ଏନଜିଓ ପାଇଁ ସୋସିଆଲ୍ ମିଡିଆ ତାଲିମ, ଅନଲାଇନ୍ କ୍ୟାମ୍ପେନ୍ କରିବାର ଉପାୟ ଜାଣିଲେ ସାମାଜିକ କର୍ମୀ

ଏନଜିଓ ପାଇଁ ସୋସିଆଲ୍ ମିଡିଆ ତାଲିମ, ଅନଲାଇନ୍ କ୍ୟାମ୍ପେନ୍ କରିବାର ଉପାୟ ଜାଣିଲେ ସାମାଜିକ କର୍ମୀ

Friday March 11, 2016,

3 min Read

ଅନେକ ସମାଜସେବୀ ବା ସାମାଜିକ କର୍ମୀ ବିଭିନ୍ନ କ୍ଷେତ୍ରରେ ବହୁତ ଭଲ କାମ କରୁଛନ୍ତି । ସେମାନେ ଲୋକମାନଙ୍କ ହିତ ପାଇଁ ସାରା ଜୀବନ ମଧ୍ୟ ଉତ୍ସର୍ଗ କରିଦେଉଛନ୍ତି । କିନ୍ତୁ ଅନେକ କ୍ଷେତ୍ରରେ ସେମାନଙ୍କ ଏହି କାର୍ଯ୍ୟକୁ ଲୋକ ସମର୍ଥନ ମିଳୁନାହିଁ କିମ୍ବା ଆର୍ଥିକ, ନୈତିକ ସମର୍ଥନ ମିଳୁନାହିଁ । ଏହାର ମୁଖ୍ୟ କାରଣ ହେଉଛି ସେମାନେ କରୁଥିବା କାମ ବିଷୟରେ ବାହାର ଦୁନିଆ ଜାଣିପାରୁନାହିଁ । ରାଜ୍ୟ ବା ଦେଶର ସଂଖ୍ୟାଧିକ ଲୋକଙ୍କୁ ଏକ ଭଲ କାମ ବିଷୟରେ ଜଣାଇବାକୁ ଅଛି ଗଣମାଧ୍ୟମ । କିନ୍ତୁ ଗଣମାଧ୍ୟମରେ ଏସବୁ କାମର ଖବର ପ୍ରସାରଣ ପାଇଁ ଏତେ ସମୟ ବା ସ୍ଥାନ ନାହିଁ । ତେଣୁ ସମାଜସେବା କାମକୁ ଲୋକ ସମ୍ମୁଖକୁ ଆଣିବା ପାଇଁ ସୋସିଆଲ୍ ମେଡିଆ ଓ ଅନ୍ୟାନ୍ୟ ସୂଚନା ପ୍ରଯୁକ୍ତି ମାଧ୍ୟମ ଆସିଗଲାଣି । ତେବେ ଗ୍ରାମାଂଚଳରେ କାମ କରୁଥିବା ସାମାଜିକ ସଂସ୍ଥା ଓ କର୍ମୀମାନେ ଏଦିଗରେ ଏବେ ବି ପଛରେ ପଡିଛନ୍ତି । ସେମାନେ ସେମାନଙ୍କ କାମକୁ ଅଧିକ ଲୋକଙ୍କ ନିକଟରେ ପଂହଚାଇବା ଓ ଗୋଟିଏ କ୍ୟାମ୍ପେନ୍ ପାଇଁ ସମର୍ଥନ ଜୁଟାଇବା ଲାଗି ଇନଫରମେସନ୍ କମ୍ୟୁନିକେସନ୍ ଟୁଲ୍ (ଆଇସଟି)କୁ ବ୍ୟବାହାର କରିପାରୁନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତି ସିଭିଲ୍ ସୋସାଇଟି ଫୋରମ୍ ଅନ୍ ହ୍ୟୁମାନ ରାଇଟ୍ସ(ସିଏସଏଫଏଚଆର୍) ପକ୍ଷରୁ ରାଜ୍ୟର ଗ୍ରାମାଂଚଳରେ କାମ କରୁଥିବା ସଂସ୍ଥା ଓ ସାମାଜିକ କର୍ମୀମାନଙ୍କ ପାଇଁ ନିକଟରେ ଏକ କର୍ମଶାଳାର ଆୟୋଜନ କରିଥିଲା ।

