କେବଳ ଚାଷ ପାଇଁ ଗାଁଟିଏ

କେବଳ ଚାଷ ପାଇଁ ଗାଁଟିଏ

Wednesday October 19, 2016,

2 min Read

image


ଜଳସେଚନ ସୁବିଧା ନଥିବା ସତ୍ତ୍ୱେ ହାରିନି ଚାଷୀ

ଗାଁଟିର ନାଁ ଇଚ୍ଛାଦେଇପାଟଣା । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା । ବ୍ଲକ ଭିଙ୍ଗାରପୁର ପଞ୍ଚାୟତ ୧ନମ୍ବର ୱାର୍ଡରେ ରହିଛି ଏହି ଗାଁ । ଚାଷୀଙ୍କ ଗାଁ ଭାବେ ଅଞ୍ଚଳରେ ଏହା ବେଶ ପରିଚିତ । ଏଠାକାର ୯୫ ପ୍ରତିଶତ ପରିବାର ଲୋକେ ଧାନ ସହ ବିଭିନ୍ନ ପନିପରିବା ଚାଷ କରିଥାନ୍ତି । ଚାଷ ହିଁ ଗ୍ରାମବାସୀଙ୍କ ମୁଖ୍ୟ ଜୀବିକା । ଚାଷ ପାଇଁ ଏଠାକାର ଗ୍ରାମବାସୀ ଯେପରି ସମର୍ପିତ ହୋଇପଡିଛନ୍ତି । ଏହି ଅଞ୍ଚଳରୁ ଉତ୍ପାଦିତ ବାଇଗଣ ଓ ବିଭିନ୍ନ ପ୍ରକାର ଶାଗ ରାଜଧାନୀ ଏବଂ କଟକ ବଜାରରେ ନାଁ ରହିଛି । ତେବେ ଚାଷକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଏଠାରେ ଜଳସେଚନର ସୁବିଧା ନାହିଁ । ନଦୀ ଓ କେନାଲ ନଥିବାବେଳେ ଉଠା ଜଳସେଚନ ବ୍ୟବସ୍ଥା ମଧ୍ୟ ନାହିଁ । ମାତ୍ର ଏଥିସତ୍ତ୍ୱେ ଚାଷୀ ହାର ମାନିନି । କୂଅ, ପୋଖରୀ ଜଳ ଓ ବର୍ଷା ପାଣିରେ ଚାଷ ବଞ୍ଚି ରହିଛି ।

କୂଅ, ପୋଖରୀ ଓ ବର୍ଷା ପାଣି ଭରସା

ରାଜଧାନୀ ଭୁବନେଶ୍ଵରଠାରୁ ମାତ୍ର ୧୫ କିଲୋମିଟର ଦୂରରେ ରହିଛି ଇଚ୍ଛାଦେଇପାଟଣା । ଘର ସଂଖ୍ୟା ୫୦ । ଗାଁର ଜନସଂଖ୍ୟା ପ୍ରାୟ ୪୦୦ରୁ ଊର୍ଦ୍ଧ୍ଵ । ପ୍ରାୟ ୪୫ ପରିବାରର ଲୋକେ ବର୍ଷସାରା ଚାଷ କାର୍ଯ୍ୟରେ ନିୟୋଜିତ ରହିଥାନ୍ତି । ଖଣ୍ଡାୟତ ଘରର ଲୋକେ ଧାନ ସହ ପନିପରିବା ଯଥା ବାଇଗଣ, ଭେଣ୍ଡି, କାକୁଡି, କଲରା, ଝୁଡଙ୍ଗ ଆଦି ଚାଷ ହୁଏ । ଏହି ଗ୍ରାମରୁ ଉତ୍ପାଦିତ ପାଳଙ୍ଗ, ପୋଇ, ଲେଉଟିଆ, କୋଶଳା, କଳମ ଆଦି ବିଭିନ୍ନ କିସମ ଶାଗ ଭୁବନେଶ୍ଵର ମାର୍କେଟରେ ଚାହିଦା ରହିଛି । ତେବେ ଗାଁରେ ଜଳସେଚନ ବ୍ୟବସ୍ଥା ନଥିବା ମୁଖ୍ୟ ସମସ୍ୟା । ଗାଁ ନିକଟରେ ଥିବା କଞ୍ଚିଲୋ ମାଇନର କେନାଲ ଦୀର୍ଘ ୪୦ବର୍ଷ ହେଲା ପରିତ୍ୟକ୍ତ ଓ ଅବହେଳିତ ଅବସ୍ଥାରେ ରହିଛି । କେନାଲ ନିର୍ମାଣ ପରଠାରୁ ପାଣି ଆସୁ ନ ଥିବା ଚାଷୀ ରାଧାନାଥ ସ୍ଵାଇଁ କହିଛନ୍ତି । ସେହିଭଳି ଚାଷୀ ବହୁଳ ଏହି ଗ୍ରାମରେ ଏଯାବତ ଉଠାଜଳସେଚନ ବ୍ୟବସ୍ଥା ନାହିଁ । ୫୦୦ ଏକରରୁ ଊର୍ଦ୍ଧ୍ଵ ଚାଷ ଜମି ଥିବା ସତ୍ତ୍ୱେ ଜଳସେଚନ ସୁବିଧା ନଥିବାରୁ ଚାଷୀ ପରିବାରର ଯୁବକମାନେ ଚାଷ କାର୍ଯ୍ୟ ଛାଡି ବାହାରକୁ ଚାଲି ଯାଉଛନ୍ତି । ଜଳ ସମସ୍ୟା ନେଇ ଉଠାଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ପି.ପରିଡା କୁହନ୍ତି, ଇଚ୍ଛାଦେଇପାଟଣାରେ ସରକାରୀ ଏଲ.ଆଇ ପଏଣ୍ଟ ନାହିଁ । ଚାଷୀ ଚାହିଁଲେ କମ୍ୟୁନିଟି ଏଲ.ଆଇ ପଏଣ୍ଟ ବସିପାରିବ । ଯାହାକି ପାଣିପଞ୍ଚାୟତ ମାଧ୍ୟମରେ ଚାଲିବ । ସେହିପରି ଭିଙ୍ଗାରପୁର ସହକାରୀ କୃଷି ଅଧିକାରୀ ମନୋରଞ୍ଜନ ରାଉଳ କୁହନ୍ତି, ଏହି ଗ୍ରାମର ଚାଷୀଙ୍କୁ ସରକାରୀ ସୁବିଧା ଯୋଗାଇ ଦିଆଯାଉଛି ।