ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ଆରମ୍ଭ

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ଆରମ୍ଭ

Thursday December 01, 2016,

3 min Read

ରାଜ୍ୟର ସର୍ବବୃହତ ନିବେଶ ସମ୍ମିଳନୀ ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌’ ବୁଧବାର ଠାରୁ ଜନତା ମଇଦାନଠାରେ ଆରମ୍ଭ ହୋଇଛି। ଦେଶ ବିଦେଶର ପ୍ରତିଷ୍ଠିତ ଶିଳ୍ପପତି, ରାଜ୍ୟର ମନ୍ତ୍ରୀ ଓ ଶତାଧିକ କଂପାନି ପ୍ରତିନିଧିଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତିନି ଦିନିଆ ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି। ନିଜର ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାରଙ୍କ ନିମନ୍ତ୍ରଣ ରକ୍ଷା କରି ବିଭିନ୍ନ ଶିଳ୍ପ ପ୍ରତିନିଧିମାନେ କନକ୍ଲେଭରେ ଯୋଗଦେଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଆଶା କରୁଛି, ରାଜ୍ୟ ସରକାରଙ୍କ ଶିଳ୍ପାୟନ ନୀତି ସେମାନଙ୍କୁ ଭଲ ଲାଗିବ। ସେମାନେ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ। ରାଜ୍ୟରେ ମଧ୍ୟ ଅଧିକ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି ହେବ।

image


ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ କୁହାଯାଇଛି, ଡିସେମ୍ବର ୨ ତାରିଖରେ ଶେଷ ହେବାକୁ ଥିବା ଏହି ସମ୍ମିଳନୀ ମାଧ୍ୟମରେ ରାଜ୍ୟରେ ରହିଥିବା ବିଭିନ୍ନ ଶିଳ୍ପ ଓ ବ୍ୟବସାୟ ସୁଯୋଗକୁ ପ୍ରଦର୍ଶନ କରି ରାଜ୍ୟ ସରକାର ଓଡ଼ିଶାକୁ ପୂର୍ବ ଭାରତର ମାନୁଫାକ୍‌ଚରିଂ (ବିନିର୍ମାଣ) ହବ୍‌ରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଇଲେକ୍ଟ୍ରିକାଲ୍‌, ଖଣି, ବିନିର୍ମାଣ, କାଗଜ, ପ୍ଲାଷ୍ଟିକ୍‌, ଇସ୍ପାତ ଓ ସଫଟଓୟାର କ୍ଷେତ୍ରକୁ ଅଧିକ ପୁଞ୍ଜିିନିବେଶ ଆଣିବା ହେଉଛି ଏହି ସମ୍ମିଳନୀର ପ୍ରମୁଖ ଲକ୍ଷ୍ୟ। ଏହା ବ୍ୟତୀତ ଖଣି, ଖାଦ୍ୟ ପ୍ରକ୍ରିୟାକରଣ. ସିଫୁଡ୍‌ ପ୍ରକ୍ରିୟାକରଣ, ରାସାୟନିକ, ଫେଟ୍ରୋକେମିକାଲ୍ସ, ପ୍ରତିରକ୍ଷା, ଇଲେକ୍ଟ୍ରୋନିକ୍ସ, ଷ୍ଟାର୍ଟ-ଅପ୍‌ ଓ ପର୍ଯ୍ୟଟନ କ୍ଷେତ୍ରରେ ରହିଥିବା ନିବେଶ ସୁଯୋଗଗୁଡ଼ିକୁ ମଧ୍ୟ ସମ୍ମିଳନୀରେ ପ୍ରଦର୍ଶନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଜନତା ମଇଦାନର ୩୦ ହଜାର ବର୍ଗଫୁଟରେ ଆୟୋଜନ କରାଯାଇଥିବା ଏହି କନ୍‌କ୍ଲେଭ୍‌ରେ ୧୦୦ରୁ ଅଧିକ କଂପାନି ଭାଗ ନେଇଛନ୍ତି। କଂପାନିଗୁଡ଼ିକୁ ଷ୍ଟଲ୍‌ ନିର୍ମାଣ କରିବା ପାଇଁ ତିନିଟି କ୍ଷେତ୍ର ଭିତ୍ତିକ ହ୍ୟାଙ୍ଗର ପ୍ରଦାନ କରାଯାଇଛି। ଏକ ସ୍ୱତନ୍ତ୍ର ଓଡ଼ିଶା ଥିମ୍‌ ପାଭିଲିଅନ୍‌ ମଧ୍ୟ ରହିଛି ଯେଉଁଠାରେ ରାଜ୍ୟର ବିଭିିନ୍ନ କ୍ଷେତ୍ରରେ ଥିବା ସୁଯୋଗକୁ ଉପସ୍ଥାପିତ କରାଯାଇଛି। ଏହା ବ୍ୟତୀତ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ପରିସରରେ ରହିଛି ବୈଠକ ଲାଉଞ୍ଜ, ବି୨ବି ଲାଉଞ୍ଜ, ଉତ୍ସର୍ଗୀକୃତ ମିଡିଆ ଲାଉଞ୍ଜ, ଫୁଡ୍‌ କୋର୍ଟ, ଷ୍ଟାର୍ଟ-ଅପ୍‌ ସଂସ୍ଥାଗୁଡ଼ିକ ନିମନ୍ତେ ସ୍ୱତନ୍ତ୍ର ସ୍ଥାନ। ଆସନ୍ତାକାଲି ଏହି ସମ୍ମିଳନୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଓଡ଼ିଶା ଆସୁଛନ୍ତି। ଏହା ବ୍ୟତୀତ ଅନେକ ପ୍ରତିଷ୍ଠିତ ଶିଳ୍ପପତି ଟାଟା ଷ୍ଟିଲ୍‌ର ଟି ଭି ନରେନ୍ଦ୍ରନ, ଆଦିତ୍ୟ ବିର୍ଲା ଗ୍ରୁପ୍‌ର କୁମାର ମଙ୍ଗଳମ୍‌ ବିର୍ଲା, ଆଦାନି ଗ୍ରୁପ୍‌ର ଗୌତମ ଆଦାନି ଓ ବିଭିନ୍ନ ପ୍ରତିଷ୍ଠିତ କଂପାନିର ମୁଖ୍ୟ ଆସିବାର କାର୍ଯ୍ୟକ୍ରମ ରହିଛି।

