ଡକ୍ଟରରୁ ସଫଳ ଉଦ୍ୟୋଗୀ ବନ୍ଦନା ଜୈନ

0

"ଆଜିର ଭାରତୀୟ ନାରୀ ଆଉ ପରଦା ଆଢୁଆଳରେ ସୀମିତ ହେଇ ରହିନାହାନ୍ତି। ସେମାନେ ଆଗକୁ ଆସୁଛନ୍ତି ଓ ଅନେକ କିଛି କରୁଛନ୍ତି। ପରିସ୍ଥିତି ତେଣିକି ଯାହା ହେଇଥାଉ ନା କାହିଁକି ନାରୀମାନେ କେବେ ମଧ୍ୟ ନିଜ ସ୍ଵପ୍ନକୁ ଦଳିଦେବା ଉଚିତ ନୁହେଁ - ଘରେ ଛୋଟ ଛୁଆର ଦାୟିତ୍ତ୍ଵ ହେଇଥାଉ ବା ଅନ୍ୟାନ୍ୟ ଦାୟିତ୍ଵ ଥାଉ। ନିଜର ସ୍ଵପ୍ନକୁ ସତ କରିବାର ସଂଘର୍ଷରେ ଲାଗି ରହିଲେ ବାକି ସବୁ କିଛି ଧୀରେ ଧୀରେ ଠିକ ହେଇଯାଇଥାଏ। କେମିତି କେଜାଣି, କିନ୍ତୁ ଦୃଢ ନିଷ୍ଠା ଥିଲେ ସଫଳତା ନିଶ୍ଚେ ହାତକୁ ଆସେ। ମୁଁ କହିବି ନାରୀ ମାନଙ୍କୁ କେବେ ମଧ୍ୟ ନିଜକୁ ଛୋଟ କରି ଦେଖିବା ଉଚିତ ନୁହେଁ ବରଂ ଖୁବ ବଡ ସ୍ଵପ୍ନ ଦେଖି ତାକୁ ସତ କରିବାରେ ଲାଗିପଡିବା ଉଚିତ," କୁହନ୍ତି ବନ୍ଦନା ଜୈନ, ଡକ୍ଟର ଓ ଉଦ୍ୟୋଗୀ। ଜଣେ ଚକ୍ଷୁ ବିଶେଷଜ୍ଞ ଓ Advanced Eye Hospital and Institute (AEHI)ର ପ୍ରତିଷ୍ଟାତା ଯାହାକି ସେ ୨୦୧୧ରେ ଆରମ୍ଭ କରିଥିଲେ।

ନିଜର ପ୍ରାରମ୍ଭିକ ଜୀବନ ବିଷୟରେ ସେ କହନ୍ତି - "ମୁଁ ଦିଲ୍ଲୀର ଏକ ରକ୍ଷଣଶୀଳ ପରିବାରରେ ଜନ୍ମ। ଆମେ ତିନିଜଣ ଭାଇଭଉଣୀ ଥିଲୁ ଓ ମୋ ଉପରେ ଜଣେ ବଡ଼ ଭଉଣୀ ଓ ତଳେ ଜଣେ ଭାଇ। ମୁଁ ମଝିଆଁ ଥିଲି। ପିଲାଦିନେ ମୁଁ ସ୍କୁଲରେ ପଢିଲାବେଳେ ଶ୍ରେଣୀରେ ଦ୍ଵିତୀୟ ହେଉଥିଲି କିନ୍ତୁ ତାହା ମତେ ଭଲଲାଗିଲା ନାହିଁ ତେଣୁ ମୁଁ ପରବର୍ତ୍ତୀ ପରୀକ୍ଷାରେ ପରିଶ୍ରମ କରି ପ୍ରଥମସ୍ଥାନ ହାସଲ କରିଥିଲି। କିନ୍ତୁ ଘରେ କେବେବି ମୋର ପାଠପଢାକୁ ଗୁରୁତ୍ତ୍ଵ ଦେଉନଥିଲେ, କାରଣ ମୁ ଝିଅ ଥିଲି। ଏହି କାରଣରୁ ମୋ ଉପରେ କିଛି ଚାପ ନଥିଲା ଓ ସମ୍ଭବତଃ ଏହାହିଁ ମୋତେ ଜୀବନରେ ଆଗକୁ ଯିବାର ପ୍ରେରଣା ଦେଇଥିଲା। ମୋର ବଡଭଉଣୀକୁ ଖୁବ କମ ବୟସରେ ବାହା କରିଦିଆଗଲା। କାରଣ ଆମ ପରିବାରରେ ଝିଅମାନଙ୍କୁ ବେଶୀ ଅଗ୍ରାଧିକାର ଦିଆଯାଉନଥିଲା।

