ଭୁବନେଶ୍ୱରରେ ଖୋଲିଲା ଦେଶର ପ୍ରଥମ “ଦକ୍ଷତା ବିକାଶ ପ୍ରତିଷ୍ଠାନ"

ଭୁବନେଶ୍ୱରରେ ଖୋଲିଲା ଦେଶର ପ୍ରଥମ “ଦକ୍ଷତା ବିକାଶ ପ୍ରତିଷ୍ଠାନ"

Monday May 09, 2016,

2 min Read

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ୯ ମେ’ ୨୦୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଭୁବନେଶ୍ୱରଠାରେ ଦକ୍ଷତା ବିକାଶ ପ୍ରତିଷ୍ଠାନ (ଏସ୍ଡିଆଇ) ଉଦଘାଟିତ ହୋଇଯାଇଛି । ଏହି ଅବସରରେ ସାଂସଦ ଡକ୍ଟର ପ୍ରଫେସର ପ୍ରସନ୍ନ କୁମାର ପାଟ୍ଟଶାଣୀ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଓ ତୈଳ ଓ ଗ୍ୟାସ୍ ଶିଳ୍ପର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଭାରତ ସରକାରଙ୍କ ଦକ୍ଷତା ବିକାଶ ମିସନକୁ ଦୃଷ୍ଟିରେ ରଖି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ (ଏମ୍ଓପି ଆଣ୍ଡ ଏନ୍ଜି) ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ଦକ୍ଷତା ବିକାଶ ପ୍ରତିଷ୍ଠାନ (ଏସ୍ଡିଆଇ) ଗୁଡ଼ିକ ତୈଳ ଓ ଗ୍ୟାସ୍ କ୍ଷେତ୍ରର ରାଷ୍ଟ୍ରାୟତ କଂପାନିଙ୍କ ଅଧୀନରେ ପ୍ରତିଷ୍ଠା କରାଯାଉଛି ।

ଏହି ଧରଣର ପ୍ରଥମ ଦକ୍ଷତା ବିକାଶ ପ୍ରତିଷ୍ଠାନ (ଏସ୍ଡିଆଇ)କୁ ଭୁବନେଶ୍ୱରରେ ଭାରତୀୟ ତୈଳ ନିଗମ ଲିମିଟେଡ୍ ପକ୍ଷରୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଅଧୀନରେ ଥିବା ଅନ୍ୟ ରାଷ୍ଟ୍ରାୟତ ଉଦ୍ୟୋଗ (ପିଏସୟୁ)ଙ୍କ ସହଯୋଗରେ ପ୍ରତିଷ୍ଠା କରାଯାଇଛି ।

image


ପ୍ରାରମ୍ଭିକ ପର୍ଯ୍ୟାୟରେ ଏସ୍ଡିଆଇ ଭୁବନେଶ୍ୱରରେ ଦୁଇଟି ସାର୍ଟିଫିକେସନ୍ ପାଠ୍ୟକ୍ରମ ଶିଳ୍ପ ୱେଲଡର ଓ ଇଲେକ୍ଟ୍ରିସିଆନ୍ ଆରମ୍ଭ କରାଯାଇଛି । ଭାରତ ସରକାରଙ୍କ ଜାତୀୟ ଦକ୍ଷତା ଯୋଗ୍ୟତା ଫ୍ରେମୱର୍କ (ଏନ୍ଏସ୍କୁ୍ୟଏଫ୍) ଅନୁସାରେ ପାଠ୍ୟକ୍ରମଗୁଡ଼ିକୁ ପ୍ରସ୍ତୁତ କରାଯାଇଥିବାବେଳେ ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍ଏସ୍ଡିସି)ର ସେକ୍ଟର ସ୍କିଲ୍ କାଉନ୍ସିଲ୍ ପକ୍ଷରୁ ଏହାକୁ ଅନୁମୋଦନ ପ୍ରଦାନ କରାଯାଇଛି । ନେଟୁର ଟେକ୍ନିକାଲ୍ ଟ୍ରେନିଂ ଫାଉଣ୍ଡେସନ୍ (ଏନ୍ଟିଟିଏଫ୍)ର ଅଭିଜ୍ଞ ଫାକଲ୍ଟିମାନେ ଏହି ପାଠ୍ୟକ୍ରମର ଶିକ୍ଷାଦାନ କରିବେ । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୯୦ ଜଣ ଛାତ୍ରଛାତ୍ରୀ ତାଲିମ ନେବାପାଇଁ ଚୟନ ହୋଇଛନ୍ତି ଏବଂ ଏହି ତାଲିମର ଅବଧି ହେଉଛି ୬ ମାସ ।

