'My Smart Price’: ଏନ୍ଆଇଟି ରାଉରକେଲା ଛାତ୍ର ସୀତାକାନ୍ତଙ୍କ ୩୦୦ କୋଟିର କଂପାନି

'My Smart Price’: ଏନ୍ଆଇଟି ରାଉରକେଲା ଛାତ୍ର ସୀତାକାନ୍ତଙ୍କ ୩୦୦ କୋଟିର କଂପାନି

Wednesday April 06, 2016,

4 min Read

ସୁଲକ୍ଷଣ ଓ ସୀତାକାନ୍ତ

ସୁଲକ୍ଷଣ ଓ ସୀତାକାନ୍ତ


ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି, ରାଉରକେଲାର ଦୁଇ ଜଣ ଛାତ୍ର ସୀତାକାନ୍ତ ରାୟ ଓ ସୁଲକ୍ଷଣ କୁମାର ୨୦୦୨ରେ ଅନେକ ଛାତ୍ରଛାତ୍ରୀମାନଙ୍କ ଭଳି ମେକାନିକାଲ୍ ଇଞ୍ଜିନିୟରିଂ ଡିଗ୍ରି ହାସଲ କରିଥିଲେ । ଅନ୍ୟମାନେ ମୋଟା ଅଙ୍କର ଚାକିରି ପାଇ ସେଥିରେ ଯୋଗ ଦେଇଥିଲେ । କିନ୍ତୁ ଏହି ଦୁଇ ଛାତ୍ର ନିଜ ଗୋଡ଼ରେ ଠିଆ ହେବାକୁ ଅଧିକ ପସନ୍ଦ କରିଥିଲେ । ଯଦିଓ ସେମାନଙ୍କୁ ନେବା ପାଇଁ କଂପାନି ତରଫରୁ ମୋଟା ଅଙ୍କର ଦରମା ଲୋଭ ଦେଖାଯାଇଥିଲା, କିନ୍ତୁ ତାହାକୁ ସୀତାକାନ୍ତ କିମ୍ବା ସୁଲକ୍ଷଣ ଗ୍ରହଣ କରି ନଥିଲେ । ସେଦିନ ସେମାନେ ଯେଉଁ ନିଷ୍ପତି ନେଇଥିଲେ ତାହାର ପରିମାଣ ସ୍ୱରୂପ ଗଠନ ହୋଇଛି ଇ-କମର୍ସର ଏକ ବଡ଼ କଂପାନି 'My Smart Price’ । ଏହା ଏବେ ୩୦୦ କୋଟି ଟଙ୍କା ମୂଲ୍ୟର କଂପାନି ହୋଇପାରିଛି । ଷ୍ଟାର୍ଟ-ଅପ୍ ଗଠନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସୀତାକାନ୍ତଙ୍କ କାହାଣୀ ନିଶ୍ଚିତପକ୍ଷେ ପ୍ରେରଣାଦାୟକ । ୨୦୧୦ରେ ଦୁଇ ସାଙ୍ଗ ମିଶି ଗଠନ କରିଥିଲେ 'My Smart Price’ ।

MY SMART PRICE TEAM

MY SMART PRICE TEAM


ମାଇଁ ସ୍ମାର୍ଟ ପ୍ରାଇସ୍ କଣ?

