ପୂର୍ବ ଭାରତର ରିଅଲ ଇଷ୍ଟେଟ୍ ବ୍ୟବସାୟରେ ଅଗ୍ରଣୀ ମହିଳା ଉଦ୍ୟୋଗୀ

ରତ୍ନମାଳା ସ୍ଵାଇଁଙ୍କ ସଂଘର୍ଷ ଓ ସଫଳତାର କାହାଣୀ

0

ଅର୍ଥ ଅଭାବରୁ ଦିନେ ସେ ରାଜ୍ୟ ବାହାରକୁ ଯାଇ ଉଚ୍ଚଶିକ୍ଷା ଲାଭର ସ୍ଵପ୍ନକୁ ସାକାର କରିପାରି ନଥିଲେ, ଆଉ ଏବେ ବିଜିନେସ୍ ମିଟିଂ ପାଇଁ ତାଙ୍କୁ ମାସରେ ବାରମ୍ବାର ବାହାରକୁ ଯିବାକୁ ପଡ଼ୁଛି । ସେଦିନ ସାଇକେଲ ଚଢ଼ି ଭୁବନେଶ୍ୱର ସାରା ଖରାରେ ପଇଁତରା ମାରୁଥିବା ଏ ସ୍ଵପ୍ନଦ୍ରଷ୍ଟା ମହିଳା ଜଣକ ଏବେ ସଫଳ ଉଦ୍ୟୋଗୀ ଭାବେ ପରିଚିତ । ଦିନେ ଛାତ୍ର ଆନ୍ଦୋଳନ ନେତୃତ୍ୱ ନେଇଥିବା ସାହସୀ ତରୁଣୀ ଜଣକ ଆଜି ପୂର୍ବ ଭାରତରେ ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ଏକମାତ୍ର ମହିଳା ଉଦ୍ୟୋଗୀ କହିଲେ ଅତ୍ୟୁକ୍ତି ହେବନାହିଁ ।

ମୁଁ କହୁଛି ଡିଏନ୍ ହୋମ୍ସର ନିର୍ଦେଶିକା ରତ୍ନମାଳା ସ୍ୱାଇଁଙ୍କ କଥା । ଓଡ଼ିଶାରେ ଜାତୀୟ ସ୍ତରର ଡେଭେଲପର ସଂସ୍ଥାମାନେ ଗୃହନିର୍ମାଣ ବ୍ୟବସାୟ ଆରମ୍ଭ କରି ଦେଇଥିବା ବେଳେ ଡିଏନ୍ ହୋମ୍ସ ଏବେ ରାଜ୍ୟବାସୀଙ୍କୁ ଉପଯୁକ୍ତ ମୂଲ୍ୟରେ ଅତ୍ୟାଧୁନିକ ଗୃହ ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ । ଦୀର୍ଘ ୧୫ ବର୍ଷର ବ୍ୟାବସାୟିକ ଯାତ୍ରାରେ ତାଙ୍କ କମ୍ପାନି ପାଖାପାଖି ୧୫ ଲକ୍ଷ ବର୍ଗଫୁଟର ଅ‍ାବାସ ଯୋଗାଇ ସାରିଛି । ଏବଂ ଅ‍ାଗକୁ ମଧ୍ୟ କମ୍ପାନିର ବିଭିନ୍ନ ଅ‍ାବାସ ଓ ବ୍ୟାବସାୟିକ ପ୍ରକଳ୍ପ ନିର୍ମାଣ ହବାର ଯୋଜନା ରହିଛି । ତେବେ ଏସବୁ ସଫଳତା ରାତାରାତି ମିଳିନାହିଁ ।

ରତ୍ନମାଳା କହନ୍ତି,

ସଫଳତା କୌଣସି ଗଛର ଫଳ ନୁହେଁ ଯେ ଜଣେ ତାକୁ ତୋଳି ଆଣିବ । ସେଥିପାଇଁ ଉପଯୁକ୍ତ ଯୋଜନା, ଦୃଢ଼ ଇଛାଶକ୍ତି ଓ କଠିନ ପରିଶ୍ରମର ଆବଶ୍ୟକତା ଥାଏ । ତେବେ ସବୁ ଉଦ୍ୟମ ପଛରେ ନିଷ୍ଠା ଓ ସଚ୍ଚୋଟତା ରହିବା ନିହାତି ଜରୁରୀ ।

ନିଜ ଅଭିଜ୍ଞତାରୁ ସେ କହନ୍ତି, ସଫଳତା ପାଇଁ ଅର୍ଥ କେବେ ବି ବାଧକ ନୁହେଁ । ପୃଥିବୀରେ ବହୁ ସଫଳ ବ୍ୟକ୍ତି ଦାରିଦ୍ର୍ୟର ଚରମ କଷାଘାତ ସହି ମଧ୍ୟ ଜୀବନରେ ସର୍ବୋଚ୍ଚ ଶିଖର ଛୁଇଁବାରେ ସମର୍ଥ ହୋଇଛନ୍ତି ।

