ରାଜ୍ୟର ବିିଚ୍ଛିନ୍ନାଞ୍ଚଳରେ ପାଣିରେ ଚାଲିବ ଆମ୍ବୁଲାନ୍ସ

0

ପାଣି ଉପରେ ଚାଲିବ ଆମ୍ବୁଲାନ୍ସ । ଏମିତି ପରକଳ୍ପନା କରିଛନ୍ତି ଓଡିଶା ସରକାର । ଗମନାଗମନ ସୁବିଧା ନଥିବା ରାଜ୍ୟର ବିଚ୍ଛିନ୍ନାଞ୍ଚଳରେ ୧୦୮ ବୋଟ୍ ଆମ୍ବୁଲାନ୍ସ ବ୍ୟବସ୍ଥା ହେବ । ଆବଶ୍ୟକ ସମୟରେ ଯୋଗାଯୋଗ ନଥିବା ଅଞ୍ଚଳରେ ଏହା ଲୋକଙ୍କୁ ଡାକ୍ତରଖାନାରେ ନେଇ ପହଞ୍ଚାଇବ । ଫଳରେ ବହୁ ଆବଶ୍ୟକ ସମୟରେ ଚିକିତ୍ସା ଅଭାବରୁ ପ୍ରାଣ ହରାଉଥିବେ ରୋଗୀଙ୍କ ଜୀବନ ରକ୍ଷା କରା ଯାଇପାରିବ । ଖାଲି ସେତିକି ନୁହେଁ ଏହି ଆମ୍ବୁଲାନ୍ସରେ ରୋଗୀକୁ ଚିକିତ୍ସା ସୁବିଧା ଦେବାକୁ ଅତ୍ୟାଧୁନିକ ଲାଇଫ୍ ସପୋର୍ଟ ସିଷ୍ଟମ୍ ରହିବ । ଏହାଯୋଗୁ ପାଣି ଭିତରେ ଡାକ୍ତରଖାନା ନେବା ବାଟରେ ହିଁ ଆବଶ୍ୟକ ଚିକିତ୍ସା ମିଳି ପାରିବ । ପ୍ରଥମ ରାଜ୍ୟ ଭାବେ ଓଡିଶାରେ ଏମିତି ୨୪ଘଣ୍ଟିଆ ବୋଟ୍ ଆମ୍ବୁଲାନ୍ସ ସୁବିଧା ହେବାକୁ ଯାଉଛି । ରାଜ୍ୟର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ(ଏନ୍ଏଚ୍ଏମ୍) ନିର୍ଦ୍ଧେଶାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

ଏବେ ରାଜ୍ୟରେ ୧୦୮ ମାଗଣା ଆମ୍ବୁଲାନ୍ସ ସେବା ରୋଗୀଙ୍କ ତକ୍ରାଳ ଯାତାୟତ ଓ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ଲାଇଫ୍ ଲାଇନ୍ ପାଲଟିଛି । ୧୦୮ ଡାଏଲ୍ କରିବା ମାତ୍ରେ କିଛି ସମୟ ମଧ୍ୟରେ ଘର ପାଖରେ ଆମ୍ବୁଲାନ୍ସ ପହଞ୍ଚିଯାଉଛି । ରାଜ୍ୟର ୩୧୪ଟି ବ୍ଲକରେ ପ୍ରାୟ ୪୦୦ଟି ୧୦୮ ଆମ୍ବୁଲାନ୍ସ ଗଡୁଛି । ଏଥିରେ ଜଣେ ଡ୍ରାଇଭର ସହ ପ୍ରାଥମିକ ଚିକିତ୍ସା ଯୋଗାଇବାକୁ ଆବଶ୍ୟକ ସରଞ୍ଚାମ ଓ ଜଣେ ଫାର୍ମାସିଷ୍ଟ୍ ରହୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୧୦୮ ଆମ୍ବୁଲାନ୍ସ ଦ୍ୱାରା ପାଖାପାଖି ୯ଲକ୍ଷ ରୋଗୀ ଡାକ୍ତରଖାନାରେ ପହଞ୍ଚିପାରିଛନ୍ତି । ଏହି ସେବା ଦିନକୁ ଦିନ ସଫଳ ହେଉଥିବାବେଳେ ରାଜ୍ୟର ବିଚ୍ଛିନ୍ନାଞ୍ଚଳରେ ଏହି ସେବା ଠିକରେ ପହଞ୍ଚିପାରିନି । ଦୁର୍ଗମ ଅଞ୍ଚଳ ଓ ପାଣି ଘେରିରେ ରହୁଥିବା ଲୋକ ଏହି ସେବା ପାଉନାହାନ୍ତି । ଗାଡି ଯିବାକୁ ରାସ୍ତା ନାହିଁ । ଆଉ ଜଳପଥରେ ଯାଇ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ସମ୍ଭବ ହେଉନି । ଏଥିପାଇଁ ସରକାର ଜଳପଥରେ ୧୦୮ ବୋଟ୍ ଆମ୍ବୁଲାନ୍ସ ଚଲାଇବାକୁ ଯୋଜନା କରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ କୋରାପୁଟ ଓ ମାଲକାନଗିରିର ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ଏହି ସେବା ଆରମ୍ଭ ହେବ । କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ୩ଟି ୧୦୮ ବୋଟ୍ ଆମ୍ବୁଲାନ୍ସ ଚାଲିବ । ସ୍ଥଳପଥରେ ଯେମିତି ଆମ୍ବୁଲାନ୍ସ ଗାଡି ଚାଲେ ଜଳପଥରେ ସେମିତି ଚାଲିବ । ପ୍ରଥମେ ଚିତ୍ରାକୋଣ୍ଡା ବିଚ୍ଛିନାଞ୍ଚଳରେ ୩ଟି ବୋଟ୍ ଆମ୍ବୁଲାନ୍ସ ଚଲାଇବାକୁ ୫୦ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ । ଫେବୃୟାରୀ ସୁଦ୍ଧା ଏହି ସେବା ଆରମ୍ଭ ହେବ ବୋଲି ଏନ୍ଏଚ୍ଏମ୍ ପକ୍ଷରୁ କୁହାଯାଇଛି । ଏହି ବୋଟ୍ ଆମ୍ବୁଲାନ୍ସରେ ଲାଇଫ୍ ସପୋର୍ଟ ସିଷ୍ଟମ୍ ରହିବ । ଏଥିରେ ଟ୍ରମା କେୟାର ସହ ପ୍ରାଥମିକ ଚିକିତ୍ସା ଯୋଗାଇବାକୁ ବ୍ୟବସ୍ଥା କରାଯିବ । ଭେଣ୍ଟିଲେଟର ଓ ଅକ୍ସିଜେନ୍ ମହଜୁଦ୍ ରହିବ । ଦରକାର ପଡିଲେ ଏଥିରେ ପ୍ରସବ ବି କରାଯାଇପାରିବ । ଏଥିରେ ସେବା ଦେବାକୁ ଟ୍ରେନିଂ ପ୍ରାପ୍ତ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ କର୍ମଚାରୀ ରହିବେ ।

