ଆଜି ଉତ୍କଳ ଦିବସ: ଓଡ଼ିଶାକୁ ଚାଲିଲା ୮୧

ଆଜି ଉତ୍କଳ ଦିବସ: ଓଡ଼ିଶାକୁ ଚାଲିଲା ୮୧

Friday April 01, 2016,

4 min Read

ଆଜି ଏପ୍ରିଲ ୧ । ଉତ୍କଳ ଦିବସ । ୧୯୩୬ ମସିହାରେ ଆଜିର ଦିନରେ ବ୍ରିଟିଶ ସରକାର ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିଥିଲେ। ଗତକାଲି ଓଡ଼ିଶାକୁ ୮୦ ବର୍ଷ ପୂରି ଯାଇଛି । ଆଜିଠୁ ଚାଲିଲା ୮୧ ବର୍ଷ । ଚଳିତ ବର୍ଷ ରାଜ୍ୟ ସରକାର ଉତ୍କଳ ଦିବସକୁ ଓଡ଼ିଶା ଦିବସ ଭାବେ ପାଳନ କରିବାକୁ ନିଷ୍ପତି ନେଇଛନ୍ତି । ଗୋଟିଏ ଦିନ ନୁହେଁ ବର୍ଷ ସାରା ଓଡ଼ିଶା ଦିବସ ପାଳନ ହେବ । ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ପ୍ରତି ଓଡ଼ିଆଙ୍କ ଭିତରେ ଓଡ଼ିଆ ପ୍ରେମ ଜାଗ୍ରତ କରିବାକୁ ସବୁ ପ୍ରକାର ପ୍ରୟାସ କରାଯିବ । ଚାଲନ୍ତୁ ଉତ୍କଳରୁ ଓଡ଼ିଶା ପର୍ଯ୍ୟନ୍ତର ଆମ ରାଜ୍ୟର ଯାତ୍ରା ବିଷୟରେ ଜାଣିବା । ଆସନ୍ତୁ ଓଡ଼ିଶାକୁ ଚିହ୍ନିବା ।

