ମୋଦିଙ୍କ ଲୋକପ୍ରିୟତା ଚିରନ୍ତନ ନୁହେଁ : ଆଶୁତୋଷ

ମୋଦିଙ୍କ ଲୋକପ୍ରିୟତା ଚିରନ୍ତନ ନୁହେଁ : ଆଶୁତୋଷ

Tuesday March 21, 2017,

5 min Read

ମୁଁ ଏହି ସ୍ତମ୍ଭଟି ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବାର ଠିକ ପରେ ଲେଖିବି ବୋଲି ଭାବିଥିଲି କିନ୍ତୁ ତାହା କଲିନାହିଁ, ଭାବିଲି କୋଳାହଳ ଟିକିଏ ଥମିଯାଉ ଏବଂ ଛବିଟି ପରିଷ୍କାର ହେଉ।ଗଲା ଏକ ସପ୍ତାହ ଭିତରେ ଏ ଉପରେ ଅନେକ ଆଲୋଚନା, କଲ୍ପନା ଜଳ୍ପନା, ଏବଂ ତର୍ଜ୍ଜମା ହୋଇସାରିଲାଣି। ଏ ସମ୍ପର୍କରେ ତିନୋଟି ମୁଖ୍ୟ ବିନ୍ଦୁ ଉପରେ ନିଷ୍ପକ୍ଷ ଓ ଗଭୀର ବିଚାର ଆବଶ୍ୟକ।

image


୧. ମୋଦିଙ୍କର ଜୟଯାତ୍ରା ଅବ୍ଯାହତ ରହିବ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ତାଙ୍କୁ ରୋକିବା ଅସମ୍ଭବ।

୨. କଂଗ୍ରେସ ଏକ ଦଳ ଭାବେ ତିଷ୍ଠି ରହିବ କି ନାହିଁ ଏବଂ ରାହୁଲ ଗାନ୍ଧି କ’ଣ କଂଗ୍ରେସ ଦଳର ବାହାଦୁର ଶାହ ଜାଫର ହେବେ?

୩.’ଆପ’ ପାର୍ଟି ଯାହାକି ପାରମ୍ପାରିକ ରାଜନୀତିରେ ଏକ ବିକଳ୍ପ ଭାବେ ଉଭା ହୋଇ ଉଠିଥିଲା ତାହା ମଧ୍ୟ ଦୁର୍ବଳ ହେବାରେ ଲାଗିଛି।

ଏହା ଅନସ୍ଵୀକାର୍ଯ୍ୟ ଯେ ସାଂପ୍ରତିକ କାଳରେ ୟୁପି ରେ BJPର ବିଜୟ ଆଖିଦୃଶିଆ ଓ ଅଭୂତପୂର୍ବ। ନିର୍ବାଚନ ପୂର୍ବରୁ ପ୍ରତ୍ଯେକ ରାଜନୈତିକ ବିଶାରଦ ମାନଙ୍କର ମତ ଥିଲା ଯେ, ଯେହେତୁ ଏହା ଏକ ତ୍ରିକୋଣିୟ ପ୍ରତିଦ୍ୱନ୍ଦିତା ଥିଲା ଯେ କୌଣସି ଗୋଟିଏ ଦଳ ଅନ୍ୟ ଦୁଇଟି ଦଳକୁ ମାତ ଦେଇପାରେ। ଅଳ୍ପ କିଛି ଜଣ କହିଥିଲେ ଯେ ବିଜେପି ଜିତିବ କିନ୍ତୁ ଏପରି ବିପୁଳ ବିଜୟ ହେବ ବୋଲି କେହି ବି ପୂର୍ବାନୁମାନ କରିବା ଅବସ୍ଥାରେ ନ ଥିଲେ। କେହି ବି ଭାବିନଥିଲେ ଯେ ବିଏସପି ମାତ୍ର ୧୮ଟି ସ୍ଥାନ ପାଇ ଶୋଚନୀୟ ଭାବେ ତାଲିକାର ତୃତୀୟ ସ୍ଥାନରେ ରହିବ। 

