ସାଜସଜ୍ଜା ବି କହେ କାହାଣୀ - ସବ୍ୟସାଚୀଙ୍କ O' Digi Decor Store Y

ସାଜସଜ୍ଜା ବି କହେ କାହାଣୀ - ସବ୍ୟସାଚୀଙ୍କ O' Digi Decor Store Y

Monday April 25, 2016,

5 min Read

ଦିନ ଥିଲା ଯେତେବେଳେ ଘରମାନଙ୍କରେ ଆସବାବପତ୍ର ନାମରେ ନିହାତି ଆବଶ୍ୟକୀୟ ଅଳ୍ପକିଛି ଜିନିଷ ରହୁଥିଲା। ଯେମିତିକି ଚୌକି, ପଢା ଟେବଲ, ଖଟ ଯୋଡିଏ, ପିଢା ଦୁଇ ଚାରିଟି ଇତ୍ୟାଦି ଇତ୍ୟାଦି। ଧୀରେ ଧୀରେ ଆସବାବପତ୍ର ବଢି ମଧ୍ୟବିତ୍ତ ପରିବାର ବର୍ଗ ଘରେ ବୁଣା ସୋଫାସେଟ ଓ ଖାଇବା ଟେବୁଲ ଇତ୍ୟାଦି ରଖିବାକୁ ଲାଗିଲେ। କିନ୍ତୁ ବର୍ତ୍ତମାନ ଯୁଗରେ ଆସବାବପତ୍ର କେବଳ ଆବଶ୍ୟକତାର ପରିଧି ମଧ୍ୟରେ ସୀମିତ ହୋଇରହିନାହିଁ। କେଉଁ କାନ୍ଥ ରଙ୍ଗ ସାଙ୍ଗରେ କେଉଁ ରଙ୍ଗର ସୋଫା ଓ ସେଥିରେ କେଉଁ ଡିଜାଇନର କୁଶନ ପକାଇଲେ ସୁନ୍ଦର ଦିଶିବ, ଏହି ସବୁ ଚିନ୍ତା ଏବେ ମଧ୍ୟବିତ୍ତ ବର୍ଗର ପରିବାରରେ ମଧ୍ୟ ଖୁବ ସାଧାରଣ ହେଇଯାଇଛି। ଘରେ ରହିବା ଲୋକଙ୍କ ବ୍ୟକ୍ତିତ୍ଵ ସହ ତାର ଆଭ୍ୟନ୍ତରୀଣ ସାଜସଜ୍ଜା ଖାପଖୁଆଇବା କଥା ଏହା ଭାବି ହିଁ ଏବେ କ୍ରେତା ମାନେ ତାଙ୍କ ଘରର ଆସବାବପତ୍ର ଓ ଆନୁଷଙ୍ଗିକ ସାଜସଜ୍ଜା ବସ୍ତୁ କିଣୁଛନ୍ତି। 

image


ଏବେ ଘରର ଆସବାବପତ୍ର ଠାରୁ ଟିକେ ଆସିବା ଓଡିଶାର କଳା ସଂସ୍କୃତିର ଐତିହ ଆଡେ। ଓଡିଶାର କଳା ଓ ସଂସ୍କୃତିର ଗାଥା କିଏ ନ ଜାଣେ। ପଟ୍ଟଚିତ୍ର, ଶହ ଶହ ବର୍ଷ ପୁରୁଣା ମନ୍ଦିରରେ ଶିଳ୍ପୀର ନିହାଣ ମୁଗୁରର ସେଇ ଯାଦୁକରୀ ଛୁଆଁରେ ତିଆରି ଚମତ୍କାର ମୂର୍ତ୍ତି ଓ କାରୁକାର୍ଯ୍ୟ। କାହିଁ କେତେ ଦୂର ଦେଶ ବିଦେଶରୁ ପର୍ଯ୍ୟଟକ ମାନେ ଓଡିଶା ଇତିହାସର ସମ୍ପତ୍ତି ଏହି ସବୁ କାରୁକାର୍ଯ୍ୟକୁ ଦେଖିବାକୁ ଧାଇଁ ଆସନ୍ତି। କିନ୍ତୁ ଏହି ଗାରିମା କେବଳ ଇତିହାସ ବହି ଓ ସଂଗ୍ରହାଳୟ ମାନଙ୍କରେ ରହିଲେ କଣ ଆଜିର ଯୁବା ପିଢି ଓ ଛୁଆଙ୍କ ମାନସ ପଟଳକୁ ଛୁଇଁବ କି? ଅନେକ ଶିଳ୍ପୀ ଓ କଳାକାର ଅଛନ୍ତି ଯାହାଙ୍କର କଳା ବର୍ତ୍ତମାନ ଲୁପ୍ତ ପ୍ରାୟ। ତାକୁ ଜୀବନ୍ତ କରି ରଖିବାର ପ୍ରଚେଷ୍ଟା କଣ ଖାଲି ଫୋଟୋ, ବହିରେ ସୀମିତ ହୋଇ ରହିବା ଉଚିତ?