image


କିଭଳି ସୃଷ୍ଟି ହେଲା ଓଡ଼ିଶା

୧୮୭୫ରେ ବାଲେଶ୍ୱରର ରାଜା ଶ୍ୟାମାନନ୍ଦ ଦେ ଏବଂ ଦେଶବ୍ରତୀ ବିଚିତ୍ରାନନ୍ଦ ଦାସଙ୍କ ଦ୍ୱାରା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ବଙ୍ଗର ତତକାଳୀନ ଲେଫଟନାଂଟ ଗଭର୍ନରଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ସେହିଦିନଠାରୁ ଉତ୍କଳ ସ୍ଵତନ୍ତ୍ର ପ୍ରଦେଶ ଗଠନ ହେବାର ମୂଳଦୁଆ ପଡ଼ିଥିଲା । ୧୮୮୨ରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଦ୍ୱାରା ଓଡ଼ିଶାର ପ୍ରଥମ ରାଜନୈତିକ ମଞ୍ଚ ଉତ୍କଳ ସଭା ବା ଓଡ଼ିଶା ଆସୋସିଏସନ ଗଠନ କରାଗଲା । ୧୮୯୫ରେ ସେଂଟ୍ରାଲ୍ ପ୍ରୋଭିନ୍ସ ଚିଫ କମିଶନରଙ୍କ ପକ୍ଷରୁ ସମ୍ବଲପୁରର କୋର୍ଟ କଚେରିମାନଙ୍କରୁ ଓଡ଼ିଆ ଭାଷା ସଂପୂର୍ଣ୍ଣ ଉଚ୍ଛେଦ ଏବଂ ହିନ୍ଦୀ ଭାଷାର ପ୍ରଚଳନ ଆରମ୍ଭ କରାଯାଇଥିଲା । ସମ୍ବଲପୁରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ଜନ-ଆନ୍ଦୋଳନ ଦେଖାଦେଇଥିଲା । ୧୯୦୧ରେ ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜ ଦେବଙ୍କ ନେତୃତ୍ୱରେ ରମ୍ଭା ପ୍ରାସାଦରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ବିଚାର ଆଲୋଚନା ହୋଇଥିଲା । ପଶ୍ଚିମ ଓଡ଼ିଶା ପରେ ଦକ୍ଷିଣ ଓଡ଼ିଶାରେ ଉକ୍ରଳ ପ୍ରଦେଶ ଗଠନ ପାଇଁ ଏହା ଥିଲା ପ୍ରଥମ ଉଦ୍ୟମ । ଜାତିର ସ୍ୱାର୍ଥରକ୍ଷା ଉଦ୍ଦେଶ୍ୟରେ ଉତ୍କଳ ହିତୈଷିନୀ ଗଠନ କରାଗଲା । ୧୯୦୨ରେ ମାନ୍ଦ୍ରାଜରେ ଅନୁଷ୍ଠିତ ଜାତୀୟ କଂଗ୍ରେସ ସମ୍ମିଳନୀରେ ମଧୁସୂଦନ ଓ ଗୌରୀଶଙ୍କର ରାୟଙ୍କ ଯୋଗଦାନ ଦେଇଥିଲେ ଏବଂ ଓଡ଼ିଶା ଡିଭିଜନରେ ଗଞ୍ଜାମ ଜିଲ୍ଲାର ମିଶ୍ରଣ ପାଇଁ ଦାବି ଉପସ୍ଥାପନ କରିଥିଲେ । ୧୯୦୩ରେ ମଧୁସୂଦନଙ୍କ ବଳିଷ୍ଠ ନେତୃତ୍ୱରେ ଉତ୍କଳ ସମ୍ମିଳନୀର ଜନ୍ମଲାଭ କରିଥିଲା । ୧୯୦୫ରେ ସମ୍ବଲପୁର ଜିଲ୍ଲାକୁ ମଧ୍ୟ ପ୍ରଦେଶରୁ କାଢ଼ି ବଙ୍ଗଳା ପ୍ରେସିଡେନ୍ସି ଅନ୍ତର୍ଗତ ଓଡ଼ିଶା ଡିଭିଜନ୍ ରେ ମିଶ୍ରଣ କରାଗଲା । ୧୯୧୭ରେ ଉତ୍କଳ ସମ୍ମିଳନୀ ପକ୍ଷରୁ ବିଚ୍ଛିନ୍ନ ଓଡ଼ିଆ ଭାଷାଭାଷୀ ଅଂଚଳକୁ ଗୋଟିଏ ପ୍ରଦେଶ ଅନ୍ତର୍ଗତ କରିବାକୁ ମଟେଂଗୁ-ଚେମସଫୋର୍ଡ କମିଟି ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା । ୧୯୨୭ରେ ସାଇମନ୍ କମିସନ୍ ଙ୍କ ନିକଟରେ ଉତ୍କଳ ସମ୍ମିଳନୀ ପକ୍ଷରୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦାବି ଉପସ୍ଥାପନ କରାଗଲା । ୧୯୩୧ରେ ଇଂଲଣ୍ଡରେ ଅନୁଷ୍ଠିତ ଗୋଲ ଟେବୁଲ ବୈଠକରେ ରାଜା କୃଷ୍ଣଚନ୍ଦ୍ର ଗଜପତି ଦେବଙ୍କ ଯୋଗ ଦେଇଥିଲେ ଓ ସ୍ୱତନ୍ତ୍ର ରାଜ୍ୟ ଗଠନ ଦାବି କରିଥିଲେ । ୧୯୩୩ରେ ପାରଳାଖେମୁଣ୍ଡି, ଜୟପୁର ଜମିଦାରିକୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ପରିକଳ୍ପନାରୁ ବାଦ ଦେଇ ଶ୍ୱେତପତ୍ର ପ୍ରକାଶ କରାଯାଇଥିଲା । ଏହା ବିରୋଧରେ ଉତ୍କଳ ସମ୍ମିଳନୀ ମାଧ୍ୟମରେ ବିଶାଳ ଜନ ଆନ୍ଦୋଳନ ସୃଷ୍ଟି ହେଲା । ୧୯୩୫ରେ ଭାରତ ଶାସନ ଆଇନ ମାଧ୍ୟମରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ବିଚାରାଧୀନ ରହିଲା । ୧୯୩୬, ଏପ୍ରିଲ ୧- କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, ଗଞ୍ଜାମ ଓ କୋରାପୁଟ ଛଅଟି ଜିଲ୍ଲାକୁ ନେଇ ଭାଷା ଭିତିିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ଗଠନ ହୋଇଥିଲା । ୧୮୭୫ରୁ ଆରମ୍ଭ ହୋଇଥିବା ଓଡ଼ିଶା ପ୍ରଦେଶ ଗଠନର ଉଦ୍ୟମ ୧୯୩୬ରେ ଅର୍ଥାତ ୬୧ ବର୍ଷରେ ପୂରଣ ହୋଇଥିଲା ।

