ଗ୍ରାମୀଣ ତାମିଲୁନାଡ଼ୁରେ କେବଳ ଜଳ ଓ ପରିମଳ ଲକ୍ଷ୍ୟ ନେଇ ଗଠିତ ପ୍ରଥମ ମାଇକ୍ରୋଫାଇନାନ୍ସ

0

କବି W.H. Audenଙ୍କ ଭାଷାରେ, “ଲକ୍ଷାଧିକ ଲୋକ ପ୍ରେମ ବିନା ବଂଚିରହିଛନ୍ତି, କିନ୍ତୁ କୌଣସି ଲୋକ ଜଳ ବିନା ବଂଚିପାରିବନାହିଁ ।” ଜଣେ ଏହିକଥାରେ ଯୋଡ଼ି କହିବ, ଯଦି ବଂଚିବା ପାଇଁ ଜଳ, ତେବେ ସ୍ୱଚ୍ଛ ଜଳ ଦୀର୍ଘ ଜୀବନ ପାଇଁ କାରଣ ଏହା ସୁସ୍ଥତା ଓ ଅସୁସ୍ଥତା ମଧ୍ୟରେ ପ୍ରଭେଦର ଚିହ୍ନ । ଏହା ସ୍ୱାଭାବିକ ଭାବେ ସରଳ ହେଲେହେଁ ଯଦିଓ ଜନାକୀର୍ଣ୍ଣ ସ୍ଥାନ ଓ ଆଧୁନିକ ବାସସ୍ଥାନରେ ଜଳଯୋଗାଣ ବ୍ୟବସ୍ଥା ଦ୍ୱାରା ପ୍ରତିବନ୍ଧକ ସାଜିଥାଏ। ପର୍ଯ୍ୟାପ୍ତ ସୂଚନା ଓ ଆର୍ଥିକ ଅନଟନ ଯୋଗୁଁ ଏହା ଗ୍ରାମୀଣ ଇଲାକାରେ ଏକ ସମସ୍ୟା ଭାବେ ପ୍ରତିପାଦିତ ହୁଏ ।

ପଲ ସାଥିଆନାଥନ ଏହି ସମସ୍ୟା ସଂପର୍କରେ ବେଶ୍ ଅବଗତ। ଏଣୁ ସେ ବାସସ୍ଥାନରେ ଜଳ ଯୋଗାଣ ଓ ଶୌଚାଳୟ ନିର୍ମାଣ କରିବାକୁ ଆବଶ୍ୟକ ଭିତ୍ତିଭୂମି ପାଇଁ ଋଣ ଯୋଗାଇବା ନିମନ୍ତେି ‘ଗାର୍ଡିଅନ୍’ ନାମକ ଏକ ଅଣଲାଭଦାୟକ ସଂସ୍ଥା ଆରମ୍ଭ କରିଛନ୍ତି ।

୨୦ ବର୍ଷ ଧରି ସେ ସରକାରୀ ସଂସ୍ଥାରେ ଏବଂ ୫ ବର୍ଷ ବିଭିନ୍ନ ଏନଜିଓରେ କାମ କରିବାପରେ ସେ ମାଇକ୍ରୋଫାଇନାନ୍ସ କ୍ଷେତ୍ରରେ ଯଥେଷ୍ଟ ଜ୍ଞାନ ଅର୍ଜନ କରିଥିଲେ । ଭାରତରେ ପ୍ରଚଳିତ ମାଇକ୍ରୋଫାଇନାନ୍ସ ବ୍ୟବସ୍ଥାରେ ସେ ଅସନ୍ତୁଷ୍ଟ ହୋଇ ସେ ଗାର୍ଡିଅନ୍ ଆରମ୍ଭ କରିଥିଲେ । ସେ କହନ୍ତି, “ଭାରତୀୟ ପରିପ୍ରେକ୍ଷୀରେ, ସଂଖ୍ୟାଧିକ ମାଇକ୍ରୋ କ୍ରେଡିଟ୍ ଅନୁଷ୍ଠାନଗୁଡ଼ିକ ଦୋକାନ, ପରିବା ବିକ୍ରି, ହସ୍ତଶିଳ୍ପ, ଦୁଗ୍ଧପ୍ରଦାନକାରୀ ପଶୁର କ୍ରୟ, କୃଷି କାର୍ଯ୍ୟ, ବ୍ୟକ୍ତିଗତ ବ୍ୟବହାର ଆଦି ପାଇଁ ଋଣ ଯୋଗାଇଥାନ୍ତି । କିନ୍ତୁ ସେମାନଙ୍କ ସୁଧହାର ଏତେ ଅଧିକ ଯେ ଏହା ଗରିବ ଲୋକଙ୍କ ପାଇଁ ଉପଯୁକ୍ତ ହୋଇନଥାଏ ।”

