କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଙ୍କୁ ଦିଆଯିବ ୧୩ ହଜାର କୋଟି ଋଣ: ପଂଚାୟତରେ ଖୋଲିବ ନୂଆ ବ୍ୟାଙ୍କ୍

କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଙ୍କୁ ଦିଆଯିବ ୧୩ ହଜାର କୋଟି ଋଣ:  ପଂଚାୟତରେ ଖୋଲିବ ନୂଆ ବ୍ୟାଙ୍କ୍

Sunday January 31, 2016,

3 min Read

କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ଘଟିଲେ ହିଁ ଗ୍ରାମାଂଚଳରେ ଅଧିକରୁ ଅଧିକ ଯୁବତୀ ଯୁବକମାନଙ୍କୁ କର୍ମସଂସ୍ଥାନ ମିଳିବ | ଏହା ଦ୍ୱାରା ଗ୍ରାମାଂଚଳର ବିକାଶ ମଧ୍ୟ ଘଟିବ | ତେଣୁ ରାଜ୍ୟରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ପାଇଁ ସରକାର ଧ୍ୟାନ ଦେଇଛନ୍ତି | ତେଣୁ ଏହି ଉଦ୍ୟୋଗ ପ୍ରତିଷ୍ଠା କରିବାକୁ ଚାହୁଁଥିବା ଉଦ୍ୟୋଗୀମାନଙ୍କୁ ଅଧିକ ଋଣ ଯୋଗାଇ ଦେବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି | ଆସନ୍ତା ୨୦୧୬-୧୭ ଆର୍ଥିକ ବର୍ଷରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ୧୩ ହଜାର କୋଟି ଟଙ୍କାରୁ ଅଧିକ ‍‌ଋଣ ଦେବାକୁ ସରକାର ଯୋଜନା କରିଛନ୍ତି | ନାବାର୍ଡ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ରିଲିଜ୍ ହୋଇଥିବା ରାଜ୍ୟ ଫୋକସ୍ ରିପୋର୍ଟରେ ଏହି ତଥ୍ୟ ରହିଛି |

କେବଲ କ୍ଷୁଦ୍ର ଓ ମଧ୍ୟମ କ୍ଷେତ୍ର ନୁହେଁ, ଅନ୍ୟାନ୍ୟ କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି | କୃଷି ଉପରେ ରାଜ୍ୟର ୭୦ ଭାଗ ଲୋକ ନିର୍ଭର କରୁଥିବାରୁ ଏ କ୍ଷେତ୍ରରେ ସରକାର ଆସନ୍ତା ଆର୍ଥିକ ବର୍ଷରେ ୩୨ ହଜାର ୨୦୭ କୋଟି ଟଙ୍କା ଋଣ ଦେବେ ବୋଲି ଲକ୍ଷ୍ୟ କରିଛନ୍ତି | ମୋଟ ଋଣ ଲକ୍ଷ୍ୟର ଏହା ହେଉଛି ୫୪ ପ୍ରତିଶତ | ଅର୍ଥାତ୍ ରାଜ୍ୟର ପ୍ରାଥମିକତା କ୍ଷେତ୍ର ମଧ୍ୟରେ ସର୍ବାଧିକ ଋଣ ବ୍ୟବସ୍ଥା କୃଷି କ୍ଷେତ୍ର ପାଇଁ ରଖାଯାଇଛି | ଯାହା ଫଳରେ ଅଧିକରୁ ଅଧିକ କୃଷକ ଉପକୃତ ହୋଇପାରିବେ |

image


ଏହି ଋଣ ପ୍ରଦାନ କ୍ଷେତ୍ରରେ ବ୍ୟାଙ୍କମାନଙ୍କର ମୁଖ୍ୟ ଭୂମିକା ରହିଛି | ଚାଷୀ ଓ ଉଦ୍ୟୋଗୀମାନଙ୍କୁ ଋଣ ପ୍ରଦାନ ପାଇଁ ଗ୍ରାମାଂଚଳରେ ଅଧିକରୁ ଅଧିକ ବ୍ୟାଙ୍କ ଖୋଲିବା ଦରକାର | 

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି,

ଅଧିକ ଋଣ ପ୍ରୋତ୍ସାହନ ଦେବା ପାଇଁ ପ୍ରତି ପଂଚାୟତରେ ବ୍ୟାଙ୍କ ଶାଖା ଖୋଲିବା ଲାଗି ରାଷ୍ଟ୍ରାୟତ ଓ ବ୍ୟବସାୟିକ ବ୍ୟାଙ୍କମାନଙ୍କୁ କୁହାଯାଇଛି | ଆର୍ଥିକ ବିକାଶ ପାଇଁ ରିହାତି ଓ ପ୍ରୋତ୍ସାହନ ଭିତ୍ତିକ ଯୋଜନା କାର୍ଯ୍ୟକାରୀ କରାଯାଉଛି | ଏହି ସବୁ ଯୋଜନାକୁ ବ୍ୟାଙ୍କ୍ ଗୁଡିକ ୧୦୦ ପ୍ରତିଶତ କାର୍ଯ୍ୟକାରୀ କଲେ, ଲୋକମାନଙ୍କୁ ଏହାର ସୁଫଳ ମିଳିପାରିବ |

