ପ୍ରଥମ ପଲିଥିନ ମୁକ୍ତ ସହର ହେବା ରେସରେ ସମ୍ବଲପୁର

ପ୍ରଥମ ପଲିଥିନ ମୁକ୍ତ ସହର ହେବା ରେସରେ ସମ୍ବଲପୁର

Thursday November 12, 2015,

4 min Read

ସମ୍ବଲପୁର ରାଜ୍ୟର ପ୍ରଥମ ପଲିଥିନ୍ ମୁକ୍ତ ସହର ହୋଇ ପାରିବ । ଏହି ଅଭିଯାନରେ ସହରବାସୀ ଅନେକ ବାଟ ଆଗେଇ ଆସିଛନ୍ତି । ଯଦିଓ ପୂର୍ଣ୍ଣ ଭାବେ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରି ନାହାନ୍ତି, କିନ୍ତୁ ଆଉ କିଛି ମାତ୍ର ବାଟ ଯିବାକୁ ବାକି ଅଛି । ସମ୍ବଲପୁରକୁ ପଲିଥିନ ମୁକ୍ତ କରିବା ଦିଗରେ ଜିଲ୍ଲା ଓ ମହାନଗର ପ୍ରଶାସନର ଉଦ୍ୟମ ପ୍ରଶଂସନୀୟ। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସହରବାସୀ ଯେଉଁ ଅକୁଣ୍ଠ ସମର୍ଥନ ଯୋଗାଇ ଆସିଛନ୍ତି ତା'ର ଯେତେ ପ୍ରଶଂସା କଲେ କମ୍ ହେବ ।

image


୨୦୧୫ ନୂଆବର୍ଷ ସମୟରୁ ସମ୍ବଲପୁରକୁ ପଲିଥିନ୍ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ନେତୃତ୍ୱରେ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବିଶେଷ କରି ଦୋକାନ, ବଜାର, ପରିବା ହାଟ ଇତ୍ୟାଦିରେ ପଲିଥିନର ବ୍ୟବହାର ଉପରେ ସଂପୂର୍ଣ କଟକଣା ଲଗା ଯାଇଥିଲା । ନିଜ ସହରକୁ ପ୍ରଦୂଷଣ ଓ ଆବର୍ଜନା ମୁକ୍ତ କରିବାକୁ ଦୋକାନୀ ଓ ବ୍ୟବସାୟୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ପ୍ରଥମେ ପ୍ରଥମେ ଉଭୟ ଦୋକାନୀ ଓ ଗ୍ରାହକଙ୍କୁ ଏଥି ପାଇଁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା । ଗ୍ରାହକ ସଉଦା ମାଗିବା ମାତ୍ରେ ଦୋକାନୀ ପଲିଥିନ୍ ନାହିଁ ବୋଲି କହି ହାତ ଟେକି ଦେଉଥିଲେ । ଅନେକ ଗ୍ରାହକ ଉକ୍ତ ଦୋକାନୀଠାରୁ ସଉଦା ନକିଣି ଫେରି ବି ଯାଉଥିଲେ । ଉଭୟ ପକ୍ଷକୁ କ୍ଷତି ଓ ଅସୁବିଧା ଭୋଗିବାକୁ ପଡ଼ୁଥିଲା । କିନ୍ତୁ ଉକ୍ତ ସମସ୍ୟା ବେଶି ଦିନ ରହିଲା ନାହିଁ । ଲୋକେ ସବୁବେଳେ ସାଥୀରେ ବ୍ୟାଗ୍ ଧରି ଯିବା ଆସିବା ଅଭ୍ୟାସ ଆରମ୍ଭ କରିଦେଲେ । 

