ଶୁଆବରେଇରେ ପାଂଚ ହଜାର ବର୍ଷର ସଭ୍ୟତାର ଆବିଷ୍କାର, ପର୍ଯ୍ୟଟନ ପାଇଁ ଯଥେଷ୍ଟ ସମ୍ଭାବନା

ଶୁଆବରେଇରେ ପାଂଚ ହଜାର ବର୍ଷର ସଭ୍ୟତାର ଆବିଷ୍କାର, ପର୍ଯ୍ୟଟନ ପାଇଁ ଯଥେଷ୍ଟ ସମ୍ଭାବନା

Monday March 28, 2016,

3 min Read

image


ଅଖ୍ୟାତ ଶୁଆବରେଇ ଗାଁ ଏବେ ଚର୍ଚ୍ଚାରେ | ଏବେ ଏଠି କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀମାନେ ଡେରା ପକାଇଛନ୍ତି |ଗବେଷକ ମାନଙ୍କ ସୁଅ ଛୁଟୁଛି | ସାମ୍ବାଦିକମାନେ ନିୟମିତ ଭାବେ ସେଠାକୁ ଖବର ସଂଗ୍ରହ କରିବାକୁ ଯାଉଛନ୍ତି | କାରଣ ଏହି ଗାଁର ମାଟିତଳୁ ମିଳିଛି ପାଂଚ ହଜାର ବର୍ଷର ସଭ୍ୟତାର ସୂଚନା | ପୁରୀ ଜିଲ୍ଲା ପିପିଲି ବ୍ଲକ ପୋପରଙ୍ଗା ପଂଚାୟତର ଶୁଆବରେଇ ଗାଁ | ପିପିଲି ଠାରୁ ପ୍ରାୟ ୭ କିଲୋମିଟର ଦୂରତ୍ୱ ହେବ | ଏହି ଗାଁର ବସତି ଠାରୁ ଏକ କିଲୋମିଟର ଦୂର ବିଲ ମଝିରେ ଥିବା ଏକ ପୁରାତନ ହୁଡାରୁ ଏସବୁ ହଜାର ହଜାର ବର୍ଷର ପୁରାତନ ସାମଗ୍ରୀମାନ ମିଳିବା ପରେ ସେତେବେଳର ସଭ୍ୟତା ବିଷୟରେ ପ୍ରତ୍ନତତ୍ତ୍ୱ ବିଭାଗକୁ ଅନେକ କିଛି ତଥ୍ୟ ମିଳିଛି |

image


ଶୁଆବରେଇରେ ୨୦୧୫ ମସିହା ଫେବୃୟାରୀ ୧ ତାରିଖରେ ଖନନ ଆରମ୍ଭ ହୋଇଥିଲା | ଖନନ ଜୁନ୍ ମାସ ୧୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା | ଆଉ ସଫଳତା ମିଳିଥିଲା ପ୍ରତ୍ନତତ୍ତ୍ୱବିତ୍ ମାନଙ୍କୁ | କାରଣ ୪ ମାସରୁ ଅଧିକ ସମୟ ଖନନ ସମୟରେ ଏଠାରୁ ପଶୁପକ୍ଷୀଙ୍କ ହାଡ, ସାର୍କମାଛର ଦାନ୍ତ, ହରିଣ ଶିଙ୍ଘ, ପଥରରେ ତିଆରି ମାରଣାସ୍ତ୍ର, ବାଘ ଦାନ୍ତ, ପଶୁ ହାଡରେ ନିର୍ମିତ ମୁନିଆ ଛୁଞ୍ଚି, ମାଟି ପାତ୍ର ଆଦି ଆବିଷ୍କାର କରିବାରେ ଏମାନେ ସଫଳ ହୋଇଥିଲେ | ଏଠାରେ ପୁଣି ଗତ ଡିସେମ୍ବର ମାସରୁ ଖନନ ଚାଲିଛି |

ଏଠାରୁ ବିଭିନ୍ନ ପୁରାତନ ସାମଗ୍ରୀ ମିଳିବା ପରେ ସେତେବେଳେ ଏଠାକାର ଲୋକମାନଙ୍କ ଚଳଣି ବିଷୟରେ ପ୍ରତ୍ନତତ୍ତ୍ୱବିତ୍ ମାନେ ଅନେକ ତଥ୍ୟ ପାଇଛନ୍ତି | ଶୁଆବରେଇରେ ଖନନ କାର୍ଯ୍ୟର ମୁଖ୍ୟ ତଥା କେନ୍ଦ୍ର ପ୍ରତ୍ନତତ୍ୱ ବିଭାଗର ସର୍ବେକ୍ଷଣ ଅଧିକ୍ଷକ ଜୀବନାନନ୍ଦ ପଟ୍ଟନାୟକ କହିଛନ୍ତି,

