ସ୍ୱଚ୍ଛ ବ୍ୟାଗ୍ : ସଂକ୍ରମଣ ମୁକ୍ତ ଡମ୍ପିଂ ୟାର୍ଡ ଓ ନାପକିନ୍ କୁ ସୁରକ୍ଷିତ ଭାବେ ଫିଙ୍ଗିବାର ଏକ କ୍ଷୁଦ୍ର ପ୍ରୟାସ
Monday December 21, 2015,
5 min Read
ଫେସନ୍ ରିଟେଲ୍ରେ ମାଷ୍ଟର ଡିଗ୍ରି କରିବା ପରେ ଅନିଶା ନିଚାନି ଏକ ଅଗ୍ରଣୀ ପୋଷାକ କମ୍ପାନୀରେ ଚାକିରି କରିଥିଲେ। ତାଙ୍କ କାମ ଥିଲା ତାମିଲନାଡୁ ଓ କର୍ଣ୍ଣାଟକରେ କମ୍ପାନୀର ଥିବା ୨୦ଟି ଆଉଟ୍ଲେଟ୍ କିଣାକିଣି ଓ ବ୍ୟବସାୟ ପରିଚାଳନା କରିବା। ବିବାହ ପରେ ଚାକିରିରୁ ସମୟ ନ ପାଇବାରୁ ସେ ଏହି ଚାକିରି ଛାଡି ଦେଇଥିଲେ। ରିଟେଲ୍ କ୍ଷେତ୍ର ପ୍ରତି ଆଗ୍ରହ ଓ ସମାଜକୁ କିଛି ପ୍ରତିଦାନ ଦେବା ପାଇଁ ମନରେ ଥାଏ ପ୍ରବଳ ଇଛା ଶକ୍ତି। ନିଜର ଛୋଟ ଉଦ୍ୟୋଗ ଆରମ୍ଭ କଲେ। ସୃଷ୍ଟି ହେଲା ‘ସ୍ୱଚ୍ଛ’।
ରିଟେଲ୍ ପ୍ରତି ଆଗ୍ରହ ଓ କିଛି ପ୍ରତିଦାନର ଇଛା
ଅନିଶା କହନ୍ତି, ଯେହେତୁ ମୋର ରିଟେଲ୍ ପ୍ରତି ଆଗ୍ରହ ଥିଲା, ମୁଁ ଏମିତି କିଛି କରିବାକୁ ଚାହିଁଲି ଯାହା ଉତ୍ପାଦନକାରୀ ଠାରୁ ଗ୍ରାହକମାନଙ୍କ ନିକଟକୁ ଉତ୍ପାଦ ପଂହଚାଇବାର ଚେନ୍କୁ ଅନେକ ଲିଂକ୍ ଦେବା ସହ ଏହାର ମୂଲ୍ୟ ବଢାଇବ। ସ୍ୱଚ୍ଛ ବ୍ୟାଗ୍ର ଶେଷ ଗ୍ରାହକଟି ସେ ନୁହେଁ ଯେ ଏହାକୁ ବ୍ୟବହାର ପାଇଁ କିଣୁଛି, ବଂର ବର୍ଜ୍ୟବସ୍ତୁକୁ ପରିଚାଳନା କରୁଥିବା ବ୍ୟକ୍ତି,ଯେ ଡମ୍ପିଂ ଯାର୍ଡରେ ଏହାର ସଂସ୍ପର୍ଶରେ ଆସୁଛି | ବ୍ୟବହୃତ ହୋଇ ଫିଙ୍ଗାଯାଉଥିବା ସାନିଟାରୀ ନାପ୍କିନ୍କୁ କିଭଳି ଭାବେ ସୁରକ୍ଷିତ ଢଙ୍ଗରେ ନଷ୍ଟ କରାଯିବ, ସେହି ଉଦ୍ଦେଶ୍ୟରେ ହିଁ ସ୍ୱଚ୍ଛ ବ୍ୟାଗ୍ର ପରିକଳ୍ପନା ହୋଇଥିଲା |
ସ୍ୱଚ୍ଛ ହେଉଛି ଚେନ୍ନାଇରେ ଥିବା ଏକ ସଂସ୍ଥା ଯେ କି ଡମ୍ପିଂ ୟାର୍ଡରେ ପରିମଳ ଓ ସ୍ୱଚ୍ଛତାକୁ ଆହୁରି ଉନ୍ନତ କରିବାକୁ ପ୍ରୟାସ କରୁଛି ଓ ମହିଳାମାନେ ସାନିଟାରୀ ବର୍ଜ୍ୟବସ୍ତୁକୁ ଯେପରି ଭାବେ ଫୋପାଡନ୍ତି, ସେ ନେଇ ସଚେତନତା ସୃଷ୍ଟି କରୁଛି। ଏହା ଦୁର୍ବଳଶ୍ରେଣୀର