କନ୍ଧମାଳ : ଡେରିରେ ହେଲେ ବି ଚିତ୍ର ବଦଳୁଛି, ମାତୃ ଓ ଶିଶୁ ମୃତ୍ୟୁହାର କମୁଛି

କନ୍ଧମାଳ : ଡେରିରେ ହେଲେ ବି ଚିତ୍ର ବଦଳୁଛି, ମାତୃ ଓ ଶିଶୁ ମୃତ୍ୟୁହାର କମୁଛି

Thursday January 28, 2016,

3 min Read

image


ସେଦିନ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଚକାପାଦ ବ୍ଲକର ରାଜିକାଖୋଲ ଗାଁର ୩୨ ବର୍ଷୀୟ ବିନିତା କହଁର ଭାରି ଖୁସି ଥା’ନ୍ତି । କାରଣ ସେ ପ୍ରଥମ ଥର ପାଇଁ ମା’ ହେବାକୁ ଯାଉଥା’ନ୍ତି । ୯ ମାସ ପରେ ଯେତେବେଳେ ତାଙ୍କର ପ୍ରସବ ସମୟ ଆସି ପହଂଚିଲା, ତାଙ୍କ ଶାଶୁ ଘରେ ହିଁ ପ୍ରସବ କରାଯିବ ବୋଲି ନିଷ୍ପତ୍ତି ନେଲେ । ଦୁର୍ଭାଗ୍ୟବଶତଃ ସେ ପିଲାଟି ଜନ୍ମ ହେବାର କିଛି ସମୟ ପରେ ହିଁ ଚାଲିଗଲା । ସେ ଖୁବ୍ ଦୁର୍ବଳ ଥିଲା ଏବଂ ତାକୁ ଯଥାଶୀଘ୍ର ଡାକ୍ତରୀ ଚିକିତ୍ସାର ଆବଶ୍ୟକତା ରହିଥିଲା । ଏହି ଦୁର୍ଘଟଣା ପାଇଁ ବିନିତା ଭାଙ୍ଗି ପଡିଲା ।

image


ଯେତେବେଳେ ପୁଣି ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବାର ସମୟ ଆସିଲା, ସେ ଭାରି ମନସ୍ଥାପ ମଧ୍ୟରେ ଗତି କରୁଥିଲା । ଏଥର ବି ସେମିତି ହେବନି ତ। ଶାଶୁ ମା’ ତ ଘରେ ପ୍ରସବ ପାଇଁ ପୁଣି କହିବେ । ପିଲାଟି ପୁଣି ଦୁର୍ବଳ ହୋଇ ଜନ୍ମ ନେବନି ତ ! ଏମିତି ଭାବି ଭାବି ସେ ନିଜେ ଦୁର୍ବଳ ହୋଇଗଲା । ପ୍ରସବ ପରେ ଜନ୍ମ ହୋଇଥିବା ପିଲାଟି ଏଥର ବି ଦୁର୍ବଳ ହୋଇଥିଲା । ଅପପୃଷ୍ଟିରେ ପୀଡିତ ଥିଲା । କେତେ ସମୟ ବଞ୍ଚି ରହିବ, ତାହା ଦ୍ୱନ୍ଦ୍ୱରେ ଥିଲା । ଏମିତି ବେଳେ ଗାଁର ଜଣେ ଆଶା କର୍ମୀ ମାର୍ଥା ଦିଗଲ୍(୨୪) ତାଙ୍କ ଘରେ ପହଂଚିଲେ । ସେ ବିନିତାଙ୍କ ଶାଶୁଙ୍କୁ ବୁଝାଇଲେ ଏବଂ ଶେଷରେ ମା’ ଓ ପିଲାକୁ ଡାକ୍ତରଖାନା ନେଇଯିବା ପାଇଁ ପରାମର୍ଶ ଦେଲେ । ଶେଷରେ ତାହା ହିଁ ହେଲେ । ପିଲାଟିକୁ ଡାକ୍ତରଖାନା ଠିକ୍ ସମୟରେ ନିଆଯିବାରୁ ସେ ସୁସ୍ଥ ହୋଇଗଲା । ଏବେ ବିନିତା ତିନିଟି ସନ୍ତାନର ଜନନୀ । ତାଙ୍କର ଶେଷ ସନ୍ତାନଟିର ଜନ୍ମ ଡାକ୍ତରଖାନାରେ ହିଁ ହୋଇଥିଲା ।

image


ବିନିତା କୁହନ୍ତି:

