ଗଞ୍ଜାମର ଏକ ଗାଁ : ହ୍ୱିସିଲ୍ ବଜେଇ ହାସଲ ହେଲା ପୂର୍ଣ୍ଣ ପରିମଳ

0

ସେପ୍ଟେମ୍ବର ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ । ଦେଶକୁ ସ୍ୱଚ୍ଛ ରଖିବା ସହ ପରିବେଶକୁ ସୁସ୍ଥ ରଖିବା ଓ ପରିମଳ ପ୍ରତି ବିଶେଷ ଧ୍ୟାନ ଦେବାକୁ ସେ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଅଭିଯାନ ଆଜି ଗାଁ ଗାଁରେ ଲୋକମାନଙ୍କୁ ପ୍ରୋତ୍ସାହିତ କରି ପାରିଛି । ଆଜି ଆମେ ସେମିତି ଏକ ଗାଁର କାହାଣୀ ବିଷୟରେ ଆମେ ଜାଣିବା ।

ଆରତୀ ବେହେରା, ଅନୁସୂୟା ସାହୁ, ରାଜଲକ୍ଷ୍ମୀ ସେଠୀ, ଅମୂଲ୍ୟ ବେହେରା ଏକ ସ୍ୱୟଂ ସହାୟକ ଗୋଷ୍ଠୀ ‘ହ୍ୱିସିଲ୍ ବାହିନୀ’ର କର୍ମୀ । ଓଡିଶାର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ବ୍ଲକର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀରୁ ଏହି ମହିଳାମାନଙ୍କୁ ଚୟନ କରାଯାଇ ହ୍ୱିସିଲ୍ ବାହିନୀ ଗଠନ କରାଯାଇଥିଲା । ଖୋଲାରେ ମଳତ୍ୟାଗକୁ ଅଟକାଇବା ପାଇଁ ଏହି ବାହିନୀ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଥିଲା ।

ହ୍ୱିସିଲ୍ ବାହିନୀର ମହିଳାମାନେ ଘରକାମ ଛାଡି ପ୍ରତ୍ୟେହ ସକାଳ ୪ଟାରୁ ୬ଟା ଏବଂ ସନ୍ଧ୍ୟା ୪ଟାରୁ ୮ଟା ପର୍ଯ୍ୟନ୍ତ ଦଳରେ ବିଭକ୍ତ ହୋଇ ବ୍ଲକ୍ ମୁଖ୍ୟାଳୟକୁ ସଂଯୋଗ କରୁଥିବା ବିଭିନ୍ନ ଗାଁର ମୁଖ୍ୟ ରାସ୍ତା କଡକୁ ଜଗି ରହନ୍ତି । ଗାଁ ଲୋକମାନେ ଖୋଲାରେ ମଳତ୍ୟାଗ କରିବା ପାଇଁ ଏହି ରାସ୍ତା କଡକୁ ପ୍ରାୟତଃ ବ୍ୟବହାର କରିଥା’ନ୍ତି । ଏଣୁ ହ୍ୱିସିଲ୍ ବାହିନୀ ସକାଳେ ସଞ୍ଜେ ଏ ରାସ୍ତା କଡରେ ଗୋଟିଏ ଲେଖାଏଁ ହ୍ୱିସିଲ୍ ଧରି ଜଗି ରହି ଥା’ନ୍ତି । ଲୋକଙ୍କୁ ଖୋଲାରେ ମଳତ୍ୟାଗ କରିବାରୁ ସେମାନେ ଅଟକାଇଥାଆନ୍ତି । କେହି ସେମାନଙ୍କ କଥା ନଶୁଣିଲେ ହ୍ୱିସିଲ୍ ବଜାଇ ସେମାନଙ୍କୁ ଭର୍ତ୍ସନା କରନ୍ତି । ଖାଲି ଏତିକି ନୁହେଁ ଅନ୍ୟ ସମୟରେ ଗାଁ ଲୋକମାନଙ୍କୁ ଘରେ ପାଇଖାନା ତିଆରି କରିବାକୁ ମଧ୍ୟ ଏହି ବାହିନୀର ମହିଳାମାନେ ବୁଝାଇ ଥାଆନ୍ତି ।

ହ୍ୱିସିଲ୍ ବାହିନୀର ଅନ୍ୟତମ ସଦସ୍ୟା ଆରତୀ କୁହନ୍ତି, “ଆମ ଅଂଚଳରେ ଖୋଲାରେ ମଳତ୍ୟାଗ କରିବା ଏକ ସାଧାରଣ ଏବଂ ଲମ୍ବା ସମସ୍ୟା । ସରକାରୀ ଅଫିସ୍ ଓ ଏକ କଲେଜ ଥିଲା ମୁଖ୍ୟ ରାସ୍ତା କଡରେ ଲୋକମାନେ ପ୍ରତ୍ୟେହ ମଳତ୍ୟାଗ କରୁଥିବାରୁ ଏହି ରାସ୍ତା ଦେଇ ଯିବା ଆସିବା କରିବା ଅସହ୍ୟ ହୋଇ ପଡେ । ଏଣୁ ଆମେ ଏହି ସମସ୍ୟାର ସମାଧାନ କରିବାକୁ ଚିନ୍ତା କଲୁ । ଆମେ ପରିମଳର ଅର୍ଥ ବୁଝିଛୁ । ଏଣୁ ଅନ୍ୟମାନଙ୍କୁ ଏହାର ଅର୍ଥ ବୁଝାଇବାକୁ ଚେଷ୍ଟା କରୁଛୁ ।

