“କେବେ ବି କେଉଁଠି ବି” – ଚିନ୍ତାଧାରାର ପ୍ରବର୍ତ୍ତକ ଭାରତର ବିଶ୍ଵସ୍ତରୀୟ ଉଦ୍ୟୋଗୀ ଉଦୟ ରେଡି

“କେବେ ବି କେଉଁଠି ବି” – ଚିନ୍ତାଧାରାର ପ୍ରବର୍ତ୍ତକ ଭାରତର ବିଶ୍ଵସ୍ତରୀୟ ଉଦ୍ୟୋଗୀ ଉଦୟ ରେଡି

Saturday January 02, 2016,

4 min Read

ସାରା ଦୁନିଆକୁ ଲାଇଭ ଟିଭି ଓ କ୍ୟାଚଅପ ଟିଭି ବିଷୟରେ ଜଣେଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ୟପ ଟିଭି ର ପ୍ରତିଷ୍ଠାତା ଉଦୟ ରେଡି।ଦେଶର ଦୁର୍ଗମ ଗ୍ରାମାଞ୍ଚଳରେ ବୈଷୟିକ ଜ୍ଞାନ ସହାୟତାରେ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସୁବିଧା ପହଞ୍ଚାଇବା ପାଇଁ ସେ ପ୍ରୟାସରତ।

image


ଦୁନିଆରେ ଦୁଇ ପ୍ରକାରର ଲୋକ ଥାଆନ୍ତି। ପ୍ରଥମ ପ୍ରକାରର ଲୋକେ ପ୍ରତିଷ୍ଠା ପଛରେ ଦଉଡନ୍ତି ତ ଦ୍ଵିତୀୟ ପ୍ରକାର ଲୋକଙ୍କ ପଛରେ ପ୍ରତିଷ୍ଠା ଦଉଡେ। ଏ ଦ୍ଵିତୀୟ ପ୍ରକାରର ଲୋକେ ସବୁବେଳେ ନିଜ କାମକୁ ପ୍ରାଥମିକତା ଦିଅନ୍ତି ଆଉ ତାଙ୍କ କାମ ହିଁ ଦୁନିଆ ଆଗରେ ତାଙ୍କର ଅଲଗା ତଥା ନିଆରା ପରିଚୟ ତିଆରି କରେ। ଏମାନଙ୍କ ଜୀବନ ରାସ୍ତାରେ କଣ୍ଟା ଅନେକ ଥାଏ ହେଲେ କଣ୍ଟା ଭୟରେ ଏମାନେ ଚାଲିବା ଛାଡନ୍ତି ନାହିଁ। ଆଉ ଏମିତି ଜଣେ ନିଆରା ମଣିଷ ହେଲେ ୟପ ଟିଭିର ପ୍ରତିଷ୍ଠାତା ଉଦୟ ରେଡି। ବୈଷୟିକ ଦୁନିଆରେ ସେ ନିଜ ପାଇଁ ସୃଷ୍ଟି କରିଛନ୍ତି ଗୋଟିଏ ଇର୍ଷଣୀୟ ସ୍ଥାନ। ଇଣ୍ଟରନେଟ ବ୍ୟବହାର କରି ଦୁନିଆର ଯେକୌଣସି କୋଣରେ ଯେକୌଣସି ସମୟରେ ଦୂରଦର୍ଶନ ବା ଟେଲିଭିଜନକୁ ପହଞ୍ଚାଇବା ଦିଗରେ ଉଦୟଙ୍କ ପ୍ରୟାସ ଗୋଟିଏ ନୂତନ ଆଶା ଓ ଦିଗନ୍ତକୁ ରୂପରେଖ ଦେଇଛି।