ପାଠପଢା ସହ ମୁଁ ଧିରେ ଧିରେ ଖେଳକୁଦରେ ମଧ୍ୟ ଅଂଶଗ୍ରହଣ କଲି ଓ ମୋତେ ଜାତୀୟ ସ୍ତରରେ ଖେଳିବାର ସୁଯୋଗ ମଧ୍ୟ ମିଳିଲା। ଏହି ଖେଳ ଆଜି ମୋତେ ଜୀବନରେ ଆଗକୁ ଯିବାର ପ୍ରେରଣା ଦେଇଛି। ଏହା ମୋତେ ପ୍ରତିଦ୍ଵନ୍ଦୀତା ମୁଳକ ସ୍ଥିତିରେ କିପରି ଆଗକୁ ବଢ଼ିବାକୁ ହୁଏ ଶିଖେଇଛି ଓ ସଫଳତା ପାଇବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡିବ, ତାହା ଶିକ୍ଷା ଦେଇଛି। ଘରେ ଯଦିଓ ମୋତେ କେହି ଖେଳିବା ବା ପାଠପଢା ପାଇଁ କେବେ ଉତ୍ସାହିତ କରିନଥିଲେ କିନ୍ତୁ କେବେହେଲେ ବିରୋଧ ମଧ୍ୟ କରିନଥିଲେ। ମୋ ବାପା ତାଙ୍କ ପରିବାରରେ ସବୁଠାରୁ ବଡ ଥିଲେ ଓ ପରିବାରର ସମସ୍ତ ଦାୟିତ୍ଵ ତୁଲାଉଥିଲେ। ଆମ ପରିବାରରେ ମୋର ଖେଳିବା ଅନେକ ସଦସ୍ୟ ଗ୍ରହଣ କରିନଥିଲେ, କିନ୍ତୁ ବାପା ଏଥି ନିମନ୍ତେ କେବେ ଅଟକାଇ ନଥିଲେ। ସେଥିପାଇଁ ମୁଁ ମୋ ବାପାଙ୍କର ବହୁତ ସମ୍ମାନ କରେ।

ଡକ୍ଟର ହେବାର ଯାତ୍ରା

ମୋ ବାପା ମାଆଙ୍କ ଖରାପ ସ୍ଵାସ୍ଥ୍ୟ ହିଁ ମୋତେ ଡକ୍ଟର ହେବାକୁ ପ୍ରେରଣା ଦେଇଥିଲା। ଥରେ ମୋ ବାପାଙ୍କ ଆଖିରେ କିଛି ସମସ୍ୟା ଦେଖାଦେଲା ଓ ତାଙ୍କର ଅପରେଶନ ଠିକ ଭାବେ ହେଲାନାହିଁ। ଫଳରେ ତାଙ୍କର ଗୋଟେ ଆଖିର ଦୃଷ୍ଟିଶକ୍ତି କମିଗଲା ଓ ସେ ମାନସିକ ଦୃଷ୍ଟିରୁ ଅନେକ ଭାଙ୍ଗି ପଡିଲେ। ମୁଁ ସେହି ସମୟରେ ନିଷ୍ପତ୍ତି ନେଲି ଯେ ସୁଯୋଗ ମିଳିଲେ ମୁଁ ନିଶ୍ଚୟ ଗୋଟେ ଆଖି ଡକ୍ଟର ହେବି। ଏହା ପରେ ମୁ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲି ଓ ମୌଲାନା ଆଜ଼ାଦ ମେଡିକାଲ୍ କଲେଜରେ MBBS ପଢିଲି। ସେହିଠାରେ ହିଁ MS କଲି ଓ ପରେ ମୁଁ LV Prasadରୁ ଓ ତାହାପରେ ହାର୍ଭାର୍ଡ ବିଶ୍ଵବିଦ୍ୟାଳୟରେ ଚକ୍ଷୁ ଚିକିତ୍ସାରେ ଫେଲୋଶିପ୍ ପାଇଥିଲି। ଡାକ୍ତରୀ ପାଠପଢା ପରେ ମୁଁ ଷ୍ଟାନଫର୍ଡ ବିଶ୍ଵବିଦ୍ୟାଳୟରୁ ମ୍ୟାନେଜମେଣ୍ଟ ପଢା ବି ଶେଷ କଲି।

