ଓଡ଼ିଆ ଭାଷାର ବିକାଶରେ ଡିଜିଟାଲ ଟେକନୋଲୋଜି

ଆନିମେସନ କି କମ୍ପୁଟର ଗେମ ହେଉ ଅବା ଟେଲିଭିଜନର ମନୋରଞ୍ଜନ ହେଉ ଆଜିର ପିଢ଼ିକୁ ଦେଖି ଓଡ଼ିଆ ଭାଷାରେ ବିଭିନ୍ନ ଉପାଦାନ ତିଆରି ଘୋର ଆବଶ୍ୟକତା ରହିଛି । ନହେଲେ ଭାଷା କେବଳ ଭାଷା ସାହିତ୍ୟର ନିଗଡ଼ ଭିତରେ ଚିରକାଳ ବାନ୍ଧି ହୋଇ ରହିଥିବ ଯେ!

0

୨୫୦୦ରୁ ଅଧିକ ବର୍ଷ କାଳ ଲୋକମୁଖରେ, କଳା-ସାହିତ୍ୟ-ସଉଧ ଗଢ଼ା-ବିଜ୍ଞାନ ତଥା ନାନାଦି ବିଷୟ ଜଣାଇବା ଓ ଜାଣିବାରେ ଲାଗି ଓଡ଼ିଆ ଭାଷାଟି ଏବେ ବି ସମ୍ପୂର୍ଣ୍ଣ ଜୀବିତ । ଏତେ ଲମ୍ବା କାଳ ଧରି ଜୀଇଁଥିବା ଭାଷା ଜଗତରେ ହାତଗଣତି ଆଉ ଓଡ଼ିଆ ତା ଭିତରୁ ଗୋଟେ ହେବା ସବୁ ଓଡ଼ିଆଙ୍କ କୋଟିନିଧି । ତେବେ ଓଡ଼ିଆ ଭାଷାଟି ସିନା ପୁରୁଣା, ତା' ସାହିତ୍ୟ ସୁନ୍ନତ, ବୋଲି ସାବଲୀଳ, ସବୁରି ତୁଣ୍ଡରେ ପଇଟେ, ହେଲେ ଏହାର ଖାଦି କେମିତି? ଭାଷାଟିଏ ହଳିଆ ଓ ରଜା ଉଭୟ କହିଲେ ଯାଇ ସିନା ବଢ଼ିବ । ନୋହିଲେ ଗରିବର ଭାଷା ହୋଇ ଅଧାର ନ ପାଇ ଭାଷାଟି ମରିଯିବ ଯେ । ଧନୀମାନେ ସମାଜର ମାନ ନିର୍ଦ୍ଧାରଣ କରିବାଟା ଯେତେ ଦାରୁଣ ହେଲେ ସତ । ପୁଣି ରାଜନୀତି ଓ ଜଣାଶୁଣା ଚଳଣି (ପପୁଲାର ମିଡ଼ିଆ) ଲୋକଙ୍କୁ ଖୁବ ବେଶୀ ପ୍ରଭାବିତ କରେ । ଭାଷାଟିକୁ ଆଗାମୀ ପିଢ଼ି ପାଇଁ ଉପଯୋଗୀ କରିବା ଓ ସେମାନଙ୍କ ଦେଇ ଏହାକୁ ବିକାଶିବା ଲାଗି ଲୋଡ଼ା ଅନେକ ସାଜ-ସରଞ୍ଜାମ । ଏଥିରୁ କିଛି ଗଢ଼ା, ଆଉ କିଛି ଗଢ଼ାହେବା ଲୋଡ଼ା । ଯଦିଓ ସରକାରଙ୍କ ଭାଷା-ଯୋଜନାରେ ଭାଷା ପାଇଁ ସଜ (ଟୁଲ) ଗଢ଼ା ଏକ ମୁଖ୍ୟ ବିଷୟ ହେବା ଉଚିତ ଏଯାଏ ତାହା କାଣିଚାଏ ମଧ୍ୟ ହୋଇନାହିଁ । ସରକାରଙ୍କ ଭାଷା ବିକାଶ କେବଳ ସାହିତ୍ୟ ସଭା, ପ୍ରକାଶ ଓ ସାହିତ୍ୟିଙ୍କ ଭିତରେ ସୀମିତ ହୋଇଯାଇଛି । ଏ ମନଭାବ ବଦଳ ନ ହେଲା ଯାଏଁ ବ୍ୟକ୍ତିଗତ କିମ୍ବା ସଙ୍ଗଠନ ସ୍ତରରେ ଉଦ୍ୟମ ହେବା ଚାହି । ନୋହିଲେ ଏକ୍ଷଣି ବୟସ୍କଙ୍କ ଭିତରେ ସଙ୍କୁଚିତ ହୋଇପଡ଼ୁଥିବା ଓଡ଼ିଆ ଭାଷାଟି ବୁଢ଼ା ଭାଷା ଓ ବୁଢ଼ାଙ୍କ ଭାଷା ହୋଇ ପାତାଳକୁ ଚାଲିଯିବା ଅସମ୍ଭବ ନୁହେଁ । ଏ ଜଗତ ଦେଖିଛି ଅନେକ ଛାମୁଆଁ ପୁରୁଣା ଭାଷା କାଳର କରାଳ ଗତିରେ ନୂଆ ଭାଷାଙ୍କ ଆଗରେ ବାମନ ହୋଇପଡ଼ିବା । ହିବ୍ରୁ ଗ୍ରୀକ ଏମିତି ଦୁଇ ଭାଷା । କେଇ ଶତାବ୍ଦୀ ଭିତରେ ସେମାନଙ୍କ ପତିଆରା କାହିଁରୁ ନାହିଁ ହୋଇଗଲା । ଓଡ଼ିଆ ଭାଷା ପାଇଁ ଏ ସଙ୍କଟଟି ଆସିବା କିଛି ବିଚିତ୍ର ନୁହେଁ । ଆଜିଯାଏ ଓଡ଼ିଆ ଭାଷାକୁ ନେଇ ଯାହା ହୋଇଛି ସେଥିରୁ ସାହିତ୍ୟଟି ସୀମିତ ଓ କେବଳ ଲେଖକଗଣଙ୍କ ଭିତରେ ସୀମିତ । ଖୁବ କମ ସାଧାରଣ ଲୋକ ଆଜି ସାହିତ୍ୟ ପଢ଼ନ୍ତି । 