ମୋଦିଙ୍କ ନେତୃତ୍ବରେ ବିଜେପି ଶତକଡ଼ା ଅଶୀ ଭାଗ ସ୍ଥାନରେ ବିଜୟ ଲାଭ କଲା ଯାହା ପ୍ରମାଣ କଲା ଯେ ୨୦୧୪ରେ ବିଜେପି ତା’ର ସହଯୋଗୀ ଦଳ ସହିତ ୭୩ଟି ସ୍ଥାନ ଜିତିବା ଆକସ୍ମିକ ନ ଥିଲା। ଉତ୍ତରାଖଣ୍ଡରେ ମଧ୍ୟ ବିଜେପି ଉଲ୍ଲେଖଯୋଗ୍ୟ ସଫଳତା ହାସଲ କରି ପ୍ରତ୍ୟାବର୍ତ୍ତନ କରିପାରିଛି। କିନ୍ତୁ ଉତ୍ତରପ୍ରଦେଶ ହିଁ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି ଏବଂ ମୋଦି ଓ ତାଙ୍କର କାର୍ଯ୍ୟଶୈଳୀ ଉପରେ ସମସ୍ତ ଆଶଙ୍କା ଓ ସନ୍ଦେହକୁ ଧୂଳିସାତ କରିଛି। ଏବେ କୁହାଯାଉଛି ଯେ ମୋଦି ପୁଣି ୨୦୧୯ରେ ଆହୁରି ବେଶୀ ବ୍ଯବଧାନରେ କ୍ଷମତାକୁ ଆସିବେ। ମୁଁ ଯଦି କହେ ଯେ ଏତେ ଶୀଘ୍ର କିଛି କହି ହେବ ନାହିଁ ତାହାହେଲେ ମୁଁ ଅଜବ ସ୍ଵଭାବର ବୋଲି ଲୋକମାନେ କହିପାରନ୍ତି। ଲୋକସଭା ନିର୍ବାଚନ ପାଇଁ ଦୁଇ ବର୍ଷରୁ ଅଳ୍ପ କିଛି ଅଧିକ ବାକି ଅଛି । ଯେମିତି ରାଜନୀତିରେ କୁହାଯାଏ ଏକ ସପ୍ତାହ ବି ଏକ ଲମ୍ବା ସମୟ, ଭବିଷ୍ୟତରେ କ’ଣ ହେବ କିଏ ବା କହିପାରିବ? ଇତିହାସ ସାକ୍ଷୀ ଅଛି, ୧୯୭୧ ରେ ପାକିସ୍ଥାନର ବିଭାଜନ ଓ ବାଂଲାଦେଶର ସୃଷ୍ଟି ପରେ ଇନ୍ଦିରାଙ୍କୁ ଦୁର୍ଗା ଦେବୀ ଭାବେ ବନ୍ଦନା କରାଗଲା। କୁହାଗଲା ଯେ ‘ଇନ୍ଦିରା ଇଜ ଇଣ୍ଡିଆ ଏଣ୍ଡ ଇଣ୍ଡିଆ ଇଜ ଇନ୍ଦିରା’। କିନ୍ତୁ ୧୯୭୨ର ଶେଷ ଆଡ଼କୁ ସେ ଲୋକପ୍ରିୟତା ହରାଇବା ଆରମ୍ଭ କଲେ; ୧୯୭୫ ବେଳକୁ ତାଙ୍କ ବିରୁଦ୍ଧରେସାଧାରଣ ଜନତାର ଏତେ ମାତ୍ରାରେ କ୍ରୋଧ ପ୍ରକଟିତ ହେଲା ଯେ ତାଙ୍କୁ ଜରୁରୀ ପରସ୍ଥିତି ଜାରୀ କରିବାକୁ ପଡ଼ିଲା।୧୯୭୭ରେ ସେ ନିଜର ନିର୍ବାଚନମଣ୍ଡଳୀରେ ବି ହାରିଲେ।କଂଗ୍ରେସ କ୍ଷମତାଚ୍ଯୁତ ହେଲା ଏବଂ ପ୍ରଥମ ଅଣକଂଗ୍ରେସ ସରକାର ଗଠିତହେଲା। ଅଭାବନୀୟ ଘଟଣା ଘଟିଲା।

