଷିତ ଭାବେ କାମ କରିବେ । ସେମାନେ ଅନ୍ୟ ଉପରେ ନିର୍ଭର ନ କରି ନିଜେ ସ୍ୱାବଲମ୍ବୀ ହେବେ ଓ ମହିଳା ସଶକ୍ତିକରଣ ହେବ । ଏହା ଉପରେ କାମ କରୁଛନ୍ତି ସୁଷମା ବର୍ଲିଆ । ସୁଷମା ଏବେ Apeejay Stya ଗ୍ରୁପର ପ୍ରେସିଡେଣ୍ଟ ଅଛନ୍ତି । ଏହି ଗ୍ରୁପ୍ ସାରା ବିଶ୍ୱରେ ପ୍ରାୟ ୭ହଜାର ୫୦୦କୋଟିର କାରବାର କରୁଛି । ଫାର୍ମାସେଉଟିକାଲଠୁ ନେଇ ରିଅଲ ଇଷ୍ଟେଟ୍, ଅନ୍ତର୍ଜାତୀୟ ବାଣିଜ୍ୟ କାରବାର, ପୁଞ୍ଜି ବିନିଯୋଗ ଓ ସେବା, ଆଇଟି, ଓ ଗଣମାଧ୍ୟମ ସଂସ୍ଥା ଭଳି ବିଭିନ୍ନ କ୍ଷେତ୍ରରେ ତାଙ୍କ ଗ୍ରୁପ୍ ସଂପୃକ୍ତ ଅଛି ।

image


ସାଧାରଣତଃ ମହିଳାମାନେ ଇଚ୍ଛା ଥିଲେ ବି ସମୟ ଅଭାବରୁ ଚାକିରୀ କରି ପାରନ୍ତିନି । ଘର ଓ ପରିବାରର ବ୍ୟସ୍ତତା ଭିତରେ ସେମାନେ ଅଫିସରେ କାମ କରିବାରୁ ଦୂରେଇ ରୁହନ୍ତି । ଜଣେ ମହିଳା ଭାବେ ସୁଷମା ଏହି ସମସ୍ୟାକୁ ଭଲ ଭାବେ ବୁଝିଥିଲେ । ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ସେ ସେମାନଙ୍କ ଆବଶ୍ୟକତା ଅନୁସାରେ ଅଫିସ ଟାଇମ୍ ଦେବାକୁ ଚିନ୍ତା କଲେ । ନଚେତ୍ ଦିନତମାମ ଅଫିସରେ ବସି କାମ ନ କରି ନିଜ ଘରେ ରହି ପାର୍ଟଟାଇମ୍ କାମ କରିବାକୁ ସେ ସେମାନଙ୍କୁ ସୁଯୋଗ ଦେଲେ ।

ଜଣେ ସଫଳ ଉଦ୍ୟୋଗୀ ଓ ମହିଳାଙ୍କ ସ୍ୱାବଲମ୍ବୀ କରିବାକୁ ଅବଦାନ ଯୋଗୁ ସୁଷମା ଅନେକ ସମ୍ମାନ ଓ ସ୍ୱୀକୃତି ପାଇଛନ୍ତି । ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କଠାରୁ ସେ Outstanding Businesswoman award ପାଇଛନ୍ତି। ତା'ଛଡା ଜାତିସଂଘ ଦ୍ୱାରା ୧୯୯୫ମସିହାରେ ଡେନମାର୍କରେ ଆୟୋଜିତ ବିଶ୍ୱ ସାମାଜିକ ସମ୍ମିଳନୀରେ ବକ୍ତବ୍ୟ ରଖିବାକୁ ସେ ନିମନ୍ତ୍ରିତ ହୋଇଥିଲେ । ଏହି ସମ୍ମେଳନରେ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଭୂମିକା Role of Women at the Work Place’ ଶୀର୍ଷକ ବିଷୟବସ୍ତୁ ଉପରେ ସେ ନିଜ ବକ୍ତବ୍ୟ ରଖିଥିଲେ ।