କିଛି ମହିଳାଙ୍କ ପାଇଁ ରୋଜଗାର ପନ୍ଥା ପାଲଟିବା ସହ ବୁଲା ଗୋଟାଳୀଙ୍କୁ ରୋଗ ଦାଉରୁ ରକ୍ଷା କରୁଛି । ‘ସ୍ୱଚ୍ଛ’ ସଂସ୍ଥା ସାନିଟାରୀ ନାପ୍କିନ୍କୁ ସୁରକ୍ଷିତ ଭାବେ ଫୋପାଡିବା ଲାଗି ବ୍ୟବହୃତ ଖବର କାଗଜରୁ ପରିବେଶ ଅନୁକୂଳ ବ୍ୟାଗ୍ ତିଆରି କରେ। ଦୁର୍ବଳଶ୍ରେଣୀର ମହିଳାମାନଙ୍କ ଦ୍ୱାରା ଏହା ପ୍ରସ୍ତୁତ ହୁଏ। ଲାଭାଂଶର କିଛି ଅଂଶ ଅର୍ଥରୁ କିଛି ଗରିବ ମହିଳାଙ୍କୁ ମାଗଣାରେ ନାପ୍କିନ୍ ପ୍ରଦାନ କରାଯାଇଥାଏ। ଚେନ୍ନାଇର ଏଗ୍ମୋର ଠାରେ ଏକ ସ୍ୱେଚ୍ଛାସେବୀ ସଂସ୍ଥା ଗିଲ୍ଡ ଅଫ୍ ସର୍ଭିସ୍ର ଧନ୍ଦାମୂଳକ କାର୍ଯ୍ୟକ୍ରମ ହେଲ୍ପିଂ ହ୍ୟାଣ୍ଡସ୍ ଜରିଆରେ ମହିଳାମାନେ ସ୍ୱଚ୍ଛ ବ୍ୟାଗ୍ ପ୍ରସ୍ତୁତ କରୁଛନ୍ତି।
ଭୟଙ୍କର ପରିସଂଖ୍ୟାନ
ଏହା ସମସ୍ତଙ୍କୁ ଜଣା ଯେ ବ୍ୟବହୃତ ସାନିଟାରୀ ସାମଗ୍ରୀଗୁଡିକୁ ଟଏଲେଟ୍ କିମ୍ବା ଡ୍ରେନ୍ରେ ଫୋପାଡି ଦିଅନ୍ତି, ଯାହା ତାହାକୁ ଚୋକ୍ କରିଦେଇପାରେ । ବେଳେବେଳ ନାପ୍କିନ୍ ବିନା କଭରରେ ଡଷ୍ଟ ବିନ୍ରେ ଫୋପାଡି ଦିଆଯାଏ । ଅନିଶା କହନ୍ତି, ଏହା ଏକ ଅସୁନ୍ଦର ଓ ଦୁଃଖଦ ଘଟଣା ଲାଗେ ଯେତେବେଳେ ବୁଲା କୁକୁର ଡଷ୍ଟବିନ୍ରୁ ଏଗୁଡିକୁ ଟାଣି ଟାଣି ଏଣେ ତେଣେ ଫୋପାଡନ୍ତି । ଅନିଶା ତାଙ୍କ ଆଖପାଖରେ ରହୁଥିବା ଜରି ଗୋଟାଳୀ ଓ ବର୍ଜ୍ୟବସ୍ତୁ ପରିଚାଳନା କରୁଥିବା ଲୋକଙ୍କ ସହ କଥା ହୋଇଛନ୍ତି। ସେମାନେ ବର୍ଜ୍ୟବସ୍ତୁକୁ ଖାଲି ହାତରେ ହିଁ ଗୋଟାନ୍ତି।
ସେମାନେ ପ୍ରାୟତ ଚିଡି ଯାଇଥାନ୍ତି | ମୁଖ୍ୟତଃ ପୁରୁଷମାନେ ଏହି କାମରେ ଅଛନ୍ତି । ମହିଳାମାନେ ନାପ୍କିନ୍କୁ ଏପରି ଢଙ୍ଗରେ ଫୋପାଡିଦେବାକୁ ନେଇ ସେମାନେ ଖୁବ୍ ବିରକ୍ତି ପ୍ରକାଶ କରନ୍ତି ।ଏଭଳିକି ବ୍ୟବହୃତ ପ୍ୟାଡରକୌଣସି କଭର ନଥାଏ ଓ ଅନ୍ୟ ବର୍ଯ୍ୟବସ୍ତୁ ସହ ଏହା ମିଶି ରହିଥାଏ ବୋଲି କହନ୍ତି ଅନିଶା । ଏହା ମଧ୍ୟ ଜଣାଶୁଣା ଯେ ନାପ୍କିନ୍କୁ ଏଭଳି ଫୋପଡା ଯିବା ଦ୍ୱାରା ଅନେକ ରୋଗ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଥାଏ ।