ପଲ୍ଲୀରୁ ରାଜଧାନୀ

ଗଞ୍ଜାମ ଜିଲ୍ଲାର ଏକ ଛୋଟ ସହରରେ ଏକ ସ୍ଵଚ୍ଛଳ ପରିବାରେ ଜନ୍ମଗ୍ରହଣ କରିଥିଲେ ରତ୍ନମାଳା । ପିତାମାତାଙ୍କ ବିବାହର ଦୀର୍ଘ ୧୭ ବର୍ଷ ପରେ ଜନ୍ମ ହୋଇଥିବାରୁୁ ବେଶ୍ ଗେଲବସରରେ ବଢ଼ିଥିଲେ ସେ । ପିଲାବେଳ କଥା ମନେପକାଇ ରତ୍ନମାଳା କହନ୍ତି,

ସେତେବେଳର ଅଧିକାଂଶ ଦମ୍ପତିଙ୍କ ଭଳି ସମ୍ଭବତଃ ମୋ ବାପାମା’ ବି ପ୍ରଥମ ସନ୍ତାନ ଭାବେ ପୁଅଟିଏ ଆଶା କରିଥିବେ । ତେବେ ମୁଁ ପରିବାରର ପ୍ରଥମ ସନ୍ତାନ ହୋଇଥିବାରୁ ପିଲାବେଳୁ ପୁଅଙ୍କ ଭଳି ସମସ୍ତ ସ୍ଵାଧୀନତା ଓ ଆଦର ପାଇଥିଲି । ବାପାଙ୍କର ଅଳଙ୍କାର ଦୋକାନ ଥିଲା । ମୋ ପରେ ଆଉ ୪ ସନ୍ତାନ । ଆମେ ପିଲାବେଳୁ ଅଭାବ କ’ଣ ଜାଣି ନଥିଲୁ କି ଦେଖି ନଥିଲୁ ।

ତଥାକଥିତ ଗ୍ରାମ୍ୟ ତରୁଣୀଙ୍କ ଭଳି ଲାଜୁଆ ଓ ଚୁପଚାପ ହେବା ବଦଳରେ ବେଶ୍ ସାହସୀ ଓ କଥାକୁହା ଥିଲେ ରତ୍ନମାଳା । ମାଟ୍ରିକ୍(ସେତେବେଳେ ଏକାଦଶ) ଉତ୍ତୀର୍ଣ୍ଣ ହେବା ପରେ ବ୍ରହ୍ମପୁର ସରକାରୀ ମହିଳା କଲେଜରେ ନାମ ଲେଖାଇଲେ ଓ ସେଠାରେ ସେ ଛାତ୍ରୀସଂସଦ ସଂପାଦିକା ବି ହୋଇଥିଲେ । +୨ ପରେ ସେ ଯନ୍ତ୍ରୀ ହେବାକୁ ମନବଳାଇଲେ । ବାପା ବି ତାଙ୍କ ପ୍ରସ୍ତାବକୁ ଗ୍ରହଣ କରି ଭୁବନେଶ୍ୱର ପଠାଇଲେ । ଓମେନ୍ସ ପଲିଟେକ୍ନିକରେ ଆର୍କିଟେକ୍ଟ ବିଭାଗରେ ନାମ ଲେଖାଇଲେ ରତ୍ନମାଳା ।

ଆମ ଅଲକ୍ଷ୍ୟରେ ବାପାଙ୍କ ବ୍ୟବସାୟର ଅବତି ହେବାରେ ଲାଗିଥିଲା । ଭୁବନେଶ୍ୱରରେ ଚଳିବା ପାଇଁ ଯେତିକି ଟଙ୍କା ଦରକାର ହୁଏ, ଦ୍ୱିତୀୟ ବର୍ଷ ବେଳକୁ ବାପା ତାହା ପଠାଇବାରେ ଅସମର୍ଥ ହେଲେ । ଏଇଠି ମୁଁ ଅଭାବକୁ ଅନୁଭବ କଲି । ଆଉ ପଢ଼ି ପାରିବିନି ଓ ଗାଁକୁ ଫେରିଯିବି ବୋଲି ଭାବୁଥିବା ବେଳେ ଦେବତା ଭଳି ସହଯୋଗର ହାତ ବଢ଼ାଇଲେ ମୋର ଜଣେ ସହପାଠିନୀଙ୍କ ବାପା-ମା’ ଶ୍ରୀଯୁକ୍ତ ବଂଶୀଧର ମିଶ୍ର ଓ ଶ୍ରୀମତୀ ପ୍ରତିଭା ମିଶ୍ର । ପରେ ମୋ ବାହାଘର ପର୍ଯ୍ୟନ୍ତ ସେମାନେ ମୋର ସମସ୍ତ ଦାୟିତ୍ୱ ବହନ କରିଥିଲେ । ଏପରିକି ମୋର ବିବାହର ସମସ୍ତ ଦାୟିତ୍ୱ ନେବା ସହ କନ୍ୟାଦାନ ମଧ୍ୟ କରିଥିଲେ । ସେମାନେ ମୋର ନନା-ବୋଉ । ୧୯୮୭ରେ ଡିପ୍ଲୋମା ଶେଷ ହେଲା । ବାହାରକୁ ଯାଇ ଉଚ୍ଚଶିକ୍ଷା ପାଇଁ ଆଗ୍ରହ ଥିଲେ ବି ପରିବାରର କ୍ରମବର୍ଧିଷ୍ଣୁ ଆର୍ଥିକ ଆବଶ୍ୟକତା ଯୋଗୁଁ ମୋତେ ସେ ଆଶା ଛାଡ଼ିବାକୁ ପଡ଼ିଲା ।