ଆମ ଗାଁରେ ଚିକିତ୍ସାଳୟରେ ପ୍ରସବ କରାଇବାକୁ ସମସ୍ତେ ନାପସନ୍ଦ କରନ୍ତି । ଅନେକ ପ୍ରଥା ପରମ୍ପରା ପାଇଁ ଗାଁ ଲୋକମାନେ ଏହା ସପକ୍ଷରେ ନୁହନ୍ତି । ଉଦାହରଣ ସ୍ୱରୂପ, ଶିଶୁଟିକୁ ଜନ୍ମ ଦେବା ପରେ କିଛି ଦିନ ଯାଏଁ ମା’ ଓ ଶିଶୁକୁ ଅଲଗା କରି ରଖାଯାଏ । ତେବେ ଧୀରେ ଧୀରେ ଗାଁର ସ୍ଥିତି ସୁଧୁରିଲାଣି । ମୋର ତୃତୀୟ ସନ୍ତାନ ସମୟରେ ମାର୍ଥା ସହଯୋଗରେ ମୁଁ ପୃଷ୍ଟିକର ଖାଦ୍ୟ ଖାଇଥିଲି । ଆବଶ୍ୟକ ସ୍ଥଳେ ଭିଟାମିନ୍ସ ଟନିକ୍ ମଧ୍ୟ ସେବନ କରିଛି । ତାଙ୍କ ପରାମର୍ଶ କ୍ରମେ ମୋ ପରିବାର ଜନନୀ ସୁରକ୍ଷା ଯୋଜନାର ସହାୟତା ନେଇଥିଲା । ଯେତେବେଳେ ମୁଁ ଶିଶୁଟିକୁ ଜନ୍ମ ଦେବାକୁ ଯାଉଥିଲି, ପରିବାର ଲୋକେ ମୋତେ ଡାକ୍ତରଖାନା ନେଇଗଲେ । ପ୍ରସବ ପୂର୍ଣ୍ଣ ସୁରକ୍ଷିତ ରହିଥିଲା ।

ବିନିତା ପାଇଁ ମାର୍ଥା ଜଣେ ରକ୍ଷାକର୍ତ୍ତା ସାଜିଥିଲେ । ମାର୍ଥାଙ୍କ ପାଇଁ ପରାମର୍ଶଦାତା ସାଜିଥିଲା ସେଣ୍ଟର ଫର୍ ୟୁଥ୍ ଓ ସୋସିଆଲ୍ ଡେଭେଲପ୍ମେଣ୍ଟ(CYSD), ଯାହା ଭୁବନେଶ୍ୱରର ଏକ ବେସରକାରୀ ସଂସ୍ଥା । ଏହି ସଂସ୍ଥା ଅକ୍ସଫାମ୍ ଇଣ୍ଡିଆ ସହ ମିଶି ମାତୃ ମୃତ୍ୟୁ ହାର ହ୍ରାସ କରିବାକୁ ଭାରତର ୬ଟି ରାଜ୍ୟରେ ୨୦୧୨ ଅକ୍ଟୋବର ମାସରୁ କାର୍ଯ୍ୟ କରୁଛି । କନ୍ଧମାଳ ଓ ସୁନ୍ଦରଗଡ ଜିଲ୍ଲାର ପାଖାପାଖି ୭୦ଟି ଗାଁରେ ଏହି ଦୁଇ ସଂସ୍ଥା କାର୍ଯ୍ୟ କରୁଛନ୍ତି । କନ୍ଧମାଳ ଏକ ଆଦିବାସୀ ଅଧ୍ୟୁଷିତ ଆଂଚଳ । ଲୋକମାନଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବା ସହ ଏଠାରେ ଅନ୍ଧବିଶ୍ୱାସ, ଅଶିକ୍ଷା ବସା ବାନ୍ଧି ରହିଛି । ସ୍ୱାସ୍ଥ୍ୟ ସେବା ମଧ୍ୟ ସଠିକ୍ ଭାବେ ପ୍ରଦାନ କରାଯାଇ ପାରୁନାହିଁ । ବାର୍ଷିକ ସ୍ୱାସ୍ଥ୍ୟ ସର୍ଭେର ୨୦୧୧-୧୨ ରିପୋର୍ଟ ଅନୁଯାୟୀ ଏହି ଜିଲ୍ଲାରେ ମାତୃ ମୃତ୍ୟୁ ହାର ୨୯୭ ରହିଛି(ଓଡିଶାରେ ୨୩୭) । ସେହିପରି ଶିଶୁ ମୃତ୍ୟୁ ହାର ରହିଛି ୮୬(ଓଡିଶାରେ ୫୯), ଯାହାକି ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରେ ସର୍ବାଧିକ ।