ୟୁନିସେଫ୍ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ଗ୍ରାମାଂଚଳମାନଙ୍କରେ ହେଉଥିବା ମୃତ୍ୟୁର ୮୮ ଶତକଡା ଅସ୍ୱାସ୍ଥ୍ୟକର ପରିବେଶ ଓ ପରିମଳର ଅଭାବ କାରଣରୁ ହୋଇଥାଏ । ଏଣୁ ପରିମଳ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବହନ କରେ । ୨୦୧୧ ଜନଗଣନା ହିସାବରେ ଓଡିଶାର ଗ୍ରାମାଂଚଳର ୮୫.୯ ଶତକଡା ପରିବାର ନିକଟରେ ଆଜି ବି ପାଇଖାନା ନାହିଁ । ସେହିପରି ଗଞ୍ଜାମ ଅଧୀନରେ ଥିବା ଗ୍ରାମାଂଚଳର ୮୦.୯ ଶତକଡା ଅର୍ଥାତ୍ ପାଖାପାଖି ୬ ଲକ୍ଷ ପରିବାର ଆଜି ବି ଖୋଲାରେ ମଳତ୍ୟାଗ କରି ଥାନ୍ତି । ସେହିପରି ଜଗନ୍ନାଥ ପ୍ରସାଦ ବ୍ଲକରେ ମାତ୍ର ୧୫ ଶତକଡା ଲୋକଙ୍କ ଘରେ ପାଇଖାନା ରହିଛି । ଏହି ବ୍ଲକର ଅଧିକାଂଶ ଲୋକ ମୁଖ୍ୟ ରାସ୍ତା କଡରେ ହିଁ ମଳତ୍ୟାଗ କରିଥାନ୍ତି । ରାସ୍ତା କଡରେ ପଂଚାୟତ ଅଫିସ୍ ଠୁ ଆରମ୍ଭ କରି, ପ୍ରାଥମିକ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କଲେଜ, ଶିଶୁ ଉନ୍ନୟନ ଅଫିସ୍, ଗ୍ରାମ୍ୟ ଉନ୍ନୟନ ଅଫିସ୍, କ୍ଷୁଦ୍ର ଜଳସେଚନ ଅଫିସ୍ ଓ ପେଟ୍ରୋଲ୍ ପମ୍ପ ଆଦି ରହିଛି । ପ୍ରତ୍ୟେହ ପାଖାପାଖି ୧୦୦୦ ଛାତ୍ରଛାତ୍ରୀ ଓ ୫୦୦-୬୦୦ ଲୋକ ଏହି ରାସ୍ତା ଦେଇ ଯାତାୟାତ କରିଥା’ନ୍ତି । ଲୋକମାନେ ଖୋଲାରେ ମଳତ୍ୟାଗ କରୁଥିବାରୁ ଏହି ରାସ୍ତା ଦେଇ ଯିବା ଆସିବା କରିବା କଷ୍ଟକର । ଦୁର୍ଗନ୍ଧ କାରଣରୁ ଏପଟେ ଯିବା ଅସହ୍ୟ ହୋଇପଡେ । 

ଏହି ବ୍ଲକରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ଏକ ଫେଡେରେସନ୍ ବିମାସର ପ୍ରୋଜେକ୍ଟ ଅଫିସର ଦାଶରଥୀ ତ୍ରୀପାଠୀଙ୍କ ମତରେ “ସବୁ ଅଂଚଳ ପରି ଆମ ଅଂଚଳରେ ମଧ୍ୟ ପୂର୍ଣ୍ଣ ପରିମଳର ଆବଶ୍ୟକତା ରହିଛି । ଅନେକ ବର୍ଷ ଧରି ଆମ ଅଂଚଳର ଲୋକମାନେ ଡାଇରିଆ ଓ ମ୍ୟାଲେରିଆ ଭଳି ମହାମାରୀରେ ଆକ୍ରାନ୍ତ ହେଉଥିବା ନଜରକୁ ଆସିଛି । ଆମ ଅଂଚଳରେ କାର୍ଯ୍ୟରତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସେମାନଙ୍କ ପରିବାରର ଅସୁସ୍ଥ ବ୍ୟକ୍ତି ମାନଙ୍କର ମେଡିକାଲ୍ ବିଲ୍ ଦେବା ପାଇଁ ସବୁବେଳେ ଆମଠାରୁ କରଜ ନିଅନ୍ତି । ଯେଉଁ ଟଙ୍କା ସେମାନେ ଚିକିତ୍ସାରେ ବ୍ୟୟ କରୁଛନ୍ତି, ସେଥିରେ ସେମାନେ ସହଜରେ ମଶାରୀ କିଣି ପାରିବେ । ସଫା ପାଣି ପିଇ ପାରିବେ । ପାଇଖାନା ନିର୍ମାଣ କରି ପାରିବେ । ଏଣୁ ଆମେ ହ୍ୱିସିଲ୍ ବାହିନୀ ଗଠନ କରିବାକୁ ଚିନ୍ତା କଲୁ ।”

