ଏହି ସାମାଜିକ କର୍ମୀ ଯୌନ ଶିକ୍ଷା କ୍ଷେତ୍ରରେ କିପରି ଆଣିପାରିଛନ୍ତି ବିପ୍ଲବ

ଏହି ସାମାଜିକ କର୍ମୀ ଯୌନ ଶିକ୍ଷା କ୍ଷେତ୍ରରେ କିପରି ଆଣିପାରିଛନ୍ତି ବିପ୍ଲବ

Thursday December 22, 2016,

5 min Read

ଆମେ ସାଧାରଣତଃ ସେକ୍ସ, ପ୍ରେମ, ଓ ପ୍ରେମ ସମ୍ପର୍କ ବିଷୟରେ ଆମର ପ୍ରଶ୍ନକୁ ନିଜ ମନ ଭିତରେ ହିଁ ଲୁଚେଇ ରଖିଦେବା ଉଚିତ ମାନେ କରୁ। ଲୋକଙ୍କ ସାମନାକୁ ଆସିଲେ ହଜାରେ ଲୋକଙ୍କ ନଜର ଆମ ଆଡକୁ ଆସିଯିବ ଯେ !

ଭାବି ଦେଖିଲେ, ଆପଣ ଔଷଧ ଦୋକାନକୁ ଯାଇଛନ୍ତି ଗୋଟେ କଣ୍ଡୋମ ପ୍ଯାକେଟ ବା ଗର୍ଭ ନିରୂପଣ ଟେଷ୍ଟ କିଣିବାକୁ। ଆପଣଙ୍କ ମୁହଁରୁ ବାହାରିବା ମାତ୍ରେ ସେଠାରେ ଉପସ୍ଥିତ ଥିବା ଲୋକେ ଆପଣଙ୍କୁ ଗୋଡ଼ରୁ ମୁଣ୍ଡ ଯାଏଁ ଭଲ ଭାବେ ଚାହିଁବେ। ଆପଣଙ୍କ ପ୍ରଶ୍ନ ପୂର୍ବରୁ ଆପଣ କିଏ ନା ସେ କିଏ। ଆମେ ଏପରି ଏକ ସମାଜରେ ରହୁଛୁ ଯେଉଁଠାରେ ବଳାକ୍ତାର ବା ଯୌନ ଶୋଷଣ ଭଳି ଅପରାଧ ପାଇଁ ମହିଳା ମାନଙ୍କୁ ଦାୟୀ କରାଯାଏ, ଯେଉଁଠାରେ ପୁରୁଷ ମାନେ କେବେ ହେଁ ଯୌନ ଶୋଷଣର ଶିକାର ହେବା ଅସମ୍ଭବ ଓ ସମଲିଙ୍ଗି ହେବା ଏକ ରୋଗ ବୋଲି ଧରାଯାଏ। ଏପରି ପରିସ୍ଥିତିରେ ଯୁବପିଢିକୁ ନିଜ ଶରୀରର ବାସ୍ତବିକତା ବିଷୟରେ ଜ୍ଞାନ ରହିବା ସହ ତା’କୁ ନେଇ ଏକ ସକାରାତ୍ମକ ମନୋଭାବ ରଖିବା ନିହାତି ଜରୁରୀ।

image


୩୬ ବର୍ଷୀୟା ବୀଥିକା ଯାଦବ ଜଣେ ସାମାଜିକ କାର୍ଯ୍ୟକର୍ତ୍ତା Love Matters ନାମରେ ଭାରତରେ କିଶୋର ଓ ଯୁବା ମାନଙ୍କୁ ତାଙ୍କର ଯୌନ ସ୍ୱାସ୍ଥ୍ୟ ଏବଂ ଅଧିକାର ନେଇ ସୂଚନା ଯୋଗାଉଥିବା ସର୍ବପ୍ରଥମ ମଲ୍ଟିମିଡ଼ିଆ ପ୍ଲାଟଫର୍ମ ଆରମ୍ଭ କଲେ। ଏଠାରେ କିଶୋର ଏବଂ ଯୁବକ/ଯୁବତୀ ମାନେ ବିନା କୌଣସି ଦ୍ଵିଧାରେ ଖୋଲାଖୋଲି ତାଙ୍କର ପ୍ରେମ ସମ୍ପର୍କ, ଯୌନ ସମ୍ପର୍କ ଏବଂ ସେକ୍ସ ସମ୍ବନ୍ଧୀୟ ପ୍ରଶ୍ନ ପଚାରିପାରିବେ। ଆମ ଦେଶରେ ଏହା ହେଉଛି ପ୍ରଥମ ଏପରି ମଞ୍ଚ ଯେଉଁଥିରେ ଅନେକ ବୈଷୟିକ ପ୍ଲାଟଫର୍ମର ଲାଭ ନେଇ SRHR (sexual and reproductive health and rights) ସୂଚନା ଦିଆଯାଉଛି।

