ଭିନ୍ନକ୍ଷମଙ୍କ ପାଇଁ ଇଣ୍ଟରନେଟ: Web@ssistର ପ୍ରତିଷ୍ଠାତାଙ୍କ ସହ ଏକ ଅନ୍ତରଙ୍ଗ ସାକ୍ଷାତକାର

ଭିନ୍ନକ୍ଷମଙ୍କ ପାଇଁ ଇଣ୍ଟରନେଟ: Web@ssistର ପ୍ରତିଷ୍ଠାତାଙ୍କ ସହ ଏକ ଅନ୍ତରଙ୍ଗ ସାକ୍ଷାତକାର

Thursday October 29, 2015,

4 min Read

ହରପ୍ରୀତ ସିଂହ ହେଉଛନ୍ତି Web@ssistର ପ୍ରତିଷ୍ଠାତା ତଥା NASSCOM 2012 Social Innovation Honourର ବିଜେତା। ତାଙ୍କ ପିଲାଦିନ, ଜଣେ ଛାତ୍ର ଉଦ୍ୟୋଗପତି ଭାବେ ଅଭିଜ୍ଞତା ତଥା NASSCOM 2012 Social Innovation Honour ପାଇବା ପରର ଅନୁଭୂତି ସମ୍ପର୍କରେ YourStory ସହ ଏକ ଅନ୍ତରଙ୍ଗ ଆଳାପ।

image


NSIH ସମ୍ମାନ ପାଇବା ପର୍ଯ୍ୟନ୍ତ ଆପଣଙ୍କ ଯାତ୍ରା କିପରି ଥିଲା ଓ ଏହି ସମ୍ମାନ ଆପଣଙ୍କୁ କିପରି ସାହାଯ୍ୟ କରିଛି?

ଏହି କ୍ଷେତ୍ରର ବିଭିନ୍ନ ଅଂଶୀଦାର, ପ୍ରତିନିଧି ଓ ଅନ୍ୟ ସଫଳ ଉଦ୍ୟୋଗପତିମାନଙ୍କ ସହ ଯୋଗସୂତ୍ର ବଢାଇବା ପାଇଁ NSIH ସମ୍ମାନ ଅନେକ ଗୁଡିଏ ରାସ୍ତା ଖୋଲି ଦେଇଛି। ଏହି ସମ୍ମାନ ଆମ ପ୍ରକଳ୍ପକୁ ଏକ ବୃହତ୍ତର ଗୋଷ୍ଠୀ ପାଖରେ ଚିହ୍ନାଇ ପାରିଛି। ତା' ସହ, ଏହି ସମ୍ମାନ ସକାରାତ୍ମକ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ଆମ ବିଶ୍ଵସନୀୟତାକୁ ମଧ୍ୟ ପ୍ରତିଷ୍ଠା କରିପାରିଛି।

ଖାଲି ସେତିକି ନୁହେଁ, ଏହି ସମ୍ମାନ ଆମ ଭିତରେ ଆମ କାମ ଓ ଆମେ ଯାଉଥିବା ଦିଗ ସମ୍ପର୍କରେ ଆତ୍ମବିଶ୍ଵାସକୁ ଦୃଢୀଭୂତ କରିଛି। ଏହା ଆମର କାମକୁ ବଢାଇ ମଧ୍ୟ ଦେଇଛି। ବ୍ୟବସାୟିକ କ୍ଷେତ୍ରରେ ଥିବା ବ୍ୟବହାରକାରୀମାନଙ୍କ ପାଖରେ ପହଞ୍ଚିବା ପାଇଁ ସାହାଯ୍ୟ କରିଛି ଓ ସୁରୁଖୁରୁରେ ଆଗକୁ ବଢିବା ପାଇଁ ଆମେ କରୁଥିବା ଚିନ୍ତାକୁ ସରଳ କରିଦେଇଛି।

ଏହି ସମ୍ମାନ ପାଇଲା ପରେ ଆପଣଙ୍କର କିପରି ପ୍ରଗତି ହୋଇଛି?