ପାଠପଢା ଶେଷ କରିବାପରେ ମୁଁ ମୁମ୍ବାଇ ଆସି ଡାକ୍ତରୀପେଶାରେ ରୋଗୀସେବା ଆରମ୍ଭ କଲି। ଏହା ପ୍ରାୟ ୪ ବର୍ଷ ଧରି ଚାଲିଲା। କିନ୍ତୁ ମୁଁ କିଛି ଅଧିକା କରିବାକୁ ଚାହୁଁଥିଲି। ମୋତେ ସବୁବେଳେ ଲାଗୁଥିଲା କି ମୁଁ କିଛି କରିବାକୁ ଚାହୁଁଛି କିନ୍ତୁ କରିପାରୁନାହିଁ। ମୁଁ ଏହି ବିଷୟରେ ମୋର ସାଙ୍ଗସାଥି ଓ ଗୁରୁଜନ ମାନଙ୍କ ସହ ଆଲୋଚନା କଲି ଓ ଆଡ଼ଭାନ୍ସଡ୍ ଆଇ ହସ୍ପିଟାଲ୍ ଆଣ୍ଡ୍ ଇନ୍ସଟିଟିଉଟ ସେହିଠାରୁ ସୃଷ୍ଟି। ମୋ ଷ୍ଟାନଫର୍ଡର ମ୍ୟାନେଜମେଣ୍ଟ ପଢା ଏହି କାମରେ ଲାଗିଲା। ମୋ ସ୍ଵାମୀ ମତେ ଏଥିପାଇଁ ବହୁତ ସାହାଯ୍ୟ କରିଛନ୍ତି।

୨୦୧୧ରେ ଏହାର ପ୍ରତିଷ୍ଠା ହେଲା ଓ ଆମେ ୨୦୧୨ ନଭେମ୍ବର ମାସରେ କାମ ଆରମ୍ଭ କଲୁ। ଏହା ଏକ ଚକ୍ଷୁରୋଗ ଭିତ୍ତିକ ମଲ୍ଟି ସ୍ପେସାଲିଟି ଚିକିତ୍ସାଳୟ ଯେଉଁଥିରେକି ସାତୋଟି ବିଭାଗ ରହିଛି। ପ୍ରତି ବିଭାଗରେ ଜଣେ ଜଣେ ଅଭିଜ୍ଞ ଡକ୍ଟର ଅଛନ୍ତି। ମୋର ସମସ୍ତ ଡକ୍ଟର ମାନେ ବହୁତ ବିଜ୍ଞ ଓ ଅଭିଜ୍ଞ ଯେଉଁମାନେ ଖୁବ ଦକ୍ଷତାର ସହ ରୋଗୀସେବା କରୁଛନ୍ତି।

"ଆମ ହସ୍ପିଟାଲକୁ ଆସୁଥିବା ରୋଗୀମାନଙ୍କୁ ଆମେ ଏକ ସୂଚନା ପୁସ୍ତିକା ପ୍ରଦାନ କରୁ ଯେଉଁଥିରେ ରୋଗ ଓ ତାହାର ଚିକିତ୍ସା ବିଷୟରେ ସବିଶେଷ ତଥ୍ୟ ଥାଏ। ତେଣୁ ରୋଗୀକୁ ତାହାର ରୋଗ ଓ ତାହାର ଉପଚାରର ସମ୍ପୁର୍ଣ ବିବରଣୀ ଅମେ ଦେଉ। ଯାହାଫଳରେ ସେ ସେହି ରୋଗ ବିଷୟରେ ଅନେକ ତଥ୍ୟ ଜାଣିପାରେ। ଏହାଦ୍ଵାରା ରୋଗୀ ନିଶ୍ଚିତ ହୁଏଯେ ସେ କୌଣସି ଠକାମିରେ ପଡୁନାହିଁ," କହନ୍ତି ଜୈନ୍।

ଭବିଷ୍ୟତର ଯୋଜନା ବିଷୟରେ ସେ କହନ୍ତି ଯେ ଆଗକୁ ସାରା ଦେଶରେ ସେ ଏହାର ଶାଖା ଖୋଲିବାର ଲକ୍ଷ୍ୟ ରଖିଛନ୍ତି, କିନ୍ତୁ ବର୍ତ୍ତମାନ ସେ କେବଳ ପଶ୍ଚିମ ଭାରତରେ ଏହାର ପ୍ରସାର କରିବାକୁ ଉଦ୍ୟମ କରୁଛନ୍ତି।

For more detail click here.