ଜୀବନ ବୋଝ ନୁହେଁ, ବୁଝିଛନ୍ତି ଶୋଭା - ସ୍ୱାମୀ ପୁଅ ଚାଲିଗଲେ, ଚାଷ ଜୁଟାଇଲା ସାହସ

0

ସାରା ରାଜ୍ୟରେ ମରୁଡି ପରିସ୍ଥିତି ଦେଖାଦେଇଛି । ଗୋଟିଏ ପରେ ଗୋଟିଏ ଚାଷୀର ଜୀବନ ଯାଉଛି । କିଏ ଋଣ ବୋଝ ତ’ ଆଉ କିଏ ଫସଲହାନୀ ଯୋଗୁଁ ଆତ୍ମହତ୍ୟା କରୁଥିବା ନେଇ ଅଭିଯୋଗ ହେଉଛି । ମୋଟାମୋଟି ଭାବେ ଚାଷ ଲାଗି ଚାଷୀ ଜୀବନ ହାରିବା ଭଳି ଅନେକ ଘଟଣା ଇତିମଧ୍ୟରେ ଦେଖିବାକୁ ମିଳିଲାଣି । ହେଲେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକର ଧଉଁରାଦାଦର ଗାଁରେ ଜଣେ ଅସହାୟା ମହିଳା ଶୋଭା ବିଶାଲ(୫୦)ବହୁ ଘାତ ପ୍ରତିଘାତ ଭିତରେ ବି ଚାଷକରି ବଞ୍ଚିବାର ସାହସ ଜୁଟାଇଛନ୍ତି । ଜୀବନର ଜଞ୍ଜାଳକୁ ବୋଝ ନଭାବି ଚାଷୀ ଭାବରେ ନିଜକୁ ଗଢି ତୋଳିବାରେ ସଫଳ ହୋଇଛନ୍ତି । ସ୍ୱାମୀ ଓ ପୁଅ ଚାଲିଗଲା ପରେ ମଧ୍ୟ ହାରମାନି ନାହାନ୍ତି, ବରଂ ନିଜ ସମସ୍ତ ବୋଝକୁ ହାଲୁକା କରିବା ପାଇଁ ଚାଷକୁ ମାଧ୍ୟମ କରିଛନ୍ତି । କୌଣସି ସରକାରୀ ସୁବିଧା ସୁଯୋଗ ନପାଇଲେ ମଧ୍ୟ ସେ ପଛକୁ ଲେଉଟି ନାହାନ୍ତି । ଆତ୍ମହତ୍ୟା ସମାଧାନର ବାଟ ନୁହେଁ ବରଂ ସାହସ ଜୁଟାଇ ସମସ୍ୟାର ମୁକାବିଲା କଲେ ନିଶ୍ଚିତ ସଫଳତା ମିଳେ ବୋଲି ଶୋଭା କୁହନ୍ତି । ତାଙ୍କ ସଂଗ୍ରାମ ଓ କର୍ମଠ ଜୀବନ ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ।