ଫଳରେ ସେ କହନ୍ତି, “ ଯେଉଁ ଗରିବ ଲୋକମାନେ ଏହି ଅନୁଷ୍ଠାନ ସହ କାରବାର କରିଥାନ୍ତି ସେମାନେ ଆହୁରି ଗରିବ ହୋଇଯାନ୍ତି ।” ବାସ୍ତବରେ, ସମସ୍ତ ସମୂହ ଋଣଗ୍ରସ୍ତ ହୋଇ ନିଜର ବାସସ୍ଥାନ ଛାଡ଼ି ଚାଲିଯିବାକୁ ବାଧ୍ୟ ହୋଇଥାନ୍ତି । “ଆନ୍ଧ୍ରପ୍ରଦେଶରେ ମାଇକ୍ରୋଫାଇନାନ୍ସ କ୍ଷେତ୍ରରେ ଅନୁରୂପ ଜଟିଳତା ସୃଷ୍ଟି ହେବା ଯୋଗୁଁ, ଭାରତ ସରକାର ଋଣ କ୍ଷେତ୍ରରେ ସୁଧହାରକୁ ଏକ ନିର୍ଦ୍ଧିଷ୍ଟ ସୀମା ମଧ୍ୟରେ ରଖିବାକୁ ନିର୍ଦ୍ଧେଶ ଦେଇଥିଲେ ।”

ପଲ ବିଶ୍ୱାସ କରନ୍ତି ଯେ ଏହି ସମସ୍ୟା କେବଳ ମାଇକ୍ରୋଫାଇନାନ୍ସରେ ନାହିଁ, ଏହା ଯେଉଁଭଳି ଭାବେ ସୃଷ୍ଟି ହୁଏ ଏବଂ ବିନିଯୋଗ କରାଯାଏ ସେଥିରେ ସମସ୍ୟା ରହିଛି । “ଯେହେତୁ କୌଣସି ଭାରତୀୟ ଅନୁଷ୍ଠାନ ଗରିବଙ୍କ ପାଇଁ ପାନୀୟ ଜଳ ସଂଯୋଗ, ଘରୋଇ ଶୌଚାଳୟ ମାଇକ୍ରୋ ଋଣ ଦେବା ପାଇଁ ଆଗେଇ ଆସୁନାହାନ୍ତି । କାରଣ ଅନେକ ସଂସ୍ଥା ଋଣ କାରବାରରେ ଲାଭ ଚାହିଁଥାନ୍ତି ଏବଂ ଏହି କ୍ଷେତ୍ରରେ ଋଣ ପ୍ରଦାନ କରିବା ପରେ ଏହାର ଆଦାୟ କରିବା କଷ୍ଟକର ଅଟେ ।”

ନିକଟରେ, କେତେକ ଆର୍ଥିକ ସହାୟତାପ୍ରଦାନକାରୀ ଅନୁଷ୍ଠାନ(ଏମ୍ଏଫ୍ଆଇ)ଗୁଡ଼ିକ ସେମାନଙ୍କ ବ୍ୟବସାୟରେ ଜଳ ସଂଯୋଗ ଓ ପରିମଳକୁ ସାମିଲ କଲେଣି । କିନ୍ତୁ ଗାର୍ଡିଅନ୍ କେବଳ ଏକମାତ୍ର ଅନୁଷ୍ଠାନ ଯିଏ ଜଳ ଓ ପରିମଳ ପାଇଁ ହିଁ ଋଣ ପ୍ରଦାନ କରିଥାଏ । ପଲ କହନ୍ତି, ଏହା ସମଗ୍ର ବିଶ୍ୱରେ ପ୍ରଥମ ଅଟେ ।