ଛାତ୍ର ଆନ୍ଦୋଳନର ନେତୃତ୍ୱ

ପଢ଼ା ସରିବା ପରେ ଅନ୍ୟ ସହପାଠିନୀଙ୍କ ସହ ରତ୍ନମାଳା ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ (BDA) ଅଧୀନରେ ପ୍ରଶିକ୍ଷଣ ନେଲେ । ତେବେ ସେତେବେଳେ ଆର୍କିଟେକ୍ଟ ବୃତ୍ତିଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କର କୌଣସି ଚାକିରି ନଥିଲା । ଅନ୍ୟ ବିଭାଗର ଇଂଜିନିୟରିଂ ପିଲାଙ୍କ ଭଳି ଆର୍କିଟେକ୍ଟ ପିଲାଙ୍କୁ ପ୍ୟାନେଲରେ ରଖି ଚାକିରି ଦେବାଲାଗି ଦାବି କରି ୧୯୮୮ରେ ଭୁବନେଶ୍ୱରରେ ଛାତ୍ରୀ ଆନ୍ଦୋଳନ ଆରମ୍ଭ ହେଲା । ସଚିବାଳୟ ପାଖ ଏଜି ଛକରେ ଆମରଣ ଅନଶନରେ ବସିଲେ ଭୁବନେଶ୍ଵର ପଲିଟେକନିକର ଛାତ୍ରୀ । ଆନ୍ଦୋଳନର ନେତୃତ୍ୱ ନେଲେ ରତ୍ନମାଳା । ଅନଶନରେ ବହୁ ଛାତ୍ରୀ ଅସୁସ୍ଥ ହୋଇ ଡାକ୍ତରଖାନା ଗଲେ । ତଥାପି ଥମିଲାନି ଆନ୍ଦୋଳନ । ସରକାର ଦାବି ନ ଶୁଣିବାରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ କାର୍ ଅଟକାଇବାର ଦୁଃସାହସ କରିଥିଲେ ରତ୍ନମାଳା ।

ରତ୍ନମାଳା କହନ୍ତି,

ପରଦିନ ଖବରକାଗଜରେ ମୋ ନାଁ ପଢ଼ି ଭୟରେ ବାପା ଗାଁରୁ ଆସି ପହଞ୍ଚିଲେ ଓ ମୋତେ ଫେରିଯିବାକୁ କହିଲେ । ଅବଶ୍ୟ ମୁଁ ଗଲିନି । ସେ ଆନ୍ଦୋଳନ ସମୟରେ ତତ୍‍କଳୀନ ବିରୋଧୀଦଳ ନେତା ବିଜୁ ପଟ୍ଟନାୟକ, ଅନ୍ୟାନ୍ୟ ବହୁ ଯୁବ ବିଧାୟକ ଓ ସାମ୍ବାଦିକମାନେ ସହଯୋଗର ହାତ ବଢ଼ାଇଥିଲେ । ଶେଷରେ ସଚିବାଳୟରେ ତତ୍କାଳୀନ ଶିଳ୍ପମନ୍ତ୍ରୀ ନିରଂଜନ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଉଚ୍ଚସ୍ତରୀୟ ବୈଠକ ହେଲା । ୪୮ ଜଣ ଆର୍କିଟେକ୍ ଡିପ୍ଲୋମାଧାରୀଙ୍କୁ ଚାକିରି ମିଳିଲା । ପ୍ରଥମରୁ ମୁଁ କିନ୍ତୁ ଚାକିରି କରିବି ନାହିଁ ବୋଲି ମନସ୍ଥ କରି ସାରିଥିଲି ।