ସ୍ୱଚ୍ଛର ଫେସ୍ବୁକ୍ ପେଜ୍ରେ ଏହି ପରିସଂଖ୍ୟାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଭାରତରେ ଡମ୍ପ ୟାର୍ଡରେ ବର୍ଜ୍ୟବସ୍ତୁ ଉଠାଉଥିବା ୯୫ ଜଣଙ୍କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସର୍ଭେ କରିଥିଲା | ଏଥିରୁ ମିଳିଥିବା ନିଷ୍କର୍ଷ ଅତ୍ୟନ୍ତ ଭୟାନକ। ୮୦ ପ୍ରତିଶତଙ୍କୁ ଆଖିର ସମସ୍ୟା, ୭୩ ପ୍ରତିଶତଙ୍କୁ ଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା, ୫୧ ପ୍ରତିଶତ ପେଟରୋଗ ସମସ୍ୟା ଓ ୪୦ ପ୍ରତିଶତଙ୍କୁ ଚର୍ମ ଓ ଆଲର୍ଜିର ସମସ୍ୟା ପରିଲକ୍ଷିତ ହୋଇଥିଲା ।
ସ୍ୱଚ୍ଛ ବ୍ୟାଗ୍ର ପ୍ରଥମ ସୁବିଧା ହେଉଛି ଏହା ଦ୍ୱାରା ବର୍ଜ୍ୟବସ୍ତୁ ଗୋଟାଉଥିବା ବ୍ୟକ୍ତିମାନେ ସାନିଟାରୀ ନାପ୍କିନ୍କୁ ସିଧାସଳଖ ସ୍ପର୍ଶ କରନ୍ତି ନାହିଁ । ଏହା ଏକ ବ୍ୟାଗ୍ରେ ରହୁଥିବାରୁ ରୋଗ ସଂକ୍ରମଣର ଆଶଙ୍କା ନଥାଏ । ଏହି ବ୍ୟାଗ୍କୁ ମହିଳାମାନେ ଯିବା ଆସିବା ବେଳେ ନେବା ମଧ୍ୟ ସହଜ । ପୁଣି ଏହି ପ୍ରକଳ୍ପରେ କାମ କରୁଥିବା ମହିଳାମାନେ ନାପ୍କିନ୍କୁ କିପରି ସୁରକ୍ଷିତ ଭାବେ ଫୋପଡାଯିବ, ସେ ନେଇ ସଚେତନ ହେବା ସହ ଏହାର ଗୁରୁତ୍ୱ ବୁଝିଲେଣି ।
ଅସାଧାରଣ ମହିଳାମାନଙ୍କ ଟିମ୍
କିଛି ମହିଳା ଅଛନ୍ତି ଯେଉଁମାନେ ବ୍ୟାଗ୍ ତିଆରି କରୁଛନ୍ତି । କିଛି ମହିଳାଙ୍କୁ ଏଥିପାଇଁ ନିଯୁକ୍ତ କରାଯାଇଛି। ଏହା ବ୍ୟତୀତ ଏହି ଟିମ୍କୁ ଇନ୍-ହାଉସ୍ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ଅନିଶା ବ୍ୟାଗ୍ଗୁଡିକର ଗୁଣବତ୍ତା ଯାଂଚ୍ କରିବା ପରେ ତାଙ୍କ ଶାଶୁ ଏଗୁଡିକୁ ପ୍ୟାକିଂ କରିବାରେ ସାହାଯ୍ୟ କରନ୍ତି । ଅନିଶାଙ୍କ ପିତାମାତା ତାଙ୍କ ଛୋଟିଆ ବ୍ୟୁଟି ଷ୍ଟୋର୍ ‘ପ୍ରିସା’ରେ ଏଗୁଡିକ ବିକ୍ରି ପାଇଁ ରଖନ୍ତି । ୧୦ଟି ବ୍ୟାଗ୍ର ମୂଲ୍ୟ ୨୦ ଟଙ୍କା।
କଥା ବ୍ୟାପିଚାଲିଛି ?