image


ଆଚ୍ଛା ଥରେ ଭାବି ଦେଖିଲେ ଯଦି ଓଡିଆ ଶିଳ୍ପୀ ଓ କଳାକାରଙ୍କର ଯାଦୁକରୀ ଛୁଆଁ ଆପଣଙ୍କ ଘର ଭିତରେ ବି ଲାଗିଯିବ ତାହେଲେ କେମିତି ହେବ। ଠିକ ଏହି ଲକ୍ଷ୍ୟ ନେଇ ସବ୍ୟସାଚୀ ଶତପଥୀ ଆରମ୍ଭ କରିଥିଲେ O' Digi Decor Store Y, ଏକ ଇଣ୍ଟେରିୟର ଡିଜାଇନର କମ୍ପାନୀ। ତାଙ୍କର ଲକ୍ଷ୍ୟ ଓଡିଶାର ଲୁପ୍ତ ପ୍ରାୟ କଳାକୁ ଘରେ ଘରେ ପହଞ୍ଚାଇବା। ୟୌରଷ୍ଟୋରି ସହ ଏକ ଅନ୍ତରଙ୍ଗ ଆଳାପରେ ସେ ତାଙ୍କ କମ୍ପାନୀ ଓ ତାଙ୍କ ବିଷୟରେ ଆମକୁ ଜଣାଇଥିଲେ। ଏହି ବାର୍ତ୍ତାଳାପର କିୟଦଂଶ ନିମ୍ନରେ ଦିଆଗଲା। 

ପ୍ର- ସବ୍ୟସାଚୀ ଶତପଥୀ (ଶଗୁନ) କିଏ ? 

ଉ- ସବ୍ୟସାଚୀ ଜୀବନକୁ ଭଲ ପାଏ। ଖୁବ ହସେ ଆଉ ଲୋକଙ୍କ ମୁହଁରେ ହସ ଆଣିବାରେ ହିଁ ଜୀବନ ତାହା ବିଶ୍ଵାସ କରେ। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ମୋର ଜନ୍ମ। ବାପା ବ୍ରହ୍ମପୁରର ଜଣେ ସ୍ଵନାମଧନ୍ୟ ଆଡଭୋକେଟ ଶ୍ରୀ ଜି ସି ଶତପଥୀ ଓ ମାଁ ଶ୍ରୀମତୀ ଯଶୋଧାରା ଶତପଥୀ ହେଲେ ଏକାଧାରରେ ଜଣେ ଲେଖିକା, ନାରୀ ନେତ୍ରୀ ଓ ସମାଜସେବୀ। କଂଭେଣ୍ଟ ସ୍କୁଲରେ ପଢା ସାରି ମୁଁ ଖଲିକୋଟ କଲେଜରେ ପଢିବା ଆରମ୍ଭ କଲି। ପିଲାବେଳୁ ଫ୍ୟାଶନ ପ୍ରତି ଅନୁରକ୍ତି ଥିଲା। ଆଜି ମଧ୍ୟ ମନେ ପଡେ ସେତେବେଳର ରକ୍ଷଣଶୀଳ ସମାଜରେ ମୁଁ ଯେତେବେଳେ Samantha Fox ଭଳି ଛୋଟ ପ୍ଯାଣ୍ଟ ପିନ୍ଧି ବୁଲୁଥିଲି ଲୋକଙ୍କ ଆଖି ବଡ ହେଇଯାଉଥିଲା। ମୋର ଗ୍ରାଜୁଏସନ ସରିଲା ପରେ ମୋର ଗ୍ଲାମର ଓ ଫ୍ୟାଶନକୁ ନେଇ ସ୍ଵପ୍ନ ଅନୁସରଣ କରି ମୁଁ ଚାଲିଲି ମାୟା ନଗରୀ ବମ୍ବେ। 