ପ୍ରଥମ ମହିଳା ଠିକାଦାର

ସେତେବେଳେ ଜଣେ ଉପର ଶ୍ରେଣୀର ଛାତ୍ରୀଙ୍କ ଘରେ ପେୟିଂ ଗେଷ୍ଟ୍ ଭାବେ ରହୁଥିଲେ ରତ୍ନମାଳା । ତାଙ୍କର ସାଇକେଲଟିଏ ଥିଲା । ସେଇଥିରେ ସେ ସାରା ଭୁବନେଶ୍ୱର ପଇଁତରା ମାରୁଥିଲେ । କ’ଣ କରିବେ ବୋଲି ଚିନ୍ତା କରୁକରୁ ତାଙ୍କ ମୁଣ୍ଡରେ ଠିକାଦାରୀର ଭୂତ ସବାର ହେଲା । ସହପାଠୀ, ପରିବାର ଲୋକ ଓ ଶୁଭଚିନ୍ତକଙ୍କ ବାରଣ ସତ୍ତ୍ୱେ ସେ ‘ଠିକଦାରୀ ଲାଇସେନ୍ସ ହାସଲ କଲେ । ରାଜ୍ୟର ପ୍ରଥମ ମହିଳା ଠିକାଦାର ଭାବେ ୧୯୮୯ରୁ ସେ କାମ ଆରମ୍ଭ କଲେ । ବନ୍ଧୁମାନଙ୍କ ଠାରୁ ହାତଉଧାର ଆଣି କାମରେ ଲଗାଇଲେ । ପୂର୍ତ, ହାଉସିଂ ବୋର୍ଡ, ଗୃହ ଓ ନଗର ଉନ୍ନୟନ ବିଭାଗ, କୃଷି ବିଭାଗ ଓ ଇଡକୋ ଆଦିରୁ ଛୋଟମୋଟ କାମ ନେଇ ବେଶ୍ ସଫଳତାର ସହ ସେଗୁଡ଼ିକ ସମାପ୍ତ କରି ଠିକାଦାରୀ ଜଗତରେ ନିଜେ ରୋଜଗାରକ୍ଷମ ହେବା ସହ ମହିଳା ଠିକାଦାର ଭାବେ ଓଡ଼ିଶାବାସୀଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରି ପାରିଥିଲେ ରତ୍ନମାଳା । ହାତକୁ କିଛି ଟଙ୍କା ଆସିଯିବା ପରେ ସାଇକେଲ ଛାଡ଼ି ଲୁନାଟିଏ କିଣିଲେ ରତ୍ନମାଳା ।

ଦିନେ ଇଂଜିନିୟରିଂ ଡିଗ୍ରିଧାରୀ କିଛି ଯୁବକ ଆସି ରତ୍ନମାଳାଙ୍କ ପାଖରେ ପହଞ୍ଚିଲେ । ସେମାନଙ୍କ ପାଖରେ ଲାଇସେନ୍ସ ଥିଲେ ବି ସେମାନେ କାମ ପାଉନଥିଲେ । ଏଣୁ ସେମାନେ ରତ୍ନମାଳାଙ୍କ ସହ ମିଶି କାମ କରିବାକୁ ପ୍ରସ୍ତାବ ରଖିଲେ । ପ୍ରଥମରୁ ଅମଙ୍ଗ ରତ୍ନମାଳା ପରେ ସେମାନଙ୍କ କଥାରେ ରାଜିହେଲେ । କମ୍ପାନି ପ୍ରତିଷ୍ଠା କରିବା ପାଇଁ ଯୋଜନା ହୋଇଥିଲେ ହେଁ ତାହା ସମ୍ଭବ ହେଲାନି । ଏଣୁ ନିଜ ନିଜ ନାମରେ କାମ ଆଣି ତାକୁ ମିଳିତ ଭାବେ କରିବେ ଓ ଲାଭାଂଶ ମଧ୍ୟ ମିଳିତ ଭାବେ ନେବେ ବୋଲି ସେମାନେ ସ୍ଥିର କଲେ । ଏଭଳି ଦେଢ଼ବର୍ଷ ଚାଲିଲା । ପରବର୍ତୀ ସମୟରେ ସେମାନଙ୍କ ମିଳିତ ବ୍ୟବସାୟରେ ଫାଟ ସୃଷ୍ଟି ହୋଇଥିଲା ଓ ସମସ୍ତେ ନିଜନିଜ ରାସ୍ତା ଦେଖିଥିଲେ । ରତ୍ନମାଳା ପୁଣିଥରେ ଏକାଏକା ଠିକାଦାରୀ ଚାଲୁ ରଖିଲେ ।