ଅକ୍ସଫାମ୍ ଇଣ୍ଡିଆର ଆଂଚଳିକ ନିର୍ଦ୍ଦେଶକଙ୍କ ମତରେ:

ତୃଣମୂଳ ସ୍ତରରେ ମାତୃ ମୃତ୍ୟୁ ହାର ରୋକିବାକୁ ଆମେ ପ୍ରୟାସରତ । ଏଥିପାଇଁ ଆମେ ଗାଁ କଲ୍ୟାଣ ସମିତି, ଗାଁ ସ୍ୱାସ୍ଥ୍ୟ ଓ ପରିମଳ କମିଟି, ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀଙ୍କ ସହାୟତାରେ ସରକାରୀ କାର୍ଯ୍ୟକ୍ରମଗୁଡିକର କିଭଳି ସୂଚାରୁ ରୂପେ କାର୍ଯ୍ୟକାରୀ ହୋଇ ପାରିବ ସେଥି ପ୍ରତି ଧ୍ୟାନ ଦେଉଛୁ । ଗାଁର ସ୍ୱାସ୍ଥ୍ୟ ପରିବେଶର ଚିତ୍ର ପରିବର୍ତ୍ତନ କରିବାରେ ଏହା ଆମକୁ ସହାୟକ ହୋଇଛି ।

କନ୍ଧମାଳ ଓ ସୁନ୍ଦରଗଡ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ଲୋକମାନଙ୍କର ମାନସିକତା ପରିବର୍ତ୍ତନ କରିବା ସବୁଠୁ କଷ୍ଟକର ବ୍ୟାପାର । ପୁରୁଣା ରୀତିନୀତି, ପ୍ରଥା ପରମ୍ପରା ଓ ଅନ୍ଧବିଶ୍ୱାସ ସେମାନଙ୍କୁ କବଳିତ କରି ରଖିଛି । ସରକାରୀ ସ୍ତରରେ ଅନେକ ପ୍ରଚେଷ୍ଟା କରାଯାଉଥିବା ସ୍ଥଳେ କିଛି ବେସରକାରୀ ସଂଗଠନ ମଧ୍ୟ ଏଦିଗରେ କାର୍ଯ୍ୟରତ ରହିଛନ୍ତି । ଅଙ୍ଗନବାଡି ଓ ମାର୍ଥା ଭଳି ଆଶା କର୍ମୀମାନେ ମଧ୍ୟ କାର୍ଯ୍ୟକୁ ଠିକ୍ ଭାବେ କରୁଛନ୍ତି । ଚିତ୍ର ବଦଳୁଛି ।

image


ଗତ ଦୁଇ ବର୍ଷ ମଧ୍ୟରେ କନ୍ଧମାଳର ୩୪ଟି ଗାଁରେ କୌଣସି ମାତୃ ମୃତ୍ୟୁ ଦେଖିବାକୁ ମିଳି ନାହିଁ । ୨୦୧୪ ଫେବୃଆରୀରୁ ଅଗଷ୍ଟ ମଧ୍ୟରେ ହୋଇଥିବା ୨୯୪ଟି ପ୍ରସବ ମଧ୍ୟରୁ ୨୫୯ଟି ଡାକ୍ତରଖାନାରେ ହୋଇଛି । ଏମାନଙ୍କ ମଧ୍ୟରୁ ୨୧୦ ଜଣ ମମତା ଯୋଜନା ଓ ୨୪୬ ଜଣ ଜନନୀ ସୁରକ୍ଷା ଯୋଜନା ଉପଲବ୍ଧ କରିଛନ୍ତି ।

ପଢନ୍ତୁ ଆଉ କିଛି ସମ୍ବନ୍ଧିତ କାହାଣୀ - 

ଗ୍ରାମାଞ୍ଚଳ ଲୋକଙ୍କୁ ସମ୍ମାନଜନକ ଜୀବନ ବଞ୍ଚିବାରେ ସହଯୋଗ କରୁଛି ‘ଗ୍ରାମ ବିକାଶ’

ବସ୍ତିପିଲାଙ୍କୁ ବହିଖାତା ଧରାଇବାର ଏକ ଅଭିନବ ପ୍ରୟୋଗଶାଳା: ମ୍ୟୁଜିୟମ ସ୍କୁଲ

ବାଲ୍ୟବିବାହକୁ ବିରୋଧ କଲେ ଓଡ଼ିଆ ବାଳିକା