ଜଗନ୍ନାଥ ପ୍ରସାଦ ବ୍ଲକରେ ପାଖାପାଖି ୧୨୫୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ରହିଛି, ଯେଉଁଥିରେ ୧୬,୬୦୦ କର୍ମୀ ରହିଛନ୍ତି । ଏତେ ସଂଖ୍ୟକ ମହିଳାମାନଙ୍କ ମଧ୍ୟରୁ ବାଛି ବାଛି ହ୍ୱିସିଲ୍ ବାହିନୀ ପ୍ରସ୍ତୁତ କରାଯାଇଛି । କେବଳ ହ୍ୱିସିଲ୍ ବଜାଇ ଖୋଲାରେ ମଳତ୍ୟାଗକୁ ଭର୍ତ୍ସନା କରିବା ନୁହେଁ ବରଂ ଘର ଘର ବୁଲି ପାଇଖାନା ନିର୍ମାଣ କରିବାକୁ ସଚେତନ କରାଇବା ମଧ୍ୟ ହ୍ୱିସିଲ୍ ବାହିନୀର କାର୍ଯ୍ୟ ଅନ୍ତର୍ଗତ । ଯେତେବେଳେ ଲୋକମାନେ କିଛି ବୁଝିଲେ ନାହଁ, ସେତେବେଳେ ହ୍ୱିସିଲ୍ ବାହିନୀ ସେମାନେ ମଳତ୍ୟାଗ କରୁଥିବା ଜାଗାରେ ପବିତ୍ର ତୁଳସୀ ଗଛ ଲଗାଇବା ଆରମ୍ଭ କଲେ । ପାଖାପାଖି ୧୦୦୦ଟି ତୁଳସୀ ଚାରା ମୁଖ୍ୟ ରାସ୍ତାର କଡରେ ଲଗାଗଲା । ଯେହେତୁ ଲୋକମାନେ ଏହି ଗଛକୁ ପୂଜା କରନ୍ତି, ଏଣୁ ସେମାନେ ଏଥର ସେଠାରେ ମଳତ୍ୟାଗ କରୁବାକୁ ପଶ୍ଚାଦପଦ ହେଲେ । ମାତ୍ର ମାସକ ମଧ୍ୟରେ ଲୋକମାନଙ୍କ ସଂଖ୍ୟା କମିବାକୁ ଲାଗିଲା ।

କିନ୍ତୁ ଏହା ସଙ୍ଗେ ସଙ୍ଗେ ଆଉ ଏକ ସମସ୍ୟା ଉପୁଜିବାକୁ ଲାଗିଲା । ମୁଖ୍ୟ ରାସ୍ତା କଡରେ ମଳତ୍ୟାଗ ନକଲେ, ସେମାନେ କେଉଁଠାକୁ ଯିବେ । ଏଥିପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକ ଅନାବାଦୀ ଜାଗାଗୁଡିକୁ ବାଛିଲେ । ଏହି ସମୟ ମଧ୍ୟରେ ସେମାନେ ଲୋକଙ୍କୁ ଘରେ ପାଇଖାନା ତିଆରି କରିବାକୁ ମଧ୍ୟ ପ୍ରୋତ୍ସାହିତ କଲେ । ନିର୍ମଳ ଭାରତ ଅଭିଯାନ ସହାୟତାରେ ବିମାସ୍ ଗ୍ରାମବାସୀଙ୍କ ତରଫରୁ ବ୍ଲକ୍ ଉନ୍ନୟନ ଅଫିସରଙ୍କ ପାଖରେ ଦରଖାସ୍ତ ଦେଇ ପାଇଖାନା ପାଇଁ ଆବେଦନ କଲେ । ସରକାରଙ୍କ ତରଫରୁ ସହାୟତା ମିଳିଲା । ଘରେ ଘରେ ପାଇଖାନା ତିଆରି ହେଲା । ଲୋକମାନେ ଏବେ ଖୋଲାରେ ମଳତ୍ୟାଗ କରିବାକୁ ପସନ୍ଦ କରୁ ନାହାନ୍ତି ।

ତେବେ ହ୍ୱିସିଲ୍ ବାହିନୀ ଏବେ ବି କାର୍ଯ୍ୟରତ । ସେମାନେ ଏବେ ବି ସକାଳେ ସଞ୍ଜେ ସେହି ମୁଖ୍ୟ ରାସ୍ତାରେ ପହରା ଦେଉଛନ୍ତି ଏବଂ ଲୋକଙ୍କୁ ପାଇଖାନା ବ୍ୟବହାର କରିବାକୁ ସଚେତନ କରୁଛନ୍ତି ।