ମହିଳା ଠିକାଦାର ଭାବେ ରତ୍ନମାଳାଙ୍କର ପ୍ରବେଶ ଅନେକଙ୍କ ଗାତ୍ରଦାହର କାରଣ ପାଲଟିଲା । ଏ ଭିତରେ ପୂର୍ତ ବିଭାଗର ଗୋଟେ ବଡ଼ ଟେଣ୍ଡର ବାହାରିଲା । ସେତେବେଳେ ଟେଣ୍ଡର ଫିକ୍ସିଂ ଚାଲୁଥିଲା । କିଏ ଏହି କାମଟି ନେବ ଆଗୁଆ ସ୍ଥିର ହୋଇ ସେହି ଅନୁସାରେ ଟେଣ୍ଡର ପଡ଼ୁଥିଲା । ଅନ୍ୟ ଠିକାଦାରମାନେ କାମ ପାଉଥିବା ଠିକାଦାର ପାଖରୁ ମୋଟା ଅଙ୍କର ଅର୍ଥ ପାଇ ଚୁପ ବସୁଥିଲେ । ତେବେ ରତ୍ନମାଳା ଏସବୁରେ ପଶିବାକୁ ଚାହୁନଥିଲେ । ସେ ଯାଇ ଟେଣ୍ଡର ପେପର କିଣିଲେ । ତାଙ୍କ ଟେଣ୍ଡର ପେପରକୁ ଅଫିସ ବାହାରେ ବସିଥିବା ଠିକାଦାରଙ୍କର ଗୁଣ୍ଡାମାନେ ଚିରିଦେଲେ । ଏ ନେଇ ମୁଖ୍ୟଯନ୍ତ୍ରୀଙ୍କ ପାଖେ ଅଭିଯୋଗ କଲେ ରତ୍ନମାଳା । ଓଲଟା ମୁଖ୍ୟଯନ୍ତ୍ରୀ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କଲେ । କିନ୍ତୁ ରତ୍ନମାଳା ସହଜରେ ହାର ମାନିବାକୁ ଚାହୁନଥିଲେ । ଛାତ୍ରୀ ଆନ୍ଦୋଳନ ବେଳୁ ତାଙ୍କର ବିଜୁବାବୁଙ୍କ ସହ ଭଲ ସମ୍ପର୍କ ଥିଲା । ସେତେବେଳକୁ ବିଜୁବାବୁ ମୁଖ୍ୟମନ୍ତ୍ରୀ ହୋଇ ସାରିଥାନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ବାବଦରେ କହିବା ପରେ, ସେ ଟେଣ୍ଡରଟି ବାତିଲ ହୋଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଲା । ଦ୍ୱିତୀୟ ବାର ପୁଣି ପେପର କିଣିଲେ ରତ୍ନମାଳା । ଏଥର ତାଙ୍କୁ ହତ୍ୟା ଧମକ ଦିଆଯିବା ସହ ପୁଣି ପେପର ଛଡ଼ାଇ ନିଆଗଲା । ଏ ନେଇ ସେତେବେଳେ ଗଣମାଧ୍ୟମରେ ଆଲୋଚନା ହେବା ପରେ କଥାଟା ରାଜ୍ୟର ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଟେଣ୍ଡର ଦ୍ୱିତୀୟ ବାର ବାତିଲ ହୋଇ ପୁଣି ବିଜ୍ଞପ୍ତି ବାହାରିଲା । ଏଥର ପୁରୁଣା ଠିକାଦାରମାନେ ହାରମାନିଲେ । ଜଣେ ବୟସ୍କ ଠିକାଦାର ଆସି ରତ୍ନମାଳାଙ୍କୁ ବୁଝାଇଲେ । ସେମାନେ ଟେଣ୍ଡର ପାଇାବା ପାଇଁ ବହୁ ଅର୍ଥ ଖର୍ଚ୍ଚ କରି ସାରିଛନ୍ତି ଓ ରତ୍ନମାଳା ସହଯୋଗ ନକଲେ ସେମାନଙ୍କ ଟଙ୍କା ବୁଡ଼ିଯିବ ବୋଲି ନେହୁରା ହେଲେ । ଶେଷରେ ତୃତୀୟ ଥର ଟେଣ୍ଡର ପକାଇବାରୁ ବିରତ ରହିଲେ ରତ୍ନମାଳା ।

