ଆଳୁ ଓ ଶାଗୁରେ ତିଆରି EnviGreen Bag ପ୍ଲାଷ୍ଟିକ ଠାରୁ ପରିବେଶକୁ ରକ୍ଷା କରିବ

ଆଳୁ ଓ ଶାଗୁରେ ତିଆରି EnviGreen Bag  ପ୍ଲାଷ୍ଟିକ ଠାରୁ ପରିବେଶକୁ ରକ୍ଷା କରିବ

Wednesday December 14, 2016,

3 min Read

ଆମ ଦେଶରେ ସର୍ବତ୍ର ବିଦ୍ୟମାନ ପଲିଥିନ ମୁଣି, ଯାହାକୁ ଲୋକମାନେ ଇଆଡ଼େ ସିଆଡ଼େ ଫିଙ୍ଗି ଦେଇଥାନ୍ତି। ତାହା ପଡ଼ିଆରେ ତଥା ରାସ୍ତା ଘାଟ ଓ ନାଳ ନର୍ଦ୍ଦମା ସବୁ ଆଡ଼େ ପଡ଼ିଥାଏ। ପରିବେଶ ପାଇଁ ଏକ ଘୋର ଆତଙ୍କ ! କାରଣ ଏହା ହଜାରେ ବର୍ଷ ପରେ ବି ନା ପଚିବ ନା ସଢ଼ିବ।

image


ପଡ଼ିଆରେ ଗାଈଗୋରୁ ଚରିଲା ବେଳେ ଇଆଡ଼େ ସିଆଡ଼େ ପଡ଼ିଥିବା ପଲିଥିନ ମୁଣି ଗିଳିଦେଇ ମୃତ୍ୟୁମୁଖରେ ପଡ଼ିଥାନ୍ତି। ମାଙ୍ଗାଲୋର ଜନ୍ମିତ ଅଶ୍ଵଥ ହେଗଡେ ଏବେ ଏପରି ଏକ ଜୈବିକ କ୍ୟାରିବ୍ୟାଗ ପ୍ରସ୍ତୁତ କରିଛନ୍ତି ଯାହାକୁ ଗିଳିଦେଲେ ଗାଈଗୋରୁଙ୍କର କିଛି ବି କ୍ଷତି ହେବନି। ଭାରତର ଅଧିକାଂଶ ସହରରେ ପ୍ଲାଷ୍ଟିକ ବ୍ୟାଗକୁ ଆଂଶିକ ବା ସଂପୂର୍ଣ୍ଣ ଭାବେ ନିଷିଦ୍ଧ କରାଯାଇଛି; କିନ୍ତୁ ତା'ର କୌଣସି ଉପଯୁକ୍ତ ବିକଳ୍ପ ନାହିଁ । ୨୦୧୨ରେ ମାଙ୍ଗାଲୋର ନଗର ନିଗମ ପ୍ଲାଷ୍ଟିକ ବ୍ୟାଗ ଉତ୍ପାଦନ, ବିକ୍ରୟ, ଓ ବିତରଣକୁ ନିଷିଦ୍ଧ କଲା। କିନ୍ତୁ କୌଣସି ବିକଳ୍ପର ବିନା ପ୍ରସ୍ତୁତିରେ ଏଇ ନିଷ୍ପତ୍ତିଟି ନିଆଯାଇଥିଲା। ସମସ୍ତେ ତ ଏକ କିଲୋ ଚିନି ଆଣିବା ପାଇଁ ୫ ରୁ ୧୦ ଟଙ୍କା ଦେଇ ବ୍ୟାଗଟିଏ କିଣିପାରିବେନି । ତା'ଛଡ଼ା ଯେଉଁମାନେ ବ୍ୟାଗ ନେବାକୁ ଭୁଲି ଯାଇଥିବେ - ସାଧାରଣ ନାଗରିକଙ୍କର ଏଇ ସମସ୍ୟା ୨୫ ବର୍ଷୀୟ ଅଶ୍ଵଥ ହେଗଡେଙ୍କୁ ଘାରିଲା। 

"ମୋ ନିଜ ସହର ଏଇ ସମସ୍ୟାରେ ପଡ଼ିଛି ଜାଣି ମୁଁ ଏକ ବିକଳ୍ପ ସନ୍ଧାନରେ ଲାଗିଗଲି" କହନ୍ତି ଅଶ୍ଵଥ। 

