ସ୍ମାର୍ଟ ସହର ଭୁବନେଶ୍ୱର: ଆଗକୁ ଆସୁଛି ୬ଟି ଅତ୍ୟାଧୁନିକ ମଲ୍

ସ୍ମାର୍ଟ ସହର ଭୁବନେଶ୍ୱର: ଆଗକୁ ଆସୁଛି ୬ଟି ଅତ୍ୟାଧୁନିକ ମଲ୍

Thursday February 18, 2016,

4 min Read

image


ବଦଳୁଛି ଭୁବନେଶ୍ୱରର ଚେହେରା, ଆଉ ତା ସାଙ୍ଗରେ ତାଳ ଦେଇ ବଦଳୁଛି ଭୁବନେଶ୍ୱର ବାସୀଙ୍କ ଜୀବନଶୈଳୀ । ଏଠାରେ ବିଗ୍ ବଜାର, ରିଲାଏନ୍ସ, ଦି ୱାର୍ଲଡ, ପଲ୍ ହାଇଟ୍ସ, ପାଣ୍ଟାଲୁନ୍ସ ଭଳି ଛୋଟବଡ଼ ୨୦ରୁ ଅଧିକ ସପିଂ ମଲ୍ ରହିଛି । ଏସବୁ ମଲରେ ଗୋଟିଏ ସ୍ଥାନରେ ଖାଦ୍ୟସାମଗ୍ରୀ, ବସ୍ତ୍ର ଠାରୁ ଆରମ୍ଭ କରି ବୈଦ୍ୟୁତିକ ଉପକରଣ ପର୍ଯ୍ୟନ୍ତ ବିଭିନ୍ନ କିସମର ସାମଗ୍ରୀ ମିଳୁଛି ।

ତେବେ ଭୁବନେଶ୍ୱରରେ ଏକାଧିକ ସିନେମା ଗୃହ (ମଲ୍ଟିପ୍ଲେକ୍ସ), ଗେମିଂ ଜୋନ୍, ଖାଦ୍ୟ ପସରା ସାଙ୍ଗକୁ କିଣାବିକାର ସମସ୍ତ ସୁବିଧା ଥିବା ଭଳି ମଲ୍ ମାତ୍ର ଗୋଟିଏ ରହିଛି । ତାହା ହେଉଛି ସହିଦ ନଗରରେ ଥିବା ବିଏମସି ଭବାନୀ ମଲ୍ । ଏଠାରେ ଆଇନକ୍ସର ୩ଟି ସିନେମା ଘର ଥିବା ବେଳେ, ୭ଡି ସିନେମା ଥିଏଟର, ଭୋଜନାଳୟ, ଗେମିଂ ଜୋନ୍, ଜିମ୍ ସମେତ ସମସ୍ତ ପ୍ରକାର ଉପଭୋକ୍ତା ସାମଗ୍ରୀ ଉପଲବ୍ଧ ହେଉଛି । ଭୁବନେଶ୍ୱରର ଚାହିଦା ମେଣ୍ଟାଇବାରେ ଏହି ଗୋଟିଏ ମଲ୍ ସଫଳ ହେଉ ନଥିବା ବେଳେ ଏବେ ନିର୍ମାଣ ଚାଲିଛି ଆଉ ୬ଟି ଅତ୍ୟାଧୁନିକ ମଲ୍ । ଆଗାମୀ ୨ ବର୍ଷ ମଧ୍ୟରେ ଏସବୁ ମଧ୍ୟରୁ ୪ଟି ସମ୍ପୂର୍ଣ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି ।

ପଢନ୍ତୁ - ଅକ୍ସଫୋର୍ଡରେ ଓଡ଼ିଶୀ : ବୈଶାଳୀ ମହାନ୍ତିଙ୍କ ଅଭିନବ ଉଦ୍ୟମ

ଉତ୍ତର ଭୁବନେଶ୍ୱର ବା ଚନ୍ଦ୍ରଶେଖରପୁର ଅଞ୍ଚଳରେ ଆଦୌ ସିନେମା ଘର ନଥିବା ବେଳେ ଏ ଅଞ୍ଚଳରେ ଦୁଇଟି ଅତ୍ୟାଧୁନିକ ମଲ ନିର୍ମାଣ ଚାଲିଛି । ଜାତୀୟ ରାଜପଥ ଦାଢ଼ରେ ୩ଟି ମଲ୍ ନିର୍ମାଣାଧୀନ ଥିବା ବେଳେ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଗୋଟିଏ ନିର୍ମାଣ ହେଉଛି । ବର୍ତ୍ତମାନ ଆଇନକ୍ସ ସମେତ ଭୁବନେଶ୍ୱରରେ ୧୧ଟି ସିନେମା ଘର ଥିବା ବେଳେ ୬ଟି ଅତ୍ୟାଧୁନିକ ମଲ ନିର୍ମାଣ ଅନ୍ତେ ଏ ସଂଖ୍ୟା ୩୦ ଟପିଯିବ ବୋଲି ଅନୁମାନ କରାଯାଉଛି ।