ପିଲାବେଳୁ ବୀଥିକାଙ୍କର ଲୋକଙ୍କୁ ସାହାଯ୍ୟ କରିବାର ମନୋବୃତି ଥିଲା। ଅଲୱାର, ରାଜସ୍ଥାନ ଭଳି ଜାଗା ଯେଉଁଠାରେ ମହିଳା ମାନେ ସାଧାରଣତଃ ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ହେଇ ରୁହନ୍ତି, ସେଠାରେ ବୀଥିକାଙ୍କର ଭାଗ୍ୟ ଯେ ସେ ଏକ ପ୍ରଗତିଶୀଳ ପରିବାରରେ ଜନ୍ମ ନେଇଥିଲେ। ତାଙ୍କର ପିତାମାତା ତାଙ୍କର ଇଚ୍ଛା ଓ ଅଭିଳାଷକୁ ସମ୍ମାନ ଦେବା ସହ ତାଙ୍କୁ ସେ ଦିଗରେ ଆଗେଇଯିବା ପାଇଁ ଉତ୍ସାହିତ ମଧ୍ୟ କରୁଥିଲେ। ଏପରି ଏକ ସକାରାତ୍ମକ ପାଳନପୋଷଣ ତାଙ୍କର ବିଚାରଧାରାରେ ପ୍ରତିଫଳିତ ହୁଏ। ସେ ବିଶ୍ବାସ କରନ୍ତି ଯେ ସମସ୍ତେ ସ୍ଵାଧୀନ ଏବଂ ନିଜର ମତାମତ ରଖିବାର ସ୍ଵାଧୀନତା ସମସ୍ତଙ୍କର ରହିଛି।

image


ଅୟମାରମ୍ଭ

କଲେଜ ପଢା ସାରିବା ପରେ ପରେ ବୀଥିକାଙ୍କୁ ଏକ ମନୁଷ୍ୟ ଚାଲାଣ ବିରୋଧରେ ଲଢୁଥିବା ସଂସ୍ଥାରେ କାମ କରିବାର ସୁଯୋଗ ମିଳିଲା। ସେ ଖୁସି ହେବା ସହ ସାମାନ୍ୟ ଦ୍ଵନ୍ଦରେ ମଧ୍ୟ ଥିଲେ – ଆଧୁନିକ ଯୁଗରେ କ୍ରୀତଦାସ ପ୍ରଥା, ମଣିଷ ଚାଲାଣ – ଏସବୁ ବହୁତ ଜଟିଳ ବ୍ୟାପାର। ସେ ଏଭଳି ଏକ କ୍ଷେତ୍ରରେ କ୍ଯାରିଅର କରିପାରିବେ କି ନାହିଁ, ଏ ନେଇ ସେ ଦ୍ଵିଧାରେ ଥିଲେ। କ୍ରୀତଦାସ ପରମ୍ପରା ସମ୍ବନ୍ଧରେ କାମ କରିବା ସମୟରେ ସେ ଲିଙ୍ଗଭିତ୍ତିକ ଅସାମାନତା, ଯୌନ ନିର୍ଯ୍ୟାତନା, ଗର୍ଭପାତ, ଦାରିଦ୍ର୍ୟ ଓ ନିରକ୍ଷରତା ଭଳି ସମସ୍ଯା ସଂସ୍ପର୍ଶରେ ମଧ୍ୟ ଆସିଲେ।

ମାଷ୍ଟର ଡିଗ୍ରୀ ପାଇବା ପରେ ବୀଥିକା ମାନବାଧିକାର ସମସ୍ଯାରେ ହିଁ ଅଗାକୁ କାମ କରିବାକୁ ନିଷ୍ପତ୍ତି ନେଲେ। ସେ ସେତେବେଳକୁ BBC Media Action ସହ ଗୋତିମଜୁରି ଉପରେ ଏକ ପ୍ରୋଜେକ୍ଟରେ କାମ ସାରିଥିଲେ। ସେଠାରୁ ସେ ଯୌନ ସ୍ୱାସ୍ଥ୍ୟ ସମ୍ପର୍କରେ ନିଜେ କାମ କରିବାର ଭିତ୍ତିଭୂମି ପ୍ରସ୍ତୁତ କରିବାର ପ୍ରେରଣା ପାଇଲେ।