image


ତିନିଦିନିଆ ଏହି କର୍ମଶାଳାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ 35 ଜଣ ସାମାଜିକ କର୍ମୀ ଯୋଗ ଦେଇଥିଲେ । ଏଥିରେ ଥିଲେ ମାନବାଧିକାର କର୍ମୀ, ସୂଚନା ଅଧିକାର କର୍ମୀ, ଶିଶୁ ଅଧିକାର କର୍ମୀ, ଆଡଭୋକେଟ୍, ସାମ୍ବାଦିକ । ପୁଣି ଥିଲେ ମହିଳାମାନଙ୍କ ସଶକ୍ତିକରଣ ପାଇଁ କାମ କରୁଥିବା ସଂସ୍ଥାର ପ୍ରତିନିଧି, ଦଳିତ ଓ ଆଦିବାସୀ ଅଧିକାର ପାଇଁ ସଂଗ୍ରାମ କରୁଥିବା ଯୁବସାଥୀ, କମୁନିଟି ରେଡିଓରେ କାମ କରୁଥିବା ସ୍ୱେଚ୍ଛାସେବୀ ଆଦି ଅନେକ । ସେମାନଙ୍କ ପାଇଁ ଏଭଳି ତାଲିମ ଥିଲା ପ୍ରଥମ । କନ୍ଧମାଳରୁ ଆସିଥିବା ବିକ୍ରମ ଦିଗାଲ କହନ୍ତି,

ଏହି କର୍ମଶାଳାରୁ ଆମେ ସୋସିଆଲ୍ ମିଡିଆର ବ୍ୟବହାର ଶିକ୍ଷା କରିବା ସହିତ ଇଣ୍ଟରନେଟ୍ ରେ କିଭଳି ନିଜର ତଥ୍ୟ ଓ ସୂଚନାକୁ ସୁରକ୍ଷିତ ରଖାଯାଇପାରିବ, ସେ ବିଷୟରେ ଜାଣି ପାରିଲୁ । ପୁଣି ଫେସବୁକ୍, ଟ୍ୱିଟର ଆଦିରେ ଆମେ କିଭଳି ଭାବେ ଲେଖିଲେ, ତାହା ଅଧିକ ଲୋକଙ୍କ ପାଖରେ ପଂହଚିବ, ସେ କଥା ବି ଏଠାରେ ଶିକ୍ଷା ଦିଆଗଲା । ସେମାନେ କାମ କରୁଥିବା ବିଭିନ୍ନ ପ୍ରସଙ୍ଗ ଉପରେ କିଭଳି ଅନଲାଇନ୍ କ୍ୟାମ୍ପେନ୍ କରିହେବ, ତାହା ମଧ୍ୟ ସେମାନେ ଜାଣିପାରିଥିଲେ ।

image


ସୂଚନା ଅଧିକାର ଆଇନ ଅନୁସାରେ କେତେକ ତଥ୍ୟ ବିଭିନ୍ନ ବିଭାଗ ଓ କାର୍ଯ୍ୟାଳୟ ନିଜ ଆଡୁ ବିଭିନ୍ନ ୱେବସାଇଟ୍ ରେ ପ୍ରଦର୍ଶିତ କରିବା ଦରକାର। କିନ୍ତୁ ଅନେକ ୱେବ ସାଇଟ୍ ରେ ଏହା କରାଯାଉନାହିଁ । ପୁଣି ରାଜ୍ୟରେ ଥିବା ବିଭିନ୍ନ ବିଭାଗରେ ଓଡିଆ ଭାଷାରେ ସୂଚନା ପ୍ରଦାନ କରାଯିବା ଦରକାର । କିନ୍ତୁ ତାହା ହେଉନାହିଁ । ଫଳରେ ସାଧାରଣ ଲୋକଟିଏ ସୂଚନା ପାଇବାରେ ହଇରାଣ ହରକତ ହେଉଛନ୍ତି । ପୁଣି ଯେଉଁମାନେ ଇଣ୍ଟରନେଟ୍ ବ୍ୟବହାର ଜାଣିନାହାନ୍ତି, ସେମାନଙ୍କ ପାଇଁ ମଧ୍ୟ ଅନଲାଇନ୍ ବିଭିନ୍ନ ତଥ୍ୟ ଓ ସୂଚନା ସଂଗ୍ରହ କରିବା କଷ୍ଟସାଧ୍ୟ । ଏ ସମ୍ପର୍କରେ ଏକ ସେସନ୍ ନେଇଥିଲେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ । ସେ କହିଥିଲେ –