ସିମ୍ଫୋନି ମଲ୍, ପାହାଳ (Symphony Mall)

image


ଉର୍ଜିତା ପ୍ରୋଜେକ୍ଟ୍ସ ଓ ଟ୍ରାଇଡେଣ୍ଟ ପ୍ରପର୍ଟିଜ୍ ପକ୍ଷରୁ ଭୁବନେଶ୍ୱର-କଟକ ରାସ୍ତାରେ ୧୬ ନମ୍ବର ଜାତୀୟ ରାଜପଥ ଧାରରେ ନିର୍ମାଣ ଚାଲିଛି ସିମ୍ଫୋନି ମଲ୍ । ରସୁଲଗଡ଼ ଠାରୁ ୪ କିଲୋମିଟର ଦୂରରେ ପାହାଳ ନିକଟରେ ନିର୍ମାଣାଧୀନ ଏହି ମଲରେ ଆଇନକ୍ସ ଏହାର ଦ୍ୱିତୀୟ ମଲ୍ଟିପ୍ଲେକ୍ସ ଖୋଲିବାର ସମ୍ଭାବନା ରହିଛି । 

image


ଏହାର ବେସମେଣ୍ଟରେ ଦୁଇମହଲା ବିଶିଷ୍ଟ ପାର୍କିଂ ବ୍ୟବସ୍ଥା କରାଯାଇଥିବା ବେଳେ ଏଠାରେ ୩ ମହଲା ବ୍ୟାପୀ ବିଭିନ୍ନ ବିପଣି ପସରା ଖୋଲିବ । ଗ୍ରାଉଣ୍ଡ ଫ୍ଲୋର ଏକ ପ୍ରଶସ୍ତ ମୁକୁଳା ବୁଲାଚଲା କ୍ଷେତ୍ର(Atrium) ଭାବେ ବ୍ୟବହୃତ ହେବାକୁ ଥିବା ବେଳେ ସବା ଉପର ମହଲାରେ ସିନେମା ଓ ଖାଦ୍ୟପେୟର ବିପଣି ରହିବ । ଏହି ମଲ୍ ନିର୍ମାଣ ହେଉଥିବା ସ୍ଥାନର ଚାରିପାଖେ ବ୍ୟାପକ ଆବାସ ନିର୍ମାଣ ଚାଲିଥିବା ବେଳେ ବ୍ୟାବସାୟିକ ଅଟ୍ଟାଳିକା ଓ ବହୁ କାର୍ ସୋରୁମ୍ ରହିଛି । ଏହି ପ୍ରକଳ୍ପ ୨୦୧୭ ସୁଦ୍ଧା କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି ।

ଏସପ୍ଲାନେଡ୍, ରସୁଲଗଡ଼ (Esplanade Mall)

image


ଭୁବନେଶ୍ୱରରେ ଖାରବେଳ ନଗରରେ ଫୋରମ୍ ଗ୍ରୁପର ପ୍ରଥମ ମଲ୍ ‘ଫୋରମ୍ ମାର୍ଟ’ ରହିଥିବା ବେଳେ ରସୁଲଗଡ଼ରେ ଏହାର ଦ୍ୱିତୀୟ ମଲ୍ ଫୋରମ୍ ଏସପ୍ଲାନେଡ୍ ନିର୍ମାଣ ଚାଲିଛି । ୬.୫ ଲକ୍ଷ ବର୍ଗଫୁଟ ଚଟାଣ ବିଶିଷ୍ଟ ଏହି ମଲ୍ ସ୍ମାର୍ଟ ସହରର ସବୁଠୁ ବଡ଼ ମଲ ହେବ ବୋଲି କମ୍ପାନି ୱେବସାଇଟରେ ଦାବି କରିଛି । 