“ଭାରତ ଭଳି ଦେଶରେ ବଡ଼ ହେବାର ନିଜ ବ୍ୟକ୍ତିଗତ ଅନୁଭୂତିରୁ ଜନ୍ମ ହେଲା Love Matters,” କହନ୍ତି ବୀଥିକା। ମୁଁ ଏପରି ଏକ ପରିବେଶରେ ବଢିଥିଲି ଯେଉଁଠାରେ ଛୁଆ ମାନଙ୍କୁ କୁହାଯାଉଥିଲା ଯେ ଏପରି ବିଷୟ ମାନଙ୍କରେ କଥାବାର୍ତ୍ତା ହେବା 'ଖରାପ'।

ବୀଥିକା ରେଡ଼ିଓ ନେଦରଲ୍ୟାଣ୍ଡ ୱାର୍ଲ୍ଡୱାଇଡ (RNW)ରେ ଭାରତର ପରିଚାଳନା ମୁଖ୍ୟ ଭାବେ କାମ କରନ୍ତି। ଏପରି ଏକ ମଞ୍ଚର ଆବଶ୍ୟକତା ଥିବାରୁ ସେ ଏହି ପ୍ରୋଜେକ୍ଟକୁ ଆରମ୍ଭ କରିଥିଲେ। ତାଙ୍କର ଟୀମ ବ୍ୟାପକ ଅନୁସନ୍ଧାନ ଏବଂ ଅନେକ ଯୁବାଙ୍କର ସାକ୍ଷାତକାର ନେଇ ବୁଝିଥିଲେ ଯେ ଯଦିଓ ଅଧିକାଂଶ ତାଙ୍କ ଯୌନଜୀବନ ସମ୍ବନ୍ଧରେ ପ୍ରଶ୍ନ କରିବାକୁ ଚାହାଁନ୍ତି ଏବଂ ସୂଚନା ପାଇବାକୁ ଇଛୁକ, କିନ୍ତୁ ସେମାନେ ଏହା ଗୋପନରେ କରିବାକୁ ଚାହାଁନ୍ତି (ଇଣ୍ଟରନେଟ ବା ମୋବାଇଲ ଫୋନ ଜରିଆରେ)। ଦେଶରେ ଥିବା ଅନ୍ୟାନ୍ୟ SRHR ସଂସ୍ଥା ମାନଙ୍କ ସହ ଆଲୋଚନା କରି ବୁଝିଲେ ଯେ ଏକ ଅନଲାଇନ ପ୍ଲାଟଫର୍ମର ଆବଶ୍ୟକତା ରହିଛି। Love Matters ଏକ ଦ୍ଵିଭାଷିକ ମଞ୍ଚ ଓ ୨୦୧୦ରେ ଆରମ୍ଭ ହେଇଥିଲା। ଆରମ୍ଭ ହେବା ପରେ ଏହା Tarshi ଏବଂ ଭାରତୀୟ ପରିବାର ନିୟୋଜନ ସଂସ୍ଥାର ସହଯୋଗ ପାଇପାରିଛି।

ୱେବସାଇଟକୁ ଖୁବ ସହଜରେ ଯେକୌଣସି ମୋବାଇଲ ଫୋନରୁ ଦେଖିହେବ। ଏଥିରେ ସୋସିଆଲ ମିଡ଼ିଆ ଚ୍ଯାନେଲ, ଏକ ଆଲୋଚନା ଗୃହ, SRHR ସୂଚନା ରହିଛି। ଗତ ୪ ବର୍ଷ ମଧ୍ୟରେ Love Matters ୧୪ ମିଲିୟନ ଲୋକଙ୍କ ପାଖରେ ପହଞ୍ଚିପାରିଛି SRHRକୁ ନେଇ ଥିବା ଫେସବୁକ ପୃଷ୍ଠା ମଧ୍ୟରେ ସବୁଠାରୁ ଲୋକପ୍ରିୟ ପୃଷ୍ଠା ଭାବେ ଜଣା।