NSIH ର ବିଭିନ୍ନ ପର୍ଯ୍ୟାୟରେ ଆମକୁ ଆମ କାମ ପାଇଁ କେତେକ ମତାମତ ମିଳିଥିଲା। ଏହି ମତାମତକୁ ଆଧାର କରି ଆମେ ପ୍ରକଳ୍ପକୁ ଅଧିକ କ୍ରିୟାଶୀଳ ଓ ଦୃଶ୍ୟମାନ କରିବାକୁ ଆରମ୍ଭ କରିସାରିଛୁ। ବୈଷୟିକ ଦୃଷ୍ଟିକୋଣରୁ Web@ssist ହେଉଛି କେତୋଟି ସହଜଭାବେ ବ୍ୟବହାର କରିହେଉଥିବା ଟୁଲବାରର ସମିଶ୍ରଣ। ଏହାର କାର୍ଯ୍ୟଦକ୍ଷତା ଆସିଷ୍ଟିଭ ଟେକ୍ନୋଲୋଜି ଉପରେ ନିର୍ଭର କରିଥାଏ। ବର୍ତମାନ ଆମେ ଏହି ଟୁଲବାର ଗୁଡିକର କାର୍ଯ୍ୟଦକ୍ଷତା ବୃଦ୍ଧି କରିପାରିଛୁ। ଭିନ୍ନକ୍ଷମମାନଙ୍କ ମଧ୍ୟରେ ଏକ ବୃହତର ଗୋଷ୍ଠୀର କାମରେ ଏହା ଆସିପାରିବ। ଏପରିକି ଡାଇଲେକ୍ସିଆ ଓ ବିଭିନ୍ନ ଯାନ୍ତ୍ରିକ ଭିନ୍ନକ୍ଷମତା ଥିବା ଲୋକମାନେ ଏହାକୁ ବ୍ୟବହାର କରି ଉପକୃତ ହୋଇପାରିବେ। ବର୍ତ୍ତମାନ ଆମ ୱେବସାଇଟ ବ୍ୟବହାରକାରୀର ଆବଶ୍ୟକତା ଅନୁସାରେ ନିଜକୁ ପରିବର୍ତ୍ତନ କରିପାରୁଛି। ତା ଛଡା ଆମେ ଏହାର ବୌଦ୍ଧିକ ସ୍ତରକୁ ମଧ୍ୟ ବଢାଇଛୁ। ଫଳରେ ଏଥିରେ ବ୍ୟବହାର କରାଯାଉଥିବା ଯନ୍ତ୍ର ଗୁଡିକର ବର୍ଗୀକରଣ ଆପେ ଆପେ ହୋଇପାରୁଛି।

image


ଏହା ଫଳରେ,ଦିଆଯାଉଥିବା ଶିକ୍ଷାର ପୁନରାବୃତ୍ତି କରିବା, ଆମ ସେବା ପାଇଁ କ୍ରମବର୍ଦ୍ଧିଷ୍ଣୁ ଚାହିଦା ପୂରଣ କରିବା ଓ ବିଭିନ୍ନ କ୍ଷେତ୍ରରେ ଆମ ସେବାକୁ ଉପଯୋଗ କରାଇବାରେ ଆମେ ସକ୍ଷମ ହେଇପାରିଛୁ।

ବର୍ତ୍ତମାନ ଅନେକ ମୋବାଇଲ ମାଧ୍ୟମ ଭାଷା ଭିତ୍ତିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିସ୍ଥଳେ ଆପଣ ନିଜ ସେବାକୁ ମୋବାଇଲ ମାଧ୍ୟମକୁ ନେବାକୁ ଯୋଜନା କରିଛନ୍ତି କି?