ଅନିଶା କୁହନ୍ତି ଯେ ଏହି କନ୍ସେପ୍ଟ ନିଶ୍ଚିତ ଭାବେ କାମ ଦେଇଛି। ପ୍ରିସା(ତାଙ୍କ ବାପାଙ୍କ ବ୍ୟୁଟି ଷ୍ଟୋର)ରେ ବ୍ୟାଗ୍ର କିଛି ସ୍ଥାୟୀ ଗ୍ରାହକ ଅଛନ୍ତି । ନୀଳଗିରି ସୁପରମାର୍କେଟ୍ ଚେନ୍ରେ ମଧ୍ୟ ଏହା ଭଲ ବିକ୍ରି ହେଉଛି । ସ୍ୱଚ୍ଛ ମଧ୍ୟ କିଛି କର୍ପୋରେଟ୍ ଅର୍ଡର ପାଇଲାଣି । ସେ କୁହନ୍ତି, ଦିଲ୍ଲୀ ଓ ହାଇଦ୍ରାବାଦର କିଛି ଗ୍ରାହକ ମଧ୍ୟ ସେମାନଙ୍କ ବ୍ୟକ୍ତିଗତ ବ୍ୟବହାର ପାଇଁ ମୋତେ ଅର୍ଡର ଦେଉଛନ୍ତି। ମୁଁ କିଛି ବ୍ୟୁଟି ଚେନ୍ ସହ କଥା ହୋଇ ସେଠାରେ ଏହାକୁ ଉପଲବ୍ଧ କରାଇବା ପାଇଁ ଚେଷ୍ଟା କରୁଛି।
ଅଧିକ ପ୍ରଚାର ପାଇଁ ଏହାକୁ ଫ୍ଲିପ୍କାର୍ଟ, ଆମାଜନ୍ ଆଦି ଡିଜିଟାଲ୍ରେ ପ୍ଲାଟଫର୍ମରେ ଉପଲବ୍ଧ କରାଯାଇ ପାରନ୍ତା ବୋଲି ପଚରାଯିବାରୁ ଅନିଶା କହନ୍ତି, ଏହାର ଦର ଦୃଷ୍ଟିରୁ ପୋର୍ଟାଲ୍ର ଦେୟ ଓ ସିପିଂ ଚାର୍ଜ ଦେବା କଷ୍ଟକର ହୋଇ ପଡିବ। ପୁଣି ଦର ବଢାଇଲେ, ଗ୍ରାହକ କମିଯିବେ।
ଆହ୍ୱାନ
ସଚେତନତା ହେଉଛି ଏକ ବଡ ଆହ୍ଵାନ। ଏଭଳି ବ୍ୟାଗ୍ର ଯେ ଆବଶ୍ୟକତା ରହିଛି, ତାହା ବୁଝାଇବା ଅନେକ କ୍ଷେତ୍ରରେ କଷ୍ଟକର ହୋଇପଡୁଛି । ପୁଣି କେତେକ ଖବରକାଗଜକୁ ଜ୍ଞାନର ଉତ୍ସ ବୋଲି ଭାବି ଏଥିରେ ପ୍ରସ୍ତୁତ ବ୍ୟାଗ୍କୁ ନାପ୍କିନ୍ ଫୋପାଡିବା ଲାଗି ବ୍ୟବହାର କରିବାକୁ ଦ୍ୱିଧାବୋଧ କରୁଛନ୍ତି । ଅନିଶା କୁହନ୍ତି, କେତେକ ମହିଳା ମୋତେ ପଚାରନ୍ତି, ଏହି ବ୍ୟାଗ ପୁରୁଣା ଖବରକାଗରେ ତିଆରି ହେଉଛି, ଏହାର ଦର ଏତେ କାହିଁକି ? ଏହି ପ୍ରଶ୍ନ ଶୁଣିଲେ ମୋତେ ହସ ବି