ବିଭିନ୍ନ କ୍ଷେତ୍ରରେ ଆସନ୍ତା ବର୍ଷ ପାଇଁ ମୋଟ ୫୮ ହଜାର ୮୮୨ କୋଟି ଟଙ୍କାର ଋଣ ଯୋଜନା କରାଯାଇଛି | ଯାହା ପୂର୍ବ ବର୍ଷ ଠାରୁ ପ୍ରାୟ ୨୩ ପ୍ରତିଶତ ଅଧିକ | କୃଷି, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସମେତ ଅନ୍ୟାନ୍ୟ ଅଗ୍ରାଧିକାର କ୍ଷେତ୍ର ପାଇଁ ଋଣ ଯୋଜନା ପ୍ରସ୍ତୁତ ହୋଇଛି | ଅନ୍ୟାନ୍ୟ ଅଗ୍ରାଧିକାର କ୍ଷେତ୍ରରେ ପ୍ରାୟ ୧୩ ହଜାର ୩୩୬ କୋଟି ଟଙ୍କା ଋଣ ଦେବାକୁ ସ୍ଥିର ହୋଇଛି | ଏଠାରେ ପ୍ରକାଶଯୋଗ୍ୟ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଇତିମଧ୍ୟରେ ଅଗ୍ରାଧିକାର କ୍ଷେତ୍ରକୁ ପୁନଃ ନିର୍ଧାରଣ କରି କୃଷି, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶିକ୍ଷା, ବାସଗୃହ, ସବୁଜ ଶକ୍ତି, ସାମାଜିକ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ରକୁ ଏଥିରେ ସାମିଲ କରିଛନ୍ତି ବୋଲି ରିଜର୍ଭ ବ୍ୟାଙ୍କ୍ ର ଆଂଚଳିକ ନିର୍ଦ୍ଦେଶକ ପି.କେ ଜେନା ସୂଚନା ଦେଇଛନ୍ତି | ସେହି ଅନୁସାରେ ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ର ପାଇଁ ‌ଋଣ ପ୍ରଦାନ ଯୋଜନା ପ୍ରସ୍ତୁ କରିଛନ୍ତି |

image


ରାଜ୍ୟ ଫୋକସ୍ ରିପୋର୍ଟରେ ଥିବା ଋଣ ପ୍ରଦାନ ଲକ୍ଷ୍ୟକୁ ପୂରଣ କରିବା ପାଇଁ ବ୍ୟାଙ୍କ୍ ଗୁଡିକ ପ୍ରମୁଖ ଭୂମିକା ନେବେ | ଅର୍ଥ ବିଭାଗର ଅତିରିକ୍ତ ସଚିବ ଆର୍ . ବାଲକ୍ରିଷ୍ଣନ୍ ଏହି ପରିପ୍ରେକ୍ଷୀରେ କହିଛନ୍ତି,

ରାଜ୍ୟରେ ତ୍ୱରିତ ଦାରିଦ୍ର୍ୟ ଦୂରୀକରଣ ପାଇଁ ସରକାର ପ୍ରାଧାନ୍ୟ ଦେଉଛନ୍ତି | ପରିବାରସ୍ତରରେ ରୋଜଗାରର ଅଭିବୃଦ୍ଧି ହେଲେ ଦାରିଦ୍ର୍ୟ ଦୂରିକରଣ ସମ୍ଭବ | ଏଥିରେ ବ୍ୟାଙ୍କ୍ ଗୁଡିକ ଆନ୍ତରିକତାର ସହ ସାମିଲ ହେବା ଜରୁରୀ | ଆୟ ଅଭିବୃଦ୍ଧି ଯୋଜନାଗୁଡିକୁ ଅଧିକ କ୍ରିୟାଶୀଳ କରିବା ଏକାନ୍ତ ଜରୁରୀ |

କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ହେଉ କିମ୍ବା କୃଷି କ୍ଷେତ୍ର | ଏହି କ୍ଷେତ୍ରର ବିକାଶ ଦିଗରେ ଋଣ ପ୍ରଦାନର ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ | ଆର୍ଥିକ ସହାୟତା ହେଲେ ହିଁ ଯେ କୌଣସି ଉଦ୍ୟୋଗକୁ ଆରମ୍ଭ କିମ୍ବା ଅଗ୍ରଗତି କରିବା ସମ୍ଭବ ହୁଏ | ତେଣୁ ରାଜ୍ୟ ସରକାରଙ୍କ ଫୋକସ୍ ରିପୋର୍ଟରେ ଥିବା ଋଣ ପ୍ରଦାନ ଲକ୍ଷ୍ୟ ପୂରଣ ହେଲେ ଅନେକ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନେ ଉପକୃତ ହେବା ସହ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ବିକାଶ ଘଟିବ |