୨୦୧୧ ମସିହାରେ Web@ssist ଆରମ୍ଭ ହୋଇଥିଲା। ଏହି ସମୟରେ ଆମେ କେବଳ ୱେବ ଟେକ୍ନୋଲୋଜି ସହାୟତାରେ କାମ କରିବା ପାଇଁ ଲକ୍ଷ୍ୟ ରଖିଥିଲୁ। ସମୟ ସମୟେ ଆମ ବୈଷୟିକ ରୂପରେଖରେ କିଛି ନୂଆ ଜିନିଷ ଯୋଡା ଯାଇଛି। ତେବେ ଏହି ଯୋଡିବା ପଛର ଲକ୍ଷ୍ୟ ହେଉଛି ଆମର ନିର୍ଦ୍ଧାରିତ ଲକ୍ଷ୍ୟ ବାହାରେ ଥିବା ପ୍ରଶ୍ନ ମାନଙ୍କର ଉତ୍ତର ଖୋଜିବା। ଅନେକ ଭିନ୍ନକ୍ଷମ ମୋବାଇଲ ସହାୟତାରେ ଇଣ୍ଟରନେଟ ବ୍ୟବହାର କରୁଛନ୍ତି। ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆମେ ମଧ୍ୟ ମୋବାଇଲ ମାଧ୍ୟମକୁ ଯିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ।

ଭିନ୍ନ ଭିନ୍ନ ମୋବାଇଲ ମାଧ୍ୟମ ପାଇଁ ଏକକ ସମାଧାନ ତିଆରି କରିବା ଗୋଟିଏ ବଡ ଚ୍ୟାଲେଞ୍ଜ। ଆମେ ଏହାଉପରେ କାମ କରିବା ଆରମ୍ଭ କରିସାରିଛୁ। କିଛି ମୋବାଇଲ ମାଧ୍ୟମ ପାଇଁ ଆମେ ସମାଧାନ ବାହାର କରିସାରିଛୁ ଓ ଅନ୍ୟ ମାଧ୍ୟମ ଗୁଡିକୁ ଏହି ସମାଧାନ ଅଧୀନକୁ ଆଣିବାକୁ ଚେଷ୍ଟା କରୁଛୁ।

ଆପଣ ଛାତ୍ର ଥିବା ବେଳଠୁଁ ନିଜ ଉଦ୍ୟୋଗ କରିଛନ୍ତି। ଆରମ୍ଭ ଦିନମାନଙ୍କରେ ଆପଣଙ୍କୁ କେଉଁ କେଉଁ ସମସ୍ୟାର ସାମ୍ନା କରିବାକୁ ପଡିଥିଲା?

ମୁଁ ଛାତ୍ର ଥିବା ବେଳେ ହିଁ Web@ssist ଆରମ୍ଭ କରିଥିଲି। ସମସ୍ତେ କିପରି ଇଣ୍ଟରନେଟ ବ୍ୟବହାର କରିପାରିବେ ସେଥିପାଇଁ ଏକ ସମାଧାନର ସୂତ୍ର ବାହାର କରିବା Web@ssistର ଲକ୍ଷ୍ୟ ଥିଲା। ଅବଶ୍ୟକତାକୁ ଠିକ ଭାବେ ବୁଝିବା,ନିଜ କାମରେ ଠିକ ଭାବେ କେନ୍ଦ୍ରିତ କରିପାରୁଥିବା ଗୋଟିଏ ଟିମ ଗଢିବା ଓ ତା ପାଇଁ ସଫଳତାର ଲକ୍ଷ୍ୟ ସ୍ଥିର କରିବା ଓ ସର୍ବୋପରି ଏକାଠି ହୋଇ ଲକ୍ଷ୍ୟ ଦିଗରେ ଆଗକୁ ବଢିବା ଆମ ପାଇଁ ପ୍ରମୁଖ ଆହ୍ଵାନ ଥିଲା। ଭିନ୍ନକ୍ଷମମାନଙ୍କ ଅବଶ୍ୟକତାକୁ ଠିକ ଭାବେ ବୁଝିବା ପାଇଁ ଆମକୁ ପ୍ରତିଦିନ ଅନେକ ଭିନ୍ନକ୍ଷମଙ୍କୁ ଭେଟିବାକୁ ପଡୁଥିଲା। ସେମାନଙ୍କ ଠାରୁ ମିଳୁଥିବା ମତାମତକୁ ଆମେ ପ୍ରତିଦିନ ସନ୍ଧ୍ୟାରେ ଆଲୋଚନା କରୁଥିଲୁ ଓ ତା'ପର ଦିନ ଠିକ ସେଇ ଏକା କାମ କରିବାପାଇଁ ବାହାରି ଯାଉଥିଲୁ। ସଠିକ ସୂଚନା ଓ ତଥ୍ୟ ପାଇବା ପାଇଁ ଆମକୁ ଦିନକୁ ୧୭ ରୁ ୧୮ ଘଣ୍ଟା କାମ କରିବାକୁ ପଡୁଥିଲା। ଟିମର ସଦସ୍ୟମାନଙ୍କ ଉତ୍ସାହ ପାଇଁ ହିଁ ଏହା ସମ୍ଭବ ହେଇପାରିଥିଲା।