image


ବନ୍ଦେ ଉତ୍କଳ ଜନନୀ

୧୯୯୪ ମସିହାରେ ଯୁଧିଷ୍ଠିର ଦାସ ବାଚସ୍ପତି ଥିବା ବେଳେ ବନ୍ଦେ ଉତ୍କଳ ଜନନୀକୁ ବିଧାନସଭା ଅଧିବେଶନ ଶେଷ ଦିନରେ ଗାଇ ସମ୍ମାନ ଦେବା ପାଇଁ ନିଷ୍ପତି ହୋଇଥିଲା । ପରେ ଶରତ କର ଓ ମହେଶ୍ୱର ମହାନ୍ତି ବାଚସ୍ପତି ଥିବା ବେଳେ ଏହି ଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ପାଇଁ ପ୍ରକ୍ରିୟା ଆରମ୍ଭ ହେଲା । ବୈଠକ ବସିଲା । ପୁଣି ମହେଶ୍ୱର ମହାନ୍ତି ସଂସ୍କୃତି ମନ୍ତ୍ରୀ ଥିବା ବେଳେ ବି ବୈଠକ ବସିଲା । ୩ ଥର ବୈଠକ ପରେ ବି ୨୦୧୪ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତରେ ପହଂଚିପାରିଲେ ନାହିଁ । କେବଳ ବନ୍ଦେ ଉତ୍କଳ ଜନନୀକୁ କିଭଳି ବୋଲାଯିବ ସେ ସମ୍ପର୍କରେ ୪ଟି ନିଷ୍ପତି ହେଲା । ଏହି ଗୀତର ପ୍ରଥମ, ଚତୁର୍ଥ ଓ ଷଷ୍ଠ ପଦ ରାଜ୍ୟ ସଂଗୀତ ଭାବେ ବୋଲାଯିବ, ଆକାଶବାଣୀରେ ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଏହାକୁ ଗାଇଥିବା ମୂଳ କଣ୍ଠସ୍ୱର ଏହାର ସ୍ୱର ହେବ, ୯୦ ସେକେଣ୍ଡ ମଧ୍ୟରେ ଏହାକୁ ଗାନ କରାଯିବ ଏବଂ ଏହାକୁ ଗାଇବା ସମୟରେ ସମସ୍ତେ ଦଣ୍ଡାୟମାନ ହେବେ ବୋଲି ସ୍ଥିର ହୋଇଥିଲା । ଏହି ଗୀତକୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ୱର କରାଯିବା ପରେ ସଂସ୍କୃତି ବିଭାଗ ଏହାକୁ ଗୃହୀତ କରିବା ପାଇଁ ଗୃହ ବିଭାଗକୁ ପଠାଗଲା । କିନ୍ତୁ ଗୃହ ବିଭାଗର କହିବା ଅନୁଯାୟୀ ସଂସ୍କୃତି ବିଭାଗ ନିକଟରୁ ଏଭଳି କୌଣସି ଚିଠି ଏଯାବତ ପାଇନାହିଁ ।