image


ରସୁଲଗଡ଼ ଛକରେ ୧୬ ନମ୍ବର ଜାତୀୟ ରାଜପଥରୁ ମାତ୍ର ୨୦୦ ମିଟର ଦୂରରେ କଟକ-ପୁରୀ ପୁରୁଣା ରାସ୍ତାରେ ଏସପ୍ଲାନେଡ୍ ମଲ୍ ନିର୍ମାଣ ଚାଲିଛି । ଏଠାରେ ଏକାଧିକ ସିନେମା ଘର ସାଙ୍ଗକୁ ଜାତୀୟ ସ୍ତରରେ ପ୍ରସିଦ୍ଧି ଅର୍ଜନ କରିଥିବା ବହୁ ରିଟେଲ୍ ଚେନ୍ ମଧ୍ୟ ନିଜର ବିପଣି ଖୋଲିବେ । ଫୋରମ୍ ଏସପ୍ଲାନେଡ୍ ୨୦୧୮ ସୁଦ୍ଧା କାର୍ଯ୍ୟକ୍ଷମ ହେବ ।

ଡିଏନ୍ ମଲ୍, ତମାଣ୍ଡୋ (DN Mall)

image


ଭୁବନେଶ୍ୱରର ଭଗବାନପୁର ମୌଜା ଅଞ୍ଚଳରେ ଡିଏନ୍ ହୋମ୍ସ ପକ୍ଷରୁ ନିର୍ମାଣ ଚାଲିଛି ଡିଏନ୍ ମଲ୍ । ତମାଣ୍ଡୋ ବଜାର ଠାରୁ ମାତ୍ର ୧୦୦ ମିଟର ଦୂରତାରେ କଳିଙ୍ଗ ବିହାର ବିପରୀତ ଦିଗରେ ୧୬ ନମ୍ବର ଜାତୀୟ ରାଜପଥ ଦାଢ଼ରେ ରହିଛି ଡିଏନ୍ ମଲ୍ । 

image


୨.୭୧ ଏକର ପରିମିତ ସ୍ଥାନରେ ନିର୍ମାଣାଧୀନ ଏହି ମଲରେ ହୋଟେଲ, ଆଇଟି ପାର୍କ, ସପିଂ ମଲ୍ ସାଙ୍ଗକୁ ୩ଟି ସିନେମା ଘର ରହିବ ବୋଲି କମ୍ପାନି ୱେବସାଇଟରେ ସୂଚନା ରହିଛି । ୨୦୧୭ ଶେଷ ସୁଦ୍ଧା ଏହି ମଲ୍ ନିର୍ମାଣ ସମାପ୍ତ ହେବ ବୋଲି ଆଶା କରାଯାଉଛି ।

ଭୁବନେଶ୍ୱର ୧, ଚନ୍ଦ୍ରଶେଖରପୁର (Bhubaneswar One Mall)

image


ସୈନିକ ସ୍କୁଲ ଠାରୁ କଳିଙ୍ଗ ହସ୍ପିଟାଲ ରାସ୍ତାରେ ପ୍ରେସ ଛକ ଠାରେ ନିର୍ମାଣାଧୀନ ଭୁବନେଶ୍ୱର-୧ ହେବ ଚନ୍ଦ୍ରଶେଖରପୁର ଅଞ୍ଚଳର ପ୍ରଥମ ଅତ୍ୟାଧୁନିକ ମଲ୍ ଓ ସିନେମା ଘର । 

image


ୟୁନିଟେକ ପକ୍ଷରୁ ନିର୍ମିତ ହେଉଥିବା ୩.୫ ଲକ୍ଷ ବର୍ଗଫୁଟ ଚଟାଣ ବିଶିଷ୍ଟ ଏହି ଭୁବନେଶ୍ୱର-୧ ମଲର ବେସମେଣ୍ଟରେ ଦୁଇଥାକିଆ ପାର୍କିଂ ସ୍ଥଳ ରହୁଛି । ୬ ମହଲା ବିଶିଷ୍ଟ ଏହି ମଲର ତଳ, ପ୍ରଥମ ଓ ଦ୍ୱିତୀୟ ମହଲାରେ ସିନେମା, ମନୋରଂଜନ ଓ ବିପଣି ରହୁଥିବା ବେଳେ ତୃତୀୟ, ଚତୁର୍ଥ ଓ ପଞ୍ଚମ ମହଲା ବ୍ୟାବସାୟିକ କାର୍ଯ୍ୟାଳୟ ଭାବେ ବ୍ୟବହୃତ ହେବ । ୨୦୧୭ ସୁଦ୍ଧା ଏହି ମଲ୍ ଲୋକଙ୍କ ସେବାରେ ଲାଗିବ ।