ଆରଟିଆଇ ହିଁ ସାଧାରଣ ଲୋକଟିର ଅସ୍ତ୍ର । ଏହାକୁ ବ୍ୟବହାର କରି ଅନେକ ଲୋକ ସେମାନଙ୍କର ଅଧିକାର ହାସଲ କରିଛନ୍ତି । ପୁଣି ଇଣ୍ଟରନେଟ୍ ଓ ଅନଲାଇନ୍ ରେ ସୂଚନା ଅଧିକାର ସେବା ମିଳିପାରିଲେ ଅଧିକରୁ ଅଧିର ଲୋକ ଉପକୃତ ହୋଇପାରିବେ ।

ନୂଆଦିଲ୍ଲୀସ୍ଥିତ ଡିଜିଟାଲ୍ ଏମ୍ପାୱାରମେଣ୍ଟ ଫାଉଣ୍ଡେସନ୍ ତରଫରୁ ଆସିଥିବା ଟ୍ରେନର ରଜତ କୁମାର କହନ୍ତି,

ସବୁ ସ୍ୱେଚ୍ଛାସେବୀ ସଂଗଠନଗୁଡିକୁ ଅନଲାଇନ୍ ହେବାକୁ ପଡିବ । ନହେଲେ ସେମାନଙ୍କ ସ୍ୱର ଅଧିକ ଲୋକଙ୍କ ପାଖରେ ପଂହଚିପାରିବ ନାହିଁ । ଏହା ସହିତ କିଭଳି ସେମାନେ ଇଣ୍ଟରନେଟ୍ ରେ ନିଜ ଡାଟାକୁ ସୁରକ୍ଷିତ ରଖିପାରିବେ ସେ ନେଇ ମଧ୍ୟ କିଛି ବିଷୟ କର୍ମଶାଳାରେ ଆଲୋଚନା ହୋଇଛି । ଏହା ସେମାନଙ୍କୁ ନିଶ୍ଚିତ ସାହାଯ୍ୟ କରିବ ବୋଲି ଆଶା ।

ଏହି କର୍ମଶାଳାରେ କମ୍ୟୁନିଟି ରେଡିଓ ମାଧ୍ୟମରେ କିଭଳି ଅନେକ ଜନସମସ୍ୟାକୁ ସମାଧାନ କରିହେବ, ସେ ବିଷୟରେ ଆଲୋଚନା ହୋଇଥିଲା । ରେଡିଓ ନମସ୍କାରର ନିର୍ଦ୍ଦେଶକ ଏନ.ଏ.ଶାହା. ଅନସାରୀ ଯୋଗଦେଇ ଉଦାହରଣ ମାଧ୍ୟମରେ ପୁରୀ ଜିଲ୍ଲା ଗୋପ ବ୍ଲକରେ କିଭଳି ସାଧାରଣ ଲୋକେ ଏହି ରେଡିଓ ମାଧ୍ୟମରେ କିଭଳି ସରକାରୀ ସୁବିଧା ସୁଯୋଗ ପାଇଥିଲେ ତାହା ଦର୍ଶାଇଥିଲେ ।

image


କର୍ମଶାଳାକୁ ଆୟୋଜନ କରିଥିବା ସଂସ୍ଥା ସିଭିଲ୍ ସୋସାଇଟି ଫୋରମ୍ ଅନ୍ ହ୍ୟୁମାନ ରାଇଟ୍ସ(ସିଏସଏଫଏଚଆର୍)ର ଆବାହକ ଧୀରେନ୍ଦ୍ର ପଣ୍ଡା ଏହି ବିଷୟରେ କହନ୍ତି,

ସମାଜିକ କର୍ମୀମାନେ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ କାମ କରୁଛନ୍ତି । କିନ୍ତୁ ଆଇସିଟି ବ୍ୟବହାର କରି ଏହାକୁ କିଭଳି ଆଗକୁ ନିଆଯାଇପାରିବ, ତାହା ଉପରେ ହିଁ ତିନି ଦିନି ଯାକ ଆଲୋଚନା ଓ ଶିକ୍ଷା କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ବିଭିନ୍ନ ଟେକ୍ନୋଲୋଜିର ପ୍ରାଥମିକ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଥିଲା । ଆଗାମୀ ଦିନରେ ମଧ୍ୟ ଏଭଳି ତାଲିମ କର୍ମଶାଳା ଆୟୋଜନ କରାଯିବାର ଯୋଜନା ରହିଛି ।

ବାସ୍ତବରେ ଗ୍ରାମାଂଚଳରେ କାମ କରୁଥିବା ସଂସ୍ଥାଙ୍କ ପାଇଁ ଏଭଳି ତାଲିମ ନିଶ୍ଚିତ ଭାବେ ସେମାନଙ୍କ କାମରେ ବେଶ୍ ସହାୟକ ହେବ ।