୯୪ ବର୍ଷ ବୟସରେ ହେଲେ ସରପଞ୍ଚ

୯୪ ବର୍ଷ ବୟସରେ ହେଲେ ସରପଞ୍ଚ

Thursday December 01, 2016,

3 min Read

ଗଙ୍ଗୁବାଇଙ୍କ କ୍ଷେତ୍ରରେ କାମ କରିବା ସ୍ପୃହା ଆଗରେ ବୟସ ହାର ମାନିଛି । ଗଙ୍ଗୁବାଇ ଜୀବନର ଏଭଳି ସୋପାନରେ ପହଞ୍ଚି ସାରିଛନ୍ତି ଯେଉଁଠାରେ ମଣିଷ କାମରୁ ଅବସର ନେଇସାରିଥାଏ । ଖୁବ୍ କାମ୍ ଏଭଳି ଲୋକ ଅଛନ୍ତି ଯେଉଁମାନେ ୯୪ ବର୍ଷ ବୟସରେ ବି କାମ କରିବା ପାଇଁ ଏଭଳି ସ୍ପୃହା ରଖନ୍ତି ।

image


ଆମେ ଏଭଳି ଜଣେ ମହିଳାଙ୍କ କାହାଣୀ କହିବାକୁ ଯାଉଛୁ ଯିଏ ଜୀବନର ଶେଷ ସୋପାନରେ; ଅର୍ଥାତ୍ ବାର୍ଦ୍ଧକ୍ୟରେ ଏଭଳି କାମ କରି ଦେଖାଇଛନ୍ତି ଯାହାକୁ ବୋଧହୁଏ ଅନେକଙ୍କ ପକ୍ଷେ ଭାବିବା ମଧ୍ୟ ସମ୍ଭବ ନୁହେଁ । ୯୪ ବର୍ଷର ଗଙ୍ଗୁବାଇ ନିଭରୁତ୍ତି ଭମ୍ବୁରେ ଏଭଳି କାମ କରିଛନ୍ତି ଯାହାକୁ ନେଇ ଏବେ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଏବଂ ବାର୍ଦ୍ଧକ୍ୟରେ ସମୟ କାଟିବାକୁ ରାହା ଖୋଜୁଥିବା ଅଗଣିତ ବୟସ୍କଙ୍କ ଲାଗି ପ୍ରେରଣା ପାଲଟିଛନ୍ତି । ଗଙ୍ଗୁବାଇ ୯୪ବର୍ଷ ବୟସରେ ସରପଞ୍ଚ ନିର୍ବାଚନ ଜିତିଛନ୍ତି ।