ଏଠାରୁ ମିଳିଥିବା ସାମଗ୍ରୀଗୁଡିକରୁ ଏଠାରେ ବସତି ଥିଲା | ଯାହା ପ୍ରାୟ ପାଂଚହଜାର ବର୍ଷ ପୁରୁଣା ତାମ୍ର ଯୁଗର | ତଥାପି ଏହାକୁ ନେଇ ଆମର ଗବେଷଣାକୁ ଦୃଢ କରିବା ପାଇଁ କେତେକ ସାମଗ୍ରୀକୁ ଆମେ ଲୌକ୍ଷ୍ନସ୍ଥିତ ବୀରବଲ ସାହାଣୀ ପୁରାତତ୍ୱ ପ୍ରତିଷ୍ଠାନକୁ ପଠାଇଛୁ | ସେଠାରୁ ରିପୋର୍ଟ ଆସିବା ପରେ ଏହି ପୁରାତନ ସଭ୍ୟତା ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳିଯିବ। 

ଚଳିତବର୍ଷ ୧ ତାରିଖରୁ ଏଠାରେ ପୁଣି ଖନନ କାର୍ଯ୍ୟ ଆରମ୍ଭ କରାଯାଇଛି | ଏହି ଖନନ ପାଇଁ ତିନିଟି ବର୍ଗାକାର ଗାତ ଖୋଳାଯାଇଛି |ନିକଟରେ ଏଠାରୁ ଅନ୍ୟ କେତେକ ସାମଗ୍ରୀ ମଧ୍ୟ ମିଳିଛି | ଧବଳ ଲୋହିତ ଚିତ୍ରିତ କୃଷ୍ଣ ବର୍ଣ୍ଣର ହାଣ୍ଡି ମାଠିଆର ଭଗ୍ନାଂଶ ମିଳିଛି | ସେତେବେଳର ଲୋକେ ରହୁଥିବା ତିନିମିଟର ବ୍ୟାସ ଯୁକ୍ତ ଗୋଲାକାର ବାସଘର ଏବଂ କିଛି ଘରକରଣା ସାମଗ୍ରୀ ବି ଉଦ୍ଧାର ହୋଇଛି | ଫେବୃୟାରୀ ୨୪ ତାରିଖରେ ଏଠାରୁ ହାତୀର ଜାନୁ ହାଡ, ୬ ଇଂଚ ଲମ୍ବର ଅଣ୍ଡିରା ହରିଣ ଶିଙ୍ଘ, ବଡ ଭାକୁର ମାଛର ଦାନ୍ତ ଇତ୍ୟାଦି ମିଳିଥିଲା | ତେଣୁ ଏଠାରେ ପୁରାତନ ସଭ୍ୟତା ଥିଲା ବୋଲି ଦାବି କରିଛନ୍ତି ଶ୍ରୀ ପଟ୍ଟନାୟକ |

image


ଏଠାରେ ଖନନ କାର୍ଯ୍ୟରେ ସାମିଲ ଥିବା ଆଉ ଜଣେ ପ୍ରତ୍ନତତ୍ତ୍ୱବିତ୍ ଡି.ବି. ଗଡନାୟକ କହନ୍ତି,

ଏଠାରେ ଏକ ବୃହତ ସଭ୍ୟତାର ସନ୍ଧାନରେ ଆମେ ଲାଗିଥିଲୁ | ଆମକୁ ଏଥିରେ ସଫଳତା ମିଳିଛି | ଉଦ୍ଧାର ହୋଇଥିବା ସାମଗ୍ରୀରୁ ଜଣାପଡୁଛି ଏଠାକାର ମହିଳାମାନେ ତମ୍ବା ମୁଦି ଓ ବିଭିନ୍ନ ରତ୍ନ ପଥରର ମାଳି ପିନ୍ଧୁଥିଲେ | ସେମାନେ ଧାନ, ବିରି,ମୁଗ, କୋଳଥ ଆଦି ଚାଷ କରୁଥିଲେ | ଭାତ ଥିଲା ସେମାନଙ୍କର ମୁଖ୍ୟ ଖାଦ୍ୟ | ପଶୁପକ୍ଷୀମାନଙ୍କୁ ଶିକାର କରିବା ଲାଗି ଧନୁତୀର ଓ ପଥର ନିର୍ମିତ ମାରଣାସ୍ତ୍ର ବ୍ୟବହାର କରୁଥିଲେ |