image


ଶୀଘ୍ର ଅନେକ ନାମଜାଦା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲି ଓ ବିଭିନ୍ନ ପ୍ରୋଡକ୍ଶନ କମ୍ପାନୀରେ ନାନା ରକମର କ୍ରିଏଟିଭ ବିଷୟକୁ ନେଇ କାମ କରିବାକୁ ଲାଗିଲି। ସେତେବେଳର ବମ୍ବେ ଆଉ ଏବର ମୁମ୍ବାଇ ସହରରେ ଦୀର୍ଘ ୧୭ ବର୍ଷ କଟିଛି। 

ପ୍ର- O' Digi Decor Store Y ଆରମ୍ଭ କରିବାର ପରିକଳ୍ପନା କେବେ ଆସିଲା ଓ ଏଥିପାଇଁ ପ୍ରେରଣା କଣ?

ଉ- ସବୁ ଜିନିଷରେ ସୌନ୍ଦର୍ଯ୍ୟ ଖୋଜିନେବା ମୋ ରକ୍ତରେ ଅଛି। ମୋ ମାଁ ପୁରୁଣା ଅଦରକାରୀ ବସ୍ତୁରୁ ଖୁବ ସୁନ୍ଦର ଘର ସଜେଇବା ଜିନିଷ ତିଆରି କରୁଥିଲେ। ମୁଁ ଓଡିଶା ଫେରିବା ପରେ ଘର ସାଜସଜ୍ଜା ଓ ଅନ୍ୟାନ୍ୟ ଡେକୋର ଜିନିଷ ଖୋଜିଳି ଯେଉଁଥିରେ କିଛି ଅର୍ଥ ଥିବ। ଏପରି କିଛି ଯାହା କି ନିଜ ଭିତରେ ଏକ କାହାଣୀ କହୁଥିବ। ଆଉ ଏଥିରେ ଥିବା ଖାଣ୍ଟି ଓଡିଶାର ଛୁଆଁ। ମୁଁ ଲୋକଙ୍କୁ ଏପରି ଜିନିଷ ଯୋଗାଇଦେବା ପାଇଁ ଏହି ଷ୍ଟୋର ଆରମ୍ଭ କଲି। ସାଧାରଣ ବର୍ଗର ଗ୍ରାହକ ଓ କଳାପ୍ରେମୀଙ୍କୁ ସୁଲଭ ମୂଲ୍ଯରେ ଏସବୁ ବସ୍ତୁ ଯୋଗେଇଦେବା ପାଇଁ ମୁଁ ଡିଜିଟାଲ ମାଧ୍ୟମର ବ୍ୟବହାର କଲି। 

କଫି ମଗରେ ପଟ୍ଟଚିତ୍ର, କୁଶନ କଭରରେ ବିଭିନ୍ନ ମନ୍ଦିରର ସୁନ୍ଦର ମୂର୍ତ୍ତି ଓ କାରୁକାର୍ଯ୍ୟ, ମ୍ୟୁରାଲ, ଓଡିଶୀ ନୃତ୍ୟ ପ୍ରଭୃତିକୁ ଡିଜାଇନ କରିବା ଆରମ୍ଭ କଲି। ଧୀରେ ଧୀରେ ସୁଲଭ କିନ୍ତୁ ସମ୍ଭ୍ରାନ୍ତ କଳାକୁ ଘର ଓ ଅଫିସ ମାନଙ୍କରେ ପହଞ୍ଚାଇବା ପାଇଁ କାମ କରିବାକୁ ଲାଗିଲି। 

ପ୍ର - ମାର୍କେଟରେ ଅନେକ ହୋମ ଡେକୋର କମ୍ପାନୀ ଅଛନ୍ତି। O' Digi Decor Store Y ସେମାନଙ୍କ ଠାରୁ ନିଆରା କେମିତି?