ଏହି ସମସ୍ୟା ଗୁଡିକର ସମାଧାନ ଆପଣ କିପରି କରିଥିଲେ?

ପୁରୁଣା ଦିନଗୁଡିକ ଅନେକ ଉତଥାନ ପତନର ଦିନଥିଲା। ଏଭଳି ଏକ ଭିନ୍ନ ଚିନ୍ତାଧାରାକୁ ସଠିକ ଭାବେ ରୂପାୟନ କରିବା ନିଶ୍ଚିତ ଭାବେ କଷ୍ଟକର ଥିଲା। ହେଲେ ଆମ ଉତ୍ସାହ ହିଁ ଆମକୁ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥିଲା। ଆମେ ଏହି କ୍ଷେତ୍ରରେ ନିଜ ପାଦଚିହ୍ନ ସବୁ ଦିନ ପାଇଁ ରଖିଯିବାକୁ ଚାହୁଁଥିଲୁ। ମନକୁ ପ୍ରତିଦିନ ନୂଆ ନୂଆ ଚିନ୍ତାଧାରା ଆସୁଥିଲା। ହେଲେ ଆମେ ପ୍ରତି ମୂହୁର୍ତ୍ତରେ ଶିଖିବା ପାଇଁ ପ୍ରସ୍ତୁତ ଥିଲୁ। ଏହି ପ୍ରକଳ୍ପ ଭିତରେ ଥାଏ ବା ବାହାରେ, ଶିଖିବାର ଅଭ୍ୟାସ ଆଜି ମଧ୍ୟ ମୋ ଭିତରେ ଅଛି। କିଛି ଦିନ ତଳେ ମାଇକ୍ରୋସଫ୍ଟ ରିସର୍ଚ ଇଣ୍ଡିଆର ଏକ ଶିକ୍ଷାନବିଶ କାର୍ଯ୍ୟକ୍ରମରେ ମୁଁ ଭାଗ ନେଇଥିଲି। ସେଠାରେ ମଧ୍ୟ ଶିଖିବାକୁ ହିଁ ଚେଷ୍ଟା କରିଥିଲି।

ଆମେ ବର୍ତ୍ତମାନ ଏପରି ଏକ ସ୍ତରରେ ପହଞ୍ଚି ସାରିଛୁ ଯେଉଁଠି କାମକରିବା ପାଇଁ କୌଣସି ସୀମା ବା ବନ୍ଧକ ନାହିଁ। ଏଥି ଆମ ପାଇଁ ଯଦି କୌଣସି ଜିନିଷ ପ୍ରତିବନ୍ଧକ ସୃଷ୍ଟି କରିପାରେ ତାହା ହେଉଛି ବ୍ୟକ୍ତିଗତ ଉତ୍ସାହ ଓ ଦୃଢ ମାନସିକ ଶକ୍ତିର ଅଭାବ। ଆଜି ପର୍ଯ୍ୟନ୍ତ ସଫଳ ହୋଇଥିବା ସମସ୍ତ ବ୍ୟକ୍ତିଙ୍କ ଭିତରେ ଗୋଟିଏ ସମାନ ଜିନିଷ ଅଛି। ତାହା ହେଉଛି ଗତାନୁଗତିକ ଧାରାରୁ ଅଲଗା ହୋଇ ଏକ ଭିନ୍ନ ପଦକ୍ଷେପ ନେବା ପାଇଁ ଥିବା ଉତ୍ସାହ।

ଛାତ୍ର ଦିନରୁ ଉଦ୍ୟୋଗପତି ହେବାର ସବୁଠାରୁ ଭଲ ଦିଗଟି କଣ?