ସମ୍ପ୍ରତି କାତାରରେ ରହୁଛନ୍ତି ପ୍ରବାସୀ ଭାରତୀୟ ଉଦ୍ୟୋଗୀ ହେଗଡେ। ଏ ସମସ୍ୟା ଉପରେ ୪ ବର୍ଷ ଗବେଷଣା କଲା ପରେ ଅଶ୍ଵଥ ପ୍ରତିଷ୍ଠା କଲେ EnviGreen ନାମରେ ଏକ କମ୍ପାନୀ, ଯାହା ପ୍ରସ୍ତୁତ କରେ ପର୍ଯ୍ୟାବରଣ ଅନୁକୂଳ ସଢ଼ିପାରୁଥିବା ଶତପ୍ରତିଶତ ଜୈବିକ କ୍ୟାରିବ୍ୟାଗ। ଏଗୁଡ଼ିକ ଦେଖିବାକୁ ପ୍ଲାଷ୍ଟିକ ବ୍ୟାଗପରି କିନ୍ତୁ ପ୍ରାକୃତିକ ଶ୍ଵେତସାର ଓ ଜୈବ ତେଲରେ ପ୍ରସ୍ତୁତ। ସାଧାରଣ ତାପମାନରେ ଏକ ଗ୍ଳାସ ପାଣିରେ ଏହାକୁ ବୁଡ଼ାଇ ରଖିଲେ ଏକ ଦିନ ମଧ୍ୟରେ ମିଳାଇ ଯାଇଥାଏ। ଫୁଟନ୍ତା ପାଣିରେ ୧୫ ସେକେଣ୍ଡ ଭିତରେ ତରଳି ଯାଏ। ଯେତେବେଳେ ଏହାକୁ ଫିଙ୍ଗାଯାଇଥାଏ ପ୍ରାକୃତିକ ଉପାୟରେ ୧୮୦ ଦିନରୁ କମ ସମୟ ମଧ୍ୟରେ ସଢ଼ି ଯାଏ ଏବଂ ପରିବେଶର କିଛି କ୍ଷତି କରିନଥାଏ। ଏହାକୁ ପଶୁମାନେ ଖାଇଦେଲେ କିଛି ବି କ୍ଷତି ହୋଇନଥାଏ।

image


ହେଗଡେ ଯେ କି EnviGreenର ପେଟେଣ୍ଟ କରିସାରିଛନ୍ତି କହନ୍ତି,

ଏହାର ପ୍ରସ୍ତୁତ ପ୍ରଣାଳୀ ପ୍ଲାଷ୍ଟିକ, କପଡ଼ା ବା କାଗଜରେ ପ୍ରସ୍ତୁତ ହେଉଥିବା ବ୍ୟାଗଠାରୁ ସଂପୂର୍ଣ୍ଣ ଭିନ୍ନ। ଏହାକୁ ପ୍ରସ୍ତୁତ କରିବାରେ ୧୨ଟି ଉପାଦାନ ଯେମିତିକି ଆଳୁ,ମକା, ଶାଗୁ, କଦଳୀ, ପ୍ରାକୃତିକ ଶ୍ଵେତସାର ଓ ଜୈବ ତେଲ ଇତ୍ୟାଦି ବ୍ୟବହାର କରାଯାଇଥାଏ। ଏଥିରେ ଆଦୌ କୌଣସି କେମିକାଲ ନଥାଏ ଯାହାକି ବିଶେଷଜ୍ଞମାନଙ୍କ ଦ୍ଵାରା ପରୀକ୍ଷିତ ଓ ପ୍ରମାଣିତ। ଆମେ କୌଣସି କେମିକାଲ ବ୍ୟବହାର କରୁନା, ଏପରିକି ଏହାର ପ୍ରିଣ୍ଟରେ ଦିଆଯାଉଥିବା ରଙ୍ଗ ମଧ୍ୟ ସଂପୂର୍ଣ୍ଣ ଜୈବିକ। 

ଏହାର ମୂଲ୍ୟ ପ୍ଲାଷ୍ଟିକ ବ୍ୟାଗଠାରୁ ସାମାନ୍ୟ ଅଧିକ । ଗୋଟିଏ ୧୩x୧୬ ଇଞ୍ଚ Envi ବ୍ୟାଗର ଦାମ ୩ ଟଙ୍କା ପଡ଼ିବ ଯେତେବେଳେକି ସେହି ସାଇଜର ପ୍ଲାଷ୍ଟିକ ବ୍ୟାଗର ଦାମ ୨ ଟଙ୍କା ପଡ଼ିଥାଏ। କର୍ଣ୍ଣାଟକ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ବ୍ୟାଗର ବ୍ୟବହାରକୁ ଅନୁମୋଦନ କରିଛନ୍ତି। ସାଧାରଣ ପ୍ଲାଷ୍ଟିକ ବ୍ୟାଗ ପରି ଏହାକୁ ଜଳାଇଲେ ଏଥିରୁ କୌଣସି ବିଷାକ୍ତ ବାଷ୍ପ ବାହାରେ ନାହିଁ କିମ୍ବା ଏହା ଉତ୍ତପ୍ତ ଲୁହାରେ ଅଠା ଭଳି ଲାଖି ଯାଏନା। ଏହି EnviGreenବ୍ୟାଗ କେନ୍ଦ୍ରୀୟ ପ୍ଲାଷ୍ଟିକ ଇଞ୍ଜିନିୟରିଂ ସଂସ୍ଥାନ ଏବଂ Sriram Institute for Industrial Research ଦ୍ଵାରା ପରୀକ୍ଷିତ ଏବଂ ସଂପୂର୍ଣ୍ଣ ନିରାପଦ ବୋଲି ପ୍ରମାଣିତ। ଅଶ୍ଵଥ ଏହି ବ୍ୟାଗ ଗୋଟିଏ ଗରମ ପାଣିରେ ବୁଡ଼ାଇ ତାକୁ ଖାଇ ଦେଖାଇଛନ୍ତି ଯେ ଏହାକୁ ଖାଇ ବି ହେବ।

