ଫ୍ଲେକ୍ସି କ୍ୟାରିଅର୍ସ୍ - ମହିଳାଙ୍କ ପାଇଁ ସ୍ଥାୟୀ କ୍ୟାରିଅରର ସୃଜନ

ଫ୍ଲେକ୍ସି କ୍ୟାରିଅର୍ସ୍ - ମହିଳାଙ୍କ ପାଇଁ ସ୍ଥାୟୀ କ୍ୟାରିଅରର ସୃଜନ

Saturday November 21, 2015,

3 min Read

image


ଆମ ଦେଶରେ କାର୍ଯ୍ୟକ୍ଷେତ୍ରରେ ୨୯% ମହିଳା କନିଷ୍ଠ ସ୍ତରରେ ୧୫% ମଧ୍ୟମ ସ୍ତରରେ ଓ ମାତ୍ର ୧୦% ବରିଷ୍ଠ ଭାବେ କାମ କରନ୍ତି। ଏହାର ପ୍ରମୁଖ କାରଣ ହେଉଛି କନିଷ୍ଠ ଓ ମଧ୍ୟମ ସ୍ତରରେ ଅଧିକାଂଶ ମହିଳା ଚାକିରୀ ଛାଡନ୍ତି ଓ ଏହି କାରଣ ଯୋଗୁ ବିଶ୍ଵ ମାନ୍ୟତାରେ ଭାରତର ସ୍ଥାନ ୧୩୧ ଦେଶ ମଧ୍ୟରେ ୧୨୦। ଯଦିଓ ଭାରତ ଏହି ଦୁଇ ଦଶନ୍ଧି ମଧ୍ୟରେ ଅନେକ ପ୍ରଗତି କରିଛି। ଏହି ସଂଖ୍ୟା କିନ୍ତୁ ଅନେକଙ୍କୁ ବିଚଳିତ କରିଛି। ସୌନ୍ଦର୍ୟା ରାଜେଶ୍ ଯେ କି ନିଜେ ମଧ୍ୟ ଏହି ପରିସ୍ଥିତି ଦେଇ ଗତି କରିଥିଲେ ଆଜି ଫ୍ଲେକ୍ସି କ୍ୟାରିଅର୍ସ୍ ନାମକ ସଂସ୍ଥା ର ପ୍ରତିଷ୍ଠାତ୍ରୀ।

ସେ ୧୯୯୦ରେ ପରିଚାଳନାରେ ସ୍ନାତକ ଡିଗ୍ରୀ ହାସଲ କଲା ପରେ ସିଟି ବ୍ୟାଙ୍କ ନାମକ ଏକ କମ୍ପାନୀରେ ଚାକିରୀ ଆରମ୍ଭ କଲେ ଓ ଏହା ପରେ ବିବାହ ମଧ୍ୟ କଲେ। ବିବାହର ବର୍ଷକ ପରେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମଦେଲେ। ଏହାପରେ ସେ ଚାକିରୀ ଛାଡିବାକୁ ବାଧ୍ୟ ହେଲେ।

ଏହା ବିଷୟରେ ସେ କହନ୍ତି ୯୦ ଦଶକରେ ମହିଳା ମାନଙ୍କ ନିକଟରେ ଦୁଇଟି ବାଟ ଥିଲା। ପରିବାର ନହେଲେ କ୍ୟାରିଅର। ଯାହା ଭିତରୁ ଜଣେ ମହିଳାକୁ ଗୋଟିଏକୁ ବାଛିବାକୁ ପଡୁଥିଲା ଓ ଅଧିକାଂଶ ମହିଳା ପରିବାରକୁ ହିଁ ବାଛୁଥିଲେ। ଦୁଇଟି କାମ ଏକସଙ୍ଗେ କରିବା ଆଦୌ ଏକ ବାଟ ନଥିଲା, ସେ ସମୟରେ। ତେଣୁ ସେ କିଛି ଦିନ ପରେ ପୁଣି କର୍ମକୁ ଫେରିଲେ। କିନ୍ତୁ ଏଥର ସେ ଶିକ୍ଷକତା କଲେ ଓ ପ୍ରବନ୍ଧନ ଓ ପରିଚାଳନାରେ କେତେକ ଅନୁଷ୍ଠାନରେ ପଢାଇବାରେ ଲାଗିଲେ। ଧୀରେ ଧୀରେ ଅନୁଭବ କଲେ ଯେ ମହିଳା ମାନଙ୍କ ମଧ୍ୟରେ ଅନେକ ଲୁକ୍କାୟିତ ପ୍ରତିଭା ରହିଛି ଯାହା ସମସ୍ତଙ୍କ ନଜରରେ ଆସୁନାହିଁ। ଏହି ପ୍ରତିଭାକୁ ସେ ଲୋକଲୋଚନକୁ ଆଣିବାକୁ ନିଷ୍ପତ୍ତି ନେଲେ ଓ ୪ ଜଣ ମହିଳା ସହକର୍ମୀ ସହ ମିଶି ୨୦୦୦ ଡିସେମ୍ବରରେ ଅବତାର ଗଠନ କଲେ।

image


ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ଅଧାରୁ ଚାକିରୀ ଛାଡୁଥିବା ଓ କାମ କରିବାର ଦକ୍ଷତା ଥିବା ମହିଳା ମାନଙ୍କୁ ପୁଣି କର୍ମକ୍ଷେତ୍ରକୁ ଫେରାଇବା। ତେଣୁ ୫ ବର୍ଷ ପରେ ସେ ଅବତର-ଆଇ-ଉଇନ୍ ନାମକ ଏକ ପ୍ରୋଜେକ୍ଟ ଚେନ୍ନଈ ରେ ଆରମ୍ଭ କଲେ। ଏଥିରେ ୨୦୦ ମହିଳା ସଦସ୍ୟ ଥିଲେ। ଏଠାରେ ଜନ୍ମ ହେଲା ଫ୍ଲେକ୍ସି କ୍ୟାରିଅର୍ସ୍।