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ଫାଲ୍‌କନ୍‌ ମେରାଇନ୍‌, ଏମ୍‌ସିଏଲ୍‌, ନାଲ୍‌କୋ, ବେଦାନ୍ତ, ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ଵାର ଲିମିଟେଡ୍‌, ଏନ୍‌ଏଲ୍‌ସି ଇଣ୍ଡିଆ, ରୁଚି, ଏସାର୍‌, କୋକାକୋଲା, ଟାଟା ସ୍ପଞ୍ଜ, ଟାଟା ଷ୍ଟିଲ୍‌, ମେସ୍କୋ ଷ୍ଟିଲ୍‌, ହିଣ୍ଡାଲ୍‌କୋ, ଜେଏସ୍‌ଏଲ୍‌, ଏସ୍‌ଏମ୍‌ଏସ ଗ୍ରୁପ୍‌, ରାଇନୋ, ଗୁପ୍ତା ପାଓ୍ଵାର, ବିଗ୍‌ ବଜାର, ସେଲ୍‌, ଡାଲମିଆ ଭାରତ ସିମେଣ୍ଟ୍‌, ଓରେଡା, ଆର୍‌ଏସ୍‌ବି ଟ୍ରାନ୍ସମିସନ୍‌ ଲିମିଟେଡ୍‌, ଜେଏସ୍‌ଡବ୍‌ଲ୍ୟୁ ସିମେଣ୍ଟ/ଇନ୍‌ଫ୍ରା, ଏଲ୍‌ଆଣ୍ଡଟି, ଅଲ୍‌ଟ୍ରାଟେକ୍‌, ଏନ୍‌ଆଇଏନ୍‌ଏଲ, ଆଦିତ୍ୟ ବିର୍ଲା, କନକାଷ୍ଟ ଷ୍ଟିଲ୍‌, ଏନ୍‌ଏମ୍‌ଡିସି, କଣ୍ଟେନର କର୍ପୋରେସନ୍‌ ଅଫ ଇଣ୍ଡିଆ ଲିମିଟେଡ୍‌, କିଙ୍ଗଷ୍ଟନ୍‌ ଲଜିଷ୍ଟିକ୍‌ ପାର୍କ, ଶ୍ରୀ ସିମେଣ୍ଟ୍‌, ବୟନିକା, ଉତ୍କଳିକା, ବାଲେଶ୍ୱର ଆଲଏଜଜ୍‌, ପିଟର ଇଂଲଣ୍ଡ, ଆଇଟିସି, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ, କର୍ଲ-ଅନ୍‌, ଆପୋଲୋ, ଏନ୍‌ଟିପିସି, ଆଦାନି, ପିପିଟି, ଡାଜେଲ୍‌, ଇମାମି, ମିଲ୍କ ମନ୍ତ୍ରା, ଉତ୍କଳ ଗାଲ୍‌ଭାନାଇଜର୍‌, ସ୍ନାଇଡର୍‌ ଇଲେକ୍ଟ୍ରିକ୍‌, ଓକାକ୍‌, ଓରିପ୍ଲାଷ୍ଟ୍‍, ମାଇଣ୍ଡଟ୍ରି, ରିଲାଏନ୍ସ ଜିଓ ଓ ଇଫ୍‌କୋ ଭଳି ଶହେ ପାଖାପାଖି କଂପାନି ତିନିଟି ହ୍ୟାଙ୍ଗର୍‌ରେ ନିଜର ଆକର୍ଷଣୀୟ ଷ୍ଟଲ୍‌ ସ୍ଥାପନ କରିଛନ୍ତି। ସ୍ୱତନ୍ତ୍ର ପ୍ରତିରକ୍ଷା ହ୍ୟାଙ୍ଗରରେ ଅଗ୍ନି, ପୃଥ୍ଵୀ, ବ୍ରହ୍ମୋସ୍‌, ଆକାଶ ଓ ଓଡ଼ିଶାରେ ନିର୍ମାଣ କରାଯାଇଥିବା ସୁଖୋଇ ବିମାନର ଇଞ୍ଜିନକୁ ପ୍ରଦର୍ଶନ କରାଯାଇଛି।