ଦେଶରେ ଏବେ ଆମାଜନ ଠାରୁ ଆରମ୍ଭ କରି Flipkart, Snapdeal ଓ Shopclues ଭଳି ବହୁ ପ୍ରକାର କଂପାନି ଇ-କମର୍ସରେ ସାମଗ୍ରୀ ବିକ୍ରି କରୁଛନ୍ତି । ବିଭିନ୍ନ ପ୍ରକାର ସାମଗ୍ରୀ ସବୁ ପ୍ରକାର ପୋର୍ଟାଲ୍ ରେ ଭିନ୍ନ ଭିନ୍ନ ଦରରେ ବିକ୍ରି ହେଉଛି । My Smart Price ସେହି ସମସ୍ତ ୱେବସାଇଟ୍ ର ତଥ୍ୟକୁ ହାସଲ କରି ତାହାର ଏକ ତୁଳନାତ୍ମକ ଚିତ୍ର ଗ୍ରାହକଙ୍କୁ ପ୍ରଦାନ କରୁଛି । ଫଳରେ ଗ୍ରାହକମାନେ ସାମଗ୍ରୀ କିଣିବା ବେଳେ ଉପଯୁକ୍ତ ନିଷ୍ପତି ନେବା ସହଜ ହେଉଛି । କାରଣ ଆଜି ଦ୍ରୁତ ଗତିରେ ଆଗଉ ଥିବା ସମାଜରେ ସମସ୍ତଙ୍କ ପାଖରେ ସମୟର ଘୋର ଅଭାବ ରହିଛି। ଏତେ ପରିମାଣର ଇ-କମର୍ସ ସାଇଟ୍ କୁ ଦେଖି ସାମଗ୍ରୀ କିଣିବା ନିଷ୍ପତି ନେବା ଜଣଙ୍କ ପକ୍ଷରେ ସହଜ ହୋଇନଥାଏ । ସେଭଳି ଗ୍ରାହକଙ୍କ ଆବଶ୍ୟକତା ପୂରଣ କରୁଛି My Smart Price ।

ହାଇଦ୍ରାବାଦର ଏକ ଘର ଭିତରେ ଦୁଇଟି ଲାପଟପ ଓ ଇଣ୍ଟରନେଟ ସଂଯୋଗ ସହ ଆରମ୍ଭ ହୋଇଥିଲା ଏହି କଂପାନି । କିନ୍ତୁ ଏବେ ଏହା ୩୦୦ କୋଟି ଟଙ୍କାର କଂପାନି ହୋଇପାରିଛି । ପ୍ରତି ଦିନ ଏହି ୱେବସାଇଟ୍ କୁ ୭ ଲକ୍ଷ ଲୋକ ପରିଦର୍ଶନ କରୁଛନ୍ତି । ଏହା ଛୋଟିଆ କଥା ନୁହେଁ । ଏଭଳି ସଫଳତା ବହୁତ କମ ଲୋକଙ୍କୁ ମିଳିଛି ।

ସୀତାକାନ୍ତଙ୍କ ଘର କଟକ

ସୀତାକାନ୍ତ ରାୟଙ୍କ ଘର ହେଉଛି କଟକରେ । ତାଙ୍କ ପାର୍ଟନର୍ କୁମାରଙ୍କ ଘର ହେଉଛି ଲକ୍ଷ୍ନୌରେ । ଏନ୍ଆଇଟି ରାଉରକେଲାରେ ପଢ଼ିବା ବେଳେ ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ବଢ଼ିଥିଲା । ଦୁହେଁ କିଛି ଅଲଗା କରିବାକୁ ଚାହୁଁଥିଲେ । 

୩୫ ବର୍ଷ ବୟସର ସୀତାକାନ୍ତ କହିଛନ୍ତି ଯେ, 

୨୦୧୦ରେ ଆମେ ଦୁହେଁ ଭାବିଥିଲୁ ଯେ ଯଦି କିଛି ନିଜ ହିସାବରେ କରିବାକୁ ପଡୁଛି, ତେବେ ଏବେଠାରୁ କରିବାକୁ ହେବ । ଆଉ ଭାବିଲେ ଚଳିବ ନାହିଁ । ସେତବେଳେ ଆମେ ଆକଳନ କରିଥିଲୁ ଯେ ଭବିଷ୍ୟତରେ ଇ-କମର୍ସ ନିଶ୍ଚିତପକ୍ଷେ ବଡ଼ ଧରଣର ଶିଳ୍ପରେ ପରିଣତ ହେବ । ସେହି ଭାବନା ଆମକୁ ଆଗକୁ ବଢ଼ିବାର ସାହସ ଯୋଗାଇ ଥିଲା । ଭାରତୀୟ ଗ୍ରାହକମାନେ ଏବେ ଇ-କସର୍ମ ପୋର୍ଟାଲ୍ ରେ ସପିଙ୍ଗ କରିବାରେ ଅଭ୍ୟସ୍ତ ହୋଇଗଲେଣି । My Smart Price ମାଧ୍ୟମରେ ଗ୍ରାହକମାନେ ବିିଭିନ୍ନ ସାମଗ୍ରୀର ତୁଳନାତ୍ମକ ଚିତ୍ର ହାସଲ କରିବା ସହ କେଉଁ ସାମଗ୍ରୀ କିଣିବେ ତାହାର ନିଷ୍ପତି ସହଜରେ ନେଇପାରୁଛନ୍ତି। 