image


ହାଇଦ୍ରାବାଦରୁ ୧୪୦ କିଲୋମିଟର ଦୂରରେ ଛୋଟିଆ ସହରଟେ ହମମକୋଣ୍ଡା। ଆଉ ସେଇ ସହରର ଗୋଟେ ମଧ୍ୟବିତ୍ତ ପରିବାରରେ ଉଦୟଙ୍କ ଜନ୍ମ। ଛୋଟ ବେଳଠୁ ସ୍ଵପ୍ନ ଥିଲା ଭାରତୀୟ ପ୍ରସାଶନିକ ସେବାରେ ଯୋଗ ଦେବା ପାଇଁ। ପିଲାଦିନର ଲକ୍ଷ୍ୟ ଥିଲା ଜିଲ୍ଲାପାଳ ଭାବେ ନିଜ କାମ କରୁଥିବା ବେଳେ ନିଜ ଗାଁ ଭଳି ଭାରତର ସବୁ ଗାଁର ଚେହେରା ବଦଳେଇବା। ପ୍ରତି ଗାଁ ର ଦୁଇଟି ମୁଖ୍ୟ ସମସ୍ୟା ରହିଛି। ଗୋଟିଏ ଶିକ୍ଷା ଆଉ ଗୋଟିଏ ସ୍ୱାସ୍ଥ୍ୟ। YourStoryକୁ ଏହା ଉପରେ ନିଜ ମତାମତ ଦେଇ ଉଦୟ କୁହନ୍ତି ,” ପ୍ରଶାସନିକ ସେବାରେ ଯୋଗ ଦେବା ମୂଳରୁ ମୋ ଲକ୍ଷ୍ୟ ଥିଲା। ମୋ ପରିବାର ଲୋକେ ବି ଏହା ଚାହୁଁଥିଲେ। ପିଲା ବେଳଠୁ ଗ୍ରାମ୍ୟ ଜୀବନର ସମସ୍ୟା ଉପରେ ମୋର ପ୍ରତ୍ୟକ୍ଷ ଅନୁଭୂତି ଥିଲା। ସେମାନଙ୍କ ପାଇଁ କିଛି କରିବାକୁ ମୋର ଆନ୍ତରିକ ଇଚ୍ଛା ବି ଥିଲା। DCEରୁ ଇଞ୍ଜିନିୟରିଙ୍ଗ ଶେଷ କଳା ପରେ ସିମେନ୍ସ କମ୍ପାନୀରେ ମୋର ଚୟନ ହୋଇଥିଲା। ଭାବିଥିଲି ବର୍ଷେ କାମ କଲା ପରେ ପ୍ରସାଶନିକ ସେବା ପାଇଁ ପ୍ରସ୍ତୁତି ଆରମ୍ଭ କରିବି। ଆଉ ସେଇ ସମୟରେ ହିଁ ଭାରତରେ ଡିଜିଟାଲ କ୍ରାନ୍ତିର ଆରମ୍ଭ ହେଉଥିଲା ଆଉ ଲୋକେ ଏହା ଉପରେ ନୂଆ ନୂଆ ପ୍ରୟୋଗ କରିବା ଆରମ୍ଭ କରୁଥିଲେ। ଆଉ ଏହା ହିଁ ମୋ ଜୀବନର ଘଡିସନ୍ଧି ମୂହୁର୍ତ୍ତ ଥିଲା।“

image


ଯିଏ ଭିନ୍ନ କିଛି କରିପାରିବାର ସାମର୍ଥ୍ୟ ଓ ସ୍ଵପ୍ନ ରଖିଥାଏ ତାକୁ ଉଚ୍ଚ ବେତନର ଚାକିରି ବୋଧ ହୁଏ ବେଶୀ ଦିନ ବାନ୍ଧି ରଖି ପାରେନା। ଆଉ ଠିକ ସେମିତି ହିଁ କିଛି ଘଟି ଥିଲା ଉଦୟଙ୍କ ସହ। ନିଜ ସ୍ଵପ୍ନକୁ ନୂଆ ଡେଣା ଦେବାକୁ ସେ ସ୍ଥିର କରି ସାରିଥିଲେ। ୨୦୦୬ ମସିହାରେ ସେ ୟପ ଟିଭି ର ପ୍ରତିଷ୍ଠା ଆମେରିକାରେ କଲେ। କୌଣସି ପ୍ରକଳ୍ପ ଆରମ୍ଭ କରିବା ଏତେ ସହଜ ନୁହେଁ। ଏଥିପାଇଁ କେବଳ ପୁଞ୍ଜି ନୁହେଁ ଗୋଟିଏ ପରିପକ୍ଵ ବିଚାରଧାରା ଓ ସଠିକ ବ୍ୟବସ୍ଥାପନା ଶୈଳୀର ଆବଶ୍ୟକତା ରହିଛି। ଏହା ଉପରେ ମତ ରଖି ଉଦୟ କୁହନ୍ତି “ ମୁଁ ମୋର ପ୍ରଥମ ଅଫିସ ଆମେରିକାରେ ହିଁ ଆରମ୍ଭ କରିଥିଲି। ହେଲେ ଏହି ଚିନ୍ତାଧାରା ଆମେରିକା ପାଇଁ ବି ନୂଆ ଥିଲା। ବ୍ରଡବ୍ୟାଣ୍ଡ ଏତେ ବହୁଳ ଭାବେ ଉପଲବ୍ଧ ନଥିଲା। ମୁଁ ଚାହୁଁଥିଲି ବ୍ରଡବ୍ୟାଣ୍ଡ ସେବାର ସହାୟତା ନେଇ ଲାଇଭ ଟିଭି କୁ ବହୁଳ ଭାବେ ଉପଲବ୍ଧ କରାଇବା ପାଇଁ। ଆଉ ମୋ ମନ ଭିତରେ “କେଉଁଠି ବି ଆଉ କେବେ ବି”ର ଭାବନା ମଧ୍ୟ ଥିଲା। ଏବେ ଯଦି ଟିଭିରେ କୌଣସି କାର୍ଯ୍ୟକ୍ରମ ଦେଉଛି ଓ ତାହାକୁ ଉପଭୋକ୍ତା ଦେଖି ପାରୁ ନାହିଁ ତାହାଲେ ସେ ତାକୁ ପରେ କେମିତି ଦେଖିପାରିବ ସେ ଚିନ୍ତା ମଧ୍ୟ ମୋ ମନ ଭିତରେ ଥିଲା। ଆଉ ଏ ସବୁର ଫଳଶ୍ରୁତି ହେଉଛି ଲାଇଭ ଟିଭି”