ଗାଲେରିଆ, କଳ୍ପନା ଛକ (Galleria Mall)

image


ଉତ୍କଳ ବିଲ୍ଡର୍ସ ପକ୍ଷରୁ ନିର୍ମାଣାଧୀନ ଏହି ମଲ ହେଉଛି ପୁରୁଣା ସହରରେ ପ୍ରଥମ ମଲ୍ । କଳ୍ପନା ଛକରେ ଭୁବନେଶ୍ୱର ମହାନଗର ନିଗମ ବିପରୀତ ଦିଗରେ ଉତ୍କଳ କନିକା ଗାଲେରିଆ ମଲ୍ ନିର୍ମାଣ ଚାଲିଛି । 

image


୨.୪ ଲକ୍ଷ ବର୍ଗଫୁଟ ଚଟାଣ ବିଶିଷ୍ଟ ଗାଲେରିଆ ମଲରେ ଦୁଇଥାକିଆ ପାର୍କିଂ ବ୍ୟବସ୍ଥା ରହିଛି ଯେଉଁଠି ଏକକାଳୀନ ୨୫୦ଟି କାର୍ ରହିପାରିବ । ତଳ ମହଲା ସମେତ ଏଠାରେ ମୋଟ ୪ ମହଲା ରହିବ । ବ୍ୟାବସାୟିକ ଓ ମନୋରଂଜନ ବିପଣି ସାଙ୍ଗକୁ ଏଠାରେ ୪ଟି ସିନେମା ଘର ମଧ୍ୟ ନିର୍ମାଣ ଚାଲିଛି । ୨୦୧୭ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ।

ଡିଏଲ୍ଏଫ୍ ସାଇବର ସିଟି, ଚନ୍ଦ୍ରଶେଖରପୁର (DLF Cyber City)

image


ଚନ୍ଦ୍ରଶେଖରପୁରର କିଟ୍ ଓ ଇନଫୋସିଟି ଅଞ୍ଚଳରେ ୫୪ ଏକର ପରିମିତ ଜମିରେ ନିର୍ମାଣ ହେବାକୁ ଥିବା ଡିଏଲ୍ଏଫ୍ ସାଇବର ସିଟିକୁ ଆମେ କେବଳ ଏକ ମଲ୍ କହିଲେ ଭୁଲ ହେବ । ଏଠାରେ ଆଇଟି ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ରହିବ । ଆବାସିକ ଗୃହ ରହିବା ସହ ମଲ୍ ଓ ମଲ୍ଟିପ୍ଲେକ୍ସ ମଧ୍ୟ ରହିବ । 

image


୫୪ ଏକର ଜମିରୁ ମାତ୍ର ୭ ଏକର ଜମିରେ ୧୫୦ କୋଟି ଟଙ୍କା ବ୍ୟୟରେ ପ୍ରଥମ ଦଫାରେ ଡିଏଲ୍ଏଫ୍ ଏକ ବ୍ୟବସାୟିକ କାର୍ଯ୍ୟାଳୟ ଅଟ୍ଟାଳିକା ନିର୍ମାଣ କରିଛି । ଏହାର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବ୍ ଶୀଘ୍ର ୧୦୦୦ କୋଟି ଟଙ୍କା ବ୍ୟୟରେ ଡିଏଲ୍ଏଫ୍ ସାଇବର ସିଟିର ନିର୍ମାଣ ବ୍ୟାପକ କରାଯିବ ବୋଲି ସୂଚନା ମିଳିଛି । ନିକଟ ଭବିଷ୍ୟତରେ ଏଠାରେ ମଲ୍ ଆଉ ମଲ୍ଟିପ୍ଲେକ୍ସ ନିର୍ମାଣ ହେବାର ଆଶା କ୍ଷୀଣ । ଏଠାରେ ମଲ୍ ଓ ମଲ୍ଟିପ୍ଲେକ୍ସ ନିର୍ମାଣ ହେଉହେଉ ୨୦୨୦ ଟପି ଯାଇପାରେ ।

ପଢନ୍ତୁ ଆଉ କିଛି ସମ୍ପର୍କିତ କାହାଣୀ -

1। ୩ଟି ଗାଁରେ ଫ୍ରି ୱାଇ ଫାଇ ସେବା ଆଣିଦେଲେ ଚାରି ସାଙ୍ଗ

2। ସାବାସ୍ ମ୍ୟାଡ଼ାମ ! ଏଇ ସରକାରୀ ଅଫିସର ନିଜର କିନ୍ନର ପରିଚୟକୁ ନେଇ ଗର୍ବିତ

3। ଓଡ଼ିଶାର ବଣ୍ଡା ଦମ୍ପତିଙ୍କୁ ମୋଦିଙ୍କ ନିମନ୍ତ୍ରଣ


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।