ଗାଁରେ ଆଦରର ଆଈ ଭାବେ ପରିଚିତ ଗଙ୍ଗୁବାଇ ମହାରଷ୍ଟ୍ରର ପୁଣେ ଜିଲ୍ଲାର ଖେଡ ତହସିଲ ଅନ୍ତର୍ଗତ ଭମ୍ବୂରୱାଡି ଗାଁର ସରପଞ୍ଚ ହୋଇଛନ୍ତି । ପୁଣେର ଜିଲ୍ଲାପାଳ କହିଛନ୍ତି ପୂରା ଜିଲ୍ଲାରେ ଏତେ ବୟସରେ କେହି ସରପଞ୍ଚ ହୋଇନାହାନ୍ତି । ସରପଞ୍ଚ ହେବା ପରେ ଗଙ୍ଗୁବାଇ କହିଛନ୍ତି, ‘ଏବେ ମୋର କାମ କରିବାର ସମୟ ଆସିଯାଇଛି । ମୁଁ ଯୁବକଙ୍କ ଭଳି ଚାଲିପାରିବି ଏବଂ ଶିକ୍ଷକଙ୍କ ଭଳି କହିପାରିବି । ସର୍ବପ୍ରଥମେ ମୁଁ ୭ଟି ଗାଁର ୨୫୦ ଚାଷୀଙ୍କ ସହାୟତା କରିବାକୁ ଉଦ୍ୟମ କରିବି । ଏଠାକାର ଚାଷୀଙ୍କ ପାଖାପାଖି ୧୦୦୦ ଏକର ଜମି ରହିଛି; ହେଲେ ବର୍ଷର ୮ମାସ ଜଳାଭାବ ଯୋଗୁଁ ଫସଲ ଠିକ୍ ଭାବେ ଅମଳ କରିହେଉନି । ତେଣୁ ଗାଁ ପାଇଁ ପାଣି ବ୍ୟବସ୍ଥା କରିବା ମୋର ପ୍ରମୁଖ କାମ ହେବ । କେନାଲ ରହିଛି; ହେଲେ ତାହା ଚାଷୀଙ୍କ ଜମିଠାରୁ ଦୁଇ କିମି ଦୂରରେ । ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛି । ଏହାଛଡା ଗାଁରେ ଆବଶ୍ୟକ ଶୌଚାଳୟ କରିବା, ଉତ୍ତମ ପରିମଳ ବ୍ୟବସ୍ଥା ଓ ଭଲ ସଡକ ନିର୍ମାଣ ଉପରେ ଗୁରୁତ୍ଵ ଦେବି ।‘ ଗଙ୍ଗୁବାଇ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ପତ୍ରରେ ଚାସକମାନ ଜଳଭଣ୍ଡାରରୁ ପାଇପ ଯୋଗେ ଚାଷୀଙ୍କ ଜମିକୁ ପାଣି ଯୋଗାଇବାକୁ ଦାବି କରିଛନ୍ତି । ପାଣି ମିଳିଲେ ଏଠାକାର ଚାଷୀଙ୍କ ଦୁଃଖ ଦୂର ହେବ ବୋଲି ଗଙ୍ଗୁବାଇ ପତ୍ରରେ ଦର୍ଶାଇଛନ୍ତି । ଗଙ୍ଗୁବାଇଙ୍କ ପଞ୍ଚୟାତରେ ଲୋକସଂଖ୍ୟା ହେଉଛି ୧୫ହଜାର ଏବଂ ଏଠାରେ ମୁଖ୍ୟତଃ ଚାଷୀ ପିଆଜ ଅମଳ କରନ୍ତି । ଗଙ୍ଗୁବାଇ କହନ୍ତି, ପ୍ରଧାନମନ୍ତ୍ରୀ ମୋଦି ମୋ ପୁଅ ଭଳି; କାରଣ ମୋର ବଡପୁଅର ବୟସ ହେଉଛି ୬୬ ବର୍ଷ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ବୟସର । ମୋର ବିଶ୍ଵାସ ମୋଦି ଆମ ଦାବିକୁ ନିଶ୍ଚିତ ଭାବେ ଶୁଣିବେ ।‘ ଗଙ୍ଗୁବାଇ ମାତ୍ର ୫୦ ଭୋଟ୍ ବ୍ୟବଧାନରେ ସରପଞ୍ଚ ନିର୍ବାଚନ ଜିତିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଗଙ୍ଗୁବାଇଙ୍କ ବିରୋଧରେ ନିର୍ବାଚନ ଲଢି ହାରିଥିବା ମହିଳା ହେଉଛନ୍ତି ସ୍ନାତକ ଡିଗ୍ରୀଧାରୀ ଏବଂ ସିଏ ଜଣେ ରାଜନେତାଙ୍କ ପରିବାରର ସଦସ୍ୟ । ତେଣୁ ଗଙ୍ଗୁବାଇ ଏତେ ବୟସରେ ଜିତିବା ଅନେକଙ୍କୁ ଚକିତ୍ କରିଛି । ଗଙ୍ଗୁବାଇ କେବେହେଲେ ସ୍କୁଲ ଯାଇନାହାନ୍ତି । ପ୍ରାର୍ଥୀପତ୍ର କରିବାଠାରୁ ନେଇ ନିର୍ବାଚନ ଜିତିବା ଦଲିଲରେ ସିଏ ଅଙ୍ଗୁଳି ଛାପ ଦେଇଛନ୍ତି । ୯୪ ବର୍ଷରେ ଫିଟ୍ ରହିବା ନେଇ ଗଙ୍ଗୁବାଇ କୁହନ୍ତି, ‘ ନିୟମିତ ସୂର୍ଯ୍ୟାଦୟ ପୂର୍ବରୁ ଉଠି ଘର କାମ କରିଥାଏ । ମୁଁ କେବେହେଲେ ଅସୁସ୍ଥ ହୋଇନି କି ଔଷଧ ଖାଇନି । ଦିନରେ ଦୁଇ ଓଳା ଭୋଜନ କରିଥାଏ । କାମବେଳେ ମୁଁ ନା ଖରାକୁ ଦେଖେ ନା ବର୍ଷାକୁ । ନିଷ୍ଠାର ସହିତ କାମ କରିବାକୁ ସବୁବେଳେ ଗୁରୁତ୍ଵ ଦେଇଆସିଛି ।‘ ଗଙ୍ଗୁବାଇଙ୍କ ୪ ପୁଅ ଓ ଜଣେ ଝିଅ ଅଛନ୍ତି । ୧୦ ବର୍ଷ ତଳୁ ତାଙ୍କ ସ୍ଵାମୀଙ୍କ ମୃତ୍ୟୁ ଘଟିଛି ।