ବିବାହ ଓ ସଂଘର୍ଷ

ଠିକାଦାର ଭାବରେ ରତ୍ନମାଳାଙ୍କ ସଂଘର୍ଷ ଜାରି ରହିଥିବା ବେଳେ ଜୁଲାଇ ୧୯୯୧ରେ ତାଙ୍କର ବିବାହ ହୁଏ । ବାହାଘର ପରେ ଆରମ୍ଭ ହେଲା ଅସଲ ସଂଘର୍ଷ । କୋଳକୁ ପୁଅ ଓ ଝିଅ ଆସିଯିବା ପରେ ଦାୟିତ୍ୱ ବଢ଼ି ଯାଇଥିଲା । ବଡ଼ବୋହୂ ହିସାବରେ ବିଭିନ୍ନ ପାରିବାରିକ ଜଞ୍ଜାଳ ସହିତ ବ୍ୟବସାୟର ଚାପ ମଧ୍ୟରେ ସନ୍ତୁଳନ ରକ୍ଷାକରି ସେ ଆଗକୁ ବଢ଼ି ଚାଲିଥିଲେ । ପିଲା ଆଉ ଯୌଥ ପରିବାରର ଦାୟିତ୍ୱ ସାଙ୍ଗକୁ ଠିକାଦାରୀର ଭାରସାମ୍ୟ ରଖିବା କାଠିକର ହେଲେ ବି ଅସମ୍ଭବ ନଥିଲା ବୋଲି କହନ୍ତି ରତ୍ନମାଳା ।

ତାଙ୍କ ମତରେ,

ଜଣେ ସ୍ତ୍ରୀଲୋକ ପାଇଁ ବ୍ୟବସାୟ ହେଉ କି ରାଜନୀତି ଯେ କୌଣସି କ୍ଷେତ୍ରରେ ସଫଳତା ହାସଲ କରିବାକୁ ହେଲେ ପରିବାରର ସହଯୋଗ ନିହାତି ଜରୁରୀ । ମୋର ସୌଭାଗ୍ୟ ଯେ ମୁଁ ମୋ ଶାଶୁଘରେ ଝିଅଠାରୁ ବଳି ସ୍ନେହ, ଆଦର ଓ ଯତ୍ନ ପାଇଛି । ମୁଁ ବି ମୋର ପରିବାରକୁ ବହୁତ ଭଲପାଏ । ଆମେ ପରସ୍ପର ସହ ଯୋଡ଼ିହୋଇ ସବୁ ସ୍ଥିତି ଓ ଦୁଃସ୍ଥିତିର ସାମନା କରିଛୁ । ଜଣେ ଯଦି ପରିବାରକୁ ସଫଳତାର ସହ ଚଳେଇ ନପାରିବ, ସେ ବାହାରେ ବ୍ୟବସାୟକୁ କେମିତି ସଫଳତାର ସହ ଆଗେଇନେବ? ମୁଁ ବୁଝିପାରେନି ଜଣେ କର୍ମଜୀବୀ ମହିଳା ଯଦି ବାହାରେ ଲୋକଙ୍କ ସହ Adjust ଓ Compromise କରି ଚଳୁଛି, ନିଜ ପରିବାରରେ ଶାଶୁ, ନଣନ୍ଦ ଓ ଦିଅର-ଯାଆଙ୍କ ସହ କାହିଁକି ଭଲରେ ଚଳିପାରିବ ନାହିଁ?

ଏଆର୍ ଇଞ୍ଜିନିୟର୍ସ

ଠିକାଦାରୀରେ ପ୍ରତିଯୋଗିତା ବଢ଼ି ଚାଲିଥିଲା । ସରକାରଙ୍କ ଠାରୁ ଠିକ ସମୟରେ ବିଲ୍‍ ଅର୍ଥ ମିଳୁନଥିଲା । ସେଥିପାଇଁ ଧାର ଆଣିଥିବା ଲୋକଙ୍କ ପାଖରେ ରତ୍ନମାଳାଙ୍କୁ ବାରମ୍ବାର ଲଜ୍ଜିତ ହେବାକୁ ପଡେ଼ । ତେଣୁ ଠିକାଦାର ବୃତ୍ତି ଛାଡ଼ି ଆର୍କିଟେକ୍ ପାଠକୁ ବୃତ୍ତିରେ ଲଗାଇବାକୁ ସେ ଚିନ୍ତା କଲେ । ୧୯୯୩ରେ ସେ ଆରମ୍ଭ କଲେ ନିଜର ପ୍ରଥମ କମ୍ପାନି ଏଆର୍ ଇଞ୍ଜିନିୟର୍ସ ପ୍ରାଇଭେଟ୍ ଲିମଟେଡ । ସେ ନିଜର ବାନ୍ଧବୀ ବନାନୀ ଜଗଦ୍ଦେବଙ୍କ ସହ ମିଶି ବିଭିନ୍ନ ପ୍ରକାର Architectural Project ହାତକୁ ନେଲେ ।