ତେବେ ସୁଷମା କୁହନ୍ତି, ‘ସୌଭାଗ୍ୟବଶତଃ ସେ ତାଙ୍କ ପିଲାଦିନେ କେବେବି ଲିଙ୍ଗଗତ ବୈଷମ୍ୟତାର ଶିକାର ହୋଇନାହାନ୍ତି । ଛୋଟ ବେଳୁ ସ୍କୁଲ ପରେ ବାପାଙ୍କ ସହ ଅଫିସ ଯାଉଥିଲି । ଏଇଠୁ ହିଁ ବିଜନେସ୍ ବାବଦରେ ଅନେକ କିଛି ମୋତେ ଶିଖିବାକୁ ମିଳୁଥିଲା’ ।

ସେ କୁହନ୍ତି, ବାପା ହିଁ ମୋତେ ସବୁଠୁ ଅଧିକ ପ୍ରେରଣା ଦେଉଥିଲେ । ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ସବୁବେଳେ ଅନ୍ୟକୁ ନିଜ ସାଧ୍ୟ ମତେ ସାହାଯ୍ୟ କରିବାକୁ ପରାମର୍ଶ ଦେଉଥିଲେ । ସେ ଶିକ୍ଷାକୁ ବହୁତ ପ୍ରାଧ୍ୟାନ୍ୟ ଦେଉଥିଲେ । ସେ କହୁଥିଲେ, ବ୍ୟବସାୟ ହିଁ ସମସ୍ତଙ୍କ ପାଇଁ ସମୃଦ୍ଧି ଆଣିବାକୁ ଏକ ପ୍ରକ୍ରିୟା ।

ନିଜ ପିଲାଦିନ କଥା ମନେ ପକାଇ ସୁଷମା କୁହନ୍ତି, ୧୯୭୧ ମସିହାର ଯୁଦ୍ଧ ସମୟରେ ଆମେ ପରିବାର ଲୋକେ କାରରେ କଲିକତାରୁ ଯାଉଥିଲୁ । ହଠାତ୍ କିଛି ଦୂରରେ ବୋମା ବିସ୍ପୋରଣ ହେଲା । କଣ ଘଟିଲା ଆମେ କିଛି ବୁଝି ପାରିଲୁନି । ସମସ୍ତେ କାରରୁ ଓହ୍ଲାଇଗଲୁ ଓ କେଉଁଠି ଲୁଚି ଯିବାକୁ ଚେଷ୍ଟା କଲୁ । ମୁଁ ବହୁତ ଡରି ଯାଇଥିଲି ଓ ସମସ୍ତେ ମରିଯିବୁ ବୋଲି ଭାବିଲି । ଏତିକି ବେଳେ ବାପା ମୋତେ ଚାହିଁଲେ । କହିଲେ, ‘ଆମେ ସମସ୍ତେ ନିଶ୍ଚିତ ଦିନେ ନା ଦିନେ ମରିବା । ହେଲେ ତୁମେ ମୃତ୍ୟୁ ଭୟରେ ହଜାର ଥର ମରିବା ଠିକ୍ ନୁହେଁ'।

ସୁଷମାଙ୍କୁ ତାଙ୍କ ବାପା ସବୁବେଳେ ସାହସ ଦେଉଥିଲେ । ଉତ୍ସାହିତ କରି ଭୟ ଉପରେ ବିଜୟୀ ହୋଇ ଆଗକୁ ବଢିବାକୁ ପ୍ରବର୍ତାଉଥିଲେ । ସୁଷମା କୁହନ୍ତି, ଥରେ ପରୀକ୍ଷାରେ ଏକ ବିଷୟରେ ସେ ଖୁବ୍ କମ୍ ନମ୍ବର ରଖିଥିଲେ। ଡରି ଡରି ଏହାର ମାର୍କଲିଷ୍ଟ ବାପାଙ୍କୁ ଦେଖାଇଥିଲେ । ହେଲେ ବାପା ଏହାକୁ ଦେଖି ରାଗିନଥିଲେ । ବାପା କୌଣସି ଥିରେ ବି ମୋ ଉପରେ ଚାପ ପକାଉ ନଥିଲେ ।