୬୦ ଜଣଙ୍କୁ ନେଇ ଗଠିତ ତାଙ୍କ ଟିମ ଦ୍ଵାରା ଅଶ୍ଵଥ ବେଙ୍ଗାଲୁରୁରେ ଏକ କାରଖାନା ପ୍ରତିଷ୍ଠା କରିଛନ୍ତି ଯାହାକି ମାସକୁ ୧୦୦୦ ମେଟ୍ରିକ ଟନ ବ୍ୟାଗ ଉତ୍ପାଦନ କରିଥାଏ। 

"ଆମେ କର୍ଣ୍ଣାଟକର ଚାଷୀମାନଙ୍କଠାରୁ ଆମର ସମସ୍ତ କଞ୍ଚାମାଲ କିଣି ସେମାନଙ୍କୁ ସଶକ୍ତ କରିବୁ ବୋଲି ଭାବିଛୁ ଏବଂ ଆମର ଆବଶ୍ୟକୀୟ ଉପାଦାନଗୁଡ଼ିକ ଉତ୍ପାଦନ କରିବା ପାଇଁ ଚାଷୀମାନଙ୍କୁ ବିହନ ବାଣ୍ଟିବା ପାଇଁ ଆମେ ଯୋଜନା କରୁଛୁ" ଅଶ୍ଵଥ କହନ୍ତି। 
image


ବର୍ତ୍ତମାନ କମ୍ପାନୀ ଭାରତରେ ଉତ୍ପାଦର ସଂପୂର୍ଣ୍ଣ ବିକ୍ରୟ ବ୍ୟବସ୍ଥା ଆରମ୍ଭ କରିନାହିଁ କିନ୍ତୁ କାତାର ଓ ଆବୁଧାବିରେ ଏଗୁଡ଼ିକ ମିଳିପାରୁଛି। 

ବେଙ୍ଗାଲୁରୁ ସହର କେବଳ ମାସକୁ ୩୦,୦୦୦ ମେଟ୍ରିକ ଟନ ପ୍ଲାଷ୍ଟିକ ବ୍ୟାଗ ଖର୍ଚ୍ଚ କରିଥାଏ। ତେଣୁ ଆମେ ପ୍ରଥମେ ଆମର ଉତ୍ପାଦନ କ୍ଷମତାକୁ ବଢ଼ାଇବାକୁ ଚାହୁଁ। ତା'ପରେ ଯାଇ ଦୋକାନୀମାନଙ୍କୁ ବିତରଣ କରିପାରିବୁ। ଏବେ ଆମେ ମେଟ୍ରୋ ଏବଂ ରିଲାଏନ୍ସ ପଡ଼ି ରିଟେଲଙ୍କୁ ବ୍ୟାଗ ଯୋଗାଇବା ଆରମ୍ଭ କରିଛୁ। ସେମାନେ ଏ ବର୍ଷ ଡିସେମ୍ବରରୁ ଏହାର ବ୍ୟବହାର ଆରମ୍ଭ କରିବେ ବୋଲି ଅଶ୍ଵଥ କହନ୍ତି।

ଏହି EnviGreen bag ମିଳିବା ପରେ ଅନେକ ଉପଭୋକ୍ତା ଯେଉଁମାନେ ପର୍ଯ୍ୟାବରଣ ପାଇଁ ଚିନ୍ତା କରନ୍ତି ଆଶ୍ଵସ୍ତ ହେବେ କାରଣ ଏହା ପରିବେଶ ସୁରକ୍ଷା ଏବଂ ଦୈନନ୍ଦିନ ଜୀବନରେ ସ୍ଵାଚ୍ଛନ୍ଦ୍ୟ ମଧ୍ୟରେ ଏକ ସମନ୍ଵୟ ଆଣିପାରିବ। 

Website  

ଯୋଗାଯୋଗ ପାଇଁ ଫୋନ କରନ୍ତୁ - 096865 58866, ଇମେଲ - [email protected]