image


ବର୍ତ୍ତମାନ ଗୋଲବଜାର ସମେତ ସହରର ସମସ୍ତ ପ୍ରମୁଖ ହାଟରେ ସ୍ଥିତି ଏପରି ଯେ କୌଣସିଠାରେ ଗ୍ରାହକ ଜରି ମାଗୁଥିବା ଦେଖିବାକୁ ମିଳୁ ନାହିଁ । ବରଂ ସଉଦା ଓଜନ ପରେ ତାକୁ ତୋଳିବା ପାଇଁ ଗ୍ରାହକମାନେ ହସହସ ମୁହଁରେ ବ୍ୟାଗ୍ ବଢ଼ାଇ ଦେଉଛନ୍ତି । ସମ୍ବଲପୁରର ସାଧାରଣ ଲୋକେ ବି ନିଜ ସହରକୁ ପଲିଥିନ୍ ମୁକ୍ତ କରିବାକୁ ଚମତ୍କାର ପ୍ରତିବଦ୍ଧତା ଦେଖାଇଛନ୍ତି । ଆଧୁନିକ ଯୁଗରେ ପଲିଥିନ୍ ବା ଜରି ବ୍ୟାଗ୍ ଦୈନନ୍ଦିନ ଜୀବନର ଅତ୍ୟାବଶ୍ୟକ ଅଂଗ ପାଲଟି ଯାଇଥିଲାବେଳେ ସମ୍ବଲପୁରବାସୀ ଏହା ବିନା ବଞ୍ଚିବାର ବାଟ ଖୋଜୁଛନ୍ତି । ବିନା ପଲିଥିନରେ ଜୀଇଁବାର କଳା ଶିଖୁଛନ୍ତି । ପ୍ରଶାସନର ପଲିଥିନ୍ କଟକଣାକୁ ସକାରାତ୍ମକ ଢ଼ଙ୍ଗରେ ଗ୍ରହଣ କରି ସମ୍ବଲପୁରବାସୀ ସହଯୋଗର ହାତ ବଢ଼ାଇଛନ୍ତି । ଦୋକାନରୁ ସଉଦା କିଣିଲାବେଳେ ଦୋକାନୀକୁ ଆଉ ପଲିଥିନ୍ ପାଇଁ ବାଧ୍ୟ କରୁ ନାହାନ୍ତି । କାଗଜ ଠୁଙ୍ଗା ଓ କପଡ଼ା ବ୍ୟାଗ୍ ଏବେ ଲୋକଙ୍କ ଦୈନନ୍ଦିନ ଜୀବନର ସାଥୀ ପାଲଟିଛି । 

image


ବିବାହ, ବ୍ରତ, ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନ ବେଳେ ହେଉଥିବା ଭୋଜି ଗୁଡ଼ିକରେ ଆଉ ପଲିଥିନ୍ ବା ପ୍ଲାଷ୍ଟିକ୍ ନିର୍ମିତ ଥାଳି, ଗ୍ଲାସ୍, କପ୍ ଇତ୍ୟାଦିର ବ୍ୟବହାର କରାଯାଉ ନାହିଁ । ତା' ବଦଳରେ ଲୋକେ କାଗଜ, ସୋଲ ଓ ପତ୍ର ନିର୍ମିତ ଖଲି, ଦନା, ଗ୍ଲାସ୍, କପ୍ ଇତ୍ୟାଦି ବ୍ୟବହାର କରୁଛନ୍ତି ।

ଏହି ସବୁ କାରଣରୁ ଗତ କିଛି ମାସ ହେଲା ସମ୍ବଲପୁର ସହରରେ ପଲିଥିନର ବ୍ୟବହାର ଅନେକ ମାତ୍ରାରେ କମି ଯାଇଛି । ରାସ୍ତାଘାଟରେ କାଁ ଭାଁ ପଲିଥିନ୍ ଜମା ପଡ଼ିଥିବା ଦେଖିବାକୁ ମିଳୁଛି । ଏହାର ଅର୍ଥ ନୁହେଁ ଯେ ସମ୍ବଲପୁର ସମ୍ପୂର୍ଣ ପରିଚ୍ଛନ୍ନ, ପ୍ରଦୂଷଣମୁକ୍ତ ସହର ପାଲଟି ଯାଇଛି । ଅନ୍ୟ ପ୍ରାଚୀନ ସହର ଗୁଡ଼ିକ ଭଳି ସମ୍ବଲପୁର ସହର ମଧ୍ୟ ଅନେକ ସମସ୍ୟାରେ ଖୁନ୍ଦି ହୋଇ ରହିଛି । ଏଠି ବି ରାସ୍ତାଘାଟରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଦେଖିବାକୁ ମିଳେ । କିନ୍ତୁ ଏବେ ନଜର କଲେ ଗୋଟିଏ କଥା ସ୍ପଷ୍ଟ ବାରି ହୁଏ ଯେ ବର୍ତ୍ତମାନ ଅଳିଆ ଗଦାରେ ପଡ଼ିଥିବା ପଲିଥିନର ପରିମାଣ ଯଥେଷ୍ଟ କମ୍ । କାଁଭାଁ କେମିତି ଛିଣ୍ଡା ବ୍ୟବହୃତ ପଲିଥିନ୍ ପଡ଼ିଥିବା ଦେଖିବାକୁ ମିଳୁଛି ।