ସେହିପରି ୧୯୮୪ରେ ରାଜୀବ ଗାନ୍ଧି ଲୋକସଭା ନିର୍ବାଚନରେ ୪୦୫ଟି ସ୍ଥାନରେ ଜିତିଲେ,ଯାହା ତାଙ୍କର ମା’ ତଥା ଅଜା ହାସଲ କରିପାରିନଥିଲେ କିନ୍ତୁ ୧୯୮୭ର ଶେଷ ଆଡ଼କୁ ବୋଫର୍ସ ମାମଲାରେ ବଦନାମ ହୋଇ ତାଙ୍କୁ ୧୯୮୯ରେ ଭି.ପି.ସିଂହଙ୍କ ପାଇଁ ପ୍ରଧାନମନ୍ତ୍ରୀ ପଦ ତ୍ୟାଗ କରିବାକୁ ପଡ଼ିଥିଲା। ୨୦୦୪ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଲୋକପ୍ରିୟତାର ଫିଲ-ଗୁଡ ଫ୍ୟାକ୍ଟର ରେ ବିଶ୍ଵାସକରି ସହଜ ବିଜୟ ଆଶାରେ ନିର୍ଦ୍ଧାରିତ ସମୟର ଛ ମାସ ପୂର୍ବରୁ ନିର୍ବାଚନ କରାଇଲା, କିନ୍ତୁ ଏହାକୁ ଚରମ ବିପର୍ଯ୍ଯୟର ସାମନା କରିବାକୁ ହେଲା । ବିଜେପି ଦ୍ଵିତୀୟ ଥର ପାଇଁ ୨୦୦୯ରେ ପୁଣି ହାରିଲା। ସେତେବେଳେ ଦଳ ମଧ୍ୟରେ ଅନ୍ତର୍ଦ୍ଵନ୍ଦ ଓ କ୍ଷମତା ପାଇଁ ଲଢେଇ ଏପରି ତୀବ୍ର ହୋଇଥିଲା ଯେ ମନେ ହେଉଥିଲା ୨୦୧୪ରେ ବିଜେପିର ବିଜୟ ସମ୍ଭାବନା ଶୂନ୍ୟ ଏବଂ ଏହା ୨୦୧୯ ପାଇଁ ପ୍ରସ୍ତୁତ ହେବା ଉଚିତ । କିନ୍ତୁ ସମସ୍ତେ ଜାଣନ୍ତି ସମସ୍ତ ଆକଳନ କିପରି ଓଲଟ ପାଲଟ ହୋଇଗଲା ଏବଂ କଂଗ୍ରେସ ପାର୍ଟିକୁ କିପରି ଧୂଳି ଚାଟିବାକୁ ହେଲା।ସୁତରାଂ ମୁଁ କହିବି ଯେ ଏବେ ତ ମୋଦିଙ୍କର ସମ୍ଭାବନା ଅତି ଉଜ୍ଜ୍ଵଳ ଦେଖାଯାଉଛି କିନ୍ତୁ ସେ ପର୍ଯ୍ୟନ୍ତ ରହିପାରିଲେ ତ? ଯଦି ତାହା ବଳବତ୍ତର ରହେ ଏବଂ ତାଙ୍କ ପ୍ରତି ଆଉ କିଛି ନୂଆ ଚ୍ୟାଲେଞ୍ଜ ନ ଆସେ ତା ହେଲେ ତ ଇତିହାସ ଭିନ୍ନ ରୂପରେ ଲେଖାଯିବ।

ଆଉ ଏକ ଦିଗରୁ ଦେଖିଲେ ଏହା ସ୍ପଷ୍ଟ ହେବ ଯେ ମୋଦିଙ୍କର ଏତେ ଲୋକପ୍ରିୟତା ସତ୍ତ୍ୱେ ଏହା କେବଳ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ଜିତି ପାରିଛି ଯେଉଁଠାରେ କି ବିଜେପି କ୍ଷମତାରେ ନ ଥିଲା; କିନ୍ତୁ ପଞ୍ଜାବରେ ଅକାଳୀ-ବିଜେପି ଗଠବନ୍ଧନ କଂଗ୍ରେସ ପାର୍ଟିକୁ ବିପୁଳ ବିଜୟରୁ ବଞ୍ଚିତ କରିପାରିନି। ପୁଣି ଗୋଆରେ ବିଜେପିକୁ ପରାଜୟ ବରଣ କରିବାକୁ ହୋଇଛି ଯେଉଁଠାରେ ଏହା କ୍ଷମତାରେ ଥିଲା । ଯଦିଓ ଏହା କଳେବଳେ ସରକାର ଗଠନ କରିବାକୁ ସମର୍ଥ ହୋଇଛି, ଗୋଆର ଜନସାଧାରଣ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ମଣିପୁରରେ କଂଗ୍ରେସ ଏକ ନମ୍ବର ପାର୍ଟି ହୋଇଛି।

ଏହା ସୂଚାଉଛି ଯେ ଯେଉଁଠାରେ ବିଜେପି କିମ୍ବା ଏହାର ସହଯୋଗୀ ଦଳ ଜନସାଧାରଣଙ୍କର ଆଶା ଆକାଂକ୍ଷା ପୂରଣ କରିବାରେ ଅସମର୍ଥ ହୋଇଛନ୍ତି ସେଠାରେ ପ୍ରତ୍ୟାଖ୍ୟାତ ହୋଇଛନ୍ତି । ନିଜର ଲୋକପ୍ରିୟତାକୁ ଯଦି ମୋଦି ଚିରନ୍ତନ ବୋଲି ଭାବି ନିଅନ୍ତି ତା’ହେଲେ ମସ୍ତବଡ ଭୁଲ କରି ବସିବେ। ତାଙ୍କୁ ଅର୍ଥନୀତି କ୍ଷେତ୍ରରେ କିଛି ଠୋସ କରି ଦେଖାଇବାକୁ ହେବ ଯଦି ସେ ଆଉ ଥରେ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥାନ୍ତି।