Love Matterର ବିଶିଷ୍ଟତା

ବୀଥିକା କୁହନ୍ତି,

ଏପରି ବିଷୟବସ୍ତୁ ସଙ୍ଗେ ଲଜ୍ଜା ଏବଂ କଳଙ୍କ ଜଡ଼ିତ ହୋଇରହିଛି। ଆମେ ବୁଝିପାରିଥିଲୁ ଯେ ପାରମ୍ପରିକ ଭାବେ ଏପରି ବିଷୟ ଉପରେ କଥାବାର୍ତ୍ତାକୁ ନିଷେଧ କରୁଥିବା ପ୍ରତିବନ୍ଧକକୁ ଆମେ ଡେଇଁପାରିବୁ। ମଜାଳିଆ ପଦ୍ଧତିରେ ଖୁବ କଷ୍ଟକର ବିଷୟବସ୍ତୁ ଉପରେ ମଧ୍ୟ କଥାବାର୍ତ୍ତା କରାଯାଇପାରେ। ଆମର ଟାର୍ଗେଟ ଦର୍ଶକ ହେଲେ ଯୁବାବର୍ଗ। ତାଙ୍କୁ ଆମେ ଏକ ଖୋଲା ମଞ୍ଚ ଦେଉଛୁ ଯେଉଁଠାରେ ସେମାନେ ମଜାଳିଆ ଢଙ୍ଗରେ ଏସବୁ ବିଷୟରେ କଥା ହେଇପାରିବେ। ଧୀରେ ଧୀରେ ସହଜ ହେଲେ ଯୌନଗତ ଏବଂ ଲିଙ୍ଗଗତ ଅଧିକାର ଭଳି ଗମ୍ଭୀର ବିଷୟବସ୍ତୁ ଉପରେ ମଧ୍ୟ ଚର୍ଚ୍ଚା କରିପାରିବେ।

୨୦୧୩ରେ Love Matters ବିଶ୍ଵର ସବୁଠାରୁ ଅଭିନବ ଯୌନ ସ୍ୱାସ୍ଥ୍ୟ ପ୍ରୋଜେକ୍ଟ ଭାବେ World Association of Sexual Health ଦ୍ଵାରା ପୁରସ୍କୃତ ହେଇଥିଲା ଏବଂ ୨୦୧୬ରେ Freedom of Expression Awardsର ଏକ ଭାଗ ଭାବେ ବିଶ୍ଵର ପାଞ୍ଚଟି ସର୍ବଶ୍ରେଷ୍ଠ ଡିଜିଟାଲ ସକ୍ରିୟତା ପ୍ରୋଜେକ୍ଟ ମଧ୍ୟରୁ ଗୋଟିଏ ବୋଲି ସ୍ଥାନ ପାଇଥିଲା।

ବର୍ତ୍ତମାନ Love Matters ଲାଟିନ ଆମେରିକା, କେନିଆ, ଚୀନ ଏବଂ ଇଜିପ୍ଟ ଭଳି ଦେଶରେ କାମ କରୁଛି ଏବଂ ଖୁବ ଶୀଘ୍ର ନାଇଜେରିଆରେ ମଧ୍ୟ କାମ ଆରମ୍ଭ କରିବାକୁ ଯାଉଛି। ଯେକୌଣସି ଦେଶରେ ଯେକୌଣସି SRHR ସଂସ୍ଥା ସହ ପାର୍ଟନର ହୋଇ Love Matters ପ୍ରୋଜେକ୍ଟକୁ ନକଲ କରାଯାଇପାରେ।

ବାଧାବିଘ୍ନ

ଏତେ ରାସ୍ତା ଅତିକ୍ରମ କରି ଆସିବା ମଧ୍ୟରେ କଣ ସବୁ ବାଧାବିଘ୍ନର ସାମନା କରିଛନ୍ତି ବୋଲି ପ୍ରଶ୍ନ କଲେ, ବୀଥିକା କୁହନ୍ତି,

ଆମର ସବୁଠାରୁ ବଡ଼ ବାଧା ଆମେ କୌଣସି ପାରମ୍ପରିକ ସୂତ୍ରରୁ ପାଇନଥିଲୁ ବରଂ ଆଧୁନିକ ଯୁଗର ମଞ୍ଚ ଯେପରିକି ଗୁଗଲ ଓ ଫେସବୁକରୁ ପାଇଥିଲୁ। ଆମର ୱେବସାଇଟକୁ ବ୍ଲକ କରାଯାଇଥିଲା ଏବଂ ଫେସବୁକ ଆକାଉଣ୍ଟକୁ ଚାରିଥର ବନ୍ଦ କରି ଦିଆଯାଇଥିଲା। କାରଣ ଦର୍ଶାଯାଇଥିଲା ଯେ ଏଥିରେ ଥିବା ବିଷୟବସ୍ତୁ ଅସଙ୍ଗତ। SRHR ଭଳି ଏକ କ୍ଷେତ୍ରରେ ପ୍ରାୟତଃ ସଂସ୍ଥା ମାନେ ଅଫଲାଇନ କାମ କରିଥାନ୍ତି। ତେଣୁ ଆମ ପାଇଁ ଏହା ଏକ ନୂଆ ପ୍ରକାରର ସମସ୍ଯା ଥିଲା। ଆମେ ଏହାର ସମାଧାନ ବାହାରକରିବାକୁ ଚେଷ୍ଟା କରୁଛୁ। ଅନଲାଇନ ଜଗୁଆଳୀ ମାନଙ୍କ ସହ କଥାବାର୍ତ୍ତା ହେଇ ତାଙ୍କୁ ଅଶ୍ଳୀଳ ଏବଂ SRHRର ବିଷୟବସ୍ତୁ ମଧ୍ୟରେ ଫରକ ସମ୍ପର୍କରେ ବୁଝାଇବାକୁ ପ୍ରୟାସ କରୁଛୁ।