ଆଦିବାସୀ ସଅଁରା ସମ୍ପ୍ରଦାୟର ଶୋଭାଙ୍କୁ ବର୍ତ୍ତମାନ ପ୍ରାୟ ୫୦ବର୍ଷ ହେବ । ସ୍ୱାମୀ ହରେକୃଷ୍ଣ, ପୁଅ ବଳରାମ, ଦୁଇ ଝିଅ ତପସ୍ୱିନୀ ଓ ବିଳାସିନୀଙ୍କୁ ନେଇ କୁଲିମଜୁରୀ କରି ସେମାନଙ୍କ ଜୀବନ ବିତୁଥିଲା । ଗୋଟିଏ ବେଳ ଖାଇବାକୁ ମିଳିଲେ ଆଉ ଏକ ବେଳା ଉପାସରେ ବି ଦିନ କଟୁଥିଲା । ଅଭାବ ଅସୁବିଧା ଥିଲେ ବି ପରିବାର ମିଳିମିଶି ରହୁଥିଲେ । କିନ୍ତୁ ଗତ ୨୦୦୬ ବେଳକୁ ଆକସ୍ମିକ ଭାବେ ପରିବାର ଉପରକୁ ମାଡିଆସିଲା ଦୁଃଖର ଜୁଆର । ଯୁଆନ ପୁଅ ବଳରାମ କିଡନୀ ସଂକ୍ରମଣ ରୋଗରେ ପିଡିତ ହୋଇଥିଲେ । ପରେ ତାଙ୍କ ସ୍ୱାମୀ ମଧ୍ୟ ଯକ୍ଷ୍ମାରେ ପିଡିତ ହେଲେ । ନିଜେ କୁଲିମଜୁରୀ କରି ପରିବାର ଚଲାଇବେ ନା ଚିକିତ୍ସା କରିବେ ସେ ନେଇ ମାନସିକ ଚିନ୍ତାରେ ରହିଲେ । ବଡ ହସପିଟାଲରେ ଭର୍ତ୍ତି କରାଇବାକୁ ଟଙ୍କା ନଥିଲା । ତଥାପି ଧାରକରଜ କରିବା ସହ ନିଜ ପାଖରେ ଥିବା ଅଢେଇ ଏକର ଜମିରୁ କିଛି ଅଂଶ ବିକ୍ରି କରି ସ୍ୱାମୀ ଓ ପୁଅର ଚିକିତ୍ସା କରାଇଲେ । ପାଖାପାଖି ୫ ବର୍ଷର ଚିକିତ୍ସା ପରେ ମଧ୍ୟ ସୁଫଳ ମିଳିନଥିଲା । ପ୍ରଥମେ ସ୍ୱାମୀର ମୃତ୍ୟୁ ଓ ବର୍ଷକ ପରେ ପୁଅକୁ ହରାଇ ଶୋଭା ଭାଙ୍ଗି ପଡିଥିଲେ । ଦୁହେଁ ଚାଲିଗଲା ପରେ ଅସହାୟ ହୋଇ ପଡିଥିଲେ ପରିବାର । ଦୁଇ ବଢିଲା ଝିଅଙ୍କୁ ନେଇ ଧାରକରଜ କେମିତି ଲେଉଟାଇବେ କିଛି ଭାବିପାରିନଥିଲେ ଶୋଭା । ତାଙ୍କ ଆଖିକୁ ଆଉ କିଛି ବାଟ ଦିଶିନଥିଲା । ପୁଣି ଚିନ୍ତାକଲେ, ଯଦି ଆତ୍ମହତ୍ୟା କରିବେ ତାହେଲେ ଲୋକେ ଛି..ଛି.. କରିବେ । ଅନ୍ୟପଟେ ଦୁଇଟି ବଢିଲା ଝିଅ କାହା ଭାରସାରେ ବଞ୍ଚିବେ! 