ଉ - ମୁଁ ମାନୁଛି ଯେ ମାର୍କେଟରେ ଅନେକ କମ୍ପାନୀ ଅଛନ୍ତି। କିନ୍ତୁ ଗ୍ରାହକ ମଧ୍ୟ ବିଭିନ୍ନ ପ୍ରକାରର ଅଛନ୍ତି। ଏହି ମାର୍କେଟରେ ଦୁଇଟି ପ୍ରକାର ବିଭାଗରେ କାରବାର ଚାଲେ। ପ୍ରଥମଟି ହେଲା ଯେଉଁଠାରେ ଶିଳ୍ପୀ ମାନେ ନିଜ ହାତରେ ବସ୍ତୁଗୁଡିକୁ ତିଆରି କରନ୍ତି। ଏହା ଏକ ଉଚ୍ଚସ୍ତରୀୟ ମାର୍କେଟ ଏବଂ ସଭିଙ୍କ ପାଇଁ ନୁହେଁ। ଦ୍ଵିତୀୟଟି ହେଲା ଡିଜିଟାଲ ପଦ୍ଧତିରେ ବସ୍ତୁଗୁଡିକୁ ତିଆରି କରେଇବା, ଯାହା ଫଳରେ କି ଏହା କଳାତ୍ମକ ମାନରେ କୌଣସି ପ୍ରକାରେ କମ ନ ହୋଇ ମଧ୍ୟ ସୁଲଭ ମୂଲ୍ୟରେ ସାଧାରଣ ବର୍ଗ ପାଇଁ ମଧ୍ୟ ଉପଲବ୍ଧ ହୋଇପାରିଥାଏ। 

image


ମୁଁ ନିୟମିତ ଡିଜାଇନ ଠାରୁ ସବୁବେଳେ ଅଲଗା କରିବାର ପ୍ରଚେଷ୍ଟା କରିଥାଏ। ଲୁପ୍ତ ପ୍ରାୟ କଳା ଓ ପାରମ୍ପରିକ ଡିଜାଇନକୁ ଆଉଥରେ ଡିଜିଟାଲ ମାଧ୍ୟମରେ ଜୀବନ୍ତ କରିବା ମୋର ଲକ୍ଷ୍ୟ। 

ପ୍ର - ଆପଣଙ୍କ ବ୍ୟବସାୟର ମଡେଲ କଣ? କିପରି ଭାବେ ଆଗେଇବାକୁ ଯୋଜନା କରିଛନ୍ତି। 

ଉ - ଯୋଜନାଟି ବହୁତ ସରଳ। ମୁଁ କଳାତ୍ମକ ଡେକୋର ବସ୍ତୁ ସଭିଙ୍କ ପାଇଁ ଆଉ ତାହା ବି ସୁଲଭ ମୂଲ୍ୟରେ ଉପଲବ୍ଧ କରେଇବାକୁ ଚାହୁଁଛି। ଲୋକଙ୍କୁ ଏପରି ଏକ ମାର୍କେଟ ବିଷୟରେ ସଚେତନ କରାଇ ଅନଲାଇନ ମାଧ୍ୟମରେ ବିକ୍ରୀ। ବିଭିନ୍ନ ପ୍ରଦର୍ଶନୀରେ ଭାଗ ନେଇ ଓ ଟ୍ରେଡ ଫେୟାର ଗୁଡିକ ସାହାଯ୍ୟରେ ମୁଁ ମୋର ପ୍ରଡକ୍ଟ ପ୍ରତି ସଚେତନତା ଆଣିବାକୁ ଯୋଜନା ରଖିଛି। ଏକ ୱେବସାଇଟ ଓ ଆପ ର ଯୋଜନା ମଧ୍ୟ ରହିଛି ଯାହା ଫଳରେ ଗ୍ରାହକ ମାନେ ଅନଲାଇନ କିଣିପାରିବେ। ବର୍ତ୍ତମାନ ମୁଁ ବିଭିନ୍ନ ଅନଲାଇନ ଶପିଙ୍ଗ ଆପ ସହ ଟାଇ ଅପ କରି ମୋର ପ୍ରଡକ୍ଟ ସବୁ ବିକ୍ରୀ କରୁଛି। 

image


ହଁ, ଏହା ସତ ଯେ ଓଡିଶାରେ ସମ୍ବଳର ଅଭାବରୁ ରାଜ୍ୟ ବାହାରେ ଯାଇ କିଛି କାମ କରେଇବାକୁ ପଡୁଛି। ହାତ ତିଆରି ବସ୍ତୁ ପାଇଁ ବେଳେବେଳେ ଶିଳ୍ପୀ ମାନେ ବହୁତ ସମୟ ନେଉଥିବାରୁ ଅନେକ ସମୟ ଯାଉଛି। ମାତ୍ର ଏକ ନିଖୁଣ ଜିନିଷ ପାଇଁ ସମୟ ତ ଲାଗେ। 