ପ୍ରକୃତ ସଙ୍କଟରେ ଫସିଯାଇଛି କଂଗ୍ରେସ ପାର୍ଟି। ରାହୁଲ ଗାନ୍ଧିଙ୍କ ନେତୃତ୍ଵ ପ୍ରତି ପ୍ରଶ୍ନବାଚୀ ଉଠିଛି। ହାୱା ତାଙ୍କ ସପକ୍ଷରେ ନାହିଁ। ପଞ୍ଜାବ,ଗୋଆ ଓ ମଣିପୁରରେ ଦଳର ଭଲ ପ୍ରଦର୍ଶନ ସତ୍ତ୍ୱେ ତାଙ୍କୁ ଶ୍ରେୟ ମିଳିଲାନି ବରଂ ଦଳରେ ଗୁଞ୍ଜରଣ ସୃଷ୍ଟି ହୋଇଛି ଯେ ତାଙ୍କୁ ପଦରୁ ହଟାଯାଉ କିମ୍ବା ସେ ତାଙ୍କର କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣନ୍ତୁ। ରାହୁଲଙ୍କର ସବୁଠାରୁ ବଡ଼ ସମସ୍ଯା ହେଲା ତାଙ୍କୁ ଏପରି ଏକ ନେତାଙ୍କ ସହିତ ପ୍ରତିଦ୍ୱନ୍ଦିତା କରିବାକୁ ହେଉଛି ଯେ କି ତାଙ୍କର ଲୋକପ୍ରିୟତାର ଶୀର୍ଷରେ; ଏବଂ ଯାହାର କ୍ଷମତା ହାସଲ କରିବା ପାଇଁ ଯେ କୌଣସି କୌଶଳ ଅବଲମ୍ବନ କରିବାରେ କୌଣସି ଦ୍ଵିଧା ନାହିଁ ତାହା ନୈତିକ ହେଉ ବା ଅନୈତିକହେଉ।ଅରୁଣାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ସରକାରକୁ ବରଖାସ୍ତ କରି କଂଗ୍ରେସ ପାର୍ଟିକୁ ଜାତୀୟ ସ୍ତରରେ ପ୍ରସଙ୍ଗହୀନ କରିବା ଉଦ୍ୟମ ତାହାର ଏକ ଜ୍ଵଳନ୍ତ ଉଦାହରଣ। ବର୍ତ୍ତମାନର ଉଦାହରଣ ହେଲା ମଣିପୁର ଓ ଗୋଆ ଯେଉଁଠାରେ ବିଜେପି କଂଗ୍ରେସ ପାର୍ଟିକୁ ସରକାର ଗଠନ କରିବାକୁ ଦେଲାନାହିଁ। ରାହୁଲଙ୍କର ଷ୍ଟାଇଲ ଅତ୍ୟଧିକ ଆତ୍ମରକ୍ଷାମୂଳକ। ତିଷ୍ଠି ରହିବାକୁ ହେଲେ ତାଙ୍କୁ ନିଜକୁ ବଦଳାଇବାକୁ ହେବ ଏବଂ କାହାଣୀରେ ପରିବର୍ତ୍ତନ ଆଣି ସ୍ଵପ୍ନର ସଉଦା କରିବାକୁ ହେବ, ଯାହାକି ଦେଶବାସୀଙ୍କୁ ଏକ ନିଶ୍ଚିତ ଭବିଷ୍ୟତର ପ୍ରତିଶୃତି ଦେଇପାରିବ। କିନ୍ତୁ ସେ ତ ଏକ ଲମ୍ବା ରାସ୍ତା !