ରତ୍ନମାଳା କହନ୍ତି,

କାମରେ ନିଷ୍ଠା, ସ୍ବଚ୍ଛତା, ସଚ୍ଚୋଟତା ଓ ସମୟାନୁବର୍ତିତା ଜଣେ ପ୍ରଫେସନାଲର ଅସଲ ପୁଞ୍ଜି ।

ଡିଏନ୍ ହୋମ୍ସ

୨୦୦୩ ମସିହା ବେଳକୁ ସଫଳ ବ୍ୟବସାୟୀ ଜଗଦୀଶ ପ୍ରସାଦ ନାୟକଙ୍କ ସହ ତାଙ୍କର ଭେଟହୁଏ । ଜଗଦୀଶ ଏକ ରିଅଲ ଇଷ୍ଟେଟ୍‍ କମ୍ପାନିର ପରିକଳ୍ପନା କରି ଡିଏନ୍‍ ହୋମ୍ସ ଗଢ଼ନ୍ତି ଓ ରତ୍ନମାଳା ସେଥିରେ ନିର୍ଦେଶକ ଭାବେ ଯୋଗଦିଅନ୍ତି । ସେବେଠାରୁ ଆଉ ପଛକୁ ଫେରି ଚାହିନାହାନ୍ତି ରତ୍ନମାଳା ସ୍ଵାଇଁ ।

୨୦୦୪ ମସିହାରେ ମାତ୍ର ୯ଟି ଫ୍ଲାଟ୍‍ ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣରୁ ଯାତ୍ରା ଆରମ୍ଭ କରିଥିବା ଡିଏନ୍‍ ହୋମ୍ସ ଅଦ୍ୟାବଧି ୧୦ଟିରୁ ଅଧିକ ଆବାସିକ ପ୍ରକଳ୍ପ ନିର୍ମାଣ କରିସାରିଛି ।

ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଏକ ଜାତୀୟ ସ୍ତରର ମେଗା ଆବାସିକ ପ୍ରକଳ୍ପ ନିର୍ମାଣ ଉଦ୍ଦେଶ୍ୟରେ ବିପୁଲ ଗୃପ ସହ ଅନୁବନ୍ଧିତ ହେଲା ଡିଏନ୍‍ ହୋମ୍ସ, ଯାହାର ଫଳଶ୍ରୁତି ୫୭୬ ଫ୍ଲାଟ୍‍ ବିଶିଷ୍ଟ ଆପାର୍ଟମେଣ୍ଟ ବିପୁଲ ଗାର୍ଡେନ୍‍

ତେବେ ସେମାନଙ୍କର ସ୍ଵପ୍ନର ପ୍ରକଳ୍ପ ହେଉଛି ଡିଏନ୍‍ ଅକ୍ସି ପାର୍କ, ଯାହାର ନିର୍ମାଣ କାର୍ଯ୍ୟ ଏବେ ଶେଷ ହେବା ଉପରେ ।

ରତ୍ନମାଳା କହନ୍ତି,

ବ୍ୟବସାୟର ଜଟିଳ ଗଣିତକୁ କିଭଳି ସହଜରେ ସମାଧାନ କରାଯାଏ, ତାହା ମୁଁ ଜଗଦୀଶଙ୍କ ଠାରୁ ଶିଖିଛି । ଏହା ଛଡ଼ା ସବୁ ସଫଳତାର ଶ୍ରେୟ ଯାଏ ଆମର ପୂରା ଡିଏନ୍‍ କର୍ମଚାରୀ ସମୁହଙ୍କୁ । ଆପଣ ଯେତେ ଦକ୍ଷ ହେଲେ ବି ଭଲ ଟିମ୍‍ ଆପଣଙ୍କ ସହ ନଥିଲେ ସଫଳତା ମିଳିବା ସହଜ ନୁହେଁ ।

ଆବାସ ନିର୍ମାଣ ସେବା ସମ୍ପର୍କରେ ସେ କହନ୍ତି,

ଆମେ ମଧ୍ୟବିତ୍ତ ପରିବାରରୁ ଆସିଥିବାରୁ ଜୀବନରେ ବହୁ ସଂଘର୍ଷ କରିଛୁ । ନିଜର ଘରଟିଏ କରିବା କେତେ କଷ୍ଟସାଧ୍ୟ ତାହା ଆମେ ଭଲ ଭାବରେ ହୃଦୟଙ୍ଗମ କରୁ । ତେଣୁ ଆମେ ସବୁବେଳେ ଭାବୁ ଯେ ଆମେ କେବଳ ବ୍ୟବସାୟ କରୁନାହୁଁ, ବରଂ ଲୋକଙ୍କ ଜୀବନର ଗୋଟେ ବଡ଼ ସ୍ଵପ୍ନକୁ ସାକାର କରିବାରେ ସହାୟକ ହେଉଛୁ ।