ବିଚ୍ଛିନ୍ନାଞ୍ଚଳରେ ଏହି ସେବା ପାଇବାକୁ ହେଲେ ପ୍ରଥମେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିବାକୁ ପଡିବ । ପାଣିଘେରରେ ଥିବା ଲୋକଙ୍କ ପାଖେ ବୋଟ୍ ଆମ୍ବୁଲାନ୍ସ ଯାଇ ପହଞ୍ଚିଯିବ । ସେହିପରି କୌଣସି ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖେ ୧୦୮ ଆମ୍ବୁଲାନ୍ସ ଗାଡି ପହଞ୍ଚି ବୋଟ୍ ଆମ୍ବୁଲାନ୍ସରେ ଛାଡିବ । ନଦୀ ପାର୍ ପରେ ଅନ୍ୟ ଏକ ଗାଡି ଆମ୍ବୁଲାନ୍ସରେ ତାଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ଦିଆଯିବ । ଏହି ଯୋଜନା ସଫଳ ହେଲେ ଏହାକୁ ଚିଲିକା, ସାତକୋଶିଆ ଓ ଅନ୍ୟ ବିଚ୍ଛିନ୍ନାଞ୍ଚଳକୁ ସଂପ୍ରସାରିତ କରାଯିବାକୁ ଲକ୍ଷ୍ୟ ଅଛି ।

ପୂର୍ବରୁ କେରଳରେ ବୋଟ୍ ଆମ୍ବୁଲାନ୍ସ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । କିନ୍ତୁ ଓଡିଶାରେ ପ୍ରସ୍ତାବିତ ବୋଟ୍ ଆମ୍ବୁଲାନ୍ସ ଦେଶରେ ପ୍ରଥମ ଥର ପାଇଁ ୨୪ଘଣ୍ଟିଆ ସେବା ଦେବ ଓ ଏହା ୧୦୮କୁ ଡାଏଲ କଲେ ପହଞ୍ଚିଯିବ । ରାଜ୍ୟରେ ମଧ୍ୟ ପୂର୍ବରୁ କିଛି ବିଚ୍ଛିନ୍ନାଞ୍ଚଳରେ ମୋବାଇଲ ହେଲଥ୍ ୟୁନିଟ୍ କାର୍ଯ୍ୟ କରୁଛି । ଏଥିରେ ସ୍ୱାସ୍ଥ୍ୟକର୍ମୀମାନେ ଯାଇ ପିଲାଙ୍କୁ ବିଭିନ୍ନ ଟୀକା ଓ ରୋଗୀଙ୍କୁ ଔଷଧ ଦେଉଛନ୍ତି । ଏହି ଢାଞ୍ଚାରେ ପ୍ରଥମ ଥର ପାଇଁ ୧୦୮ ବୋଟ୍ ଆମ୍ବୁଲାନ୍ସ ଚଲାଇବାକୁ ଯୋଜନା ହୋଇଛି ।