ମହିଳା ଯୌନାଙ୍ଗ କାଟିବା ନେଇ Love Matters ଛାଡ଼ିଥିବା ଏକ ଭିଡିଓକୁ ଫେସବୁକ ଓ Youtubeରେ ବହୁଳ ପ୍ରତିକ୍ରିୟା ମିଳିଥିଲା। ଅନେକ ପୁରସ୍କାରର ବିଜେତା ନିର୍ଦ୍ଦେଶକ ପ୍ରିୟା ଗୋସ୍ଵାମୀ ଏହି ଫିଲ୍ମଟିକୁ ତିଆରି କରିଥିଲେ। ପ୍ରିୟା Sahiyo ନାମକ ଏକ ସଂସ୍ଥା ସହ ଜଡ଼ିତ ଅଛନ୍ତି ଯାହା ଏହି ପ୍ରସଙ୍ଗ ଉପରେ କାମ କରୁଛି। Love Mattersର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯେମିତିକି Tweet-a-thon ଏବଂ ସୁରକ୍ଷିତ ଗର୍ଭପାତ ଉପରେ ଏକ ୱେବ ସିରିଜ ମଧ୍ୟ ବିଶ୍ଵବ୍ୟାପୀ ପ୍ରତିକ୍ରିୟା ଲାଭ କରିପାରିଛି।

ବୀଥିକା ତାଙ୍କର ଅସାମାନ୍ୟ କାମ ପାଇଁ ଅନେକ ପୁରସ୍କାର ଏବଂ ପ୍ରଶଂସା ପାଇଛନ୍ତି। ଉଭୟ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ବୀଥିକା ଉତ୍ତରଜୀବିଙ୍କ ଥଇଥାନ ଏବଂ ସୁରକ୍ଷା ସମ୍ପର୍କରେ ବିଶେଷଜ୍ଞ ଭାବେ ଜଣା। ତାଙ୍କୁ ନିର୍ଭୟା ଏବଂ ଉତ୍ସାହୀ କହିବାଟା କମ ହେବ। ସମସ୍ତେ ଭାବୁଥିବେ, ଜଣେ ମା, ସ୍ତ୍ରୀ, ସାମାଜିକ କାର୍ଯ୍ୟକର୍ତ୍ତା ଓ ସର୍ବୋପରି ଜଣେ ମହାନ ମଣିଷ ଭାବେ ସେ ତାଙ୍କ ଜୀବନର ଏତେ ଗୁଡିଏ ଭୂମିକାକୁ କିପରି ଭାବେ ତୁଲେଇ ପାରୁଛନ୍ତି। ସେ ଏସବୁ ପାଇଁ ନିଜର ପରିବାରକୁ ସବୁ ଶ୍ରେୟ ଦିଅନ୍ତି।

ଆମେ ଏକ ଏପରି ଦୁନିଆରେ ରହୁଛୁ ଯେଉଁଠାରେ ଲୋକେ ଗୋଟିଏ ପାଦ ନେବା ପୂର୍ବରୁ ବୋଧ ହୁଏ ଅତି କମରେ ଚାରିଥର ଭାବନ୍ତି। ଆମର ଢଗ ମଧ୍ୟ ରହିଛି ଯେ ହାତେ ମାପି ଚାଖଣ୍ଡେ ଚାଲ। ଏପରି ଏକ ସମାଜରେ କିନ୍ତୁ ବୀଥିକାଙ୍କ ଭଳି ଜଣେ ଦୃଢମନା ମହିଳା ସେ ବିଶ୍ଵାସ ରଖୁଥିବା କାରଣ ପାଇଁ ନିଜର ସବୁକିଛି ଲଗେଇଦେଇଛନ୍ତି।