ଏ ସବୁ କଥା ଭାବି ନିଜ ଦେହକୁ ପଥର କରି ଚାଷ କରିବାକୁ ନିଷ୍ପତି ନେଇଥିଲେ । ଚାଷକାମ ତାଙ୍କୁ ଜଣାନଥିବାରୁ ଗ୍ରାମର ଆଉ ଜଣେ ଚାଷୀଙ୍କ ଜମିରେ ମୂଲ ଲାଗି ପ୍ରଥମେ ଚାଷ ଶିଖିଲେ । ପରେ ୨୦୧୨ ମସିହାରୁ ନିଜ ଜମିରେ ମରିଚ ଚାଷ ଆରମ୍ଭ କଲେ । ପ୍ରଥମ ବର୍ଷ ୧୦ ହଜାର ଟଙ୍କା ଧାରକରଜ କରି ଚାଷ କରିଥିଲେ । ଅର୍ଥାଭାବରୁ ନିଜ ଜମିରେ ନିଜେ କୋଦାଳ ଧରିଥିଲେ । ବେଉଷଣ ଠାରୁ ଆରମ୍ଭ କରି ଅମଳ ହେବା ଯାଏଁ ସବୁ କାର୍ଯ୍ୟ ଏକୁଟିଆ କଲେ । ଅକ୍ଳାନ୍ତ ପରିଶ୍ରମ ଯୋଗୁ ଚାଷରେ ସଫଳ ହେଲେ । ଚାଷରୁ ମିଳିଥିବା ଲାଭରେ କରଜ ଟଙ୍କା ଲେଉଟାଇବା ସହ ପୂର୍ବରୁ ରହିଥିବା କିଛି ପୁରୁଣା ଋଣ ସୁଝିଥିଲେ । ପରେ ପ୍ରତ୍ୟେକ ବର୍ଷ ୬ ମାସ ମରିଚ ଚାଷ କରି ନିଜେ କରିଥିବା ଧାରକରଜ ସବୁତକ ଲେଉଟାଇ ସାରିଛନ୍ତି । ଏବେ ଏହି ଚାଷରୁ ଯାହା ପାଇବେ ସେଥିରେ ନିଜ ଦୁଇ ଝିଅଙ୍କ ବାହାଘର କରିବାର ଲକ୍ଷ୍ୟ ରଖିଛନ୍ତି । ଚାଷ କାର୍ଯ୍ୟରେ ଦୁଇ ଝିଅ ମଧ୍ୟ ସହଯୋଗ କରି ଆସୁଛନ୍ତି । ଚଳିତ ବର୍ଷ ଧାନ ଓ ମରିଚ ଚାଷ କରିଥିଲେ । ଧାନ ଚାଷ ନଷ୍ଟ ହୋଇଯାଇଥିବା ବେଳେ ମରିଚ ଚାଷ ଭଲ ହୋଇଛି । ମରୁଡି ପ୍ରଭାବରେ ଧାନ ନଷ୍ଟ ହେଲେ ମଧ୍ୟ ବିଶେଷ ଅସୁବିଧା ହେବ ନାହିଁ ବୋଲି ଶୋଭା କହିଛନ୍ତି ।

ଗତ ଜୁନ ମାସରେ ଅଧା ଏକର ଜମିରେ ମରିଚ ଚାଷ କରିଥିଲେ । ସେଥିରୁ ପ୍ରାୟ ୮୦ ରୁ ୯୦ ହଜାର ଟଙ୍କା ଲାଭ ହେବ । ତହିଁରୁ ସେ ଚାଷ ସମୟରେ କରିଥିବା ଧାରକରଜ ଲେଉଟାଇବେ ଓ ନିଜ ପରିବାର ଚଳାଇବେ । ପୂର୍ବରୁ କୁଲିମଜୁରୀ କଲା ବେଳେ ଅନେକ ଅସୁବିଧାର ସମ୍ମୁଖିନ ହେଉଥିଲେ କିନ୍ତୁ ଏବେ ଚାଷ କଲା ପରେ ସେ ଠିକରେ ଚଳିଆସୁଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି । 

ତାଙ୍କ ଦୃଢ଼ ଇଚ୍ଛାଶକ୍ତି ସମସ୍ତଙ୍କ ପାଇଁ ଏକ ଉଦାହରଣ । ଗାଁରେ ଏବେ ତାଙ୍କ ଚାଷ କରିବା ଶୈଳୀ ଦେଖି ଅନ୍ୟ ମହିଳାମାନେ ମଧ୍ୟ ଦିନମଜୁରୀ କାମ ଛାଡି ଚାଷ କରିବାକୁ ଆଗେଇ ଆସିଛନ୍ତି । ଗତ ବର୍ଷଠାରୁ ସେହି ଗାଁର ନିଦ୍ରା ଜୁଏଡ ନାମକ ଆଉଜଣେ ମହିଳା ମରିଚ ଚାଷ ଆରମ୍ଭ କରିଥିଲେ । ପ୍ରଥମ ବର୍ଷ ଚାଷରେ ସେତେଟା ସଫଳତା ମିଳିନଥିଲା । କିନ୍ତୁ ଏଥର ତାଙ୍କର ଚାଷ ଭଲ ହୋଇଥିବା ନିଦ୍ରା କହିଛନ୍ତି ।