ଲାଗେ ଆଉ କାନ୍ଦ ବି ଆସେ । ଏହା ପଛରେ ଲାଗୁଥିବା ସମୟ, ଧୈର୍ଯ୍ୟ ଓ ପରିଶ୍ରମକୁ ସେମାନେ ବୁଝି ପାରନ୍ତି ନାହିଁ । ପୁଣି ଏହି ବ୍ୟାଗ୍ ସୁପରମାର୍କେଟ୍ ଓ ଫାର୍ମାସୀ ଚେନ୍ରେ ଉପଲବ୍ଧ ନ ହେବା ଯୋଗୁଁ ଅଧିକ ବିକ୍ରି ସମ୍ଭବ ହେଉନାହିଁ ।
ଭଲ ଜୀବନ ଜିଇଁବାର ଆଶା
ଅନିଶା କହନ୍ତି, ବର୍ଜ୍ୟବସ୍ତୁ ସଂଗ୍ରହ ଓ ପରିଚାଳନ କରୁଥିବା ବ୍ୟକ୍ତିଙ୍କ ସମସ୍ୟା ସମାଧାନ କରିବା ମୋର ବଡ ଲକ୍ଷ୍ୟ। ଆମେ ବର୍ତ୍ତମାନ ଅଧିକ ଲୋକଙ୍କ ପାଖରେ ପଂହଚିବାକୁ ଚେଷ୍ଟା କରୁଛୁ। ଏହି ଆଶାରେ ଯେ ଡମ୍ପିଂ ୟାର୍ଡରେ ଯେପରି ପରିମଳ ବ୍ୟବସ୍ଥା ସ୍ୱାସ୍ଥ୍ୟକର ରହିବ ଓ ବର୍ଜ୍ୟବସ୍ତୁ ସଫା କରୁଥିବା ବ୍ୟକ୍ତି ଭଲ ପରିବେଶରେ କାମ କରିପାରିବେ। ଘରେ ଘରେ ସ୍ୱଚ୍ଛ ବ୍ୟାଗ୍ କିପରି ଏକ ଆବଶ୍ୟକତା ହୋଇପାରିବ, ସେ ନେଇ ଉଦ୍ୟମ କରୁଛି।
ମହିଳାଙ୍କ ଋତୁସ୍ରାବ ସମ୍ପର୍କିତ ସ୍ୱାସ୍ଥ୍ୟଚେତନା ଓ ବର୍ଜ୍ୟବସ୍ତୁକୁ ସୁରକ୍ଷିତ ଭାବେ ଫୋପାଡିବାକୁ ନେଇ ଜାଗରଣ ସଷ୍ଟି ହୋଇଛି। ସେ ଅଦିତି ଗୁପ୍ତା (ମେନଷ୍ଟ୍ରୁପେଡିଆ ସଂସ୍ଥାର) ହୁଅନ୍ତୁ, ଯେ କି ସଚେତନତା ପ୍ରସାର କରୁଛନ୍ତି, କିମ୍ବା ଋତୁସ୍ରାବ ସମ୍ପର୍କରେ ଗ୍ରାମୀଣ ମହିଳାଙ୍କୁ ଜଣାଇବା ପାଇଁ ଉର୍ମିଳା ଚାନମ୍ଙ୍କ କାମ, ଅହମ୍ମଦାବାଦ ସ୍ଥିତ ପରିବେଶ ଅନୁକୂଳ ସାନିଟାରି ସାଥୀ ପ୍ୟାଡ୍ ଓ ଏବେ ସ୍ୱଚ୍ଛ । ଭାରତୀୟ ମହିଳାମାନେ ଏହି କ୍ଷେତ୍ରରେ ନିଶ୍ଚିତ ଭାବେ ଏକ ବିପ୍ଲବ ଆଣିଛନ୍ତି ।
ମୂଳ ଲେଖା - ସ୍ନିଗ୍ଧା ସିହ୍ନା
ଭାଷାନ୍ତର - ଅଖଣ୍ଡ