ଭାରତ ସରକାରଙ୍କ ଶିଳ୍ପ ନୀତି ଓ ବିକାଶ ବିଭାଗ, ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ମିଳିତ ଆନୁକୂଲ୍ୟରେ ରାଜ୍ୟ ସରକାର ଆୟୋଜନ କରିଥିବା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ଉଦ୍‌ଘାଟନ ହେବା ପରେ ଆଇଏନ୍‌ଏସ୍‌ ଚିଲିକାର ନାଭାଲ ବ୍ରାସ୍‌ ବ୍ୟାଣ୍ଡ୍‌ ପକ୍ଷରୁ ଆକର୍ଷଣୀୟ ବ୍ୟାଣ୍ଡ୍‌ ପ୍ରଦର୍ଶନ କରାଯାଇଥିଲା। ଏହା ପରେ ଏକ ସୁନ୍ଦର ଲେଜର ସୋ’ର ଆୟୋଜନ କରାଯାଇଥିଲା ଯେଉଁଥିରେ ରାଜ୍ୟରେ ରହିଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳର ଆକର୍ଷଣ ଓ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ବିଭିନ୍ନ ବିଷୟ ଉପରେ ସୂଚନା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମର ଶେଷରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟା ଶିଳ୍ପୀ ଅରୁଣା ମହାନ୍ତିଙ୍କ ଓଡ଼ିଶା ଡ୍ୟାନ୍‌ସ ଏକାଡେମି ପକ୍ଷରୁ ଓଡ଼ିଶା ସଂସ୍କୃତିକୁ ନେଇ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ନୃତ୍ୟ କାର୍ଯ୍ୟକ୍ରମରେ ୧୧୮ ଜଣ ଶିଳ୍ପୀ ଭାଗ ନେଇଥିଲେ। ଏହା ବ୍ୟତୀତ ଆସନ୍ତାକାଲି ସ୍ମାର୍ଟ ସିଟି, ରସାୟନ, ପର୍ଯ୍ୟଟନ ଓ ବୟନ ଶିଳ୍ପ ଉପରେ ସ୍ୱତନ୍ତ୍ର ଆଲୋଚନାଚକ୍ର ଆୟୋଜିତ ହେବ। ଡିସେମ୍ବର ୨ରେ ଖାଦ୍ୟ ପ୍ରକ୍ରିୟାକରଣ, ଦକ୍ଷତା ବିକାଶ, ଇଲେକ୍ଟ୍ରୋନିକ୍ସ ଉତ୍ପାଦ ଉତ୍ପାଦନ ଓ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ସଂପର୍କିତ ସ୍ୱତନ୍ତ୍ର ଆଲୋଚନାଚକ୍ର ଆୟୋଜିତ ହେବ।

ଉଲ୍ଲେଖଯୋଗ୍ୟ ଯେ, ନିବେଶକମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ରାଜ୍ୟ ସରକାର ନିକଟରେ ୮ଟି କ୍ଷେତ୍ର ପାଇଁ ପ୍ରସ୍ତୁତ କରାଯାଇଥିବା ନୀତିକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଏହି ଅବସରରେ ରାଜ୍ୟର ଶିଳ୍ପ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଅର୍ଥମନ୍ତ୍ରୀ ପ୍ରଦୀପ କୁମାର ଅମାତ, ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଦକ୍ଷତା ବିକାଶ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା, ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ, ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ, ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ଉନ୍ନୟନ କମିସନର ଆର୍‌ ବାଲକ୍ରିଷ୍ଣନ୍‌ ଉପସ୍ଥିତ ଥିଲେ।