ଏକ କାଳେ ଆମ ସିନେମାର ଭାରୀ ଟାଣ ଥିଲା । ହେଲେ ଆଜି ତା' ହିନ୍ଦୀ ଓ ପଡ଼ିଶା ତେଲୁଗୁ ସିନେମା ପଦଦଳିତ । ସେମିତି ଆମର ମିଡ଼ିଆ । ଆମ ନିଜର ବୋଲି ଯେଉଁ ପାଲା, ଦାସକାଠିଆ ଓ କେତେ ପ୍ରକାରର ନାଚ ଓ ପରିବେଷଣ ଥିଲା ସେସବୁ ଏବେ ମିଉଜିଅମରେ ସାଇତା ହେବା ଅବସ୍ଥା ଆସିଛି । ଅନେକ ଓଡ଼ିଆ କେବଳ ଓଡ଼ିଆ କହିଜାଣନ୍ତି, ଲେଖିଜାଣନ୍ତି ନାହିଁ । ଯେଉଁମାନେ ଲେଖିଜାଣନ୍ତି ସେମାନ ଟାଇପ କରିଜାଣନ୍ତି ନାହିଁ । ଫଳରେ ସେମାନେ ଯେବେ ଇମେଲ କି ଫେସବୁକ ବା ଡିଜିଟାଲ ମିଡ଼ିଆ ସଙ୍ଗେ ଭାବ ଯୋଡ଼ନ୍ତି ତାଙ୍କୁ ଲାଗେ ସବୁ ଇଂରାଜୀରେ କରିବାକୁ ହେବ । ତେଣୁ ଇଂରାଜୀ ନ ଜାଣି ଗାଁ ଗହଳ ଲୋକେ ଇଂରାଜୀରେ ବାହାଘର ନିମନ୍ତ୍ରଣ ପତ୍ର ଛାପିଲା ଭଳି ଏମାନେ ମଧ୍ୟ ଇଂରାଜୀରେ ବା ଲାଟିନ ଅକ୍ଷରରେ ଓଡ଼ିଆ ଇଂରାଜୀ ମିଶେଇ ଲେଖନ୍ତି । ଏଥିରେ ଓଡ଼ିଆ ଭାଷାର ସାବଲୀଳ ପ୍ରାକୃତିକ ଗତିରେ ବାଧା ପଡ଼େ । ଓଡ଼ିଆ ଶିକ୍ଷାରେ ମଧ୍ୟ ଓଡ଼ିଆ ଭାଷାଟି କେବଳ ଏକ ବିଷୟ ଭାବେ ପଢ଼ାହୁଏ । ଆଉ ଏବେ ଇଂରାଜୀ ମିଡ଼ିଅମ ସ୍କୁଲ ସବୁଠି ଖୋଲିଲା ପରେ ଓଡ଼ିଆ ଧୀରେ ଧୀରେ ଅଛୁଆଁ ହୋଇଯାଉଛି । ସତରେ ଇଂରାଜୀ ମିଡ଼ିଅମରେ ପଢ଼ି ପିଲାଙ୍କର କିଛି ଉନ୍ନତି ହେଉ କି ନହେଉ, ହେଲେ ଓଡ଼ିଆ ମିଡ଼ିଅମ ସ୍କୁଲରେ ଅତି ତଳମାନର ପଢ଼ା ସକାଶେ ଅଭିଭାବକେ ଓଡ଼ିଆ ସ୍କୁଲରେ ପିଲାଙ୍କୁ ଛାଡ଼ିବାକୁ ମଙ୍ଗୁନାହାନ୍ତି । 