ତେବେ ସହରରେ ପଲିଥିନ୍ ବ୍ୟବହାରର ମାତ୍ରା କମିବା ସହ ପ୍ରଶାସନିକ ପଦକ୍ଷେପ ବି ଏ ଦିଗରେ ଶିଥିଳ ପଡ଼ି ଯାଇଛି । ଏହା ହୁଏତ ଧୀରେ ଧୀରେ ସହରକୁ ପୁଣି ପୁରୁଣା ଅବସ୍ଥାକୁ ଫେରା ନେଇପାରେ । କିଛି ଦୋକାନରେ ବିଭିନ୍ନ ସାମଗ୍ରୀ ଛପା ପଲି ପ୍ୟାକରେ ବିକ୍ରି ହେଉଛି । ଏପରିକି କିଛି ବଡ଼ ଷ୍ଟୋର୍ ଖୋଲା ରାସନ ସାମଗ୍ରୀ ଆଣି ତାକୁ ୧ କେଜି, ଅଧ କେଜି ବିଶିଷ୍ଟ ପଲିଥିନ୍ ପ୍ୟାକେଟରେ ଭର୍ତି କରି ସିଲ୍ କରି ବିକୁଛନ୍ତି । ଏହି ପଲିଥିନ୍ ଗୁଡ଼ିକ ମଧ୍ୟ ନିର୍ଧାରିତ ୪୦ ମାଇକ୍ରନ ଠାରୁ କମ୍ ମାନର । ଏହା ସତ୍ତ୍ୱେ ସେମାନଙ୍କୁ କେହି ବାରଣ କରୁ ନାହାନ୍ତି । କଞ୍ଚା ଆମିଷ ସାମଗ୍ରୀ ତଥା ବିଭିନ୍ନ ତରଳ, ଅର୍ଦ୍ଧତରଳ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ଗୁଡ଼ିକରେ ଏବେ ବି ପଲିଥିନ୍ ବ୍ୟବହାର କରାଯାଉଛି । ସେମାନଙ୍କ ପାଇଁ କିଛି ବିକଳ୍ପ ବ୍ୟବସ୍ଥା ବାହାର କରାଯାଇ ନାହିଁ । ବହୁ କମ୍ପାନି ବିଶେଷ କରି ସ୍ଥାନୀୟ ଶିଳ୍ପ ସଂସ୍ଥାମାନେ ନିଜ ସାମଗ୍ରୀ ଗୁଡ଼ିକ ନିମ୍ନ ମାନର ପଲିଥିନ୍ ପ୍ୟାକେଟରେ ଭର୍ତ୍ତି କରି ବିତରଣ କରୁଥିବା ଦୃଷ୍ଟାନ୍ତ ରହିଛି । ଏସବୁ ପ୍ରତି ମଧ୍ୟ ପ୍ରଶାସନ ନଜର ଦେବା ଆବଶ୍ୟକ । ନଚେତ୍ ଏହା କ୍ରମେ ଅନ୍ୟ ଦୋକାନ ଓ ବଜାର ଗୁଡ଼ିକୁ ସଂକ୍ରମିତ ହୋଇପାରେ । ସହର ପଲିଥିନ୍ ମୁକ୍ତ ହେବାକୁ ଯେତିକି ସମୟ ଲାଗିଥିଲା, ପଲିଥିନ୍ ଯୁକ୍ତ ହେବାକୁ ତାର ୧୦ ଭାଗରୁ ଭାଗେ ସମୟ ଲାଗିବ ନାହିଁ । ତେଣୁ ଜିଲ୍ଲା ପ୍ରଶାସନ ଏଦିଗରେ ଲଗାତାର ଜାଗୃତ ରହିବା ଦରକାର । ନିୟମିତ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ । ମାସେ କି ବର୍ଷେରେ ସମାଜର ପ୍ରବୃତ୍ତି ବଦଳେ ନାହିଁ । ଏଥି ପାଇଁ ଅତି କମରେ ୫ ବର୍ଷର ନିରନ୍ତର ଅଭ୍ୟାସ ଲୋଡ଼ା ।