image


ମଧୁସୂଦନ ଦାସଙ୍କ ଅବଦାନ

ଉତ୍କଳ ଗୌରବ ମଧୁସୂଦନ ଥିଲେ ଓଡ଼ିଆ ଜାତୀୟତାର ପ୍ରମୁଖ ମନ୍ତ୍ରଦାତା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଅସୀମ ଜାତିପ୍ରୀତି, ଚରମ ତ୍ୟାଗ, ଗଭୀର ଅଧ୍ୟବସାୟ, ଆନ୍ତରିକ ନିଷ୍ଠା ଓ ବିଚକ୍ଷଣ ଦୂରଦର୍ଶିତା ପ୍ରଣିଧାନଯୋଗ୍ୟ । ସତ୍ୟ, ନ୍ୟାୟ ଓ ସାଧୁତା ପ୍ରଦର୍ଶନ କରି ଓଡ଼ିଆ ଜାତିର ନୈତିକତା ଓ ସଚ୍ଚୋଟତାର ଗୌରବମୟ ପରମ୍ପରା ସେ ସୃଷ୍ଟି କରିଥିଲେ । ମହାତ୍ମା ଗାନ୍ଧୀ ଆନୁଷ୍ଠାନିକ ଭାବେ ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ କରିବାର ବହୁ ପୂର୍ବରୁ ମଧୁସୂଦନ ଓଡ଼ିଶାରେ ଏହା ଆରମ୍ଭ କରିଥିଲେ । ଓଡ଼ିଆ ଜାତୀୟ ଆନ୍ଦୋଳନର ସେ ଥିଲେ ପ୍ରାଣ ପ୍ରତିଷ୍ଠାତା । ବିଚ୍ଛିନ୍ନାଚଂଳକୁ ଏକତ୍ର କରି ଆଧୁନିକ ଓଡ଼ିଶା ଗଠନ କରିବାରେ ସେ ଥିଲେ ପ୍ରଧାନ ପୁରୋଧା । ୧୮୮୨ରେ ସେ ପ୍ରତିଷ୍ଠା କରିଥିଲେ ଉତ୍କଳ ସଭା ଏବଂ ୧୯୦୩ରେ ଉତ୍କଳ ସମ୍ମିଳନୀ ।

ଜାତି ଉଦ୍ଦେଶ୍ୟରେ ସେ ଲେଖିଯାଇଛନ୍ତି

 ଜାତି ନନ୍ଦିଘୋଷ ଚଳିବ କି ଭାଇ, ସ୍ୱାର୍ଥକୁ ସାରଥୀ କଲେ; 
ଚଳାଏ କି ଗାଡ଼ି ଦାନାର ତୋବଡ଼ା, ଘୋଡ଼ା ମୁହେଁ ବନ୍ଧା ଥିଲେ ।

ଏହି ମହାପୁରୁଷ ମାନଙ୍କର ଅବଦାନ ଭୁଲି ହେବନି

୧-ଉତ୍କଳ ଗୌରବ ମଧୁସୂଦନ ଦାସ

୨-ଉତ୍କଳମଣି ଗୋପବନ୍ଧୁ ଦାସ

୩-ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ

୪-ମହାରାଜା କୃଷ୍ଣଚନ୍ଦ୍ର ଗଜପତି

୫-ବ୍ୟାସକବି ଫକୀର ମୋହନ ସେନାପତି

୬-ସ୍ୱଭାବ କବି ଗଙ୍ଗାଧର ମେହେର

୭-କବିବର ରାଧାନାଥ ରଥ

୮-କର୍ମବୀର ଗୌରୀଶଙ୍କର

୯-ପଣ୍ଡିତ ନୀଳକଣ୍ଠ

୧୦-ହରିହର ମର୍ଦରାଜ

୧୧-ବାମଣ୍ଡା ରାଜା ସାର୍ ବାସୁଦେବ ସୁଢ଼ଳ