ଏହା ସତ୍ୟ ଯେ ପଞ୍ଜାବ ନିର୍ବାଚନରେ ଆପ ପାର୍ଟିଠାରୁ ବେଶ କିଛି ଆଶା କରାଯାଉଥିଲା ଏବଂ ମିଡ଼ିଆରେ ମଧ୍ୟ ବହୁତ କଭରେଜ ହୋଇଥିଲା। କୁହାଯାଉଥିଲା କି ଏହା ତିନି ଚତୁର୍ଥାଂଶ ସ୍ଥାନ ଦାଖଲ କରିବ ଏବଂ ଗୋଆରେ ବି ଭଲ କରିବ। କିନ୍ତୁ ଏହା ପଞ୍ଜାବ ନିର୍ବାଚନରେ ମାତ୍ର ୨୨ଟି ସିଟ ଜିତି ପାରିଲା। ଗୋଆରେ ଆପ ତା’ର ଖାତା ବି ଖୋଲି ପାରିଲାନି। ପୁଣି ଆଗକୁ ଅଛି ଦିଲ୍ଲୀ ପୌର ନିର୍ବାଚନ। ସମାଲୋଚକମାନେ ଆଗରୁ ଏହାର ଶୋକବାର୍ତ୍ତା(obituary) ଲେଖି ସାରିଲେଣି। କିନ୍ତୁ ସେମାନେ ଭୁଲିଯାଉଛନ୍ତି ଯେ ଆପ ଏକ ତରୁଣ ଦଳ ଯାହାର ବୟସ ମାତ୍ର ୪ବର୍ଷ । ଏହି ଅଳ୍ପ ସମୟ ମଧ୍ୟରେ ଏହା ଦିଲ୍ଲୀରେ ଦୁଇଥର ସରକାର ଗଢ଼ିସାରିଲାଣି ଏବଂ ଆଉ ଏକ ରାଜ୍ଯରେ ମୁଖ୍ୟ ବିରୋଧୀ ଦଳର ଭୂମିକାରେ ଅବତୀର୍ଣ୍ଣ ହେଲାଣି, ଯାହାକି ଏକ ଛୋଟ ସଫଳତା ନୁହେଁ। ଆପର ଅସ୍ତିତ୍ଵ ହଜୁନାହିଁ । ସମାଲୋଚକ ମାନେ ପୁଣି ନିରାଶ ହେବେ। ଏ କଥାରେ ଦ୍ଵିମତ ନାହିଁ ଯେ ସରକାର ଉପରେ ଅଙ୍କୁଶ ଲଗାଇବା ପାଇଁ, ଏହାକୁ ଏକଛତ୍ରବାଦୀ ହେବାରୁ ରୋକିବା ପାଇଁ ଏକ ବଳିଷ୍ଠ ବିରୋଧୀ ଦଳର ଆବଶ୍ୟକତା ଅତ୍ୟନ୍ତ ଜରୁରୀ। ଗଣତନ୍ତ୍ର ତିଷ୍ଠି ରହିବାକୁ ହେଲେ ସକ୍ରିୟ ତର୍କ ଏବଂ ଆଲୋଚନା ସଙ୍କୁଚିତ ହେବା ସ୍ପୃହଣୀୟ ନୁହେଁ; ଭିନ୍ନ ମତକୁ ସମ୍ମାନ ଦେବାକୁ ହେବ, ସଂଖ୍ୟାଲଘୁଙ୍କ ଅଧିକାରର ସୁରକ୍ଷା କରିବାକୁ ହେବ, ସେମାନେ ଯେପରି ବହୁସଂଖ୍ୟକ ମାନଙ୍କ ମଧ୍ୟରେ ନିଜକୁ ନିରାପଦ ମଣିବେ। ବିବିଧତା ମଧ୍ୟରେ ଏକତା ଆଣିବାର ଏକ ମାତ୍ର ମନ୍ତ୍ର ହେଉଛି ସହନଶୀଳତା। ଦୀର୍ଘ ସମୟ ପରେ ଜନତା ଆଜି ବିଜେପି ଓ ଆରଏସଏସକୁ ପ୍ରଭାବଶାଳୀ ସ୍ଥାନ ଦେଇଛି; ଯାହାର ଆଦର୍ଶ ଅନେକ ଦଶକ ଧରି ସୁପ୍ତ ଥିଲା ତାହା ଆଜି ବଳଶାଳୀ ହୋଇଛି କିନ୍ତୁ ଗଣତନ୍ତ୍ରରେ ନିରନ୍ତର ସମୀକରଣ ବଦଳୁଥାଏ ଯେମିତି ହୋଇଥିଲା ବାଜପେୟୀଙ୍କ ପାଇଁ ଏବଂ ଆଉଥରେ ଆସିବାକୁ ବିଜେପିକୁ ଦଶବର୍ଷ ଲାଗିଲା। 

ଲେଖକ ଆଶୁତୋଷ ଜଣେ ସାମ୍ବାଦିକ ଏବଂ AAPର ନେତା

[ Disclaimer : ଲେଖକଙ୍କର ମତାମତ ଏକାନ୍ତ ଭାବେ ତାଙ୍କର ବ୍ୟକ୍ତିଗତ ]