ଧାରା ବଦଳାଇଲେ

ସୁଷମା ୧୯୮୧ରେ ବିବାହ କଲେ । ସେ କୁହନ୍ତି, ଯେତେବେଳେ ସ୍ୱାମୀଙ୍କ ସହ ଅଫିସ ବୁଲିବାକୁ ଗଲି ସେଠାରେ ଜଣେ ବି ମହିଳା କାମ କରୁନଥିଲେ । ପରେ ଜାଣିଲି ପରିବାର ଲୋକେ ଅଫିସରେ ମହିଳା କାମ କରିବା ସପକ୍ଷରେ ନାହାନ୍ତି । ମୋ ସ୍ୱାମୀ ବିଜୟ ମଧ୍ୟ ପ୍ରଥମେ ଏହା ଚାହୁଁନଥିଲେ । ହେଲେ ମୋ ଶାଶୁ ମହିଳା ଅଫିସରେ କାମ କରିବା ସପକ୍ଷରେ ଥିଲେ । ସେ ସବୁବେଳେ କହୁଥିଲେ, ଯଦି ତୁମେ ଜଣେ ଶିକ୍ଷିତ ମହିଳାଙ୍କୁ ବିବାହ କରୁଛ, ତାଙ୍କୁ ଚାକିରୀ କରିବାର ସୁଯୋଗ ଦିଅ । ଘର କାମ ଆଳରେ ଏକପାଖିଆ ଭାବେ ତାଙ୍କୁ ଘରେ ରଖିବା ଠିକ୍ ନୁହେଁ । ତେବେ ଶାଶୂଘରେ ଆଗରୁ ରହି ଆସିଥିବା ଧାରାକୁ ସୁଷମା ଭାଙ୍ଗିଥିଲେ । ପରିବାରର ପ୍ରଥମ ମହିଳା ଭାବେ ସେ ଅଫିସକୁ ଗଲେ । କିଛି ଦିନ ପର୍ଯ୍ୟନ୍ତ କାରବାର ସେତେ ଭଲ ହେଉନଥିଲା । ପରେ ସେ ସବୁ ବିଜନେସରେ ସବୁ ଛୋଟ ଛୋଟ ଜିନିଷକୁ ଜାଣିବାକୁ ଚେଷ୍ଟା କଲେ ଓ ଆଗକୁ ସଫଳତାର ପାଦ ପକାଇଥିଲେ ।

ତେବେ ସୁଷମା କୁହନ୍ତି, ସବୁ କିଛି ଏତେ ସହଜ ନଥିଲା । ଅଫିସ ଓ ଘର ମଧ୍ୟରେ ସମନ୍ୱୟ ରଖିବା ବହୁତ କଷ୍ଟ ହେଉଥିଲା । ଏମିତିକି ଅଫିସରେ ଥିବା ଗୁରୁତ୍ୱପୂର୍ଣ୍ଣ ମିଟିଂ ମଝିରେ ବି ପିଲାଙ୍କୁ ପଢାଇଛି ଓ ବୋର୍ଡ ରୁମରେ ସେମାନଙ୍କ ହୋମୱର୍କ ଦେଖିଛି । କଷ୍ଟ ନ କଲେ ଜୀବନର ସବୁ କ୍ଷେତ୍ରରେ ଆଗକୁ ଯାଇ ହୁଏନି। ଏଥିରେ ଉଭୟ ସଫଳତା ଓ ବିଫଳତା ଲାଗି ରହିଥାଏ ଓ ଏହି ଯାତ୍ରାର କେବେ ଶେଷ ନଥାଏ ।

ସୁଷମାଙ୍କ ମତରେ ଜୀବନର ୩ ମନ୍ତ୍ର ହେଉଛି:

୧-ନିଜ ଉପରେ ବିଶ୍ୱାସ ରଖ ଓ ପ୍ରଥମେ ନିଜକୁ ଶୁଣ

୨-କେବେ ଟଙ୍କା ପଛରେ ଗୋଡାଅନି, ନିଜର ବିଜନେସ୍ ମଡେଲ ଠିକ୍ କର; ତା ପରେ ଟଙ୍କା ତୁମ ପଛରେ ଗୋଡାଇବ

୩- ବିଫଳତାରେ ଭାଙ୍ଗି ପଡନି । ନିଜ ଚେଷ୍ଟା ଜାରି ରଖିଲେ ସଫଳତା ହାତରେ ଲାଗିବ