ଗାର୍ଡିଅନର ଦୁଇଜଣ ବରିଷ୍ଠ ପରିଚାଳନା କମିଟିରେ ପଲ ସାଥିଆନାଥନ ଏବଂ ଏମ୍ ସେନ୍ଥିଲିକୁମାର ଅଛନ୍ତି । ଏବଂ ସେମାନଙ୍କୁ ସହାୟତା ଦେବା ପାଇଁ ଛଅ ଜଣିଆରେ ପରିଚାଳନା କମିଟି ରହିଛି । ସେମାନେ ତାମିଲନାଡ଼ୁର ଛଅଟି ଜିଲ୍ଲା(ତ୍ରିଚି, ପୁଡୁକୋଟି, ନାମକାଲ୍, ପେରୁମ୍ବୁଦୁର, କାରୁରୁ ଓ ସାଲେମ୍)ର ୨୨ଟି ବ୍ଲକରେ କାମ କରୁଛନ୍ତି । ପ୍ରତ୍ୟେକ ଶାଖାରେ ଜଣେ ପରିଚାଳକ, ଜଣେ କଂପ୍ୟୁଟର ଅପରେଟର ଓ ୫ଜଣ କ୍ରେଡିଟ୍ ଅଫିସର ଅଛନ୍ତି । ଗାର୍ଡିଅନର ଋଣ ମଧ୍ୟରେ ଛଅଟି କାର୍ଯ୍ୟକ୍ରମ ରହିଛି; ନୂତନ ଶୌଚାଳୟ ନିର୍ମାଣ, ନୂତନ ଜଳ ସଂଯୋଗ, ଜଳ ବିଶୁଦ୍ଧୀକରଣ ସ୍ଥାପନ, ବର୍ଷାଜଳ ପରିଚାଳନା ଓ ଜୈବଗ୍ୟାସ ପ୍ଲାଂଟ୍ । ୫ହଜାର ଠାରୁ ୧୪ହଜାର ମଧ୍ୟରେ ପ୍ରତ୍ୟେକର ଭିନ୍ନ ଋଣ ଯୋଜନା ରହିଛି । ଏହାର ସୁଝିବା ସମୟ ୧୮ ମାସ ଯାଏଁ ଧାର୍ଯ୍ୟ କରାଯାଇଛି ।

ପାଉଲ୍ କହନ୍ତି, “ଉପରୋକ୍ତ ସମସ୍ତ ଋଣଗୁଡ଼ିକ ବାର୍ଷିକ ୨୧ ପ୍ରତିଶତ ସୁଧ ଧାର୍ଯ୍ୟ କରାଯାଇଛି ଏବଂ ଋଚ୍ଚର ୧ ପ୍ରତିଶତ ନଥିପତ୍ର ପ୍ରସ୍ତୁତ କରିବାରେ ଆଦାୟ କରାଯାଉଛି ।” ଏହିଭଳି ମାଇକ୍ରୋଫାଇନାନ୍ସରେ ଏହା ଏକମାତ୍ର ସଂସ୍ଥା ହୋଇଥିବା ଯୋଗୁଁ, ଗାର୍ଡିଅନ୍ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଏ ।

“ଆର୍ଥିକ ଅନୁଷ୍ଠାନଗୁଡ଼ିକ ବର୍ତ୍ତମାନ ମଧ୍ୟ ପ୍ରାଥମିକ କ୍ଷେତ୍ର ଧାର ଦେବାପାଇଁ ପଛଘୁଞ୍ଚା ଦେଉଛନ୍ତି । ସେହିଭଳି ଭାରତରେ ମାଇକ୍ରୋଫାଇନାନ୍ସ ନେଟୱର୍କ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ନାବାର୍ଡ ଭଳି ନିୟନ୍ତ୍ରଣାଳୟ ଦ୍ୱାରା ଜଟିଳତାର ସମ୍ମୁଖୀନ ହୋଇଥାନ୍ତି”, ପାଉଲ୍ ବୁଝାଇଥାନ୍ତି ।

“ଅଧିକନ୍ତୁ, ଦୈନନ୍ଦିନ ଜୀବନରେ ସୁରକ୍ଷିତ ପରିମଳ ସଂପର୍କରେ ଲୋକଙ୍କୁ ବୁଝାଇବା ସହଜ ନୁହେଁ । ଲୋକମାନେ ବର୍ଷ ବର୍ଷ ଧରି ଶୌଚାଳୟ ବ୍ୟବହାର କରିବା ଶିଖିନାହାନ୍ତି ଏଣୁ ଏହା ସାମଗ୍ରିକ ଭାବେ ଏକ ସାଂସ୍କୃତିକ ପରିବର୍ତ୍ତନ ଆବଶ୍ୟକ । ସେମାନଙ୍କୁ ଏହାର ସୁଫଳତା ଓ ସ୍ୱାସ୍ଥ୍ୟକର ପ୍ରସଙ୍ଗ ସଂପର୍କରେ ସଚେତନ କରିବା ସହ ଏହା କମ୍ ପୁଞ୍ଜିରେ ସମ୍ଭବ ବୋଲି ବୁଝାଇବା ଆବଶ୍ୟକ ।”