ସାହିତ୍ୟରେ ରତ୍ନମାଳା

ନିଜ ଜୀବନର ଅତ୍ୟନ୍ତ ସଂଘର୍ଷମୟ ସମୟରେ ୧୯୯୩ ଜୁଲାଇ ମାସରେ ସେ ଚିତ୍ରା ନାମରେ ଏକ ତ୍ରୟମାସିକ ସାହିତ୍ୟ ପତ୍ରିକା ପ୍ରକାଶନ ଆରମ୍ଭ କରିଥିଲେ । ୧୯୯୯ ମହାବାତ୍ୟା ପରେ ପତ୍ରିକା ପ୍ରକାଶନ ବନ୍ଦ ହୋଇଥିବା ବେଳେ ୨୦୦୫ରୁ ୨୦୦୮ ପର୍ଯ୍ୟନ୍ତ ପୁଣି ପ୍ରକାଶ ପାଇଥିଲା । ୧୯୯୬ରୁ ୧୯୯୮ ମସିହା ପର୍ଯ୍ୟନ୍ତ ଦୁଇବର୍ଷ ସେ ଓଡ଼ିଆ ଯୁବଲେଖକ ସମ୍ମିଳନୀର ପ୍ରଥମ ମହିଳା ସାଧାରଣ ସଂପାଦିକା ଭାବେ ନିର୍ବାଚିତ ହୋଇଥିଲେ । ସେ ଓଡ଼ିଅ‍ା ଲେଖିକା ସଂସଦର ମଧ୍ୟ ସଙ୍ଗଠନ ସଂପାଦିକା ହୋଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲେଖିକା ନନ୍ଦିନୀ ଶତପଥୀଙ୍କ ବେଶ୍ ଘନିଷ୍ଠ ଥିଲେ ରତ୍ନମାଳା ।

ବ୍ୟସ୍ତତା ଭିତରେ ବି ପଢ଼ାପଢ଼ି କରିବାକୁ ଭଲପାଆନ୍ତ ରତ୍ନମାଳା । ପ୍ରଚୁର ପଢ଼ାପଢ଼ି କରୁଥିବା ରତ୍ନମାଳା କେବେକେବେ କବିତା ଲେଖନ୍ତି ଓ ଅନୁବାଦରେ ମଧ୍ୟ ରୁଚି ରଖନ୍ତି । ଏଯାବତ ତାଙ୍କର ଦୁଇଟି କବିତା ପୁସ୍ତକ ଓ ଗୋଟିଏ ଅନୁବାଦ ନାଟକ ପ୍ରକାଶ ପାଇସାରିଛି । ସଂପ୍ରତି ସେ ଏକ ଉପନ୍ୟାସ ଲେଖୁଛନ୍ତି ।

ଆକାଶ ଛୁଇଁବା ପରେ ବି ଛାଡ଼ିନାହାନ୍ତି ମାଟି

ବେଶ୍ ମେଳାପି ରତ୍ନମାଳାଙ୍କର ଲୋକସମ୍ପର୍କ ବହୁତ ଭଲ । ବିଭିନ୍ନ ବର୍ଗର ଲୋକଙ୍କ ସହ ତାଙ୍କର ବନ୍ଧୁତା ରହିଛି । ନିଜର ବ୍ୟସ୍ତ ବ୍ୟାବସାୟିକ ଜୀବନରେ ସେ ପରିବାରକୁ ଯେମିତି ଅବହେଳା କରିନାହାନ୍ତି, ନିଜ ସାହିତ୍ୟ ରୁଚି ତଥା ବନ୍ଧୁମାନଙ୍କୁ ବି କେବେ ଅଣଦେଖା କରିନାହାନ୍ତି । ଏବେ ବି ଯୌଥ ପରିବାରକୁ ସାଙ୍ଗରେ ନେଇ ରହୁଛନ୍ତି ରତ୍ନମାଳା । ଟିକିଏ ସମୟ ମିଳିଲେ ନିଜର ପୁରୁଣା ବନ୍ଧୁମାନଙ୍କୁ ଭେଟିବା ଓ ସାହିତ୍ୟ ଉତ୍ସବ ଆଦିରେ ଯୋଗଦେବାକୁ ବେଶ୍ ଭଲପାଆନ୍ତି ସେ । ଏବେ ବି ସେ ନିୟମିତ ନିଜ ଗାଁକୁ ଯାଆନ୍ତି । ପିଲାବେଳର ସାଙ୍ଗସାଥୀଙ୍କ ଗହଣରେ ସମୟ ବିତାଇବା ଓ ଗାଁ ବିଲମାଳରେ ବୁଲିବାବେଳେ ଭାବବିହ୍ୱଳ ହୋଇଉଠନ୍ତି ରତ୍ନମାଳା ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା subhransupanda@yahoo.co.in ରେ ଯୋଗାଯୋଗ କରାଯାଇ ପାରିବ।

Author, Journalist, Nomad. Also shows interest in documentary film making and social service. Can be reached at: subhransupanda@yahoo.co.in / +91 9338655845

Related Stories