କୌଣସି ସମସ୍ୟାକୁ ସମାଧାନ କରିବା ପାଇଁ ଏକ ଅନନ୍ୟ ସୂତ୍ର ବାହାରକରିବାକୁ ଯେଉଁ ସକାରାତ୍ମକ ଦୃଷ୍ଟିକୋଣର ଆବଶ୍ୟକତା ରହିଛି, ତାହା ଛାତ୍ରାବସ୍ଥାରେ ଥାଏ। ଛାତ୍ରାବସ୍ଥାରେ ଯେକୌଣସି ଉଦ୍ୟୋଗ ଆରମ୍ଭ କରିବାର ଖର୍ଚ କମ ହେଇଥାଏ। ଆପଣଙ୍କ ଅନ୍ତର୍ନିହିତ ଇଚ୍ଛା ଅନୁସାରେ କାମ କରିବାକୁ ଏହା ଆପଣଙ୍କୁ ସୁଯୋଗ ଦିଏ ଓ ଅନ୍ୟମାନଙ୍କ ସହ ଗୋଟିଏ ଭଲ ଯୋଗସୂତ୍ର ମଧ୍ୟ ଗଢିଥାଏ।

ଛାତ୍ର ଥିବା ସମୟରୁ ନିଜର ଉଦ୍ୟୋଗ ଆରମ୍ଭ କରିବାକୁ ଚାହୁଁଥିବା ସମସ୍ତଙ୍କୁ ମୁଁ ପଲ ଜି ଙ୍କର ଗୋଟିଏ କଥା କହିବି-“ ଆପଣ ଯଦି ନିଜର ଉଦ୍ୟୋଗ ଆରମ୍ଭ କରିବା ପାଇଁ ଅତ୍ୟନ୍ତ ଅନଭିଜ୍ଞ, ତାହାଲେ ଆପଣଙ୍କର ଗୋଟିଏ କଥା କରିବା ଉଚିତ, ତାହାହେଲା ନିଜର ଉଦ୍ୟୋଗ ଆରମ୍ଭ କରିବା।"

ଛାତ୍ର ଉଦ୍ୟୋଗପତିରୁ ପୂର୍ଣ୍ଣକାଳୀନ ଉଦ୍ୟୋଗପତି, ଏ ପରିବର୍ତ୍ତନ କୁ ଆପଣ କିପରି ଦେଖୁଛନ୍ତି?

ପୂର୍ଣ୍ଣକାଳୀନ ଉଦ୍ୟୋଗପତି ହେବା ପରେ ଏବେ ଅଧିକ ପରିଶ୍ରମ କରିବାକୁ ପଡୁଛି ଓ ନିଜ ଟିମ ସହ ଅଧିକ ଜଡିତ ହେବାକୁ ପଡୁଛି। ଏବେ ଲକ୍ଷ୍ୟ ବଡ ହେଇଛି ଆଉ ସେଥିପାଇଁ ଅଧିକ ଦକ୍ଷତାର ସହ କାମ କରିବାକୁ ପଡୁଛି। ଛାତ୍ରାବସ୍ଥାରୁ ନିଜର ଉଦ୍ୟୋଗ ଆରମ୍ଭ କରିଥିବାରୁ ମୋତେ କେତେକ କ୍ଷେତ୍ରରେ ଅଭିଜ୍ଞତା ଶୀଘ୍ର ମିଳିପାରିଥିଲା, ଏହା ମୋତେ ଜଣେ ପୂର୍ଣ୍ଣକାଳୀନ ଉଦ୍ୟୋଗପତି ହେବାରେ ବହୁତ ସାହାଯ୍ୟ କରିଛି। ଏବେ ଖାଲି ସୀମିତ ଅଞ୍ଚଳରେ ନୁହେଁ, ସମଗ୍ର ବିଶ୍ଵରେ ଭିନ୍ନକ୍ଷମମାନେ କିପରି ସ୍ୱଳ୍ପ ଖର୍ଚରେ ସଫ୍ଟୱେର ସମାଧାନ ପାଇପାରିବେ ସେ ଉପରେ ଆମେ କାମ କରିବା ଆରମ୍ଭ କରିଦେଇଛୁ।