ସୀତାକାନ୍ତ ଆଇଆଇଏମ୍ ବାଙ୍ଗାଲୋରରେ ମଧ୍ୟ ପାଠ ପଢ଼ିଛନ୍ତି । ତାଙ୍କର ଓରାକଲ୍ ଓ ଆଇସିଆଇସିଆଇ ବ୍ୟାଙ୍କରେ ୭ ବର୍ଷର କାମ କରିବାର ଅଭିଜ୍ଞତା ରହିଛି ।

କିଭଳି ଆରମ୍ଭ ହୋଇଥିଲା କଂପାନି?

ସୀତାକାନ୍ତ ଓ କୁମାର ହାଇଦ୍ରାବାଦର ଓରାକଲ୍ କଂପାନିରେ ଚାକିରି କରୁଥିଲେ । ସେମାନେ ପ୍ରଥମେ ଚାକିରି ଛାଡ଼ି ଦେଲେ । ପ୍ରଥମେ ବହିମାନଙ୍କ ମୂଲ୍ୟର ତୁଳନାତ୍ମକ ଚିତ୍ର ପ୍ରଦାନ କରିବା ପାଇଁ ସେ ଏକ ପୋର୍ଟାଲ୍ ଖୋଲିବାକୁ ଭାବିଥିଲେ । ଏବେ My Smart Priceରେ ମୋବାଇଲ୍, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ଗାଜେଟ, ଫ୍ୟାସନ୍, ଲାଇଫଷ୍ଟାଇଲ ଓ ପର୍ସନାଲ୍ କେୟାର ସାମଗ୍ରୀର ତୁଳନାତ୍ମକ ଚିତ୍ର ଉପଲବ୍ଧ ହେଉଛି । ପ୍ରତି ମାସରେ ଏହି ପୋର୍ଟାଲ୍ ଜରିଆରେ ୬୦ କୋଟି ଟଙ୍କାର ସାମଗ୍ରୀ ବିକ୍ରି ହେଉଛି । ସୀତାକାନ୍ତ କହିଛନ୍ତି ଯେ ଏହି ପୋର୍ଟାଲ୍ ଆରମ୍ଭ କରିବା ବେଳେ ଆମେ ପୁଞ୍ଜି ଓ ଅଭିଜ୍ଞତାର ଅଭାବ ଅନୁଭବ କରିଥିଲୁ । ଯଦିଓ ଏଭଳି ତୁଳନାତ୍ମକ ଚିତ୍ର ପ୍ରଦାନ କରୁଥିବା ପୋର୍ଟାଲ୍ ଗୁଡିକ ବିଦେଶରେ ବେଶ ଲୋକପ୍ରିୟ ଥିଲା, କିନ୍ତୁ ଭାରତ ପାଇଁ ଏହି ଚିନ୍ତାଧାରା ବହୁତ ନୂଆ ଥିଲା । ଛଅ ମାସ ମଧ୍ୟରେ My Smart Price ପୋର୍ଟାଲ୍ ର ପରିଦର୍ଶନକାରୀଙ୍କ ସଂଖ୍ୟା ୧୦ ଲକ୍ଷ ଟପିଗଲା । ସେତେବେଳେ ଏକ ଇନଭେଷ୍ଟମେଂଟ୍ କଂପାନି ଆମ ସଂସ୍ଥାରେ ପୁଞ୍ଜି ଖଟାଇବାକୁ ଆଗ୍ରହ ଦେଖାଇଲେ । ଆମକୁ ସେହି ସମୟରେ ଆବଶ୍ୟକ ପୁଞ୍ଜି ମିଳିଗଲା ବୋଲି ସୀତାକାନ୍ତ କହିଛନ୍ତି ।