ପ୍ର - କଣ ସବୁ ଚ୍ୟାଲେଞ୍ଜ ରହିଛି ଓ ତାକୁ କିପରି ଅତିକ୍ରମ କରିବେ ବୋଲି ଭବିଛନ୍ତି?

ଉ- ଗୋଟେ ଛୋଟ ଶିଶୁ ଗୁରୁଣ୍ଡେ, ପୁଣି ଠିଆ ହେବାକୁ ଚେଷ୍ଟା କରେ ଓ ମଝିରେ ମଝିରେ ଭୁଇଁରେ ମୁହଁ ମାଡି ପଡିଯାଏ। ମୋର ଯାତ୍ରା କିଛି ସେମିତି ହିଁ ଚାଲିଛି। କଞ୍ଚା ମାଲ, ଉପଯୁକ୍ତ ଡିଜିଟାଲ ପ୍ରିନ୍ଟିଂ ଫାସିଲିଟି ଇତ୍ୟାଦି ନିଜ ରାଜ୍ୟରେ ପାଇବା କଷ୍ଟକର ହୋଇ ପଡୁଛି। ଶିଳ୍ପୀ ଓ କଳାକାରଙ୍କ ହାତରେ କାମ କରାଇବା ମଧ୍ୟ ମଝିରେ ମଝିରେ ଅନେକ ମହଙ୍ଗା ହେଇଯାଉଛି। 

image


ଆଜିକାଲି ସମସ୍ତେ ସବୁ ଜିନିଷ ଚୁଟକିରେ ପାଇବାକୁ ଇଚ୍ଛା କରୁଛନ୍ତି। ସେଥିପାଇଁ ଶସ୍ତା ଚାଇନିଜ ଜିନିଷ କିଣିବାକୁ ବେଶି ଆଗ୍ରହ ଦେଖାଉଛନ୍ତି। ନିଜ ଦେଶ ତିଆରି ଜିନିଷ ଯେ ଗୁଣବତ୍ତାର ମାନରେ ଢେର ଭଲ ଓ ଟିକିଏ ସମୟ ଅପେକ୍ଷା କରି ନିଜ ଦେଶର କଳାକାରଙ୍କ ତିଆରି ଜିନିଷ କିଣିବା ଶହେଗୁଣ ଭଲ ଏହା ଗ୍ରାହକ ମାନଙ୍କୁ ବୁଝିବା ଆବଶ୍ୟକ। ଏହା ଏକ ବଡ ଚ୍ୟାଲେଞ୍ଜ। 

ପ୍ର- O' Digi Decor Store Yକୁ ଆଗାମୀ ୫ବର୍ଷ ମଧ୍ୟରେ କେଉଁଠି ପହଞ୍ଚାଇବାକୁ ଯୋଜନା ରଖିଛନ୍ତି। 

ଉ - ଓଡିଶାର ପାରମ୍ପରିକ କଳାକୁ ବିଶ୍ଵ ଦରବାରକୁ ନେଇଯିବାକୁ ସ୍ଵପ୍ନ ଓ ସେଥିପାଇଁ ଅହରହ କାମ କରିବି। ଏହାହିଁ ମୋର ସ୍ଵପ୍ନ ଓ ଯୋଜନା। ଏବେ ମୁଁ କେବଳ ଛୋଟ ଛୋଟ ପାଦ ପକାଉଛି। ଉପଯୁକ୍ତ ଫଣ୍ଡିଙ୍ଗର ପାଇବାର ଆଶା ରଖୁଛି। ଖୁବ ଶୀଘ୍ର ବଡ ପାହୁଣ୍ଡ ପକାଇ ଚାଲିବା ଦୌଡିବା ଲକ୍ଷ୍ୟରେ ଅଛି। 

ଫେସବୁକ ପେଜ