ଆଜିକାଲି ଘରେ ଘରେ ସ୍ମାର୍ଟଫୋନ । ପିଲାଏ ସାନବେଳୁ ଗେମ ଖେଳିବା ଆରମ୍ଭିଲେଣି, ହେଲେ ଗେମ ଖେଳିବା ଦେଇ ସେମାନେ ନାନାଦି ଇଂରାଜୀ ଆଦବ କାଇଦା ଶିଖିବା ବେଳେ ନିଜ ସଣ୍ଠଣାତକ ଜମାରୁ ଶିଖିପାରୁନାହାନ୍ତି । ଆମ ଭାଷାରେ ମୋବାଇଲ ଗେମ କାହିଁ? କାର୍ଟୁନ, ଆନିମେସନ ଆଦି ପିଲାଙ୍କ ମନ ଉପରେ ଖୁବ ଅଧିକ ପ୍ରଭାବ ପକାଏ । ଜଣାଶୁଣା ଇଂରାଜୀ ଚ୍ୟାନେଲସବୁ ସବୁ ବାକି ଭାଷାରେ ଅନୁଦିତ ହୋଇ ଉକ୍ତ ରାଇଜମାନଙ୍କରେ ମିଳିଲା ବେଳେ ଓଡ଼ିଶାରେ ସବୁ ଚ୍ୟାନେଲ ହିନ୍ଦୀରେ । ପିଲା କେମିତି ବା ଓଡ଼ିଆମୁହାଁ ହୁଅନ୍ତେ?