SITAKANTA RAY

SITAKANTA RAY


ନିକଟରେ ଜାଭିୟର ଇନଷ୍ଟିଚୁ୍ୟଟ୍ ଅଫ୍ ମ୍ୟାନେଜମେଂଟ୍ ଭୁବନେଶ୍ୱର (XIMB) ପକ୍ଷରୁ ଷ୍ଟାର୍ଟ-ଅପ୍ ଉପରେ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେବାକୁ ତାଙ୍କୁ ଆମନ୍ତ୍ରଣ କରାଯାଇଥିଲା । ସେଠାରେ ଉଦ୍ୟୋଗପତି ହେବାକୁ ସ୍ୱପ୍ନ ଦେଖୁଥିବା ୧୦୦ରୁ ଅଧିକ ଯୁବକଯୁବତୀଙ୍କ ସହ ସେ ନିଜର ଯାତ୍ରାର ଅଭିଜ୍ଞତା ବାଂଟିଥିଲେ । ସେ କହିଥିଲେ ଯେ, 

ବିଗତ କିଛି ବର୍ଷ ମଧ୍ୟରେ ଯୁବ ଉଦ୍ୟୋଗପତିମାନଙ୍କ ପାଇଁ ସମୟରେ ବହୁତ ବଡ଼ ପରିବର୍ତ୍ତନ ହୋଇଛି । ଏବେ ସେମାନଙ୍କୁ ପଥ ପ୍ରଦର୍ଶନ କରିବା ପାଇଁ ଓ ପାଣ୍ଠି ସହାୟତା ଯୋଗାଇ ଦେବାକୁ ନିବେଶକମାନେ ପ୍ରସ୍ତୁତ ହୋଇ ରହିଛନ୍ତି । ସବୁ ବେଳେ ନିଜ ଚିନ୍ତାଧାରାକୁ ସମର୍ଥନ କରି ଉପଯୁକ୍ତ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସେ ଯୁବ ଉଦ୍ୟୋଗପତିମାନଙ୍କୁ ପରାମର୍ଶ ଦେଇଛନ୍ତି । ଉଚିତ ସମୟ ଆସିଗଲେ ନିଜର ଚିନ୍ତାଧାରାକୁ ସଫଳ କରିବା ପାଇଁ ସବୁ ଶକ୍ତି ଲଗାଇଦେବାକୁ ସେ ପରାମର୍ଶ ଦେଇଛନ୍ତି ।
SULANKHYANA AND SITAKANTA

SULANKHYANA AND SITAKANTA


ନିବେଶକଙ୍କ ପ୍ରିୟ କଂପାନି

ନିକଟରେ ହେଲିୟନ୍ ଭେଂଚର୍ ପାର୍ଟନର୍ ଓ ଆସେଲ୍ ପାର୍ଟନର୍ସ ପକ୍ଷରୁ ମାଇଁ ସ୍ମାର୍ଟ ପ୍ରାଇସ୍ ଡଟ୍ କମ୍ ରେ ୬ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇଛି । ୨୦୧୨ରେ ଏହି ଦୁଇ ସଂସ୍ଥା କଂପାନିକୁ ୨ କୋଟି ଟଙ୍କାର ପାଣ୍ଠି ଯୋଗାଇ ଦେଇଥିଲେ । ବହୁ ସଂସ୍ଥା ଏହି କଂପାନିରେ ପୁଞ୍ଜିନିବେଶ ପାଇଁ ଏବେ ଆଗ୍ରହ ଦେଖାଇଲେଣି । ଏବେ ତାଙ୍କ କଂପାନି ୩୦ ଜଣିଆ ଟିମ୍ ଦ୍ୱାରା ପରିଚାଳିତ ହେଉଛି ।