ଏଠରୁ ମିଳିଥିବା ବିଭିନ୍ନ ସାମଗ୍ରୀକୁ ନେଇ ମାର୍ଚ୍ଚ ୨୫ରୁ ୨୭ ପର୍ଯ୍ୟନ୍ତ ଏକ ଫୋଟ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା ଏହି ଖନନ ସ୍ଥାନରେ | ଏଥିରେ ଶୁଆବରେଇରୁ ମିଳିଥିବା ସାମଗ୍ରୀ ଓ ବିଭିନ୍ନ ତଥ୍ୟ ସ୍ଥାନ ପାଇଥିଲା | ଏହାକୁ ଦେଖିବା ଲାଗି ସ୍ଥାନୀୟ ଲୋକ ଓ ଛାତ୍ରଛାତ୍ରୀର ଭିଡ ଜମିଥିଲା | ସମସ୍ତେ ସେମାନଙ୍କର ପୂର୍ବଜଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଉତ୍ସୁକ ଥିଲେ | ସେମାନଙ୍କୁ ପ୍ରତ୍ନତତ୍ୱ ବିଭାଗ ଅଧିକାରୀମାନେ ବିଭିନ୍ନ ସାମଗ୍ରୀ ବିଷୟରେ ବୁଝାଇଥିଲେ |

ପର୍ଯ୍ୟଟନର ସୁଯୋଗ

ଦୁଇ ବର୍ଷ ଧରି ପ୍ରତ୍ନତତ୍ତ୍ୱ ବିଭାଗର ଖନନ ପରେ ଏଠାରୁ ପୁରାତନ ସଭ୍ୟତାର ସନ୍ଧାନ ମିଳିବା ପରେ ଏଠାରେ ପର୍ଯ୍ୟଟନର ସୁଯୋଗ ସୃଷ୍ଟି ହୋଇଛି | ଏହାକୁ ଏକ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦିଆଗଲେ, ଅଧିକରୁ ଅଧିର ଲୋକେ ଏହି ପୁରାତନ ସଭ୍ୟତାକୁ ଦେଖିବାକୁ ଆସିବେ | ଏଠାରୁ ମିଳିଥିବା ସାମଗ୍ରୀଗୁଡିକ ଉପରେ ଆହୁରି ଗବେଷଣାର ଆବଶ୍ୟକତା ରହିଛି | ପୁଣି ଲୋକଙ୍କ ଦେଖିବା ପାଇଁ ଏଗୁଡିକର ସ୍ଥାୟୀ ପ୍ରଦର୍ଶନ କରିବା ଲାଗି ଏଠାରେ ଏକ ମ୍ୟୁଜିୟମ ନିର୍ମାଣର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ବାସିନ୍ଦା ମତ ଦେଇଛନ୍ତି |

image


ଏଠାକାର ନାଗରିକ ସୁରକ୍ଷା ମଂଚର ଆବାହକ ନିଶିକାନ୍ତ ମିଶ୍ର କହିଛନ୍ତି,

ଶୁଆବରେଇକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବା ଜରୁରୀ ହୋଇପଡିଛି | ଏହି ପୁରାତନ ସଭ୍ୟତା ସମ୍ପର୍କରେ ଲୋକେ ଜାଣିବା ଦରକାର | ଏହାକୁ ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ବିକାଶ କରିବା ଦରକାର | ଏଥିପାଇଁ ଆମେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବୁ |

ପ୍ରକୃତରେ ପାଂଚ ହଜାର ବର୍ଷର ସଭ୍ୟତାର ସନ୍ଧାନ ପ୍ରତ୍ନତତ୍ୱବିତ୍ ମାନଙ୍କ ପାଇଁ ଏକ ବୃହତ ବଡ ସଫଳତା | ପୁଣି ଏହା ବିଷୟରେ ଲୋକଙ୍କର ଜାଣିବା ଇଛା ମଧ୍ୟ ରହିବ | ଯାହା ଏଠାରେ ପର୍ଯ୍ୟଟନକୁ ସୁଯୋଗ ଦେବ | ଏହାର ପ୍ରଚାର ହେବା ଦରକାର | ଏହା ହୋଇପାରିଲେ ଏହା ଏକ ଐତିହାସିକ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ ହେବା କଷ୍ଟକର ନୁହେଁ | ଶୁଆବରେଇ ସ୍ଥାନ ପାଇପାରିବ ପର୍ଯ୍ୟଟନ ମାନଚିତ୍ରରେ | ଆଉ ଏଠାକାର ଲୋକ ଧନ୍ୟବାଦ ଦେବେ ସେମାନଙ୍କ ପୂର୍ବଜମାନଙ୍କୁ |