ଲୋକେ ସ୍କୁଲ ୨୫ ଭାଗ ଶିଖୁଥିଲେ ଟିଭି କି କମ୍ପୁଟର ଗେମରୁ ବାକି ୭୫ ଭାଗ ଅନେକ ବିଷୟ ଆହରଣ କରନ୍ତି । ଖୁବ କମ ଭାଗ ଲୋକ ସାହିତ୍ୟ ପଢ଼ନ୍ତି । ସମାଜର ସଚେତନ ଆଉ ଚିନ୍ତାଶୀଳ ଲୋକେ ନାନାଦି ବିଷୟରେ ରଚନ୍ତି ଆଉ ପାଠୁଆମାନେ ଗବେଷଣା କରି ଲୁଚିଯାଉଥିବା, ହଜିଯାଉଥିବା ବିଷୟରୁ ନୂଆ ନୂଆ ସଜ ସାଉଁଟନ୍ତି । ଓଡ଼ିଆ ପାଇଁ ଏସବୁ କେତେ ହୋଇଛି ତା' ଅନୁଶୀଳନ କଲେ ଆମ ଭାଷାର ସ୍ଥିତି ଜଣାଯିବ । ପୁଣି ଏ ଦେଶର ୨୦ ଭାଗ ଯୁବ ବର୍ଗର । ଆଗକୁ କିଛି ବଞ୍ଚାଇ ରଖିବାକୁ ହେଲେ ଆଗେ ସେମାଙ୍କ ମନ ଜିଣିବାକୁ ପଡ଼ିବ, ତାଙ୍କ ମନକୁ ଛୁଇଁଲା ଭଳି ସଜ ତିଆରିବାକୁ ପଡ଼ିବ । ଆଜି ଯାହା ଜଣାଶୁଣା ଟିକେ ତଳେଇ ଦେଖିଲେ ତା' ଯୁବସମାଜର ମନଲାଖି ହୋଇପାରିଛି ବୋଲି ଜିଁଇଛି ତାହା ଜଳ ଜଳ ଦିଶିବ ।

ଓଡ଼ିଆ ଭାଷା ଏବେଯାଏ କେବଳ ସ୍କୁଲ ଶିକ୍ଷାରେ ଏକ ବିଷୟ ଭାବେ ପଢ଼ାଯାଉଛି । ଇଂରାଜୀ ମିଡ଼ିଅମ ସ୍କୁଲ ହେଲେ ସେତକ ବି ଢିଲା । ଥାନା କି କଚେରିକି ଛାଡ଼ି ଆଉ ଶାସନ ଏଥିରେ ହେଉନାହିଁ । ଆମ ଭାଷାରେ କାର୍ଟୁନ ଚ୍ୟାନେଲସବୁ କିମ୍ବା ନ୍ୟାସନାଲ ଜିଓଗ୍ରାଫିକ ଭଳି ଅନେକ ସାଇଟ ଅନୁଦିତ ହେଉନାହିଁ । ପିଲେ ଯାହା ଦେଖି ଶିଖିଲେ ସେ ଇଂରାଜୀ ନହେଲେ ହିନ୍ଦୀ । ତେଣୁ ନିଜ ଅଞ୍ଚଳ, ଲୋକ, ଚଳଣି, ଭାଷାରେ ଭାବ ଦିଆନିଆ, ଶିଖିବା ଆଦି କୌଣସି ମତେ ହେଉନାହିଁ । ନବୀନ ପିଢ଼ି ଯେ ଓଡ଼ିଆ ବିମୁଖ ତା' ଲାଗି ଦାୟୀ ତାଙ୍କ ପରିବେଶ ଗଢ଼ିଥିନା ଗଢ଼ାଳିଗଣ । ଯଦି ପିଲାଙ୍କ ମନକୁ ଛୁଇଁବା ଭଳି ମିଡ଼ିଆ ତିଆରି ନ ହୁଏ, ଯଦି ଯୁବସମାଜ ନିଜ ଭାଷାରେ ତା' ମନମୁତାବକ ଚିଜ ନ ପାଏ ତାହେଲେ କେବଳ ଭାଷା ପାଇଁ ତୁଚ୍ଛା ଆବେଗ ଭୁଇଁରୁ ଉଧେଇବ ନାହିଁ । ଜଗତର ପାଞ୍ଚଟି ଛାମୁଆଁ ଭାଷା ଆଡ଼େ ଦେଖିଲେ ଜଣାଯାଏ ଯେ ସେ ଭାଷାରେ ପିଲାଙ୍କ ପାଇଁ ଆନିମେସନ, କାର୍ଟୁନ ଆଦି ହେଉ କି ବୁଢ଼ାଙ୍କ ପାଇଁ ଅବସର ବିନୋଦନ ହେଉ, ସବୁ ପିଢ଼ି ପାଇଁ ଥୁଆ ଅନେକ ଉପାଦାନ । ବହି ହେଉ, ରେଡ଼ିଓ, ଟିଭି, ଥିଏଟର ହେଉ କିମ୍ବା ମୋବାଇଲ-କମ୍ପୁଟର-ଇଣ୍ଟରନେଟ ଭଳି ଡିଜିଟାଲ ମିଡ଼ିଆରେ ସବୁରି ଲାଗି କେତେ କଣ ଭରି ରହିଛି । ଶାସନ ହେଉ କି ମନୋରଞ୍ଜନ ବିଭିନ୍ନ ଧରଣର ଉପାଦାନ ମୌଳିକତା ଥାଇ ନିଜ ଭାଷାରେ ରଖିବାର ଆବଶ୍ୟକତା ପ୍ରତିଟି ଉନ୍ନତ ସମାଜରେ କାଳେ କାଳେ ହେଜିଛି । ଏ ବିଷୟଟି ଖବରକାଗଜ, ଟିଭି ଓ ଅନ୍ୟ ମିଡ଼ିଆ ବା ସରକାର ହେଜି ଏ ଦିଗରେ କାମ ଆଗେଇଲେ ସିନା ସମାଜରେ ବୁଢ଼ା ଆଉ ପିଲାଙ୍କ ଭିତରେ ମିଳାମିଶା ରହିବ ।