ପଲିଥିନର ଅନୁପସ୍ଥିତିରେ ଠୁଙ୍ଗା, କାଗଜ ବ୍ୟାଗ୍, କପଡ଼ା ବ୍ୟାଗ୍, ତରଳ ସାମଗ୍ରୀ ନେବା ପାଇଁ ପରିବେଶ ଅନୁକୂଳ ପ୍ଲାଷ୍ଟିକ୍ ବା କାଗଜ ଡବା ଆଦି ତିଆରି କରୁଥିବା ସଂସ୍ଥାମାନେ ସେମାନଙ୍କ ଉତ୍ପାଦର ଦାମ ବଢ଼ାଇ ଚାଲିଛନ୍ତି । ତେଣୁ ସେସବୁ ସାମଗ୍ରୀର ଦର ନିର୍ଦ୍ଧାରିତ ହେବା ଦରକାର । ସହରରେ ହେଉଥିବା ଅଧିକାଂଶ ଭୋଜି ଗୁଡ଼ିକରେ ଏବେ କାଗଜ, ସୋଲ ଓ ପତ୍ର ନିର୍ମିତ ଖଲି, ଦନା, ଗ୍ଲାସ୍, କପ୍ ଇତ୍ୟାଦି ବ୍ୟବହୃତ ହେଉଛି । କିନ୍ତୁ ସେଗୁଡ଼ିକର ମୂଲ୍ୟ ଯଥେଷ୍ଟ ଅଧିକ ରହୁଥିବାରୁ ଗରିବ ଲୋକଙ୍କ କ୍ଷେତ୍ରରେ ତାହା ବ୍ୟବହାର କରିବା କଷ୍ଟକର ହେଉଛି । ତେଣୁ ତାହା କେମିତି ସୁଲଭ ମୂଲ୍ୟରେ ଉପଲବ୍ଧ ହୋଇପାରିବ ସେଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ।

ପୂର୍ବରୁ ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ସହରରେ ଅନେକବାର ପଲିଥିନ୍ କଟକଣା ନେଇ ଘୋଷଣା ଓ ସଂକଳ୍ପ ହୋଇଥିଲା । କିନ୍ତୁ କେବେ ବି ତାହା ଫଳପ୍ରଦ ହୋଇନଥିଲା । ଚଳିତ ବର୍ଷ ସମ୍ବଲପୁରରେ ହୋଇଥିବା ପଲିଥିନ୍ ମୁକ୍ତ ଅଭିଯାନ ବର୍ତ୍ତମାନ ପଯର୍ୟନ୍ତ ବେଶ ସଫଳ ହୋଇଛି । ତେବେ ସମ୍ବଲପୁର ସହର ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବେ ପଲିଥିନ୍ ମୁକ୍ତ ହୋଇପାରିନାହିଁ । ଏହା କରିବା ପାଇଁ ଆହୁରି ସମୟ, ଉଦ୍ୟମ ଓ ଆନ୍ତରିକତା ଲୋଡ଼ା । ଏହା ହେଲେ ସମ୍ବଲପୁର ରାଜ୍ୟର ଏପରିକି ଦେଶର ପ୍ରଥମ ପଲିଥିନ୍ ମୁକ୍ତ ସହର ହୋଇପାରିବ ।

Share on
close