ଯଦିଓ, ଗାର୍ଡ଼ିଅନ୍ ଟିମ୍ ନିଜର ପରିସୀମା ଏବଂ କ୍ଷେତ୍ରକୁ ବ୍ୟାପକ କରିବାକୁ ଦୃଢ଼ନିଶ୍ଚିତ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ, ୨୦୨୦ ସୁଦ୍ଧା ତାମିଲନାଡ଼ୁର ଏକ ଲକ୍ଷ ପରିବାରଙ୍କୁ ଋଣ ବ୍ୟବସ୍ଥା ଦ୍ୱାରା ଶୌଚାଳୟ ସ୍ଥାପନ କରିବା ନିମନ୍ତେ ଗାର୍ଡିଅନ୍ ଏକ ଲକ୍ଷ୍ୟଧାର୍ଯ୍ୟ କରିଛି ।

ପଲ ନିଜର ସଂଘର୍ଷ ସଂପର୍କରେ ଅନ୍ତିମ ସୂଚନା ଦେଇ କହନ୍ତି, “ଆମେ ବଳକା ୧୦ଟି ଜିଲ୍ଲାରେ ୫ଟି ଶାଖା ଖୋଲିବାର ଯୋଜନା ରଖିଛୁ । ଆମେ ସ୍ଥାନୀୟ ଲୋକଙ୍କ ଅଭିପ୍ରାୟ, ଗ୍ରାମସଭା, ସିବିଓ(ଗୋଷ୍ଠୀଗତ ସଂସ୍ଥା) ଓ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କୁ ସାମିଲ କରି ସ୍ଥାନୀୟ ପ୍ରାର୍ଥୀଙ୍କ ସଚେତନତା ସୃଷ୍ଟି କରିବାର କ୍ଷମତା ଦ୍ୱାରା କର୍ମଚାରୀଙ୍କ ଚୟନ କରିବୁ । ଆମେ ଶୌଚାଳୟ ଋଣ ସାମଗ୍ରୀର ପ୍ରଚାରପ୍ରସାର ଓ ଗ୍ରାହକଙ୍କ ସହ ଗାର୍ଡିଅନ୍ କର୍ମଚାରୀଙ୍କ କଥୋପକଥନ, ସ୍ଥାନୀୟ ମିସ୍ତ୍ରୀ ଓ ପଂଚାୟତ ସଭାପତିଙ୍କ ସହ ଆଲୋଚନା ମାଧ୍ୟରେ ଘରେ ଶୌଚାଳୟ ନିର୍ମାଣ ଏବଂ ଜଳ ସଂଯୋଗ ସଂପର୍କରେ ଚାହିଦା ସୃଷ୍ଟି କରିବୁ । ଏହା ବ୍ୟତୀତ ଜଳ ସଂଯୋଗ ଓ ଶୌଚାଳୟର ନିୟମିତ ରକ୍ଷଣାବେକ୍ଷଣର ବ୍ୟବସ୍ଥା ମଧ୍ୟ କରିବୁ ।”

ଗାର୍ଡିଅନର ଅଭିଜ୍ଞ ଟିମ୍ ନିଜର ଜ୍ଞାନକୁ ନମ୍ରତା ଦ୍ୱାରା ଏକ ଦୃଢ଼ ଓ ଶକ୍ତିଶାଳୀ ଉଦ୍ୟୋଗରେ ପରିଣତ କରିଛନ୍ତି । ସେମାନଙ୍କ ଯେଉଁ ଜ୍ଞାନ ଥାଉନା କାହିଁକି, ପ୍ରଥମ କର୍ତ୍ତା ଭାବେ ସେମାନେ ନିଜର ଉଦ୍ୟମକୁ ଆଗେଇ ନେବା ସମୟରେ ପ୍ରତିକ୍ଷଣରେ କିଛି ନୂଆ ଶିକ୍ଷାଲାଭ କରିଥାନ୍ତି । ବାସ୍ତବିକ ଭାବେ, ଯାହା ଆବିଷ୍କୃତ ହୋଇଛି ସେଥିରୁ ଶିକ୍ଷା ଲାଭ କରିବା ଅପେକ୍ଷା ଯାହା ଶିକ୍ଷା କରିବାକୁ ବାକି ରହିଛି ସେଥିରେ ହିଁ ପରିବର୍ତନର ଧାରା ସନ୍ନହିତ ।

ମୂଳ ଲେଖା - ଫ୍ରାନ୍ସେସା ଫରାରିଓ

ଭାଷାନ୍ତର - ଲମ୍ବୋଦାର ପ୍ରସାଦ ଦାଶ