ଏସ୍ଡିଆଇ ଭୁବନେଶ୍ୱରର ଏହି ନିଯୁକ୍ତି କୈନ୍ଦ୍ରୀକ କାର୍ଯ୍ୟକ୍ରମରେ ଶିଳ୍ପ ସଂସ୍ଥାଗୁଡ଼ିକ ବ୍ୟବହାର କରୁଥିବା ବାସ୍ତବ ଯନ୍ତ୍ରାଂଶ ଓ ସିମୁଲେଟର୍ ଜରିଆରେ ପ୍ରାକ୍ଟିକାଲ୍ ବୈଷୟିକ ତାଲିମ ପ୍ରଦାନ କରାଯିବ । ଏହା ସହିତ, ଲଘୁ ଦକ୍ଷତା ଉପରେ ତାଲିମ, କଂପୁ୍ୟଟର, ଇଂରାଜି ଭାଷା ଉପରେ ମଧ୍ୟ ଶିକ୍ଷାଦାନ ଓ ତାଲିମ ପ୍ରଦାନ କରାଯିବ । ଏହି ତାଲିକା ପରେ କଠୋର ଅନୁଧ୍ୟାନ ଓ ସାର୍ଟିଫିକେସନ୍ ପ୍ରକ୍ରି୍ରୟା ଅନୁଷ୍ଠିତ ହେବ, ଫଳରେ ପ୍ରାର୍ଥୀ ନିଯୁକ୍ତି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିପାରିବେ । ଏହା ସହିତ, ପାଠ୍ୟକ୍ରମର ଅଂଶ ସ୍ୱରୂପ ଉଦ୍ୟୋଗୀ ପାଠ୍ୟକ୍ରମ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ, ଫଳରେ ସେମାନେ ନିଜର ଜୀବିକାର୍ଜନ କରିପାରିବା ସହ ସ୍ୱାବଲମ୍ବୀ ହୋଇପାରିବେ ।

ଭୁବନେଶ୍ୱରଠାରେ ଏକ ବିଶ୍ୱ ସ୍ତରୀୟ ଦକ୍ଷତା ବିକାଶ ପ୍ରତିଷ୍ଠାନ ପ୍ରତିଷ୍ଠା କରିବାର ଯୋଜନା ରହିଛି, ଯେଉଁଠାରେ ବିଶେଷ କରି ତୈଳ ଓ ଗ୍ୟାସ୍ କ୍ଷେତ୍ରର ଆବଶ୍ୟକତା ଅନୁଯାୟୀ ବ୍ୟାପକ ଟ୍ରେଡ୍/ପାଠ୍ୟକ୍ରମ ରହିବ । ଏହାକୁ ଦେଶରେ ଏକ ଷ୍ଟେଟ-ଅଫ୍-ଆର୍ଟ ଇନଷ୍ଟିଚୁ୍ୟଟ୍ ରେ ପରିଣତ କରାଯିବ ।

image


ଏହି ଉଦଘାଟନୀ ସମାରୋହରେ ଯୋଗଦେଇ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୃଢତାର ସହ ମତବ୍ୟକ୍ତ କରିଥିଲେ ଯେ, ଏହି ସଂସ୍ଥାଟି ରାଜ୍ୟର ଯୁବକମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରି ସେମାନଙ୍କ ଦକ୍ଷତା ବିକାଶରେ ସହେଯାଗ କରିବ । ଏହା ସେମାନଙ୍କୁ ସ୍ୱାବଲମ୍ବୀ କରିବା ସଙ୍ଗେ ସଙ୍ଗେ ଦାନରେ ଚଳିବା ସଂସ୍କୃତିରୁ ଦୂରେଇ ରଖିବ । ଆମ ଦେଶ ଛଡା ଦେଶ ବାହାରେ ମଧ୍ୟ ତାଲିମପ୍ରାପ୍ତ ଓଡିଆ ଯୁବକମାନେ ଭଲ ନିଯୁକ୍ତି ସୁଯୋଗ ପାଇପାରିବେ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ କହିଥିଲେ ।

ଏହି ଅବସରରେ, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବ ଅନୁରୋଧକ୍ରମେ ୧୦୦ ଏକର ଜମି ଯୋଗାଇଦେବା ନିମନ୍ତେ ସହାୟତା ଲୋଡିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ପ୍ରକଳ୍ପ ନିମନ୍ତେ ସମସ୍ତ ସହାୟତା ତଥା ସହେଯାଗ ଯୋଗାଇଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।