image


ସଫଳତାର ରାସ୍ତା ଉଦୟଙ୍କ ପାଇଁ ଏତେ ସହଜ ନଥିଲା। ଆଉ ଭାରତରେ ତ ଏହି ଧାରଣା ସେତେବେଳେ ଗୋଟେ ସ୍ଵପ୍ନ ଭଳି ହିଁ ଥିଲା। ହେଲେ ଉଦୟ ସଫଳତା ପାଇଁ ସବୁଠାରୁ ସହଜ ରାସ୍ତା ହିଁ ବାଛି ଥିଲେ। ତାହା ହେଉଛି କଠିନ ପରିଶ୍ରମ। ଲାଇଭ ଟିଭି ର ସତ୍ଵାଧିକାର ସେତେବେଳେ ଆମେରିକାର ଗୋଟିଏ କମ୍ପାନୀ ପାଖରେ ହିଁ ଥିଲା। ଆଉ ଏହାର ସହଯୋଗୀ ଅତ୍ୟନ୍ତ ଏକଚାଟିଆ ବ୍ୟବହାର ଦେଖାଉଥିଲେ। ଏହା ଉପରେ ମତ ଦେଇ ଉଦୟ କୁହନ୍ତି “ ଏଥି ପାଇଁ ଆମକୁ କିଛି ସମୟ ମିଳିଥିଲା। ଏହି ସମୟରେ ଆମେ ଗ୍ରାହକ ମାନଙ୍କ ପାଖରେ ପହଞ୍ଚିଲୁ ଆଉ ସେମାନଙ୍କୁ ବୁଝେଇବା ପାଇଁ ସମସ୍ତ ପ୍ରୟାସ କଲୁ। ଏହି ନୁଆ ଚିନ୍ତାଧାରା ପାଇଁ ଏତେ ଗ୍ରାହକ ସଚେତନତା ନଥିଲା। ୨୦୧୦ରେ ମୁଁ ନିଜ ଘର ବିକ୍ରି କଲି ଆଉ କିଛି ବନ୍ଧୁଙ୍କ ଠାରୁ ରୃଣ ନେଇ ବ୍ୟବସାୟକୁ ବଢେଇବା ପାଇଁ ଚେଷ୍ଟା କଲି।” ଆଜି କେବଳ ଆମେରିକା ନୁହେଁ ବିଶ୍ଵର ଅନେକ ଦେଶରେ ୧୩ ଟି ଭାଷାର ପ୍ରାୟ ୨୦୦ଟେଲିଭିଜନ ଚ୍ୟାନେଲ ପାଇଁ ଏହି ସେବା ଉପଲବ୍ଧ।

ସଫଳତା ଉଦୟଙ୍କ ଠାରୁ ତାଙ୍କ ବିନମ୍ରତାକୁ ଅଲଗା କରିପାରିନି। ସେ ନିଜ ସଫଳତାକୁ ନେଇ ଖୁସି। ହେଲେ ଏକଥା ମଧ୍ୟ ତାଙ୍କ ମନ ଭିତରେଅଛି ଯେ ଆଗକୁ ଅନେକ ରାସ୍ତା ବାକି ଅଛି। ଏଥିପାଇଁ ସେ ନିଜ ପରିବାରକୁ ସମ୍ପୂର୍ଣ ସମୟ ଦେଇ ପାରୁ ନାହାନ୍ତି। ଏକଥା ସତ ଯେ ସେ ନିଜ ପିଲାଦିନର ସ୍ଵପ୍ନ “ଭାରତୀୟ ପ୍ରସାଶନିକ” ସେବା ଠାରୁ ଦୂରେଇ ଯାଇଛନ୍ତି। ଏହାର ଉତ୍ତର ଦେଇ ଉଦୟ କୁହନ୍ତି “ଆଜି ବି ସେ ଏହି ସ୍ଵପ୍ନ ପାଇଁ କାମ କରୁଛନ୍ତି। ଲୋକଙ୍କ ସମସ୍ୟାର ସମାଧାନ ହିଁ ତାଙ୍କ ପ୍ରାଥମିକତା। ଏବେ ସେ ଗୋଟିଏ ଗାଁରେ ନିଜ କମ୍ପାନୀର CSR କାମ ଆରମ୍ଭ କରିଛନ୍ତି। ଏଠାରେ ସେ ଟେଲି ମେଡ଼ିସିନ ମାଧ୍ୟମରେ ଛୋଟ ଛୋଟ ରୋଗର ନିଦାନ ଓ ସରଳ ଉପାୟରେ ଶିକ୍ଷାଦାନ ବିଷୟରେ କାମ କରୁଛନ୍ତି”। ଏହା ଭବିଷ୍ୟତରେ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ପାରିବ ବୋଲି ସେ ଆଶା ରଖିଛନ୍ତି।

ମୂଳ ଲେଖା - ଅରବିନ୍ଦ ଯାଦବ

ଭାଷାନ୍ତର - ପରଂବ୍ରହ୍ମ ତ୍ରିପାଠୀ