ଶୁଭାଶିଷ ପାଣିଗ୍ରାହୀ ବେଙ୍ଗାଳୁରର ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟିରେ ଭାରତୀୟ ଭାଷାରେ ଉଇକିପିଡ଼ିଆ ଓ ଉଇକିମିଡ଼ିଆ ପ୍ରକଳ୍ପ ତଥା ସ୍ୱେଚ୍ଛାସେବୀ ସମୂହର ବିକାଶ ନିମନ୍ତେ ବିଗତ କିଛି ବର୍ଷ ଧରି କାମ କରୁଛନ୍ତି । ଆଗରୁ ଇଂରାଜୀ ସମେତ ବିଭିନ୍ନ ଦକ୍ଷିଣ ଏସୀୟ ଭାଷାରେ ଉଇକିପିଡ଼ିଆର ବିକାଶ ପାଇଁ ସେ ଉଇକିମିଡ଼ିଆ ଫାଉଣ୍ଡେସନରେ ସକ୍ରିୟ ଥିଲେ । ଉଇକିମାନିଆ ହଂକଂ, ଲଣ୍ଡନ ଓ ମେକ୍ସିକୋ ସିଟି, ଓପନ ନଲେଜ ଡେ ବର୍ଲିନ, ଗ୍ଲୋବାଲ ଭଏସେସ ସମିଟ ଫିଲିପାଇନ୍ସ ଆଦି ଦେଶବିଦେଶରେ ଭାଷାର କମ୍ପ୍ୟୁଟରୀକରଣ ଓ ଭାଷା ପାଇଁ ଟେକନୋଲୋଜି ବିକାଶ ସମ୍ବନ୍ଧରେ ସେ ବିଭିନ୍ନ ସମ୍ମିଳନୀରେ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି । ଦୀର୍ଘ ଦିନ ଧରି ଓଡ଼ିଆ ଉଇକିପିଡ଼ିଆ ସହିତ ମୋଜିଲା, ଓପନ ଗ୍ଲାମ, ଗ୍ଲୋବାଲ ଭଏସେସ, ଓପନସୋର୍ସ ଡଟ କମ ଆଦି ବିଶ୍ୱସ୍ତରୀୟ ପ୍ରକଳ୍ପ ସହ ସକ୍ରିୟ ଭାବେ ଜଡ଼ିତ । ଜଣେ ନିୟମିତ ସ୍ତମ୍ଭକାର ଭାବେ ସେ ବିଭିନ୍ନ ଓଡ଼ିଆ ଓ ଇଂରାଜୀ ଖବରକାଗଜ, ବ୍ଲଗ ଆଦିରେ ଓ ନିଜ ବ୍ଲଗ http://psubhashish.comରେ ନିଜର ନିବନ୍ଧ ଲେଖନ୍ତି । ଟୁଇଟରରେ ଶୁଭାଶିଷଙ୍କ ସହ @subhapa ରେ ଯୋଗାଯୋଗ କରିହେବ ।

Related Stories

Stories by Subhashish Panigrahi