ଏବେ ଏହାର ସଦସ୍ୟ ସଂଖ୍ୟା ୨୦,୦୦୦ ରୁ ଅଧିକ ଓ ଏହା ଭାରତର ସମସ୍ତ ରାଜ୍ୟରେ କାମ କରୁଛି। ପ୍ରାରମ୍ଭିକ ବର୍ଷରେ ଏହା ମହିଳା ମାନଙ୍କର ଦକ୍ଷତା ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କଲେ। ଏହା ୩୫୦୦ ମହିଳାମାନଙ୍କୁ ଟ୍ରେନିଂ ଦେଲା ଯେଉଁ ମାନେ କି ବିବାହ କରିବା ପରେ ବା ସନ୍ତାନ ଜନ୍ମପରେ ଚାକିରୀ ଛାଡିଥିଲେ। ଏମାନଙ୍କୁ ପୁଣି କାମକୁ ଫେରିବାପାଇଁ ତାଲିମ୍ ଦିଆଗଲା।

କିନ୍ତୁ ଏହା ଏତେ ସହଜ ନଥିଲା ବୋଲି ସେ କହନ୍ତି। କାରଣ କମ୍ପାନୀ ମନେ ଏହି ମହିଳା ମାନଙ୍କୁ ନିଯୁକ୍ତି ଦେବାକୁ କୁଣ୍ଠାବୋଧ କରୁଥିଲେ। ଅନେକ ଆଲୋଚନା ପରେ ସେମାନେ ଏହି କର୍ମଚାରୀ ମାନଙ୍କୁ ବ୍ୟାକ ଅପ ଭାବେ ଓ ସମାଜିକ ଦାଇତ୍ଵବୋଧ ନିୟମ ହିସାବରେ ରଖିବାକୁ ରାଜି ହେଲେ।

image


ଆଜି ୩୦୦୦ରୁ ଅଧିକ ମହିଳା ପାର୍ଟ ଟାଇମ ଚାକିରୀ କରୁଛନ୍ତି। ଯେଉଁ ମାନଙ୍କ ମଧ୍ୟରେ ଅଧା ହେଉଛନ୍ତି ଅଧାରୁ ଚାକିରୀ ଛାଡିଥିବା ମହିଳା। ଏବେ କିନ୍ତୁ ସମୟ ବଦଳୁଛି। ଆମେ ଗତ ଫେବୃୟାରୀରେ ଏକ ଶୋଧରୁ ଜାଣିଲୁ ଯେ କମ୍ପାନୀ ମାନେ ନିଜର ମତ ପରିବର୍ତ୍ତନ କରୁଛନ୍ତି ଓ ସେମାନେ ଏବେ ଅଧିକ ରୁ ଅଧିକ ମହିଳା କର୍ମଚାରୀ ରଖିବାକୁ ଆଗ୍ରହୀ। ବର୍ତ୍ତମାନ ଜଣେ କର୍ମଚାରୀର ଦକ୍ଷତା ବେଶି ଗୁରୁତ୍ତ୍ଵପୂର୍ଣ୍ଣ, ଲିଂଗ ନୁହେଁ।

ସୌନ୍ଦର୍ୟା ଆଜି ଜଣେ ସଫଳ ମହିଳା ସାମାଜିକ ବ୍ୟବସାୟୀ। ଏକାଧାରରେ ସେ ଜଣେ ପତ୍ନୀ,ମା,ଶାଶୁ ଓ ବ୍ୟବସାୟୀ। ସେ କହନ୍ତି ଆଜି ଅଧିକରୁ ଅଧିକ ପୁରୁଷ ଓ ମହିଳା ଏହି କ୍ଷେତ୍ରକୁ ଆସିବା ଜରୁରୀ। କାରଣ ଏହା ଏକ ସାମାଜିକ କ୍ଷେତ୍ର ଓ ଏଠାରେ ସେବା ମନୋବୃତ୍ତିରେରେ କାମ କରିବାର ଲୋକମାନଙ୍କ ଅଭାବ ରହିଛି। ଆମେ ଏଥିରେ କେବଳ ମହିଳା ମାନଙ୍କୁ କର୍ମସଂସ୍ଥାନ ଦେଉନାହୁଁ ବରଂ ଆମେ ଦେଶର ଆର୍ଥିକ ପ୍ରଗତିରେ ବି ଏକ ସକ୍ରିୟ ଭାଗ ନେଉଛୁ।

ମୂଳ ଲେଖା - ଆଲେସିଓ ପିରୋନି

ଭାଷାନ୍ତର - ପାର୍ଥସାରଥୀ ମହାନ୍ତି